ପାକଶାଳା ଉଦ୍ୟାନ-ଆତ୍ମସୁରକ୍ଷା ଓ ଆତ୍ମନିର୍ଭରଶୀଳତାର ଅନ୍ୟତମ ସୋପାନ

0

ଆଜି ସାରା ଜଗତରେ ମୃତ୍ୟୁ ତାର ତାଣ୍ଡବଲୀଳା ରଚୁଛି କରୋନା ମହାମାରୀ ରୂପରେ।ଭୂତାଣୁଟିଏ ସମଗ୍ର ବିଶ୍ୱକୁ ଆଜି କରିଛି ଆତଙ୍କିତ।ଜୀବନରେ ସାବଲୀଳତା ହଜି ଯାଇଛି କେଉଁଠି।ଜୀବନ କହିଲେ ଏବେ ଖାଲି ନିଃସଙ୍ଗତା,ସ୍ଥାଣୁତା ଆଉ କିଛି ଭୟ ଓ ଚେନାଏ ଆଶଙ୍କା।ଏ ଆଶଙ୍କା ଘରୁ ବାହାରକୁ ପାଦ ରଖିବା ବେଳେ,ଏ ଆଶଙ୍କା ଖାଦ୍ୟ ପାଇଁ ବ୍ୟାଗ ଧରି ବଜାରକୁ ଗଲାବେଳେ ପୁଣି ଏ ଆଶଙ୍କାକୁ ଆମେ ସାଥିରେ ନେଇ ଫେରୁଛୁ ବଜାରରୁ ପନି ପରିବା ସହ।ପନିପରିବା ସବୁକୁ ଭଲ କରି ଧୋଇ ସାରିବା ପରେ ବି କଣ ଧୋଇ ପୋଛି ଯାଉଛି କି ଆମ ଆଶଙ୍କା,ଆମ ଭୟ?ଏବେ ହୁଏତ ଉପଯୁକ୍ତ ସମୟ ଆସିଛି ବୁଝିବାର ଓ ଏ ଆଶଙ୍କାକୁ କିଛି ମାତ୍ରାରେ ଦୂରୀଭୂତ କରିବାର।ସେଥିପାଇଁ ପ୍ରତି ପ୍ରତ୍ୟେକ ପାକଶାଳା ଉଦ୍ୟାନକୁ ଆପଣେଇବା ଉଚିତ ସାମ୍ପ୍ରତିକ ଦୁଃସ୍ଥିତିକୁ ଆଖି ଆଗରେ ରଖି।ଆପଣାର ଘରର ଛାତ,ଅଲୋଡ଼ା ଅଗଣା,ବାଡ଼ି ପଛପଟରେ ବ୍ୟକ୍ତିଗତ ସ୍ତରରେ କିଛି ନା କିଛି ପନିପରିବା ଉତ୍ପାଦନ କରି ନିଜ ପରିବାରକୁ ପୋଷଣ ଯୋଗାଇବା ସହ ପରିବେଶକୁ ସବୁଜ ସୁନ୍ଦର ରଖିବାର ଏକ ନିଆରା ମାଧ୍ୟମ ହେଉଛି ପାକଶାଳା ଉଦ୍ୟାନ।

ପାକଶାଳା ଉଦ୍ୟାନ ପାଇଁ ପ୍ରଥମେ ଉପଯୁକ୍ତ ସ୍ଥାନ ବା ପୃଷ୍ଠଭୂମି ଚୟନ କରିବା ଆବଶ୍ୟକ।ଏହି ଚୟନ ପ୍ରକ୍ରିୟା ନିର୍ଭର କରେ କର୍ତ୍ତାର ଇଚ୍ଛା ସହ ତା ପାଖେ ଜାଗାର ଉପଲବ୍ଧି ଉପରେ।ଯଦି କର୍ତାଙ୍କ ପାଖେ ପ୍ରଶସ୍ତ ଜାଗା ଅଛି ତେବେ ପାକଶାଳା ଉଦ୍ୟାନ କରିବା ପାଇଁ ତାଙ୍କୁ ବିଶେଷ ଅସୁବିଧା ନାହିଁ।ଆଉ ଯଦି ବି କର୍ତା ଭୁବନେଶ୍ୱର ପରି ଅତ୍ୟାଧୁନିକ ଜନବସତିପୂର୍ଣ୍ଣ ସହରରେ ରହୁଛନ୍ତି ଏବଂ ତାଙ୍କ ପାଖେ ପ୍ରଶସ୍ତ ଜାଗା ନାହିଁ ତଥାପି ଏ ପାକଶାଳା ଉଦ୍ୟାନ ନିମନ୍ତେ ତାଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ।କାହିଁକି ନା ଛାତ ଉପରେ ସେ ସୁନ୍ଦର ଭାବେ ନିଜ ଆବଶ୍ୟକତାକୁ ଲକ୍ଷ୍ୟ କରି ପାକଶାଳା ଉଦ୍ୟାନର ପରିକଳ୍ପନା କରି ତାକୁ ବାସ୍ତବାୟିତ କରିପାରିବେ ନିଜ ଇଚ୍ଛାଶକ୍ତି ମାଧ୍ୟମରେ।ତେବେ ପାକଶାଳା ଉଦ୍ୟାନ ପାଇଁ ଚୟନ କରାଯାଇଥିବା ପୃଷ୍ଠଭୂମିର ମୃତ୍ତିକା ଉର୍ବର ହେବା ଆବଶ୍ୟକ ଏବଂ ଜଳ ନିଷ୍କାସନର ସୁବିଧା ପ୍ରତି ବିଶେଷ ଗୁରୁତ୍ୱ ଦେବା ଉଚିତ।ଉପଯୁକ୍ତ ଜଳସେଚନ ନିମନ୍ତେ ଜମିର ଅବସ୍ଥିତି ପାଣିର ଉତ୍ସ ପାଖେ କରିବା ବିଧେୟ।ପାକଶାଳା ଠୁଁ ଜମିର ଦୂରତା ମଧ୍ୟ ଅଧିକ ରଖିବା ଉଚିତ ନୁହଁ।କାରଣ ରୋଷେଇଘରେ ବ୍ୟବହୃତ ପାଣି ଓ ଅନ୍ୟାନ୍ୟ ଜୈବିକ ଅଵ୍ୟଵହୃତ ପଦାର୍ଥ ବା ଆବର୍ଜନା ସବୁକୁ ପାକଶାଳା ଉଦ୍ୟାନରେ ସହଜରେ ବ୍ୟବହାର କରାଯାଇପାରିବ।ଜମିକୁ ଛୋଟ ଛୋଟ ପଟାଳିରେ ବିଭକ୍ତ କରାଯିବା ଉଚିତ ଓ ଯେମିତି ଜମି କୌଣସି ସମୟରେ ଖାଲି ନରହେ ସେଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ।କୌଣସି ପଟାଳିରେ ମଧ୍ୟ ପାଣି ଜମା ରଖିବା ଉଚିତ ନୁହଁ।ଗଛ ଲଗାଇବା ପୂର୍ବରୁ ବା ମଞ୍ଜି ବୁଣିବା ଆଗରୁ ମାଟିରେ ଭଲଭାବରେ ଉପଯୁକ୍ତ ପରିମାଣରେ ଛଅ ମାସରୁ ଅଧିକ ଶଢ଼ି ଯାଇଥିବା ଜୈବିକ ପଦାର୍ଥ ଭଲଭାବରେ ମିଶାଇ ଦେବା ଉଚିତ।ଏହା ବ୍ୟତୀତ ମାଟିରେ ଗୋବର ଖତ ଓ ଗୋମୂତ୍ରକୁ ଭଲଭାବେ ମିଶାଇଦେଲେ ତାହା ମାଟିର ଉର୍ବରତାକୁ ଅନେକ ମାତ୍ରାରେ ବୃଦ୍ଧି କରିବାରେ ସହାୟକ ହେବ।ଛାତରେ ମଧ୍ୟ ଉପଯୁକ୍ତ ସ୍ଥାନରୁ ଉନ୍ନତ ମାଟି ଆଣି ସେଥିରେ କୋକୋପିଟ କିମ୍ବା ଶୁଖିଲା ପତ୍ର ଆଦି ମିଶାଇବା ସହ ଗୋବର ଓ ଗୋମୂତ୍ର କିମ୍ବା ରୋଷେଇ ଘରୁ ବାହାରୁଥିବା ଜୈବିକ ଉପାଦାନ ସବୁ ମିଶାଇ ଗଛ ପାଇଁ ଉନ୍ନତ ପୋଷକଯୁକ୍ତ ଆଧାରଟିଏ ପ୍ରସ୍ତୁତ କରାଯିବାପରେ ତାକୁ ଏକ ଗାମ୍ବୁଲା କିମ୍ବା ମାଟି ପାତ୍ର,ପ୍ଲାଷିକ ବୋତଲ,ପୁରୁଣା ଟାୟାର ,ପୁରୁଣା ଲୁହା କିମ୍ବା ପ୍ଲାଷିକ ଡ୍ରମ,ଖୋଲା ବ୍ୟାଗରେ ରଖି ସେଥିରେ ଚାରା ରୋପଣ କରିବା ଆବଶ୍ୟକ।ଗଛକୁ ଧାରଣ କରୁଥିବା ପାତ୍ରରେ ମଧ୍ୟ ଜଳ ନିଷ୍କାସନର ବ୍ୟବସ୍ଥା କରିବା ଜରୁରୀ।ବାଇଗଣ,ବିଲାତି,କୋବି,ଲଙ୍କା ଆଦି ପନିପରିବା ପାଇଁ ୧୨ ଇଂଚର ଗାମ୍ବୁଲା ବ୍ୟବହାର କରିବା ଭଲ।ଗଛ ଯଦି ବଡ଼ ହୋଇଥାଏ ତେବେ ୧୮ ଇଂଚର ଗାମ୍ବୁଲା ବ୍ୟବହାର କରିବା ଉଚିତ।ମେଥି,ପାଳଙ୍ଗ,ଧନିଆ ଇତ୍ୟାଦି ପରିମାଣ ଅନୁସାରେ ବିଭିନ୍ନ ପ୍ରକାରର ଗାମ୍ବୁଲାରେ ଲଗାଯାଇପାରିବ।ଗଛ ବଢିବା ସହ ପୋଷକ ମଧ୍ୟ ଆବଶ୍ୟକ କରିଥାଏ।କିନ୍ତୁ ପୋଷକ ନିମନ୍ତେ ରାସାୟନିକ ସାର ପ୍ରୟୋଗ ସମ୍ପୂର୍ଣ ରୂପେ ବର୍ଜନ କରିବା ବିଧେୟ।କାରଣ ପାକଶାଳା ଉଦ୍ୟାନର ମୂଳ ଉଦ୍ଦେଶ୍ୟ ହେଉଛି ପରିବାର ପାଇଁ ଉନ୍ନତ ମାନର ଗୁଣବତ୍ତା ସମ୍ପନ୍ନ ତଟକା ପନି ପରିବା ଓ ଫଳ ସହଜରେ ଅଳ୍ପ ଖର୍ଚ୍ଚରେ ପ୍ରାପ୍ତ କରିବା।ସେଥିପାଇଁ ରୋଷେଇ ଘରୁ ପ୍ରତ୍ୟେକ ଦିନ ବାହାରୁଥିବା ବିଭିନ୍ନ ଜୈବିକ ଉପାଦାନ ଯଥା-ଫଳ ଓ ପନିପରିବା ଚୋପା,ନଡ଼ିଆ କତା, ଆଖୁ ଛେଦା, ଚା ପତି ଏସବୁକୁ ନେଇ କମ୍ପୋଷ୍ଟ ଖତ ତିଆରି କରିବା ଉଚିତ।ଏକ ଛିଦ୍ରଯୁକ୍ତ ବାଲଟିରେ କିଛି ଶୁଖିଲା ପତ୍ର ରଖି ତା ଉପରେ ଏ ଜୈବିକ ପଦାର୍ଥ ସବୁ ରଖିବାପରେ ମାଟି ଓ ଗୋବର ରଖିବା ଦରକାର ଏବଂ ଏହାର ଉପରେ ପୁଣି କିଛି ଇଂଚ ବହଳର ଶୁଖିଲା ପତ୍ର ବିଛାଇ ଦେବା ଉଚିତ।ଗୋବର ଆଖପାଖରେ ଯଦି ମିଳୁ ନଥାଏ ତେବେ ଚାରି ଚାମଚ ଦହି ମିଶାଯାଇପାରେ ।ଏଥିରେ ଥିବା ଜୀବାଣୁ ସବୁ ଏହି କମ୍ପୋଷ୍ଟ ହେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଥାନ୍ତି। ଏହି କମ୍ପୋଷ୍ଟ ଖତକୁ ହି ସମୟ ସମୟରେ ଗଛ ମାନଂକରେ ଆବଶ୍ୟକତା ଅନୁସାରେ ଦେବା ଉଚିତ।ଏହା ପରିବେଶକୁ ସୁସ୍ଥ ସୁନ୍ଦର ରଖିବା ସହ ପରିବାରକୁ ମଧ୍ୟ ଉନ୍ନତ ମାନର ପନିପରିବା ଯୋଗାଇବାରେ ବିଶେଷ ଭୂମିକା ଗ୍ରହଣ କରେ।ପାକଶାଳା ଉଦ୍ୟାନ ପାଇଁ ହାଇବ୍ରିଡ଼ ଅପେକ୍ଷା ଦେଶୀ ବୀଜ ପ୍ରତି ଅଧିକ ଗୁରୁତ୍ଵ ଦେବା ଉଚିତ।

ଜହ୍ନି,ବୋଇତାଳୁ,କଖାରୁ,କଲରା ଜାତୀୟ ଲତା ଗଛ ଲଗାଉଥିଲେ ସେଥିପାଇଁ ମଂଚl ତିଆରି କରିବା ଉଚିତ।ପବନ ଯୋଗୁ ଯେପରି ଏ ଲତା ଜାତୀୟ ଗଛର ବିଶେଷ କ୍ଷତି ହେବନାହିଁ ସେଥିପାଇଁ ଭଲକରି ରଶିରେ ବାନ୍ଧି ଏ ଗଛ ଗୁଡିକୁ ମଂଚl ଉପରକୁ ଉଠାଇବା ଉଚିତ।ରବି,ଖରିଫ ଓ ଗ୍ରୀଷ୍ମ ଋତୁକୁ ଆଖି ଆଗରେ ରଖି ପାକଶାଳା ଉଦ୍ୟାନରେ ଭିନ୍ନ ଭିନ୍ନ ପନି ପରିବା ଲଗାଇବା ଉଚିତ।ଭିନ୍ନ ଭିନ୍ନ ଜାତିର ପରିବା ହି ଏକ ପରିବାର ସଦସ୍ୟ ମାନଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ କରିପାରେ।ପାକଶାଳା ଉଦ୍ୟାନରେପନିପରିବା ,ମସଲା(ଗୋଲମରିଚ,ପିଆଜ,ରସୁଣ,ମେଥି) ,ଫଳ(କଦଳୀ,ଲେମ୍ବୁ,ଡାଲିମ୍ବ,ଅମୃତଭଣ୍ଡା,ଆମ୍ବ,ପିଜୁଳି) ଗଛ ଲଗାଇ ଏକ ପରିବାରର ଆବଶ୍ୟକତାକୁ ବେଶ କରି ମେଣ୍ଟା ଯାଇପାରେ।

nano urea

ଜୈବ ବିବିଧତାର ରକ୍ଷଣାବେକ୍ଷଣ ନିମନ୍ତେ ପାକଶାଳା ଉଦ୍ୟାନରେ ମଧ୍ୟ ଫୁଲ ଓ ଔଷଧୀୟ ଗଛ ପନିପରିବା ଓ ଫଳ ସହ ଲଗାଯିବା ଉଚିତ।ରଙ୍ଗବେରଙ୍ଗର ଓ ବାସ୍ନାଯୁକ୍ତ ଫୁଲ ଗଛ ରହିବା ଯୋଗୁ ପ୍ରଜାପତି ଓ ମହୁମାଛି ମାନଙ୍କର ଯିବା ଆସିବା ଲାଗି ରହିବ ଏ ଉଦ୍ୟାନରେ ଯାହା ଅନେକ ଗଛର ପରାଗ ସଙ୍ଗମରେ ମଧ୍ୟ ସାହାଯ୍ୟ କରିବ।ପାକଶାଳା ଉଦ୍ୟାନରେ ଗଛର ରୋଗପୋକର ପରିଚାଳନା ପାଇଁ ମଧ୍ୟ ରାସାୟାନିକ କୀଟନାଶକର ପ୍ରୟୋଗ ନକରି ବରଂ ଘରେ ପ୍ରସ୍ତୁତ ଜୈବିକ କୀଟନାଶକ ବ୍ୟବହାର କରାଯିବା ବିଧେୟ।

ସାମ୍ପ୍ରତିକ ସ୍ଥିତିରେ ସୁବିଧାରେ ନିଜ ହାତ ପାହାନ୍ତାରେ ସବୁଜ ତଟକା ପନିପରିବା ପାଇବାର ଏକମାତ୍ର ଉପାୟ ହି ହେଉଛି ପାକଶାଳା ଉଦ୍ୟାନକୁ ଆପଣାଇନେବା ଯାହା ଅନେକ ଦିଗରୁ ହି ଶୁଭଙ୍କର।ଏହି ପାକଶାଳା ଉଦ୍ୟାନ ଯୋଗୁଁ କିଛି ମାତ୍ରାରେ ପରିବାରର ଅର୍ଥନୈତିକ ସୁଧାର ମଧ୍ୟ ଆସିପାରେ।ଘରର ମହିଳା ମାନେ ମଧ୍ୟ ନିଜର ସମୟକୁ ଏହି ପାକଶାଳା ଉଦ୍ୟାନର ରକ୍ଷଣାବେକ୍ଷଣ ଦିଗରେ ଖର୍ଚ୍ଚ କରି ଆପଣାର ମନୋବଳକୁ ବଢ଼ାଇ ପାରନ୍ତି।ରାସାୟନିକ ସାର ଓ କୀଟନାଶକର ପ୍ରୟୋଗ କମ ହେଉଥିବାରୁ ପନିପରିବା ଗୁଡିକର ମାନ କ୍ଷୟୀଭୁତ ହୁଏନାହିଁ। ପିଲା ମାନଙ୍କର ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟବସ୍ଥାର ବିକାଶକୁ ଆଖି ଆଗରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,କୃଷି ଓ କୃଷକ ସଶକ୍ତିକରଣ ବିଭାଗ,ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ,ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ବିଦ୍ୟାଳୟ ମାନଂକରେ ଥିବା ଖାଲି ଜାଗାରେ ପାକଶାଳା ଉଦ୍ୟାନ ଯୋଜନାକୁ କାର୍ଯ୍ୟକାରୀ କରିବା ଦିଗରେ ଅନେକ ପ୍ରଚେଷ୍ଟା କରାଯାଉଛି।ତେଣୁ ଆଜିର ସମୟରେ ପାକଶାଳା ଉଦ୍ୟାନ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଯୋଜନାକୁ ଆଗେଇ ନେବାର ଅନ୍ୟତମ ସୋପାନ କହିଲେ ଅତ୍ୟୁକ୍ତି ହେବ ନାହିଁ।

ସୁବ୍ରତ କୁମାର ସେନାପତି, କୃଷି ମହାବିଦ୍ୟାଳୟ, ଓୟୁଏଟି, ଭୁବନେଶ୍ୱର

  

Leave A Reply

Your email address will not be published.

twenty + 3 =