ଆତ୍ମନିର୍ଭର କୃଷିର ପ୍ରଥମ ସୋପାନ- କୃଷକ ଉତ୍ପାଦକ ସଂଗଠନ

0

ଚାଷୀ – ସେ ସବୁଜିମାର ଶିଳ୍ପୀ । ସେ ତିଆରି କରେ ଶ୍ୟାମଳର ବାତାବରଣ । ମାଟିର ମଣିଷ ହୋଇ ମାଟି ଉପରେ ସୁନାର ଫସଲ ଫଳାଏ । ତାର ପାଇଁ ଦିନରେ ଦି ଓଳି ଦାନା ଆମ ପେଟରେ ପଡେ଼ ।

ସେ ଦରଦୀ ମଣିଷ , ହେଲେ ଏକ ମହାନ ବ୍ୟକ୍ତିତ୍ୱର ଉଦାହରଣ । ସେଇ ଚାଷୀ ପାଇଁ ଆଜି ଦେଶର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଛି । ତେବେ ସମୟାଂଶରେ ଚାଷୀ ମାନଙ୍କ ଭିତରେ ଦେଖାଦେଉଛି ସଚେତନତାର ଅଭାବ । ଉପଯୁକ୍ତ ତାଲିମ ଓ ପ୍ରଶିକ୍ଷଣ ଅଭାବରେ ସେମାନେ ନିଶ୍ଚୟ ସଫଳତାରୁ ବଂଚିତ ହେଉଛନ୍ତି ।ଏହି କ୍ରମରେ ଚାଷୀମାନଙ୍କ ମଧ୍ୟରେ ସଚେତନତାର ମନ୍ତ୍ର ଫୁଙ୍କିବା ପାଇଁ କୃଷକ ଉତ୍ପାଦକ ସଂଗଠନ ମାନଙ୍କ ଭୂମିକା ପ୍ରଶଂସନୀୟ । ଚାଷୀମାନଙ୍କୁ ତୃଣମୂଳ ସ୍ତରରୁ ସଫଳତାର ପ୍ରତିଟି ସୋପାନ ଯାଏଁ ଏହି ସଂଗଠନ ମୁଖ୍ୟ ଭୂମିକା ନେଇଥାଏ । ଚାଷୀଙ୍କୁ ସ୍ୱାବଲମ୍ବୀ କରାଏ ଆଉ ଆତ୍ମନିର୍ଭର କୃଷିର ବାଟ ଦେଖାଏ । ଏହି ପରିପ୍ରେକ୍ଷୀରେ ସେମିତି ଜଣେ କୃଷକ ଉତ୍ପାଦକ ସଂଗଠନର ପଥପ୍ରଦର୍ଶକ ,ଯିଏ ଓଡ଼ିଶାର କୋଣ ଅନୁକୋଣରେ କୃଷକ ସଶକ୍ତିକରଣର ବାର୍ତ୍ତା ବାଣ୍ଟୁଛନ୍ତି , କୃଷି ସାମାଜିକ ଆନେ୍ଦାଳନର(ଆଗୋ୍ର ସୋସିଆଲ୍ ମୋମେଣ୍ଟ) ପୁରୋଧା ସାଜିଛନ୍ତି , ଚାଷ ଓ ଚାଷୀର ମହତ୍ତ୍ୱକୁ ବେଶ ପାଖରୁ ବୁଝିଛନ୍ତି – ଶ୍ରୀ ଅବିନାଶ ଦାଶ(ମୋ -୯୩୪୮୦୭୫୯୯୭,କଟକ) । ସେମିତି ଜଣେ ଯୁବ ଉଦ୍ୟୋଗୀଙ୍କସହ ଅଧିକ ଆଲୋଚନା କରିଥିଲେ ଆମ ଫିଚର ବିଭାଗ ମୁଖ୍ୟ ପ୍ରଜ୍ଞା ପରମିତା …

ପ୍ର: ଆପଣଙ୍କ ମତରେ କୃଷକ ଉତ୍ପାଦକ ସଙ୍ଗଠନ କଣ ?

ଉ: ମୋ ମତରେ କୃଷକ ଉତ୍ପାଦକ ସଂଗଠନ ହେଉଛି ଚାଷୀ ଓ ଅଣଚାଷୀମାନଙ୍କର ଏକ ମିଳିତ ସଂଗଠନ ଯାହାକି ଉତ୍ପାଦକ କମ୍ପାନୀ ନିୟମ-୨୦୦୩ର ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରେ । ଏଥିରେ ଯେକୌଣସି ପ୍ରାଥମିକ ଉତ୍ପାଦକ ସମୂହ ମିଳିତ ଭାବରେ ଏକ ସଂଗଠନ ଗଠନ କରି ସମସ୍ତ କାର୍ଯ୍ୟକ୍ରମ(ଉତ୍ପାଦନ,ନିବେଶ,ବ୍ୟାପାର) ଆଦି ବୃହତ ଆକାରରେ କରିବାର ସୁଯୋଗ ପାଇପାରିବେ ।

ପ୍ର: କୃଷକ ଉତ୍ପାଦକ ସଂଗଠନ ଦ୍ୱାରା ଚାଷୀ କିପରି ଲାଭବାନ ହୋଇପାରିବେ?

ଉ: ପ୍ରଥମତଃ ଅତିକମ୍ରେ ଦଶ ଜଣ କୃଷି ଉତ୍ପାଦକଙ୍କୁ ନେଇ ଏଇ ସଂଗଠନ ଗଠନ କରାଯାଇପାରିବ । ଏହା ସାଧାରଣତଃ ଘରୋଇ ସଂସ୍ଥାର ମିଳିତ କାର୍ଯ୍ୟଶୈଳୀରେ କାମ କରେ । ଯାହା ଦ୍ୱାରା ଘରୋଇ ସଂସ୍ଥା ଭାବରେ ଚାଷୀମାନଙ୍କ ଉତ୍ପାଦନ,ନିବେଶ କ୍ଷମତା ବଢ଼ାଇଥାଏ ଓ ବ୍ୟାପାରରେ ଅଧିକ ଲାଭାଂଶ ଯୋଗାଇଥାଏ । ସଂଗଠିତ କାର୍ଯ୍ୟ ଦ୍ୱାରା ସେମାନେ ଅଧିକ ଉତ୍ପାଦନ ଓ ନିବେଶର ସୁଯୋଗ ପାଇଥାନ୍ତି । ଏହା ସହ ଚାଷୀଟିଏ ସବୁପ୍ରକାର ସରକାରୀ ସହଯୋଗ ଓ ପ୍ରୋତ୍ସାହନକୁ ପ୍ରାପ୍ତ କରିପାରିବେ ।

ପ୍ର: କୃଷକ ଉତ୍ପାଦକ ସଂଗଠନରେ ସରକାରୀ ସାହାଯ୍ୟ ସୁବିଧା କଣ ରହିଛି ?

nano urea

ଉ: କୃଷକ ଉତ୍ପାଦକ ସଂଗଠନ ଗଠନ ଠାରୁ ଆରମ୍ଭ କରି ତାଲିମ ଓ ତିନି ବର୍ଷର କାର୍ଯ୍ୟକ୍ରମକୁ ସରକାରୀ ସଂସ୍ଥା (ସମ୍ଲ ଫାର୍ମର ଏଗ୍ରି ବିଜନେସ କର୍ନ୍ସୋଟିୟମ୍ ) ଏବଂ ନାବାଡର଼୍ ପକ୍ଷରୁ ଅନେକ ସାହାଯ୍ୟ ସୁବିଧା ଯୋଗାଇ ଦିଆଯାଇଥାଏ । ଏହା ଗଠନ ପାଇଁ ପ୍ରତି ସଦସ୍ୟ କୃଷକଙ୍କୁ ୧୦୦୦-୨୦୦୦ ଟଙ୍କା ନିବେଶରେ ସରକାର ସମାନ ପରିମାଣର ସହାୟତା ରାଶି (ସର୍ବାଧିକ ୧୫ଲକ୍ଷ ଟଙ୍କା ) ପର୍ଯ୍ୟନ୍ତ ଯୋଗାଇଥାନ୍ତି, ଯାହାକି ପୁନଃଫେରାଇବା ଆବଶ୍ୟକ ହୋଇନଥାଏ । ଏହା ବ୍ୟତୀତ କୃଷକ ଉତ୍ପାଦକ
ସଂଗଠନର ସଠିକ କାର୍ଯ୍ୟକାରିତା ପାଇଁ ମନୋନୀତ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନାବାଡର଼୍ ପକ୍ଷରୁ ପ୍ରଥମ ତିନି ବର୍ଷ ପର୍ଯ୍ୟନ୍ତ ମାସିକ ବେତନ ମଧ୍ୟ ଦିଆଯାଇଥାଏ ।

ପ୍ର: ଓଡ଼ିଶାରେ କୃଷି ଉତ୍ପାଦକ ସଂଗଠନର ସ୍ଥିତି ଓ ସୁଯୋଗ କିପରି ରହିଛି ?

ଉ: ଦେଶରେ ୭୦୦୦ରୁ ଉଦ୍ଧ୍ୱର୍ କୃଷି ଉତ୍ପାଦକ ସଂଗଠନ ମଧ୍ୟରୁ ୩୫୦ରୁ ଅଧିକ ଓଡ଼ିଶାରେ ପଂଜିକୃତ ହୋଇଛି । କିନ୍ତୁ ଚାଷୀଙ୍କ ମଧ୍ୟରେ ସହଯୋଗ ଓ ସଚେତନତାର ଅଭାବ ହେତୁ ସମସ୍ତ ସଂଗଠନ ଏହାର ଲାଭ ନେଇ ପାରୁ ନାହାନ୍ତି । ୨୦୧୮-୧୯ରେ ଭାରତ ସରକାରଙ୍କ ଦ୍ୱାରା ପରିବର୍ତ୍ତିତ ନିୟମ ଅନୁସାରେ ସଂଗଠନ ହେବାର ପାଂଚ ବର୍ଷ ଯାଏଁ ଏହା ଉପରେ କୋ÷ଣସି ଟିକସ ନଲାଗିବାକୁ ସ୍ଥିରୀକୃତ ହୋଇଛି । ୨୦୨୦ର ଅର୍ଡିନାନ୍ସରେ ଏକ ଦେଶ , ଏକ ବଜାରର ପରିକଳ୍ପନା ଏହାର ଗଠନ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ ବୋଲି ମୋର ଆଶା ।

ପ୍ର: କୃଷି ଉତ୍ପାଦକ ସଂଗଠନର ସଫଳତା ପାଇଁ ଆବଶ୍ୟକୀୟ ପଦକ୍ଷେପ କ’ଣ?

ଉ: ପ୍ରଥମରେ ଏଥି ନିମିତ୍ତ ଏକ ଉପଯୁକ୍ତ ପରିବେଶର ଆବଶ୍ୟକତା ରହିଛି ଯେଉଁଠାରେ ସଚେତନତାର ମନ୍ତ୍ର ବାଣ୍ଟି ହେଉଥିବ । କୃଷକ ମାନଙ୍କ ଭିତରେ ଯଦି ସଚେତନତା ଆଣିହେଲା , ତାହେଲେ ସେମାନଙ୍କର ମନୋବଳ ବୃଦ୍ଧି ପାଇବ । କୃଷି ଉତ୍ପାଦକ ସଂଗଠନ ମାନଙ୍କର କ୍ଷମତା ବୃଦ୍ଧି ପାଇଁ ଆନୁଷ୍ଠାନିକ ତାଲିମ କେନ୍ଦ୍ର , ରାଜ୍ୟ ଓ ଜିଲ୍ଲା ସ୍ତରୀୟ ସହାୟତା କେନ୍ଦ୍ରର ପ୍ରତିଷ୍ଠା କରାଇବା ଜରୁରୀ । ବର୍ତ୍ତମାନର ଷ୍ଟାର୍ଟଅପ୍ ସହ ଯଦି ସଂଗଠନକୁ ଯୋଡ଼ି ହେବ , ତାହେଲେ ଏହାର କାର୍ଯ୍ୟଶୈଳୀ ମଧ୍ୟ ବୃଦ୍ଧି ହୋଇପାରିବ ।

ପ୍ର: ଶ୍ୟାମଳ ସୁବର୍ଣ୍ଣ ବିଷୟରେ କଣ ମତାମତ ରଖିବେ?

ଉ: ନିଶ୍ଚୟ ଭାବରେ କୃଷି ଛାତ୍ରମାନଙ୍କ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପକୁ ମୁଁ ସ୍ୱାଗତ କରୁଛି । ତେବେ ମୋ ମତରେ ପତ୍ରିକାକୁ କୃଷକ ଉତ୍ପାଦକ ସଂଗଠନ ସହ ଯୋଡ଼ିବା ଆବଶ୍ୟକ । ଯାହା ଫଳରେ ଓଡ଼ିଶାର ଚାଷୀକୁଳ ପାଖରେ ପତ୍ରିକା ପହଁଚାଇବା ସୁବିଧାଜନକ ହୋଇପାରିବ । ପତ୍ରିକାର ପ୍ରତି ସଂଖ୍ୟାକୁ ଯଦି ସଂଗଠନ ପାଖରେ ଉପଲବ୍ଧ କରାଇପାରିବେ , ତାହେଲେ ଏହାର ପଥ ସୁଗମ ହେବ । ପତ୍ରିକାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।

ପ୍ରସ୍ତୁତି – ପ୍ରଜ୍ଞା ପରମିତା , ଡ଼ି ଶୁଭମ୍ , ଜଗଦାନନ୍ଦ ପ୍ରଧାନ

Leave A Reply

Your email address will not be published.

one + 9 =