ଧାନ ଚାଷ ଜମି ପ୍ରସ୍ତୁତି ପାଇଁ କୃଷି ଉପକରଣ

0

କୃଷି ପ୍ରଧାନ ରାଜ୍ୟ ଓଡ଼ିଶାରେ ଧାନ ଉପରେ ପ୍ରାୟତଃ ସତୁରୀ ଭାଗ ଲୋକ ନିର୍ଭର କରିଥାନ୍ତି। ଖାଦ୍ୟ ଜୀବନର ଏକ ପ୍ରାଥମିକ ଆବଶ୍ୟକତା ଏବଂ ଏହାର ପରିପୂର୍ଣ୍ଣତା କୃଷି ଦ୍ଵାରା ହିଁ ସମ୍ଭବ। ଆଉ ଏଇ କୃଷି ପଦ୍ଧତିକୁ ଯାନ୍ତ୍ରିକ ଜ୍ଞାନ କୌଶଳ ମାଧ୍ୟମରେ ସରଳ ଓ ସହଜ କରିବାରେ କୃଷି ଉପକରଣ ଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ଧାନ ଓଡ଼ିଶାର ଏକ ପୁରାତନ, ପାରମ୍ପରିକ ଓ ପ୍ରଧାନ ଫସଲ। ଏହା ଏକ ବିଶେଷ ଧରଣର ଫସଲ ହୋଇଥିବାରୁ ଜମି ପ୍ରସ୍ତୁତିକରଣର ନିର୍ଦ୍ଧିଷ୍ଟ ପ୍ରଣାଳୀ ରହିଛି। ଜମିର ପ୍ରସ୍ତୁତି ନିମନ୍ତେ ଅନେକ ପ୍ରକାରର ପଶୁଚାଳିତ ତଥା ଟ୍ରାକ୍ଟର୍ ବା ପାୱାର୍ ଟିଲର୍ ଚାଳିତ କୃଷି ଯନ୍ତ୍ରପାତି ରହିଛି। ପ୍ରଥମ ପର୍ଯ୍ୟାୟରେ କ୍ଷେତକୁ ପ୍ରାଥମିକ ହଳ ଦ୍ୱାରା ମାଟିକୁ ଖୋଳି ହାଲ୍କା କରାଯାଏ। ଜମିରେ ବାଳୁଙ୍ଗା ଅଧିକ ମାତ୍ରାରେ ଥିଲେ ଏହା ଵିଶେଷ ସହାୟକ ହୁଏ। ଏତତ୍ ଦ୍ୱାରା ବର୍ଷା ଜଳ ମାଟିକୁ ଶୀଘ୍ର ପ୍ରବେଶ କରେ ଓ ପ୍ରଚୁର ବାୟୁ ଚଳାଚଳ ସମ୍ଭବପର ହୁଏ। ଯଦ୍ୱାରା ଚେର ଓ ଗଛର ବୃଦ୍ଧି ତ୍ୱରାନ୍ୱିତ ହୁଏ। ଏଥିପାଇଁ ପାରମ୍ପରିକ ହଳଲଙ୍ଗଳ, ବାଖର୍ ଇତ୍ୟାଦି ପଶୁଚାଳିତ ଏବଂ ମୋଲ୍ଡ୍ ବୋର୍ଡ଼୍ ପ୍ଲାଓ, ଡିସ୍କ୍ ପ୍ଲାଓ ଇତ୍ୟାଦି ଟ୍ରାକ୍ଟର୍ ବା ପାୱାର୍ ଟିଲର୍ ଚାଳିତ ଆଧୁନିକ ଉପକରଣ ବ୍ୟବହୃତ ହୁଏ। ପ୍ରତିଟି ହଳଲଙ୍ଗଳର ଭିନ୍ନ ଭିନ୍ନ ବିଶେଷତ୍ୱ ରହିଛି। ମୋଲ୍ଡ୍ ବୋର୍ଡ଼୍ ପ୍ଲାଓ ମାଟିକୁ ଭାଙ୍ଗିଲା ପରେ ଓଲଟାଇ ପକାଇଦିଏ। ଫଳରେ ଜମିରେ ହୋଇଥିବା ବାଳୁଙ୍ଗା ନଷ୍ଟ ହେବ ସହ ମୃତ୍ତିକାସ୍ତର ସଂରଚନାର ପରିବର୍ତ୍ତନ ହୋଇଥାଏ। ଅତ୍ୟଧିକ ଟାଣ ତଥା ଚିକିଟା ମାଟିକୁ ଚାଷ କରିବାରେ ଡିସ୍କ୍ ପ୍ଲାଓ ଏକ ଉପଯୁକ୍ତ ଉପକରଣ।

nano urea

ଏହାପରେ କମ୍ପୋଷ୍ଟ ବା ଖତସାର ଜମିରେ ସମାନ ଭାବରେ ପକାଇବାପାଇଁ ମଧ୍ୟ ଟ୍ରାକ୍ଟର୍ ଚାଳିତ ମାନ୍ୟୁର୍ ସ୍ପ୍ରେଡ଼ର୍ ଉପଲବ୍ଧ। ଦ୍ୱିତୀୟ ପର୍ଯ୍ୟାୟ ଚାଷରେ ଟେଳା ମାଟିକୁ ଗୁଣ୍ଡ କରାଯାଏ। ଯଦି ତଳି ରୋପଣ ନକରି ସିଧାସଳଖ ଧାନ ବୁଣିବାର ଥାଏ ତେବେ ଏହା ଦ୍ୱିତୀୟ ପର୍ଯ୍ୟାୟ ଚାଷ ପୂର୍ବରୁ କରିଦିଆଯାଏ।

ଏଥିପାଇଁ ସାଧାରଣତଃ ଟାଇନ୍ କଲ୍ଟିଭେଟର୍ ଓ ଡିସ୍କ୍ ହ୍ୟାରୋ ବ୍ୟବହୃତ ହୁଏ। କ୍ଲଡ଼୍ କ୍ରଶର୍, ପଟେଲା ହ୍ୟାରୋ ଏଥିପାଇଁ ଦକ୍ଷ ହୋଇଥିଲେ ମଧ୍ୟ ଏମାନେ କେବଳ ମାଟିର ଉପର ସ୍ତରରେ କାମ କରିଥାନ୍ତି। ରୋଟାଭେଟର୍ ଭଳି କୃଷି ଉପକରଣ ଏଥିପାଇଁ ଵିଶେଷ ଉପଯୋଗୀ ହୋଇଥାଏ। ଏହା ମାଟିକୁ ଚାଷ କରି ଗୋଟିଏ ଥରରେ ଜମି ପ୍ରସ୍ତୁତ କରିବାରେ ସକ୍ଷମ। ସ୍ପାଇକ୍ ଟୂଥ୍ ହ୍ୟାରୋ ଭଳି ଉପକରଣ ମଧ୍ୟ୍ୟ ବ୍ୟବହୃତ ହୁଏ। ତଳି ରୋପଣ କରିବାର ନଥିଲେ ଏହି ଚାଷ ପରେ ସୀଡ୍ ଡ୍ରିଲ ଦ୍ୱାରା ଧାଡ଼ିକୁ ଧାଡ଼ି ବା ପ୍ଲାଣ୍ଟର୍ ଦ୍ୱାରା ଧାଡିକୁ ଧାଡି ସହିତ ମଞ୍ଜିରୁ ମଞ୍ଜି ସମାନ ବ୍ୟବଧାନ ରଖି ଧାନ ବୁଣା ଯାଇପାରିବ।

ଜମିରେ ୫ ରୁ ୧୦ ସେ. ମି. ଠିଆପାଣି ଥିବା ସମୟରେ ପଡ଼ଲର୍ କିମ୍ବା ରୋଟାଭେଟର୍ ବ୍ୟବହାର କରି ଜମି କାଦୁଅ କରାଯାଏ। ପଡ଼ଲର୍ ସହିତ ଟ୍ରାକ୍ଟର୍ କିମ୍ବା ପାୱାର୍ ଟିଲର୍ ଚକରେ କେଜ୍ ହୁଇଲ୍ ଲଗାଇ କାଦୁଅ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଏ। ବିଭିନ୍ନ ପ୍ରକାରର ପଶୁଚାଳିତ କାଦୁଅ କରିବା ଉପକରଣ ମଧ୍ୟ ଉପଲବ୍ଧ। କାଦୁଅ କରିବା ଦ୍ୱାରା ଉପର ସ୍ତରର ମୃତ୍ତିକା ଗୁଣ୍ଡ ହୋଇ ଛୋଟ କଣିକାରେ ପରିଣତ ହୁଏ। ଫଳରେ ଜମିର ଉପରିଭାଗରେ ପାଣିକୁ ଧରିରଖିବାରେ ସକ୍ଷମ ଏକ ସ୍ତର ସୃଷ୍ଟି ହୁଏ। ଏତତ୍ ବ୍ୟତୀତ ଏହି ପ୍ରକ୍ରିୟାରେ ଜମିରେ ଥିବା ବାଳୁଙ୍ଗା ଓ ପୂର୍ବ ଫସଲର ଅବଶିଷ୍ଟାଂଶ କାଦୁଅରେ ପୋତି ହୋଇ ବିଘଟିତ ହୋଇଯାନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଜମି ସମତଳ ଓ ତଳି ରୋପଣ କାର୍ଯ୍ୟ ସହଜସାଧ୍ୟ ହୁଏ।
ଏହାପରେ ବଳଦ ଟଣା ଲେବେଲିଂ ବୋର୍ଡ଼୍, ଟ୍ରାକ୍ଟର୍ ଚାଳିତ ଡ୍ରାଗ୍ ବକେଟ୍ ବା ଲେଜ଼ର୍ ଲ୍ୟାଣ୍ଡ୍ ଲେବେଲର୍ ଯୋଗେ ଜମିକୁ ସମତଳ କରାଯାଏ। ଲେବେଲିଂ କରିବା ଦ୍ୱାରା ଜଳର ଉପଯୁକ୍ତ ବିନିଯୋଗ କରାଯାଇପାରେ, ବାଳୁଙ୍ଗା ହ୍ରାସ ହଵା ସହିତ ସମଗ୍ର ଜମିରେ ଧାନଗଛର ସମବୃଦ୍ଧି ଓ ଅଧିକ ଅମଳ ସମ୍ଭବ ହୁଏ। ଏହାପରେ ତଳିରୋପଣ କରାଯାଇ ପାରିବ ବା ପ୍ରିଜର୍ମିନେଟେଡ଼୍ ପ୍ୟାଡି ସୀଡ଼ର୍ ଦ୍ଵାରା ଗଜା ମଞ୍ଜି ବୁଣାଯାଇ ପାରିବ । ହାତ ଦ୍ୱାରା ତଳି ରୋପଣ ବ୍ୟତିତ ମଣିଷ ଚାଳିତ ବା ଇଞ୍ଜିନ୍ ଚାଳିତ ତଳି ରୋପଣ ଯନ୍ତ୍ରର ବ୍ୟବହାର କରାଯାଏ।

ଜ୍ୟୋତିର୍ମୟ ମହାପାତ୍ର,
ପିଏଚ୍. ଡି. ଛାତ୍ର, କେନ୍ଦ୍ରୀୟ କୃଷି ଅଭିଯାନ୍ତ୍ରିକ ସଂସ୍ଥାନ, ଭୋପାଳ, ମୋ:7231009788

Leave A Reply

Your email address will not be published.

six − 4 =