About Us

କୃଷିକୁ ଭାରତୀୟ ସଭ୍ୟତାର ମାଦନଣ୍ଡ ବୋଲି ବିଚାର କରାଯାଏ । କୃଷି ଜନଜୀବନର ଆଧାର । କୃଷି ଆଉ କୃଷକ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ରାତି ପାହିଲେ କାନ୍ଧରେ ଲଙ୍ଗଳ ଆଉ ମୁଣ୍ଡରେ ଗାମୁଛା ଖଣ୍ଡେ ବାନ୍ଧି କ୍ଷେତକୁ ବାହାରିଯାଏ ଚାଷୀ । ମାଟିର ଅମୃତସନ୍ତାନ ଚାଷୀ । ସେ ସବୁଜିମାର ଶିଳ୍ପୀ । ସେ ତିଆରି କରେ ଶ୍ୟାମଳର ବାତାବରଣ । ମାଟିର ମଣିଷ ହୋଇ ମାଟି ଉପରେ ସୁନାର ଫସଲ ଫଳାଏ । ତାର ପାଇଁ ଦିନରେ ଦି ଓଳି ଦାନା ଆମ ପେଟରେ ପଡେ଼ । ସେ ଦରଦୀ ମଣିଷ , ହେଲେ ଏକ ମହାନ ବ୍ୟକ୍ତିତ୍ୱର ଉଦାହରଣ । ସମୟେ ସମୟେ ତା’ ପାଇଁ ସୃଷ୍ଟି ହୋଇଥିଲା ବିପ୍ଲବର ବହ୍ନି । ସେ ସାଜିଥିଲା ସବୁଜ ବିପ୍ଲବର ନାୟକ । ତା’ରି ପାଇଁ ସବୁଜିମା ବାସ୍ତବତାର ରୂପ ନିଏ । ସେ ଅନ୍ନଦାତା । ତାରି ପାଇଁ ଜୀବନ ଜୀଇଁବାର ଆଶା ଦେଖେ ମନୁଷ୍ୟ । ମାଟି ମାର ସେ କୁଶଳୀ କାରିଗର । ଶ୍ୟାମଳ ଜମିରୁ ସୁବର୍ଣ୍ଣ ଫଳେଇବାରେ ସେ ମାହିର । ସଭ୍ୟତାର ମାପକାଠି । ମାଟି ସହ ତାର ସମ୍ପର୍କ ସତରେ ଏକ ଅଭିନବ ପରିକଳ୍ପନା । ମୁଖର ଶବ୍ଦକୁ ହାତର ଯାଦୁଗରୀରେ ବାସ୍ତବତାର ରୂପ ଦେବାରେ ସେ ଧୂରନ୍ଧର । ଖରା ହେଉ କି ବର୍ଷା , କତ୍ତର୍ବ୍ୟର ପରିଧିରୁ ବିଚ୍ୟୁତ ହୁଏନାହିଁ । ସେଇଥି ପାଇଁ ତ ସେ ଜାତିର ଅନ୍ନଦାତା । ପାର୍ଥିବ ଜୀବନର ମହାର୍ଘ୍ୟ ଅନୁଭୂତି । ନିଜ ଜୀବନ ସଂଗ୍ରାମରେ ସେ ବିଜୟୀ ଯୋଦ୍ଧା । ସେ ଆଉ କେହି ନୁହେଁ ସଭ୍ୟତାର ମାପକାଠି , ଏ ସମାଜର ମଙ୍ଗୁଆଳ – ଚାଷୀ ।

nano urea

ସାମ୍ପ୍ରତିକ ସମୟରେ ଚାଷୀ ପାଖରେ ପହଁଚିପାରୁନି କୃଷି ସମ୍ପର୍କିତ ନୂତନ ତଥ୍ୟ । ଆଜିର ଆଧୁନିକ ଯୁଗରେ କୃଷି କ୍ଷେତ୍ରରେ ବ୍ୟବହାର କରାଯାଉଥିବା ନୂତନ କାର୍ଯ୍ୟଶୈଳୀର ତଥ୍ୟ ବି ଉପଲବ୍ଧ ହୋଇପାରୁନି । ବିଗତ ୨୦୧୮ରୁ ଆମେ କୃଷି ଓ କୃଷକର ବିକାଶର ମନ୍ତ୍ରକୁ ପାଥେୟ କରି ଆରମ୍ଭ କରିଥିଲୁ କୃଷି ଭିତ୍ତିକ ତ୍ରୈମାସିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣ । ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର ଚାଷୀକୁଳ ପାଖରେ ବେଶ ସ୍ନେହ ଆଉ ଆଶୀର୍ବାଦ ପାଇବା ସହ ବହୁଳ ପାଠକୀୟ ଆଦୃତି ସାଉଁଟିଥିଲା ଏହି ପତ୍ରିକା । ତିନି ମାସର ବ୍ୟବଧାନରେ ପ୍ରକାଶ ପାଉଥିବା ଏହି ପତ୍ରିକାରେ ଆମେ କୃଷି ସମ୍ବନ୍ଧୀୟ ବିଭିନ୍ନ ତଥ୍ୟାବଳୀକୁ ଉପସ୍ଥାପନ କରିବାକୁ ଚେଷ୍ଟା କରିଛୁ । ତେବେ ବର୍ତ୍ତମାନର ଏ ଡ଼ିଜିଟାଲ ଯୁଗରେ ପ୍ରତି ମୁହୂର୍ତ୍ତରେ କୃଷିର ଖବର ପହଁଚାଇବାକୁ ଆରମ୍ଭ କରିଛୁ ଶ୍ୟାମଳ ସୁବର୍ଣ୍ଣର ନୂତନ ୱେବ ପୋର୍ଟାଲ । ପ୍ରୟାସ କରିବୁ ଚାଷର କଥା କହିବାକୁ । ଚେଷ୍ଟା କରିବୁ ଚାଷୀ ପାଖରେ ନୂତନ କୃଷି ପ୍ରଣାଳୀକୁ ପହଁଚାଇବାକୁ । ଏବେ ପ୍ରତିଟି ସମୟରେ କୃଷିର ଖବର ଦେବାକୁ ଉଦ୍ୟମ କରିବୁ । ପୂର୍ବ ପରି ତିନି ମାସର ବ୍ୟବଧାନରେ ପତ୍ରିକା ପ୍ରକାଶ ପାଇବ ଆଉ ତା ସହିତ ପ୍ରତିଦିନ କୃଷିର ପ୍ରଚାର ପ୍ରସାର ବି ହେବ । କୃଷିର ବିକାଶ ହେଲେ ରାଷ୍ଟ୍ରର ଉନ୍ନତି ହେବ । ଜୟ ଯବାନ , ଜୟ କିଶାନ । ।


ଡ଼ି ଶୁଭମ୍‌ , ସମ୍ପାଦକ-ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ