ଆଦିବାସୀ ଅଂଚଳରେ କୃଷି ନୀତି – ପୁରୁଣା ଏବଂ ନୂଆ: ଆବଶ୍ୟକ ଏକ ଆମୂଳଚୁଳ ପରିବର୍ତ୍ତନ

0

ଆଦିବାସୀ ଅଂଚଳର କୃଷି ନୀତି ବ୍ୟବସ୍ଥା ଉପରେ ଅଚ୍ୟୁତ ଦାସଙ୍କ ସ୍ତମ୍ଭ

ଆଦିବାସୀ ଅଧ୍ୟୁଷିତ ଇଲାକାରେ ଅଗ୍ରଗାମୀ ତରଫରୁ କାମ କଲାବେଳେ ଆମେ ଆଦିବାସୀ ପରିବେଶର ଏକ ଉପାଦାନ ଭାବେ ଆଦିବାସୀ କୃଷିର ବିଷୟବସ୍ତୁ ଏବଂ ପରିସର ଉପରେ ଆଲୋଚନା କରୁଥିଲୁ । ତା’ଉପରେ ଆମର ଗବେଷଣା ଏବଂ ଚର୍ଚ୍ଚା ମଧ୍ୟ ଜାରି ରଖିଥିଲୁ । ଇତିମଧ୍ୟରେ ଏହା କିଭଳି ବିଭିନ୍ନ ପର୍ଯ୍ୟାୟର ପରିବର୍ତନ ଦେଇ ଗତି କରିଛି ସେ ବିଷୟରେ ଆମେ ଏକ ଐତିହାସିକ ଟିପ୍ପଣୀ ଦେବା ଆବଶ୍ୟକ । ଏହି ଚର୍ଚ୍ଚାରେ ଅନେକ ଗୁଡ଼ିଏ ବିଷୟ ରହିବ: ଯଥା ୧) ପୋଡ଼ୁଚାଷ, ୨) ଆଗ୍ରୋଫରେଷ୍ଟ୍ରି ଏବଂ ଗଡ଼ାଣିଆ ଚାଷଜମି ଟେକ୍ନୋଲୋଜି, ୩) ଜଳଚ୍ଛାୟା ବିକାଶ, ୪) ବୃକ୍ଷରୋପଣ, ୫) ଆତ୍ମନିର୍ଭରଶୀଳ କୃଷି ବନାମ୍‌ ବଜାରଭିତିକ କୃଷି, ୬)ଖାଦ୍ୟ, ପୁଷ୍ଟି ଏବଂ ଜୀବିକା ସୁରକ୍ଷା ପାଇଁ କୃଷି, ୭)କୃଷିପରିବେଶ ଏବଂ ଆତ୍ମନିର୍ଭରଶୀଳ କୃଷିି ।୧୯୮୦ ମସିହାରେ କାଶୀପୁରରେ ରାସାୟନିକ ସାର ଏବଂ କୀଟନାଶକ ବିଷର ବ୍ୟବହାର ପ୍ରାୟତଃ ନଥିଲା । ଇୟୁକାଲିପଟାସ୍‌, ଜାଟ୍ରୋଫା, କପା ଆଦି ବ୍ୟବସାୟୀକ ଚାଷ ହେଉ ନଥିଲା ବା ଏହାକୁ କେହି ଉତ୍ସାହିତ କରୁନଥିଲେ ।

ଅଧିକାଂଶ ଆଦିବାସୀ ସେମାନଙ୍କ ପାରମ୍ପରିକ କୃଷି ବ୍ୟବସ୍ଥା ଏବଂ କୃଷି ପରିବେଶକୁ ନେଇ ଖୁସୀ ଥିଲେ । ଯେହେତୁ ଏହି ଇଲାକାର କୃଷି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ମୌସୁମୀ ବର୍ଷା-ଆଧାରିତ ଥିଲା ସବୁଜ ବିପ୍ଳବର ଏଠାରେ କୌଣସି ପ୍ରଭାବ ନଥଲା । ଯଦି କିଛି ଆଦିବାସୀ ଗାଁରେ କୌଣସି ଜଳସେଚନର ସୁବିଧା ଉପଲବ୍ଧ ଥିଲା ସେଠାରେ ଆଦିବାସୀ ମାନେ ଦେଶୀ ମକା ଏବଂ କିଛି କିଛି ଗ୍ରୀଷ୍ମକାଳୀନ ପନିପରିବା ଚାଷ କରୁଥିଲେ । କାଶୀପୁରର ବାହାର ବଜାର ସହ ପ୍ରାୟ ସଂପର୍କ ନଥିଲା ଏବଂ ତଥାକଥିତ ଆଧୁନିକ କୃଷି ଉପରେ ଲୋକଙ୍କର କୌଣସି ଜ୍ଞାନ ନଥିଲା ।

ମୁଁ ବିଭିନ୍ନ ପ୍ରକାରର ଆଦିବାସୀ କୃଷି ପରିଚାଳନା ପଦ୍ଧତିର ଇତିହାସ ସଂଗ୍ରହ କରିବାକୁ ଚେଷ୍ଟା କରୁଥିଲି । ଜଣାପଡେ଼ ଯେ ସେଠାରେ ବର୍ଷାଦିନିଆ ଆଳୁଚାଷ ପାଇଁ ପ୍ରୟାସ ହୋଇଥିଲା ଏବଂ ଏଥିପାଇଁ ସେଇ ଅଂଚଳର ଜମି ବେଶ୍‌ ଅନୁକୂଳ ଥିଲା । ଆଦିବାସୀ ମାନଙ୍କ କହିବା ଅନୁସାରେ ବର୍ଷାଦିନିଆ ଆଳୁଚାଷରୁ ସେମାନେ ଖୁବ୍‌ ଅମଳ ପାଇଥିଲେ । କିନ୍ତୁ, ସେଠାରେ କୌଣସି ବଜାର କି ଶୀତଳଭଣ୍ଡାର ବ୍ୟବସ୍ଥା ନଥିଲା । ଚାରିଆଡେ଼ ଆଳୁ ସବୁ ପଚିସଢ଼ି ଗଲା । କାଶୀପୁର କାନ୍ଦୁଲ ଚାଷ ପାଇଁ ମଧ୍ୟ ବେଶ୍‌ ପ୍ରସିଦ୍ଧ ଥିଲା । ଏହା ଦେଶୀ ପ୍ରଜାତିର ହରଡ଼ ଡ଼ାଲି ଫସଲ ଅଟେ । ପୁର୍ବରୁ ଡ଼ଙ୍ଗର ରାଣୀ/କଟିଂ (ରାଇସ୍‌ ବିନ୍ସ) ଫସଲ ଚାଷ ଚାରିଆଡେ଼ ହେଉଥିଲା । କିନ୍ତୁ, ସବୁତକ ସାହୁକାର ଏବଂ ମହାଜନ ମାନଙ୍କ ପାଖରେ ଆଦିବାସୀ ମାନେ ବିକ୍ରୟ କରିଦେଉଥିଲେ ।
ପ୍ରାୟତଃ ସବୁ ଡ଼ଙ୍ଗର ଅର୍ଥକାରୀ ଅଳସି (ନାଇଜର୍‌) ଫସଲ ଚାଷରେ ଭର୍ତି ହୋଇଯାଇ ପର୍ବତ, ଡ଼ଙ୍ଗର ମାନ ହଳଦିଆ ଦିଶୁଥିଲା । ଏତେ ବ୍ୟାପକ ପରିମାଣର ଅଳସି ଉତ୍ପାଦନ ହୋଇ ମଧ୍ୟ ଶେଷରେ ଅଭାବୀ ବିକ୍ରିରେ ସାହୁକାର ଓ ମହାଜନ ମାନଙ୍କ ହାତରେଯାଇ ପଡ଼ୁଥିଲା । କେତେକ ଗାଁରେ ଚାଷୀମାନେ ସୀମିତ ପରିମାଣରେ ବାସନା ଧାନ ଯଥା ତୁଳସୀବସା, କଳାଜୀରା (ସ୍ଥାନୀୟ ପ୍ରଜାତି) ଆଦି ଉତ୍ପାଦନ କରୁଥିଲେ । ଅନେକ ଆଦିବାସୀ ବିଭିନ୍ନ ପ୍ରକାରର ମାଣ୍ଡିଆଜାତୀୟ ଫସଲ ଯଥା ମାଣ୍ଡିଆ, କୋଶଳା, କାଙ୍ଗୁ, ଜହ୍ନା, ବାଜରା ଆଦି ଚାଷ କରୁଥିଲେ ଯେହେତୁ ଏହା ସେମାନଙ୍କ ମୁଖ୍ୟ ଆହାର ଥିଲା । ବିଭିନ୍ନ ପ୍ରକାରର ଆମ୍ବ ଏବଂ ପଣସ ପାଇଁ ମଧ୍ୟ କାଶୀପୁରର ଚାରିଆଡେ଼ ଖ୍ୟାତି ଥିଲା । ଏତେସବୁ ଫସଲ ଉତ୍ପାଦନ ସତ୍ୱେ ସେଠାରେ ଉତ୍କଟ ଖାଦ୍ୟାଭାବ ଏବଂ ଚାରିଆଡେ଼ ଅନାହାର ପରିସ୍ଥିତି ଲାଗି ରହିଥିଲା । କାଶୀପୁରର ଆଦିବାସୀ ମାନଙ୍କ ଇତିହାସରୁ ଜଣାପଡେ଼ ଯେ ସେମାନେ ଖାଦ୍ୟାଭାବ ବେଳେ ଆମ୍ବଟାକୁଆ ଏବଂ ତେନ୍ତୁଳି ମଞ୍ଜି ଖାଇ ବଂଚୁଥିଲେ । ଏହି ଭୟଙ୍କର ଅନାହାର ପରିସ୍ଥିତିର କାରଣ ଥିଲା ସାହୁକାର ମାନଙ୍କ କାରବାର ଏବଂ ବଜାର ଦ୍ୱାରା ପରିଚାଳିତ ଅର୍ଥନୀତି ।

nano urea

ଗତ ୪୦ ବର୍ଷ ମଧ୍ୟରେ ଆଦିବାସୀ କୃଷିରେ କିଛିଟା ନାଟକୀୟ ଢ଼ଙ୍ଗରେ ପରିବର୍ତନ ଘଟିଛି । କାନ୍ଦୁଲ ଏବଂକଟିଂ(ରାଇସ୍‌ ବିନ୍ସ), ଅଳସୀ, ବାସନା ଧାନ/ଢ଼ିପଜମି ଧାନ ଇତ୍ୟାଦି ଫସଲ ଚାଷ ସାଂଘାତିକ ଭାବରେ କମିଯାଇଛି । ଯେହେତୁ ଡ଼ଙ୍ଗର ପର୍ବତ ମାନ ଥୁଂଟା ହୋଇପଡ଼ିଛି ଏବଂ ଜମିର ଉର୍ବରତା ହ୍ରାସ ପାଇଛି ପୋଡ଼ୁଚାଷର ହାର କମିଯାଇଛି । ଅଧିକରୁ ଅଧିକ ଆଦିବାସୀ ଚାଷୀମାନେ କୃଷି ଉପରେ ସେମାନଙ୍କ ଆଗ୍ରହ ହରାଇ ବସୁଛନ୍ତି । ଗାଁର ଆଦିବାସୀ ଯୁବକ ମାନେ କୃଷିକାର୍ଯ୍ୟ ବଦଳରେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଅନେକ ପରିମାଣର ଚାଷଜମି ମଧ୍ୟ ଇୟୁକାଲିପଟାସ୍‌ ବୃକ୍ଷ ରୋପଣରେ ରୂପାନ୍ତରିତ ହୋଇସାରିଛି । କାଶୀପୁରରେ ଆମ୍ବ ଏବଂ କାଜୁ ବୃକ୍ଷରୋପଣ ବ୍ୟାପକ ମାତ୍ରାରେ କରାଯାଇଛି । ନିକଟ ଅତୀତରେ ଆଦିବାସୀ ଚାଷୀମାନଙ୍କୁ ସେମାନେ କରୁଥିବା ଯେକୌଣସି ଫସଲ ଚାଷରେ ରାସାୟନିକ ସାର ଏବଂ କୀଟନାଶକ ବିଷ ବ୍ୟାପକ ଭାବେ ବ୍ୟବହାର କରିବାକୁ କୁହାଯାଇଛି ।

ସବୁଜ ବିପ୍ଳବର ସଫଳତା ପ୍ରଦର୍ଶନ କରିବାକୁ ଯାଇ ସରକାରୀ କୃଷି ବିଭାଗ କର୍ମକର୍ତାମାନେ ବିଭିନ୍ନ ପ୍ରୋଗ୍ରାମ୍‌ ଜରିଆରେ ଅଧିକ ଅମଳ ପାଇବାକୁ ଆଦିବାସୀ ଚାଷୀମାନଙ୍କୁ ଅଧିକରୁ ଅଧିକ ମାତ୍ରାରେ ରାସାୟନିକ ସାର, କୀଟନାଶକ ଔଷଧ ଏବଂ ବେଶୀ ଅମଳକ୍ଷମ ହାଇବ୍ରିଡ଼ ବା ଶଙ୍କର ଜାତୀୟ ବିହନ ବ୍ୟବହାର କରିବାକୁ ଉତ୍ସାହିତ କରିଛନ୍ତି । ଜାଣତରେ ହେଉ କି ଅଜାଣତରେ ହେଉ, ଆଦିବାସୀ ଚାଷୀ କିପରି ଏହାର ଶିକାର ହୋଇଛି ତାହାର ସାମାଜିକ-ଅର୍ଥନୈତିକ ଏବଂ ପରିବେଶଭିତିକ ଉପଯୋଗୀ ଅନୁଧ୍ୟାନ ହୋଇପାରନ୍ତା । କୃଷି ଓ ପରିବେଶ ବଦଳି ଯିବା ପରେ ଖାଦ୍ୟ, ପୁଷ୍ଟି ଏବଂ ଜୀବିକା ସୁରକ୍ଷା ସମସ୍ୟା ଆଦିବାସୀ ମାନଙ୍କ ପାଇଁ ବେଶ୍‌ ଚିନ୍ତାର କାରଣ ହୋଇଛି । ପୁର୍ବରୁ ଆଦିବାସୀ ମାନଙ୍କ ଜୈବିକ କୃଷି ପରିଚାଳନାପଦ୍ଧତିସମ୍ପୂର୍ଣ୍ଣଭାବେ ଏକ ସୁବ୍ୟବସ୍ଥିତ ଏବଂ ଆତ୍ମନିର୍ଭରଶୀଳ ଢ଼ଙ୍ଗରେ ଚାଲିଥିଲା । ଏବେ କିନ୍ତୁ ତାହା ବ୍ୟାହତ ହୋଇଛି ।
ସେ ଯାହାହେଉ, ବର୍ତମାନର କୃଷି ପରିଚାଳନା ଉପରେ ଅଳ୍ପ କେତୋଟି ସମସ୍ୟା ବିଷୟରେ ଆଦିବାସୀ ଚାଷୀଙ୍କୁ ସଚେତନ କରିବାକୁ ଏକ ସୁନିର୍ଦ୍ଧିଷ୍ଟ ପ୍ରଚେଷ୍ଟା ହେବା ଆବଶ୍ୟକ ଯଥା: ୧) ଖାଦ୍ୟ ଏବଂ କୃଷି ପରିଚାଳନା ନୀତି, ୨) ନିରାପଦ ଏବଂ ପୁଷ୍ଟିକର ଖାଦ୍ୟ, ୩) କ୍ଷୁଦ୍ରଚାଷୀ ମାନଙ୍କ ଆତ୍ମନିର୍ଭରଶୀଳ ଜୀବିକା, ୪) ଜମି ଉର୍ବରତା ହାର, ୫) ଦେଶୀ ବିହନ ଏବଂ ଜୈବ-ବିବିଧତା ସଂରକ୍ଷଣ, ୬) ପରିବେଶଭିତିକ କୃଷି ପରିଚାଳନା, ୭) ପ୍ରାକୃତିକ କୃଷି ଏବଂ ସର୍ବୋପରି ଜଳବାୟୁ ପରିବର୍ତନର ପ୍ରଭାବ ।
କାଶୀପୁର ଏବଂ ଦକ୍ଷିଣ ଓଡ଼ିଶାର ଆଦିବାସୀ ଅଂଚଳରେ ମୁଁ ବର୍ତମାନ ଏକ ଆଶାର ଆଲୋକ ଦେଖୁଛି । ବିଶେଷଭାବେ ସ୍ୱାସ୍ଥ୍ୟକର ଓ ଅନେକ ପୁଷ୍ଟିଯୁକ୍ତ ମାଣ୍ଡିଆଜାତୀୟ ଫସଲ ଚାଷର ପୁନଃଋଦ୍ଧାର ନିମନ୍ତେ ଓଡ଼ିଶା ମିଲେଟ୍‌ ମିଶନ୍‌ ପ୍ରକଳ୍ପ ଜରିଆରେ ଏବଂ ପରମ୍ପରାଗତ କୃଷି ବିକାଶ ଯୋଜନା (ପିକେଭିୱାଇ) ଓ ଭାରତୀୟ ପ୍ରାକୃତିକ କୃଷି ପଦ୍ଧତି (ବିପିକେପି) ଭଳି ପାରମ୍ପାରିକ ପ୍ରକଳ୍ପ କାର୍ଯ୍ୟକ୍ରମ ଦ୍ୱାରା ଉଦ୍ୟମ କରାଯାଉଛି । ସେମାନଙ୍କର ପାରମ୍ପାରିକ କୃଷି ବ୍ୟବସ୍ଥା ଏବଂ ପରିବେଶଭିତିକ କୃଷି ପରିଚାଳନା ପଦ୍ଧତି ଗୁଡ଼ିକୁ କେମିତି ସୁବ୍ୟବସ୍ଥିତ ଢ଼ଙ୍ଗରେ ପୁନଃକାର୍ଯ୍ୟକାରୀ କରାଯିବ ସେଥିନେଇ ଚାଷୀମାନଙ୍କ ସହ ଏକ ସହଭାଗୀ ଆଲୋଚନା ଏବଂ ସହାୟତା ପ୍ରକ୍ରିୟା ଆରମ୍ଭ ହୋଇଛି ।

ବର୍ତମାନର ଘଡ଼ିସନ୍ଧି ମୁହୂର୍ତରେ ରାସାୟନିକ କୃଷି ପଦ୍ଧତିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ପ୍ରାକୃତିକ ତଥା ପରିବେଶଭିତିକ କୃଷି ପରିଚାଳନା କରିବା ସେତେ ସହଜସାଧ୍ୟ ନୁହେଁ ।ଏହା ଅନେକ ସମସ୍ୟାକୁ ଆମନ୍ତ୍ରଣ କରିବ ଯେପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ପ୍ରାକୃତିକ କୃଷି ତଥା ପରିବେଶଭିତିକ କୃଷିନୀତିର ମହତ୍ୱକୁ ବାସ୍ତବରେ ସମ୍ପୂର୍ଣ୍ଣ ଭାବେ ଅନ୍ତଃକରଣ ଏବଂ ହୃଦବୋଧ କରାନଯାଇଛି ।ଏଥିପାଇଁ କେତୋଟି ସୁଚିନ୍ତିତ ପଦକ୍ଷେପ ନେବାକୁ ହେବ । ପ୍ରଥମେ, ସୁନିଶ୍ଚିତ କରିବାକୁ ହେବ ଯେ ଆଦିବାସୀ ପାଖରେ ଜମିର ମାଲିକାନା ଅଛି । ଅନ୍ତତଃ ପକ୍ଷେ, ପ୍ରତ୍ୟେକ ଆଦିବାସୀ ପରିବାରର ଏକ ଏକର କୃଷିଯୋଗ୍ୟ ପଟ୍ଟାଜମିର ଅଧିକାରୀ ହେବା ଆବଶ୍ୟକ । ଦ୍ୱିତୀୟରେ, ଆଦିବାସୀ ଅଂଚଳରେ ମାଟିର ଯେଉଁଭଳି ଅବକ୍ଷୟ ହୋଇଛି ତାହାର ପୁନଃଋଦ୍ଧାର ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହା ସହିତ ରାସାୟନିକ ସାର, କୀଟନାଶକ ଔଷଧର ପ୍ରୟୋଗ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବାର ବ୍ୟବସ୍ଥା ଜରୁରୀ ହୋଇପଡ଼ିଛି । ତୃତୀୟରେ, ଜମି, ଜଳ ଓ ଜଙ୍ଗଲର ସଦୁପଯୋଗ ପାଇଁ କୃଷିଭିତିକ ଜଙ୍ଗଲ ସୃଷ୍ଟି କରାଯିବାକୁ ଏକ ଦୀର୍ଘମିଆଦି ପ୍ରଣୟନ କରାଯିବାର ପ୍ରୟାସ ରହିଛି । ସର୍ବଶେଷରେ, ଆଦିବାସୀ ଅଂଚଳରୁ ଉତ୍ପାଦିତ ହେଉଥିବା ଜୈବିକ କୃଷିଜାତ ଦ୍ରବ୍ୟରଉଚିତ ଦର ନିଶ୍ଚିତ କରିବା ପାଇଁ ପ୍ରତିଶୃତି ଦେବା ଜରୁରୀ ହୋଇପଡ଼ିଛି ।
ଆମ ସମସ୍ତଙ୍କର ଗୋଟିଏ ଆଶା ରହିଛି । ଆଗାମୀ କିଛି ବର୍ଷ ମଧ୍ୟରେ ଏଥିପାଇଁ ଆବଶ୍ୟକ କିଛି ଠୋସ୍‌ ଲୋକାଭିମୁଖୀ କୃଷିନୀତି ଏବଂ କାର୍ଯ୍ୟକ୍ରମକୁ ଆପଣାର କରି ଯଦି ସରକାରୀ କୃଷି ବିଭାଗ ସହିତ ସମସ୍ତ ହିତାଧିକାରୀ ବର୍ଗ ଏକଜୁଟ୍‌ ହୋଇ ଉଦ୍ୟମ ନକରନ୍ତି ତାହେଲେ ଏଥିରୁ ସେଭଳି କୌଣସି ବାସ୍ତବ ସୁଫଳତା ମିଳିବ ନାହିଁ । ଅଗ୍ରଗାମୀ ମଧ୍ୟ ପରିବେଶ ଭିତିକ ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ ପ୍ରକଳ୍ପ ଆଦିବାସୀ ଗାଁମାନଙ୍କରେ କାର୍ଯ୍ୟକାରୀ କରି ଏ ଦିଗରେ କିଛି କିଛି ସଫଳତା ହାସଲ କରିଛି । ତଥାପି, ଆମକୁ ଆହୁରି ଆଗକୁ ଯିବାକୁ ହେବ ।

ଲେଖକ: ଶ୍ରୀ ଅଚ୍ୟୁତ ଦାସ,
ନିର୍ଦ୍ଦେଶକ,
ଅଗ୍ରଗାମୀ, କାଶୀପୁର, ଜିଲ୍ଲା: ରାୟଗଡ଼ା
ମୋବାଇଲ୍‌ ନଂ: ୯୪୩୭୦୭୩୫୮୮

Leave A Reply

Your email address will not be published.

12 − 10 =