କିପରି କରିବେ ପାଳଛତୁ ଚାଷ

0

ଛତୁ ଚାଷ କଣ ପାଇଁ –
ଓଡ଼ିଶାରେ ବିଭିନ୍ନ ଋତୁରେ ବିଭିନ୍ନ ପନିପରିବା , ଫୁଲ , ଫଳ ଇତ୍ୟାଦି ଚାଷ କରାଯାଇଥାଏ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଭାବେ ଶସ୍ୟ ଜାତୀୟ ଫସଲ ଉତ୍ପାଦନରେ ବେଶ ଆଗରେ ଅଛି । କିନ୍ତୁ ଛତୁ ଚାଷ ଏପରି ଏକ ମାଧ୍ୟମ ଯାହା ଦ୍ୱାରା ବେକାର ଯୁବକ ଯୁବତୀ ମାନେ ସହଜରେ ରୋଜଗାର କରିପାରିବେ । ନିଜ ଗୋଡ଼ରେ ନିଜେ ଠିଆ ହେବାର ଏକ ସଫଳ ପ୍ରଚେଷ୍ଟା ଏହି ଚାଷ । ଏହାକୁ ଜଣେ କମ ସମୟ ମଧ୍ୟରେ ନିଜ ଘରେ ମଧ୍ୟ ଚାଷ କରିପାରିବ । ଆବଶ୍ୟକୀୟ ପଦ୍ଧତିକୁ ସୂଚାରୁ ରୂପେ ସମ୍ପାଦନ କରିପାରିଲେ କମ ସମୟରେ ଅମଳ କରି ଲାଭବାନ ବି ହୋଇପାରିବ । ବର୍ତ୍ତମାନ ଅନେକ ଯୁବଗୋଷ୍ଠୀ ଏହାକୁ ଆପଣେଇ ନିଜ ଘରେ ଚାଷକରି ବେଶ ପଇସା କମାଉଛନ୍ତି । ସୁତାରଂ , ଏହା ଏକ ସପଳ ଚାଷ ଭାବେ ପରିଗଣିତ ହୋଇଛି ।
ତାପମାତ୍ରା ନିୟନ୍ତ୍ରଣ –
ସାଧାରଣତଃ ୨୫-୨୫ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ପାଳଛତୁ ଚାଷ ପାଇଁ ସର୍ବୋକୃଷ୍ଟ ହୋଇଥାଏ । ଓଡ଼ିଶାରେ ମାର୍ଚ୍ଚ ଠାରୁ ଆରମ୍ଭ କରି ନଭେମ୍ବର ଯାଏଁ ଏହାକୁ ଚାଷ କରାଯାଇପାରେ । ପାଳଛତୁ ଚାଷରେ ତାପମାତ୍ରା ନିୟନ୍ତ୍ରଣ ଏକ ପ୍ରମୁଖ ବ୍ୟବସ୍ଥା । କାରଣ ତାପମାତ୍ରାରେ ଅସାମଂଜସ୍ୟ ଦେଖାଗଲେ ଅମଳରେ ଅସୁବିଧା ଦେଖାଯାଏ । ୩୦ ରୁ ୩୫ ଡ଼ିଗ୍ରୀ ତାପମାତ୍ରା ଅମଳ ପାଇଁ ଉପଯୋଗୀ ହୋଇଥାଏ । ଖରାଦିନ ମାନଙ୍କରେ ଯଦି ତାପମାତ୍ରା ଅଧିକ ହୋଇଯାଏ ତାହେଲେ ଚାଷ କରାଯାଉଥିବା ସ୍ଥାନ ମାନଙ୍କରେ କାନ୍ଥରେ ଓଦା ଅଖା ଟାଣି ତାପମାତ୍ରା ନିୟନ୍ତ୍ରଣ କରାଯାଏ । ସକାଳ ଠାରୁ ସଂଧ୍ୟା ଯାଏଁ ଛତୁ ବେଡ଼ ଉପରୁ ପଲିଥିନ କାଢ଼ି ଦେବା ଆବଶ୍ୟକ । ପାଳଛତୁ ଅନ୍ୟ ଛତୁଚାଷ ଅପେକ୍ଷା ଅଧିକ ଆଲୋକ ଆବଶ୍ୟକ କରିଥାଏ । ତେଣୁ କାନ୍ଥ ବିହୀନ ଘରେ ଚାଷ କଲେ ଏହା ଭଲ ଫଳ ଦେଇଥାଏ । କାରଣ ଏହି ସ୍ଥାନରେ ଆବଶ୍ୟକ ମାତ୍ରାରେ ଆଲୋକ ମିଳିପାରେ । କାନ୍ଥ ଥିବା ଘରେ ଚାଷ କଲେ ସେଥିରେ ଝରକା ରହିବା ଦରକାର । କାରଣ ବିନା ଝରକାରେ ସୂର୍ଯ୍ୟାଲୋକ ସିଧାସଳଖ ଛତୁ ବେଡ଼ ଉପରେ ପଡ଼ିଥାଏ । ତେଣୁ ନଡ଼ା ଶୁଖିଯିବାର ସମ୍ଭାବନା ଥାଏ । ଏବେ ତ ଉତ୍ତାପ ବା ଆଲୋକ ନିୟନ୍ତ୍ରଣ ପାଇଁ ଅନେକ ବ୍ୟବସ୍ଥା ଉପଲବ୍ଧ ହେଲାଣି । ପାଳଛତୁ ଚାଷ ପାଇଁ ୮୫-୯୫ ପ୍ରତିଶତ ଆର୍ଦ୍ରତା ରହିବା ଆବଶ୍ୟକ । ଖରା ଦିନେ ଆର୍ଦ୍ରତା କମିଗଲେ ଚଟାଣରେ ପାଣିଢ଼ାଳି ଏହାକୁ ରକ୍ଷା କରାଯାଇପାରିବ । ଏତଦବ୍ୟତୀତ ପାଳଛତୁର ବୃଦ୍ଧି ଓ ଫୁଟିବା ସମୟରେ ଅମ୍ଳଜାନ ଆବଶ୍ୟକ ହୋଇଥାଏ । ତେଣୁ ବନ୍ଦ କୋଠରୀରେ ଏହାକୁ କରିବା ଅନୁଚିତ ।
ଆବଶ୍ୟକୀୟ ଉପାଦାନ –
ନଡ଼ା – ପାଳଛତୁ ଚାଷରେ ନଡ଼ା ୧୫-୨୦ ବିଡ଼ା ଆବଶ୍ୟକ । ଧାନ ନଡ଼ା ନମିଳିଲେ ମାଣ୍ଡିଆ ବା ଆଖୁଛେଦା ବି ବ୍ୟବହାର କରାଯାଇପାରିବ ।
ଛତୁ ବିହନ – ୩୫୦-୪୦୦ଗ୍ରାମର ଉଚୁ ବିହନ ପାଳଛୁତୁ ଚାଷ ପାଇଁ ଆବଶ୍ୟକ ହୋଇଥାଏ ।
ବେସନ ବା ଡ଼ାଲିଗୁଣ୍ଡ – ଗୋଟିଏ ବେଡ଼ ଛତୁ ପାଇଁ ୨୦୦-୨୫୦ଗ୍ରାମ ଡ଼ାଲିଗୁଣ୍ଡ ଆବଶ୍ୟକ ହୁଏ । ଏହାକୁ ଛତୁର ଖାଦ୍ୟ ବୋଲି ବିବେଚନା କରାଯାଏ ।
ପଲିଥିନ – ଛତୁ ବେଡ଼କୁ ଚାରିପଟୁ ଘୋଡ଼ାଇବା ପାଇଁ ପଲିଥିନ ଦରକାର । ୨ ଫୁଟ ଲମ୍ବ,ପସ୍ଥ ଓ ଉଚ୍ଚତାର ବେଡ଼ ପାଇଁ ୬ ଫୁଟ ଲମ୍ବ ଓ ପ୍ରସ୍ଥ ପଲିଥିନ ଆବଶ୍ୟକ ହୋଇଥାଏ ।
ଚାଷ ପ୍ରଣାଳୀ –
ନଡ଼ା ବିଶୋଧନ- ପ୍ରଥମେ ନଡ଼ାର ଦୁଇ ପଟକୁ କାଟି ୨ଫୁଟ ଲମ୍ବର ନଡ଼ା ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ୧୨-୨୪ ଘଣ୍ଟା ଯାଏଁ ପରିଷ୍କାର ପାଣିରେ ବତୁରାଇ ରଖନ୍ତୁ । ଏହାକୁ ବତୁରାଇବା ପୂର୍ବରୁ ପାଣି ମଧ୍ୟରେ ଚୂନ ପକାନ୍ତୁ । କାରଣ ଏହା ଦ୍ୱାରା ମାଇସେଲିୟମ ଭଲ ଭାବରେ ବଢ଼ିଥାଏ । ୧ ଲିଟର ପାଣିରେ ୨୦ଗ୍ରାମ ଚୂନ ମିଶାଇ ସେଥିରେ ବତୁରାଇବା ଦରକାର । ଏହା ପରେ ଗରମ ପାଣିରେ (ଉଷୁମ) ୧୫-୨୦ ମିନିଟ ବୁଡ଼ାଇ ଏହାକୁ ସେଥିରୁ କାଢ଼ି ଏକ ଉଚ୍ଚା ଜାଗା କିମ୍ବା କୋ÷ଣସି ଏକ ସ୍ଥାନରେ ଢେ଼ରଣା ଦେଇ ରଖାଯାଏ । ଯେପରିକି ନଡ଼ାରୁ ସମ୍ବୂର୍ଣ୍ଣ ଭାବେ ପାଣି ଗଡ଼ିଯାଇଥିବ । ନଡ଼ାରୁ ପୁରା ପାଣି ନିଗିଡ଼ା ଗଲା ପରେ ଏହାକୁ ଚାରି ଭାଗ କରାଯାଏ ।
ଭାଡ଼ି ପ୍ରସ୍ତୁତି – ଭାଡ଼ିର ଚାରିପଟେ ୪ ଗୋଟି ଇଟା ଦେଇ ୨ଫୁଟ ଲମ୍ବ , ୨ ଫୁଟ ଓସାରର ବାଉଁଶ ବା କାଠରେ ଭାଡ଼ି କରାଯାଏ । ଭାଡ଼ିଠୁ ମାଟି ୬-୧୨ ଇଂଚ ଉଚ୍ଚାରେ ରହିବା ଆବଶ୍ୟକ । ନହେଲେ ପିମ୍ପୁଡ଼ି , ମୂଷାର ଭାଡ଼ିକୁ ଆକ୍ରମଣ କରିବାର ଭୟ ଥାଏ ।
ମଂଜି – ବୋତଲରେ ଥିବା ଛତୁ ବିହନକୁ ଭାଙ୍ଗି ବାହର କରାଯାଏ । ମଂଜି ଗୁଡ଼ିକୁ ଛୋଟ ଛୋଟ ଖଣ୍ଡରେ ବିଭକ୍ତ କରି ଏହାକୁ ଚାରି ଭାଗ କରାଯାଏ ।
ବେଡ଼ ପ୍ରସ୍ତୁତି – ପ୍ରସ୍ତୁତ କରାଯାଇଥିବା ଭାଡ଼ି ଉପରେ ପୂର୍ବ -ପଶ୍ଚିମ କରି ଏକ ଭାଗ ନଡ଼ା ବିଛାଇ ଦିଆଯାଏ । ଏପରି କଲେ ନଡ଼ା ଭୁସୁଡ଼ିବ ନାହିଁ । ନଡ଼ା ଉପରୁ ୫-୭ ସେମି ଛାଡ଼ି ଗୋଟିଏ ଭାଗଛତୁ ବିହନକୁ ଗୋଟି ଗୋଟି କରି ରଖାଯାଏ । ଏକ ଭାଗ ଡ଼ାଲି ଗୁଣ୍ଡକୁ ଏହି ମଂଜି ଉପରେ ସମାନ ଭାବରେ ରଖାଯାଏ । ଏହା ଛତୁ ଭାଡ଼ିର ପ୍ରଥମ ସ୍ତର । ଏହା ପରେ ପ୍ରଥମ ସ୍ତର ଉପରେ ଉତ୍ତର -ଦକ୍ଷିଣ କରି ଆଉ ଏକ ଭାଗ ନଡ଼ା ରଖାଯାଏ । ଏବଂ ପୁଣି ପ୍ରଥମ ସ୍ତର ପରି ଆଉ ଏକ ଭାଗ ମଂଜି ଓ ନାଲି ଗୁଣ୍ଡକୁ ପ୍ରୟୋଗ କରାଯାଏ । ଦ୍ୱିତୀୟ ସ୍ତର ଉପରେ ପୂର୍ବ ପଶ୍ଚିମ କରି ଆଉ ଏକ ଭାଗ ନଡ଼ା ରଖାଯାଏ । ଏହା ପରେ ବାକି ଥିବା ୨ ଭାଗ ବିହନ ଓ ନାଲି ଗୁଣ୍ଡକ ପ୍ରୟୋଗ କରାଯାଏ । ଏହା ଛତୁ ବେଡ୍‌ର ତୃତୀୟ ସ୍ତର । ତୃତୀୟ ସ୍ତର ଉପରେ ଉତ୍ତର – ଦକ୍ଷିଣ ଦିଗରେ ପୁଣି ଏକ ଭାଗ ନଡ଼ା ବିଛାଇଦିଆଯାଏ । ଏପରି ଭାବେ ଚାରୋଟି ସ୍ତରକୁ ନେଇ ଗୋଟିଏ ବେଡ଼ ପ୍ରସ୍ତୁତ ହୋଇଥାଏ । ଏହା ପରେ ବେଡ଼କୁ ପଲିଥିନ ଦ୍ୱାରା ଘୋଡ଼ାଇ ଦିଆଯାଏ । ବେଡ଼ ପକାଇବାର ୪-୫ ଦିନ ପରେ -ପଲିଥିନ ଟେକି ବେଡ଼ର ବତରସ୍ତରକୁ ଅନୁଧ୍ୟାନ କରି ବତର କମ୍‌ ଥିଲେ ପାଣି ସ୍ପ୍ରେ କରିପାରିବେ । ୭-୧୦ ଦିନ ବେଳକୁ ଛତୁ ନଡ଼ା ଉପରେ ସମ୍ପୂର୍ଣ୍ଣ ମାଡ଼ିଗଲେ ପଲିଥିନକୁ ବାହାର କରିଦିଆଯାଏ ।
ଳ ପ୍ରକ୍ରିୟା – ବେଡ଼ ପକାଇବାର ୯-୧୦ ଦିନରେ ପ୍ରଥମ କଢ଼ ଦେଖାଦିଏ । ଏବଂ ଏହାର ୩-୪ ଦିନ ପରେ କଢ଼ ତୋଳାଯାଏ । କଢ଼ ଛତୁର ଚାହିଦା ବଜାରରେ ଅନେକ ଥାଏ । ତୋଳିବାର ଯଥାଶୀଘ୍ର ଏହାକୁ ବିକ୍ରି ପାଇଁ ନେବା ଆବଶ୍ୟକ । ନହେଲେ ଏହାର ଓଜନ କମିଯାଏ ଗୋଟିଏ ଭାଡ଼ିରୁ ୨-୩ ଦିନ ଯାଏଁ ଅମଳ ମିଳିଥାଏ । ପ୍ରଥମ ପର୍ଯ୍ୟାୟର ୭-୮ ଦିନ ପରେ ପୁଣି ଫୁଟିଥାଏ । ଗୋଟିଏ ବେଡ଼ରୁ ୧-୧.୫ କିଗ୍ରା ଛତୁ ମିଳିପାରେ ।

Leave A Reply

Your email address will not be published.

20 + 13 =