ପାଣିପାଗ ପୂର୍ବାନୁମାନ କୃଷକଙ୍କ ଆୟ ବଢ଼ାଇବାରେ ସହାୟକ ହୋଇଛି

0

ଦେଶ ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମୂଲ୍ୟବାନ ସେବା ଯୋଗାଇ ଆସୁଛି । ଆଇଏମଡି ଦ୍ବାରା ଜାରି କରାଯାଉଥିବା ପୂର୍ବାନୁମାନ ଯୋଗୁ କୃଷକଙ୍କ ଆୟ ବୃଦ୍ଧି ହୋଇପାରୁଛି ବୋଲି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି । ଆଇଏମଡିର ନୀତି, ଯୋଜନା ଓ କାର୍ଯ୍ୟକ୍ରମ ଭାରତର ମୁଖ୍ୟଧାରାର କାର୍ଯ୍ୟକ୍ରମ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଶନ ସହିତ ସଂଶ୍ଳିଷ୍ଟ ବୋଲି କହିଛନ୍ତି । ନୂଆଦିଲ୍ଲୀରେ ଭାରତୀୟ ପାଣିପାଗ ବିଭାଗର ୧୫୦ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ଉପରାଷ୍ଟ୍ରପତି ଶ୍ରୀ ଧନଖଡ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଥିଲେ, ୨ଏକରର ଜମି ଥିବା ଜଣେ ବିପିଏଲ ଚାଷୀ ପରିବାର ପାଣିପାଗ ବିଭାଗ ସୂଚନାକୁ ବ୍ୟବହାର କରି ୧୨ ହଜାର ୫ଶହ ଟଙ୍କା ଲାଭ କରିପାରୁଛି । ପାଣିପାଗର ସୂଚନା ଦ୍ବାରା ପ୍ରତିବର୍ଷ ଦେଶ ୧୩ ହଜାର ୩ଶହ କୋଟି ଟଙ୍କା ଲାଭ କରୁଛି । ଗତି ଶକ୍ତି ଏବଂ ଉଡାନ ଯୋଜନାକୁ ସହାୟତା କରିବା ପାଇଁ ଆଇଏମଡିର ବଡ ଭୂମିକା ରହିଛି ।

nano urea

ପାଣିପାଗ ଅନୁଧ୍ୟାନ ମାଧ୍ଯମରେ ସୁରକ୍ଷିତ ବିମାନ ଚଳାଚଳ ସୁନିଶ୍ଚିତ ହୋଇ ପାରୁଛି । ସମ୍ମାନିତ ଅତିଥି ଭାବେ ଭୂବିଜ୍ଞାନ ମନ୍ତ୍ରଣାଳୟର ମନ୍ତ୍ରୀ କିରେନ ରିଜିଜୁ କହିଥିଲେ, ପୂର୍ବାପେକ୍ଷା ବିଭାଗ ପକ୍ଷରୁ ଆକଳନ କରିବା ପାଇଁ ଅନେକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ଆଗାମୀ ଦିନରେ ପ୍ରଯୁକ୍ତି ବିଦ୍ୟା ଉପଯୋଗକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୧୪ରେ ଦେଶରେ ୧୫ଟି ଡପଲର ରାଡାର ଥିବାବେଳେ ୨୦୨୩ ବେଳକୁ ୨୩କୁ ବୃଦ୍ଧି ପାଇଛି । ଆଗାମୀ ୨ରୁ ୩ବର୍ଷ ମଧ୍ୟରେ ୨୫ଟି ରାଡାର ସ୍ଥାପନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ରହିଛି । ବର୍ଷା ମାପିବା ପାଇଁ ୨୦୧୪ରେ ୩୯୫୫ଟି ଷ୍ଟେସନ ଥିବାବେଳେ ୨୦୨୩ ସୁଦ୍ଧା ୬୦୯୫କୁ ବୃଦ୍ଧି କରାଯାଇଛି ଉପର ବାୟୁ ମାପିବା ନିମନ୍ତେ ୨୦୧୪ରେ ୪୩ଟି ଷ୍ଟେସନ ଥିବାବେଳେ ୨୦୨୩ବେଳକୁ ୫୬ରେ ପହଞ୍ଚି ପାରିଛି । ସେହିଭଳି ପବନ ମାପିବା ପାଇଁ ବ୍ୟବହୃତ ଯନ୍ତ୍ର ୨୦୧୪ରେ ୧୯ଟି ଥିବାବେଳେ ୨୦୨୩ ସୁଦ୍ଧା ୩୫ଟିରେ ପହଞ୍ଚିଛି ।

ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସ୍ୱାଗତ ଭାଷଣରେ ଆଇଏମଡି ପ୍ରତିଷ୍ଠା ହେବାଠାରୁ ୨୦୨୩ ସୁଦ୍ଧା ଏହାର ଭୂମିକା, ପୂର୍ବାନୁମାନ, ପ୍ରଯୁକ୍ତିବିଦ୍ୟା ପ୍ରଯୋଗ, ଆଗାମୀ ଦିନରେ କିପରି ସମସ୍ତଙ୍କ ପାଖରେ ପୂର୍ବାନୁମାନ ପହଞ୍ଚି ପାରିବ ସେ ସଂକ୍ରାନ୍ତରେ ଆଲୋକପାତ କହିଥିଲେ । ପ୍ରତି ପଞ୍ଚାୟତରେ ପାଣିପାଗ ଆକଳନ ପ‌ହଞ୍ଚାଇବା ପାଇଁ ଉପରାଷ୍ଟ୍ରପତିଙ୍କ ଦ୍ବାରା ମୌସମ୍ ସେବା ଉନ୍ମୋଚନ ହୋଇଛି I ପଞ୍ଚାୟତିରାଜ ଓ ଭୂବିଜ୍ଞାନ ମନ୍ତ୍ରଣାଳୟର ମିଳିତ ଆନୁକୁଲ୍ୟରେ (mausam.imd.gov.in/ greenalerts) ହୋଇଛି । ପଞ୍ଚାୟତ ସମ୍ପାଦକ ପାଣିପାଗ ସୂଚନା ସମ୍ବନ୍ଧରେ ପ୍ରତି ଗାଁରେ ଚାଷୀଙ୍କୁ ସତର୍କ କରାଇବେ । ବର୍ଷା, ଆର୍ଦ୍ରତା, ସୂର୍ଯ୍ୟ ଉଦୟ ଓ ଅସ୍ତ, ଚନ୍ଦ୍ର ଉଦୟ ଓ ଅସ୍ତ, ବଜ୍ରପାତ, ବାତ୍ୟା ଏବଂ କାଳବୈଶାଖୀ ଆଦି ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ମୋବାଇଲ ଆପ୍ ଆଣ୍ଡ ମୌସୁମଗ୍ରାମ୍ ଉନ୍ମୋଚନ କରାଯାଇଛି । ଏହି ଆପ୍ ମାଧ୍ୟମରେ ଯେକୌଣସି ସ୍ଥାନରେ ରହି ଜଣେ ମୋବାଇଲ୍ ମାଧ୍ୟମରେ ପାଣିପାଗ ସଂକ୍ରାନ୍ତ ସୂଚନା ପାଇପାରିବ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରଣାଳୟ ସଚିବ ଡ. ଏମ.ରବିଚନ୍ଦ୍ରନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three × five =