ଚାଷୀ- ଏକ ମୁକୁଟ ବିହୀନ ସମ୍ରାଟ

0

ପ୍ରତି ସୋମବାର ସଫଳ ଚାଷୀଙ୍କ କଥାକୁ ନେଇ – ଅନୁଭୂତିରୁ ପଦେ

ସମସ୍ତେ ଅନେକ କଥା ଦେଖନ୍ତି , ଅନେକ କଥା ଶିଖନ୍ତି । କିନ୍ତୁ ସେସବୁକୁ ଦୈନନ୍ଦିନ ଜୀବନରେ ଉପଯୋଗ କରିବାର ଦୃଷ୍ଟାନ୍ତ ବହୁତ କମ୍‌ । ଚାଷ ବିଷୟରେ କାହାକୁ ବା ଅଜଣା । ସମସ୍ତେ ଚାଷ କଣ , ଚାଷ କେମିତି ହୁଏ ଜାଣିଛନ୍ତି । କିନ୍ତୁ କେହି କେବେ ସେ କାମ କରିବାକୁ ଆଗ୍ରହ ପ୍ରକାଶ କରନ୍ତିନି । ନିଚ୍ଛକ ସତ କଥାଟି ହେଲା ଏସି ରୁମ୍‌ ଚୟାର ଟେବୁଲ ଛାଡ଼ି ଏ ବିଲ ବାଡ଼ି କାମ କିଏ ବା କରିବ । ସକାଳ ୧୦ଟା ବାଜିଲେ ଅଫିସ ଯାଅ ଆଉ ସଂଧ୍ୟା ହେଲେ ପାର୍କ ଆଉ ସିନେମା । ଏ କାଦୁଅ ବିଲକୁ ଆମେ ବା କାହିଁ ଯିବୁ । ଯିଏ ତ କରିବା କଥା କରୁଛି , ଆମେ ବଜାର ଯିବୁ , କିଣିବୁ ଖାଇବୁ । ଏ ହେଉଛି ଏବେକାର ସମାଜର ଜ୍ୱଳନ୍ତ ପ୍ରତିଛବି । ଆମେ ନ ମାନିଲେ ବି ଏହା ସତ୍ୟ ।

ଶ୍ୟାମଳ ସୁବର୍ଣ୍ଣ ୨୦୧୮ ମସିହାରେ ଯେବେ ଆରମ୍ଭ କରିବାର ଚେଷ୍ଟା କରିଥିଲି ସେବେ ଚାଷ କଣ ଜାଣିନଥିଲି, କେବଳ କ୍ଲାସରୁମର ଶିକ୍ଷା ଭିତରେ ସୀମିତ ଥିଲି । ନା କୋ÷ଣସି ଚାଷୀଙ୍କ ସହ ମିଶିଥିଲି ନା ସେ ଚାଷର ଗହନ କଥାକୁ ବୁଝିଥିଲି । ପରବର୍ତ୍ତୀ ସମୟରେ ଅନେକ ଗାଁକୁ ଗଲି, ଚାଷୀଙ୍କ ସହ ମିଲିଲି । ସେମାନଙ୍କ ସହ କ୍ଷେତରେ ସମୟ ବି କାଟିଲି । ସେବେ ଜାଣିଲି ଏ କୁଶଳୀ କାରିଗର ମାନଙ୍କ ମହନୀୟତା ବିଷୟରେ । ପତ୍ରିକାରେ ସବୁ ସଂଖ୍ୟାରେ ସେଥିପାଇଁ କେବଳ କୃଷି ଭିତ୍ତିକ ତଥ୍ୟକୁ ସ୍ଥାନ ଦେବାକୁ ଚେଷ୍ଟା କରିଛି । ତେବେ ଏ ଭିତରେ ଚାଷୀଙ୍କ ସହ ମିଶି ସେମାନଙ୍କ ଚାଷ ପ୍ରତି ଆଗ୍ରହ ହେଉ କିମ୍ବା ସେମାନଙ୍କ କାର୍ଯ୍ୟଦକ୍ଷତା ଓ ନିପୁଣତା ବିଷୟରେ ଅନେକ କିଛି ଜାଣିବାକୁ ପାଇଲି । ସେସବୁକୁ ଲୋକଲୋଚନକୁ ଆଣିବାକୁ ମୋର ଏ କ୍ଷୁଦ୍ର ପ୍ରୟାୟ ଅନୁଭୂତିରୁ ପଦେ । ମୁଁ ନତଜେ ଅଙ୍ଗେ ନିଭେଇଥିବା କଥାକୁ ଏଠାରେ ପ୍ରତି ସୋମବାର ଉପସ୍ଥାପନ କରିବି । ଆଶା ଏହା ଯୁବ ଉଦ୍ୟୋଗୀ ମାନଙ୍କୁ ପ୍ରେରଣା ଯୋଗାଇବ ।

ଗତବର୍ଷ ମାର୍ଚ୍ଚରୁ ଏବେ ଯାଏଁ ଗୋଟିଏ ଶବ୍ଦ ଯାହା ଆମ ଭିତରେ ଭୟ ସଂଚାର କରି ଚାଲିଛି ସେ ହେଉଛି କରୋନା । ଆଶା ଓ ଆଶଙ୍କାର ଆବରଣରେ ବାନ୍ଧି ହୋଇଯାଇଛନ୍ତି ଜନସାଧାରଣ । ଗୋଟେ ସମୟରେ ସାରା ଭାରତ ଏକପ୍ରକାର ତାଲାବନ୍ଦ ଅବସ୍ଥାରେ ଥିଲା । ଜନଜୀବନ ସ୍ତବ୍ଧ । ସବୁଆଡେ଼ ଖାଁ ଖାଁ । ଏହି ତାଲାବନ୍ଦ ଯୋଗୁଁ ଗରିବ ,ଖଟିଖିଆଙ୍କର କାମଦାମ ଏକପ୍ରକାର ବନ୍ଦ ହୋଇଯାଇଥିଲା । ତେବେ ଏହାରି ଭିତରେ ଥକି ପଡ଼ିନାହିଁ ଚାଷୀ । କାହିଁକି ନା ଯଦି ସେ ବସିପଡ଼ିବ , ଥକିପଡ଼ିବ ତାହେଲେ ଦି ଓଳି ଦାନା ଦି ମୁଠା ପେଟକୁ ଯିବା ସ୍ୱପ୍ନ ହୋଇଯିବ । ସେ ଛୁଟି କଣ ଜାଣିନି । ସେ ଥକ୍କାପଣ କଣ ଜାଣିନି । ସେ ଜାଣିନି ମଉଜମଜିଲିସର ମହକ । କେବଳ ଏତିକି ଜାଣିଛି ସେ ଚଷା ଘରପୁଅ । ଖଟିଲେ ଖାଇବ । ଚାଷ କଲେ ଦୁନିଆ ଚଳିବ । ସବୁଲୋକଙ୍କ ମୁହଁରେ ଖାଦ୍ୟ ଦେବା ପାଇଁ ସେ ଅବିରତ ସଂଗ୍ରାମ କରିଚାଲେ । ସଂଘର୍ଷକୁ ଆଦରି ବେଶ ଖୁସିରେ ନିଜ କର୍ମ ସମ୍ପାଦନ କରେ । ସେଇଥିପାଇଁ ତ ସେ ମହାନ ।

nano urea

୧୯୯୯ର ମହାବାତ୍ୟା ହେଉ , ହୁଡ଼ହୁଡ଼, ତିତଲି , ଫନି ପରି ବାତ୍ୟାର ବିଭୀଷିକା ହେଉ କି ଚକଡ଼ା ପୋକର ବିତ୍ପାତ ହେଉ , ଏସବୁଥିରେ ବେଶ ସୁଦୃଢ଼ ମନୋବଳ ସହ ଚାଷୀ ଏହାକୁ ସାମ୍ନା କରିଛି , ମୁକାବିଲା ବି କରିଛି ଆଉ ଅଣ୍ଟା ସଳଖି ଠିଆ ହେଇଛି । ଯେଉଁ ବାତ୍ୟା ଦିନେ ଚାଷ ଜମିକୁ ବିପର୍ଯ୍ୟସ୍ତ କରିଥିଲା , ପୁଣି ସେ କ୍ଷେତରେ ଫରଫର ହେଇ ଧାନ କେଣ୍ଡା ହସିଛି , ପୁଣି ସୋରିଷର ମହମହ ବାସ୍ନା ସାଙ୍ଗକୁ ହଳଦୀର ଆବରଣରେ ପରିବେଶ ବି ମୁଗ୍ଧ ହୋଇଛି । କିନ୍ତୁ ଚାଷୀ କେବେ ବସିନି । ଚାଷୀ ମନଦୁଃଖ କରିଛି , ଅନୁତାପ କରିଛି କିନ୍ତୁ ନିଜ କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହୋଇନାହିଁ । ସେ ସୃଷ୍ଟି କରିଛି ଆଦର୍ଶ ଓ ବାସ୍ତବତାର ନୂଆ ଏକ ରୂପରେଖ । ସେ କାଦୁଅ ବିଲରେ ପଶେ କିନ୍ତୁ ଶେଷରେ ସୁବର୍ଣ୍ଣର ମାହୋଲ ବି ରଚନା କରିଦିଏ । ଆଉ ଏଇ କରୋନାର ଭୟାବହତା ଆଉ ଡ଼ର ଭିତରେ ସମସ୍ତେ ଆମେ ଘରେ ସୁରକ୍ଷିତ ରହୁଛନ୍ତି ସତ କିନ୍ତୁ ଚାଷୀର ମନ ସେଇ ଚାଷ ଜମିରେ । ସେ ପରା ତାର ମାନସ ସନ୍ତାନ । ଦିହେଁ ଦୁହିଁକୁ ଛାଡ଼ି କେମିତି ବି ରହିବେ । ବର୍ଷ ବର୍ଷ ଧରି ଏଇ ଅତୁଟ ସମ୍ପର୍କକୁ ଯିଏ ଛିନ୍ନ କରିପାରିନି , ଏ ଭୟାବହତା କଣ ବା କରିବ । ଆଜି ବି ଚାଷୀ ଚାଷ ଜମିରେ ବେଶ ଖୁସିରେ ଚାଷ କରୁଛି । ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରୁଛି । ସାମାଜିକ ଦୂରତା ରଖି ଚାଷ ବି କରୁଛି । ଅଖିମୁୁଠି ଅନୁକୂଳ ହାଇସାରିଥିବା ବେଳେ ଏବେ ବିହନ ବୁଣାର ସମୟ ।

ଧାନ ଓଡ଼ିଶାର ମୁଖ୍ୟ ଫସଲ । ଓଡ଼ିଶାର ଅର୍ଦ୍ଧେକାଂଶ ଚାଷୀ ଧାନ ଉପରେ ନିର୍ଭରଶୀଳ । ଏବେ ଖରିଫ ଋତୁରେ ଧାନ ଚାଷ ହେବ । ବହିନ ବୁଣା ଆରମ୍ଭ ହେବ । ତଳି ପଡ଼ିବ । ରୁଆ ହେବ । ଏମିତି ଅନେକ କିଛି କଥା । । ଏଇ କିଛିଦିନ ତଳେ ସମସ୍ତେ ମାତୃ ଦିବସ ପାଳନ କଲେ, ମାର ଅବଦାନକୁ ସ୍ମରଣ କରିବା ପାଇଁ ଏଇ ଦିନଟିକୁ ସମସ୍ତେ ବେଶ ଖୁସିରେ ମନେଇଲେ । ସୋସିଆଲ ମଡ଼ିଆରେ ମା’ଙ୍କ ପାଇଁ ବେଶ ଶିକ୍ଷଣୀୟ ବାର୍ତ୍ତା ବି ଦେଖିବାକୁ ମିଳିଲା । ଏଇସବୁ ଭିତରେ ମୁଁ ସେମିତି ଜଣେ ଚାଷୀଙ୍କୁ ଭେଟିଥିଲି ଯିଏ ନିଜ ମା’ଙ୍କ ଆଦର୍ଶକୁ ଗ୍ରହଣ କରି ଚାଷ କରିବାକୁ ଆଗ୍ରହ ପ୍ରକାଶ କଲେ । ସବୁଥିରେ ପାରଙ୍ଗମ । ସୁନ୍ଦରଗଡ଼ ଜିଲ୍ଲାର ସୁକାନ୍ତି ଭିତିରିଆ । ମା’ଙ୍କ ଉପରେ ମୁଁ ତାଙ୍କୁ କିଛି ପ୍ରଶ୍ନ କରିବା ପୂର୍ବରୁ ସେ ବେଶ ଚତ୍ମକାର ଭାବରେ ପ୍ରଥମ ଧାଡ଼ି କହିଗଲେ – ମୋ ମା’ ମୋ ପାଇଁ ସବୁକିଛି । ଆଜି ମୁଁ ଯାହା ବି ହେଇଛି ସବୁ ମୋ ମା’ ପାଇଁ । ଜଣେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ହୋଇ ଘରେ ସୃଷ୍ଟି କରିଛନ୍ତି ପାକଶାଳା ବଗିଚାର ମାହୋଲ । ପାକଶାଳା ବଗିଚା ଏବେ ଏକ ଲୋକପ୍ରିୟ ସହରାଂଚଳ କୃଷିର ଉଦାହରଣ । ତେବେ କଥାଛଳରେ ସେ ବଖାଣିବସିଲେ ପରିବାରର କଥା । ଆଉ ମୁଁ ବୁଝି ପାରିଲି ଜଣେ କେବଳ ଚାଷ ଶିଖିଲେ ଯେ ଚାଷ କରିପାରିବ , ସେ କଥା ନୁହେଁ । ଚାଷ ପାଇଁ ଦରକାର ଦୃଢ଼ ମନୋବଳ ଆଉ କଠିନ ଇଚ୍ଛାଶକ୍ତି । ଯାହା ତାଙ୍କ ମା’ ହିଁ ଆରମ୍ଭ କରିଥିଲେ। ଆଉ ଆଜି ତାଙ୍କ ମା’ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବି ସୃଷ୍ଟି କରିଛନ୍ତି ଉଦ୍ୟାନ କୃଷିର ବେଶ କିଛି ନୂଆ ଢ଼ାଂଚା ।

ସେଇଠାରୁ ବୁଝିଗଲି ଚାଷୀର ସଂଜ୍ଞା ପାଇବା ସତରେ ବଡ଼ କଷ୍ଟ । ଆମେ ତିନି ଚାରି ଘଣ୍ଟା କ୍ଷେତକୁ ଗଲେ ହାତ ଦରଜ ହୋଇ ଦୁଇ ଦିନ ଆରାମ କରୁଥିବା ବେଳେ ସେ ଦିନରୁ ରାତିଯାଏଁ ବେଶ ଆନନ୍ଦରେ ନିଜ କାମକୁ ଉପଭୋଗ କରେ । ସତେ ଯେମିତି ଏ ମାଟିର ସବୁ କଣିକାକୁ ସେ ବେଶ ଭଲ ଭାବରେ ଚିହ୍ନିଯାଇଛି ।

ଡ଼ି ଶୁଭମ୍‌ , ସମ୍ପାଦକ-ଶ୍ୟାମଳ ସୁବର୍ଣ୍ଣ

Leave A Reply

Your email address will not be published.

two × 5 =