ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତ ଚାଷୀମାନଙ୍କୁ ଶୁଭେଚ୍ଛା

0

ମାଘ ମାସର ପ୍ରଥମ ଦିନଟି ସାରା ଭାରତରେ ମକର ସଂକ୍ରାନ୍ତି ରୂପେ ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟ ମକର କ୍ରାନ୍ତିକୁ ସ୍ପର୍ଶ କରନ୍ତି । କ୍ରମଶଃ ଦିନ ବଡ଼ ହୁଏ ଏବଂ ରାତି ଛୋଟ ହେବାକୁ ଆରମ୍ଭ କରେ । ଉତ୍ତର ଭାରତୀୟ ରାଜ୍ୟରେ ମକର ସଂକ୍ରାନ୍ତି ଏବଂ ଲୋହରୀ ଭାବରେ ସୂର୍ଯ୍ୟଙ୍କ ପ୍ରବେଶ ଉତ୍ସବ ପାଳନ କରାଯାଉଥିବାବେଳେ ଦକ୍ଷିଣ ଉତ୍ତରରେ ସୂର୍ଯ୍ୟ ଉତ୍ତରାୟଣରେ ପ୍ରବେଶ କଲାବେଳେ ‘ପୋଙ୍ଗଲ’ ପାଳନ କରାଯାଏ । ମକର ସଂକ୍ରାନ୍ତି ଏବଂ ଲୋହରୀଙ୍କ ପରି ପୋଙ୍ଗଲ ପର୍ବକୁ ମଧ୍ଯ ଅମଳ ପରେ ଭଗବାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ପାଳନ କରାଯାଏ । ଏହି ଦିନ ନୂଆ ଧାନର ଚାଉଳ, ନୂଆ ଗୁଡ଼ ସହିତ ଛେନା, କଦଳୀ ଇତ୍ୟାଦି ଚକଟି ମକର ଚାଉଳ ଭୋଗ ପ୍ରସ୍ତୁତ କରାଯାଏ । ଏହି ଭୋଗ ସୂର୍ଯ୍ୟଙ୍କୁ ଅର୍ପଣ କଲା ପରେ ସମସ୍ତଙ୍କୁ ବଣ୍ଟା ଯାଇଥାଏ ।

ପୋଙ୍ଗଲକୁ ତାଇ ପୋଙ୍ଗଲ ମଧ୍ୟ କୁହାଯାଏ । ଏହା ତାମିଲ ସମ୍ପ୍ରଦାୟର ଏକ ଫସଲ କଟା ଗଣପର୍ବ ଅଟେ । ଲୋକମାନେ ଏହାକୁ ଖୁବ ଧୁମଧାମରେ ପାଳନ କରନ୍ତି । ସେମାନେ ଏହି ପର୍ବରେ ପିତୃ ପୁରୁଷଙ୍କୁ ସ୍ମରଣ କରି ପୂଜା କରିଥାନ୍ତି । ଏହା ମୁଖ୍ୟତଃ ଚାରି ଦିନ ପାଳନ କରାଯାଏ । ପୋଙ୍ଗଲ ପର୍ବର ପ୍ରଥମ ଦିନକୁ ଭୋଗୀ ପୋଙ୍ଗଲ କୁହାଯାଏ । ଏହିଦିନ ସକାଳୁ ନିଜ ଘରର ସମସ୍ତ ଅନାବଶ୍ୟକ ଜିନିଷ ଓ ଗୋବର ଘସିକୁ ନିଆଁ ଲଗାଇ ପୋଡାଯାଏ। ଶୀତ ଦିନରେ ଧରିତ୍ରୀ ମା’ ଥଣ୍ଡା ହୋଇଯାଇଥାଏ । ଏହି ନିଆଁ ଜଳିବା ଦ୍ବାରା ମାଟି ମା ଉଷୁମ ହୋଇଥାଏ ବୋଲି ବିଶ୍ବାସ ରହିଛି।

nano urea

ପୋଙ୍ଗଲ ପର୍ବର ଦ୍ବିତୀୟ ଦିବସ ହେଉଛି ମକର ସଂକ୍ରାନ୍ତି । ଏହାର ତେଲୁଗୁ ଭାବାର୍ଥ ହେଉଛି ପେଡ଼ା ପଣ୍ଡଗା। ଏହିଦିନ ଚାଷୀମାନେ ଉତ୍ପାଦିତ ଫସଲ ଓ ଗାଈ ଗୋରୁଙ୍କୁ ପୂଜା କରାଯାଏ । ପୂଜା ପରେ ଗାଈ କ୍ଷୀରକୁ ଚୁଲିରେ ଫୁଟାଯାଏ। ସେହି କ୍ଷୀରରେ ଚାଉଳ ପକାଇ ଖୂରୀ କରାଯାଏ । ଏହି ଖୂରୀର ନାମ ପୋଙ୍ଗାଲୀ ବୋଲି କୁହାଯାଏ। ଏହି ଖୂରୀ ନିଜ ଘର ବ୍ୟତୀତ ମନ୍ଦିରରେ ଓ ଚାଷ ଜମିରେ ମଧ୍ଯ କରା ଯାଇଥାଏ। କେବଳ ଗୁଡ ପକାଇ ଖିରୀ କରାଯିବାର ପରମ୍ପରା ରହିଛି। ଚାଷୀ କୁଳ ବ୍ୟତୀତ ଅନ୍ୟ ସାଧାରଣ ତେଲୁଗୁ ଲୋକମାନେ ଏହି ଦିନରେ ପିତୃ ପୁରୁଷଙ୍କୁ ପୂଜା କରିଥାନ୍ତି। ପୁରୁଷ ପିତୃ ପୁରୁଷଙ୍କୁ ଧୋତି-ଯୋଡ ଓ ମହିଳା ପିତୃ ପୁରୁଷଙ୍କୁ ସୂତା ଶାଢ଼ୀ ବା ପାଟ ଲାଗି କରାଯାଇଥାଏ । ଏହା ପରେ ସମସ୍ତେ ନୂଆ ଲୁଗା ପିନ୍ଧିଥାନ୍ତି। ସାଧାରଣତଃ ଏହି ଦିନରେ କେହି ଆମିଷ ଖାଇନଥାନ୍ତି।

ପୋଙ୍ଗଲ ପର୍ବର ତୃତୀୟ ଦିନକୁ କାନୁମା କୁହାଯାଏ। ଚାଷିକୂଳ ଚାଷ କରି ଫସଲ ଅମଳ କରିବା କାର୍ଯ୍ୟରେ ବ୍ୟସ୍ତ ରହି ଥକି ଯାଇଥାନ୍ତି ଓ ସେହି ଥକାକୁ କିଛି ମାତ୍ରାରେ ହ୍ରାସ ପାଇଁ ଏହି ଦିନ ଆନନ୍ଦ ଉଲ୍ଲାସର ସହିତ କବାଡି ଓ ତାସ ଖେଳନ୍ତି, ଗୁଡିଉଡାନ୍ତି, କୁକୁଡା ଲଢେଇର ମଜା ନେଇଥାନ୍ତି । ସମସ୍ତେ ଏହି ଦିନ ଆମିଷ ସେବନ କରନ୍ତି । ଲଢାଇ ପ୍ରତିଯୋଗିତାରେ ହାରି ଯାଇଥିବା କୁକୁଡା ଓ ବୋଦାର ମାଂସକୁ ମଧ୍ଯ ଭୋଜିକରି ଖୁଆଯାଇଥାଏ । ପୋଙ୍ଗଲ ପର୍ବର ଚତୁର୍ଥ ଦିନକୁ ମୁକାନୁମା କୁହାଯାଇଥାଏ। ଯଦି ତୃତୀୟ ଦିନ ଆମିଷ ଖାଇବା ବାର ପଡି ନ ଥାଏ ତେବେ ଏହି ଦିନରେ ଆମିଷ ଖୁଆଯାଇଥାଏ। ଏହି ଦିନର ଅନ୍ୟ ଏକ ବିଶେଷତ୍ଵ ହେଉଛି ନବ ବିବାହିତା ଝିଅମାନେ ଶାଶୁ ଘରେ ଶାଶୁ ଘରର ପିତୃ ପୁରୁଷଙ୍କୁ ଚିହ୍ନିଥାନ୍ତି ଓ ତାଙ୍କୁ ପୂଜା କରି ଭୋଗ ଖାଇସାରିବା ପରେ ନୂଆ ଲୁଗା ପିନ୍ଧିଥାନ୍ତି। ଏହା ପରେ ସ୍ବାମୀ ସହ ନିଜ ପିତୃ ଗୃହକୁ ଯାଇଥାନ୍ତି।

Leave A Reply

Your email address will not be published.

14 − thirteen =