ଧାନ ଫସଲ ପାଇଁ ଉତ୍ତମ ମୃତ୍ତିକା ଚୟନ

0

ଧାନ – ଓଡ଼ିଶାର ମୁଖ୍ୟ ଫସଲ ଭାବେ ବେଶ ଜଣାଶୁଣା । ଖରିଫ ରୁତୁର ପ୍ରମୁଖ ପଓଲ ଭାବେ ଏହାକୁ ଚାଷ କରାଯାଇଥାଏ । ଏବେ ଧାନ ଚାଷ କରିବାର ସମୟ ଆସିଗଲେଣି । ଚାଷୀ ବି ପ୍ରସ୍ତୁତ ବେଶ କିଛି ଅମଳ କରିବା ପାଇଁ । ଏସବୁ ଭିତରେ ଧାନ ଚାଷ ପାଇଁ ପ୍ରମୁଖ ଉପାଦାନ ଜମି କିସମ ଅଟେ । କେଉଁ ଜମିରେ ଏହା ବେଶ୍‌ ଉନ୍ନତ ମାନରେ ହୋଇପାରିବ, କେଉଁଥିରେ ନୁହଁ ସେସବୁ ଜାଣିବା ନିହାତି ଆବଶ୍ୟକ । ତେବେ ଧାନ ଫସଲ ସାଧାରଣତଃ ମଟାଳ ମାଟିଠୁ ଆରମ୍ଭ କରି କାଦୁଆ ମାଟିରେ ବି ଚାଷ କରାଯାଇଥାଏ । ଫସଲ ଯେମିତି ମାଟିରୁ ପାଣି ଓ ଖାଦ୍ୟ ପଦାର୍ଥ ସଂଗ୍ରହ କରିଥାଏ , ସେମିତି ଧାନ ବି ମାଟିରୁ ସେଇ ଉପାଦାନ ସଂଗ୍ରହ କରେ । ଇତି ମଧଧ୍ୟରେ ମାଟିର ଉର୍ବରତା ଉପରେ ଗୁରୁତ୍ୱ ଦେବା ବିଧେୟ । ଧାନ ଚାଷ ପାଇଁ କାଦୁଆ ମାଟି ବିଶେଷ ଉପଯୋଗୀ କାରଣ କାଦୁଆ ମାଟିର ଉର୍ବରତା ଅଧିକ । ଏତଦଭିନ୍ନ ଯେଉଁ କାଦୁଆ ମାଟିରେ ଜୈବ ପଦାର୍ଥ ଅଧିକ ପରିମାଣରେ ଥାଏ , ସେମାଟିରେ ଭଲ ଧାନ ଚାଷ ହୋଇଥାଏ । କାରଣ ଏହାର ଜଳଧାରଣ କରିବାର କ୍ଷମତା ଅଧିକ ଥାଏ ।
ମୃର୍ତ୍ତିକାର ଅମ୍ଳତା ବା କ୍ଷାରତା ଦୃଷ୍ଟିକୋଣରୁ ବିଚାର କଲେ ଅମ୍ଳୀୟ ମାଟିରେ ଧାନ ଫସଲ ବେଶ ଭଲ ଭାବେ ହୋଇଥାଏ । ଆମ ରାଜ୍ୟରେ ଢ଼ିପ ଜମିମାନ ବହୁ ପରିମାଣରେ ଅଛି । ଓଡ଼ିଶାର ଚାଷୀମାନେ ଏହି ଜମିମାନଙ୍କରେ ମଧ୍ୟ ଧାନ ଚାଷ କରିଥାନ୍ତି । କିନ୍ତୁ ଏହା ଦେଖାଯାଇଛି ଯେ ଢ଼ିପ ଜମିରେ ଧାନ ଚାଷ କଲେ ଅମଳ ଠିକ ଭାବେ ମିଳି ନଥାଏ । ବରଂ ସେ ଜମିରେ ଧାନ ଛଡ଼ା ମୁଗ,ବିରି ଆଦି ଫସଲ ଚାଷ କଲେ ଅଧିକ ଅମଳ ମିଳେ । ଏହା ଛଡ଼ା ଖାଲ ଜମି ମାନଙ୍କରେ ମଧ୍ୟ ଧାନ ଚାଷ କରାଯାଏ । ତେବେ ଉପଯୁକ୍ତ ସାର , ଖତର ପ୍ରୟୋଗ ହେଲେ ଅମଳର ମାତ୍ରା ବୃଦ୍ଧି ପାଏ । ଏହି ଜମିରେ ଧାନ କିସମ ଯଥା – ସୁଫଳା , ପାରିଜାତ ପ୍ରଭୃତି ଚାଷ କଲେ ୧୦୦ ରୁ ୧୧୦ ଦିନ ଭିତରେ ଅମଳ ହୋଇଥାଏ । ତେବେ ଢ଼ିପ ଜମି ଅପେକ୍ଷା ଖାଲ ଜମିରେ ଚାଷ କଲେ ଭଲ ସୁଫଳ ମିଳିଥାଏ । କାରଣ ଯଦିଓ ମରୁଡ଼ି ହୁଏ, ଖାଲ ଜମିମାନଙ୍କରେ ପାଣି ଶାଘ୍ର ଶୁଖୁ ନଥିବାରୁ ଫସଲ ନଷ୍ଟ ସହଜରେ ହୁଏ ନାହିଁ ।

Leave A Reply

Your email address will not be published.

14 + three =