ଆସ କରିବା ଚାଷ !!

0

ବର୍ତ୍ତମାନର ପରିସ୍ଥିତିକୁ ଅବଲୋକନ କଲେ ଆମେ କରୋନାର ଭୟାବହତାକୁ ଅନେକ ମାତ୍ରାରେ ଅନୁଭବ କରିପାରୁଛେ । ସମୟ ବଦଳିବା ସହ ପରିସ୍ଥିତି ବି ବଦଳୁଛି । ମଣିଷର ଚଳଣି ବି ବଦଳୁଛି । ଦୁନିଆରେ ପରିପାଟୀ ବି ବଦଳିବାକୁ ଲାଗିଲାଣି । ଏପରି ସ୍ଥିତିରେ ଆମକୁ ଏସବୁ ସହ ସାମ୍ନା କରି, ଏସବୁକୁ ସାଙ୍ଗ କରି ବଂଚିବାକୁ ହେବ । ଏହାକୁ ବେଖାତିର କରି ଆଗକୁ ଯିବାଟା ଧୃଷ୍ଟତା ବ୍ୟତୀତ ଆଉ କିଛି ହେବ ନାହିଁ । କାରଣ ଚାରି ମାସ ପୂର୍ବକୁ ଲକ୍ଷ୍ୟ କଲେ ଆମ ଚାଲିଚଳଣ ସହ ସବୁକିଛି ଏକରକମର ଠିକ୍‌ଠାକ୍ ଥିଲା । କିନ୍ତୁ ସାମ୍ପ୍ରତିକ ସମୟରେ କରୋନାର ଭୟ ଆମ ଭିତରେ ଆଶଙ୍କାର ମାୟାଜାଲ ରଚନା କରିସାରିଛି ।ତେବେ ଏପରି ସ୍ଥିତିରେ ଅନେକ ଯୁବକଯୁବତୀ ବେକାର ହୋଇ ଘରେ ବସିଛନ୍ତି । ରୋଜଗାରର ମାଧ୍ୟମ କିଛି ନଥିବା ବେଳେ ସମସ୍ତେ ଘରେ ତାଲାବନ୍ଦ ଭାବେ ଜୀବନଯାପନ କରୁଛନ୍ତି । ତେବେ ଏପରି ସ୍ଥିତିରେ ଆମେ କିପରି ଉଦଯୋଗୀ ହୋଇପାରିବା ତାହାକୁ ଅନୁଧ୍ୟାନ କରିବା ଆବଶ୍ୟକ ।କୃଷି ଆମ ସଭ୍ୟତାର ମାନଦଣ୍ଡ ବୋଲି ବିବେଚନା କରାଯାଏ ସତ କିନ୍ତୁ କୃଷି ପାଠ୍ୟକ୍ରମର ବିଷୟକୁ ଯଦି କୃଷି କ୍ଷେତ୍ରରେ ଉପଯୋଗ କରାଯାଇପାରିଲା, ତାହେଲେ ଏହା ଉଦ୍ୟୋଗୀ ହେବାର ବାଟ ଦେଖାଇପାରିବ । ତେବେ କୃଷି ପାଇଁ ଏତେ ଅନାଦର କ’ଣ ପାଇଁ? କୃଷି ପାଇଁ ଆଗ୍ରହ ସୃଷ୍ଟି ନହେବାର କାରଣ କ’ଣ ? ଏସବୁକୁ ଖୋଜି ବସିଲେ କେବଳ ଦୃଢ଼ ମନୋବଳର ଅଭାବ ହିଁ ଏହାର ମୁଖ୍ୟ କାରଣ ।

କୃଷି – ଭାରତୀୟ ସଭ୍ୟତାର ଏନ୍ତୁଡ଼ିଶାଳ ଅଟେ । ତେବେ କୃଷିକୁ ଉପଯୋଗ କରି ଆମେ ଉଦ୍ୟୋଗୀ ହୋଇପାରିବା ଏଥିରେ ସନ୍ଦେହ ନାହିଁ । ଆଗରୁ ଆମ ବାପା ଜେଜେ ଅମଳରେ କେବଳ ଚାଷକୁ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିଲେ । ଚାଷ ଥିଲା ପ୍ରମୁଖ ଆୟର ମାଧ୍ୟମ । ସେତେବେଳର ସମୟ ଲୋକ ଚାଷକୁ ଆଗ୍ରହ ସହକାରେ ଗ୍ରହଣ କରୁଥିଲେ । ମନରେ ଅହେତୁକ ନିଶା ଥିଲା ଚାଷ ପାଇଁ ।କିନ୍ତୁ ବର୍ତ୍ତମାନ ସମୟରେ ଆଉ କାଦୁଅ କ୍ଷେତରେ ଗୋଡ଼ ପଶେଇବାକୁ ବେହି ବି ଆଗ୍ରହ ପ୍ରକାଶ କରୁନାହାନ୍ତି । ବଡ଼ ବଡ଼ କଲେଜରୁ ଡ଼ିଗ୍ରୀ ହାସଲ ପରେ ଚାକିରୀ ପଛରେ ଗୋଡ଼ାଇ ଶେଷରେ କେଇଟା ପଇସାରେ କାମ କରିବା ବ୍ୟତୀତ ଆଉ କିଛି ଉପାୟ ନଥାଏ । କିନ୍ତୁ ଆମେ ଯଦି ଚାହିଁବା କୃଷି କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ପାରିବା । ଜଣେ ଜୈବିକ ଉପାୟରେ ଚାଷ କରି ନିଜ ଆୟକୁ ଦ୍ୱିଗୁଣ କରିପାରିବ । ଜୈବିକ ଉପାୟରେ ଚାଷ କରି ଫସଲର ଗୁଣବତ୍ତା ଆଉ ମାଟିର ମାନ ବି ବଢ଼ାଇପାରିବ । ଅଳ୍ପ ଟଙ୍କା ଆଉ ସ୍ୱଳ୍ପ ସମୟ ଭିତରେ ଅଧିକ ଅମଳ କରିପାରିବା ।କୃଷି କ୍ଷେତ୍ରରେ ବିଭିନ୍ନ ନୂତନ ପ୍ରଣାଳୀ ବ୍ୟବହାର କରି ଆମେ ନିଜ କର୍ମମୟ ଜୀବନରେ ବେଶ କିଛି ରୋଜଗାର କରିପାରିବା । ଏସବୁ ଭିତରେ ରୁଫ୍‌ଟପ୍ ଗାର୍ଡ଼େନିଂ, ପାକଶାଳା ବଗିଚା , ସମନ୍ୱିତ କୃଷି , ହାଇଡ଼୍ରୋପନିକ୍ସ ପ୍ରଭୃତି ଆମକୁ ସ୍ୱାବଲମ୍ବୀ ହେବାର ମାର୍ଗ ଦେଖାଇପାରିବ । ଏଠାରେ ମୁଁ ଏସବୁର ଉପଯୋଗିତା ବିଷୟରେ ସମ୍ୟକ ତଥ୍ୟ ଦେବାକୁ ଚାହୁଁଛି ।ରୁଫ୍‌ଟଫ୍ ଗାର୍ଡ଼େନିଂସହରାଂଚଳ କୃଷିର ଏକ ସ୍ୱତନ୍ତ୍ର ଅବଦାନ । ଏବେ ସମସ୍ତେ ନିଜ ଘରେ ଛାତ ଉପରେ ବଗିଚା ସୃଷ୍ଟି କରିବାରେ ଲାଗିଗଲେଣି । ଏହା ମନକୁ ହାଲୁକା ରଖିବା ସହ ଘର ଛାତର ସୌନ୍ଦର‌୍ୟ୍ୟ ବି ବଢ଼ିପାରିବ ।

ହାଇଡ଼୍ରୋପନିକ୍ସ- ଏହା କୃଷି ଉପାôଦନର ଏକ ଉନ୍ନତ ପଦ୍ଧତି । ସାଧାରଣତଃ ଆମେ ମାଟିରେ ଗଛ ବଢୁଥିବା ଦେଖିଛେ କିନ୍ତୁ ହାଇଡ୍ରୋପୋନିକ୍ସ ସେ ସବୁରୁ ଟିକିଏ ଭିନ୍ନ । ବିନା ମୃତ୍ତିକା ସାହାଯ୍ୟରେ ଉଦ୍ଭିଦ ବଢାଇବା ପଦ୍ଧତିକୁ ହାଇଡ୍ରୋପୋନିକ୍ସ କୁହାଯାଏ । ଶୁଣିବାକୁ ଟିକେ ଆଶ୍ଚର‌୍ୟ୍ୟ ଲାଗୁଥିଲେ ହେଁ ସତ । ଏହି ପ୍ରଣାଳୀରେ କେବଳ ପାଣିରେ ସମସ୍ତ ବୃକ୍ଷ ବଢିପାରିବ । ମୋଟ ଉପରେ କହିବାକୁ ଗଲେ ମୃତ୍ତିକାର ବିନା ସାହାଯ୍ୟରେ ପାଣିରେ ସମସ୍ତଆବଶ୍ୟକୀୟ ପୋଷକ ପଦାର୍ଥ ମିଶାଇ ଯେ କୌଣସି ଗଛ ବଢାଇବାକୁ ହାଇଡ୍ରୋପୋନିକ୍ସ କୁହାଯାଏ । ଏହାର ମୁଖ୍ୟ ଉପକାରିତା ମଧ୍ୟରେ ହାଇଡ୍ରୋପୋନିକ୍ସ ଦ୍ୱାରା ବର୍ଷର ଯେ କୈାଣସି ସମୟରେ ମଧ୍ୟ ଫସଲ ଚାଷ ଏବଂ ଅମଳ କରାଯାଇ ଖାଦ୍ୟ ସମସ୍ୟାକୁ ଦୂର କରାଯାଇପାରିବ । ଏହି ଉପାୟରେ ୯୦ ପ୍ରତିଶତ ଜଳ ସଂରକ୍ଷଣ କରାଯାଇପାରିବ । ସ୍ୱଳ୍ପ ସ୍ଥାନ ଏବଂ ଖୁବ କମ ସମୟରେ ଅଧିକ ଫସଲ ଅମଳ କରାଯାଇପାରିବ । ଏହା ଦ୍ୱାରା ଜୈବିକ ଫସଲ ଉତ୍ପାଦନ କରାଯାଇପାରିବ ।

nano urea

ଏହା ବ୍ୟତୀତ ସମନ୍ୱିତ ଚାଷ ହେଉଛି ଏକ ପ୍ରକାରର ମିଶ୍ରିତ ଚାଷ । ଏହି ପଦ୍ଧତିରେ ସମସ୍ତ ପ୍ରକାର ଚାଷର ମିଶ୍ରଣରେ ଏକ ସନ୍ତୁଳିତ ପରିବେଶ ସୃଷ୍ଟି କରାଯାଇ ପାରିବ । ସମନ୍ୱିତ ଚାଷର ମୌଳିକ ତଥ୍ୟ ହେଉଛି ଏକ ସୀମିତ ଜାଗାରେ ସମସ୍ତ ପ୍ରକାର ଚାଷ କରାଯାଇ ପାରିବ ଯେଉଁ ଭଳି ଗୋଟିଏ ଚାଷର ଅତିରିକ୍ତ ଉପାଦାନ ଅନ୍ୟ ଏକ ଚାଷର ମୁଖ୍ୟ ଉତ୍ପାଦନ ଭାବରେ ବ୍ୟବହାର କରାଯାଇ ପାରିବ । ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ ସହିତ ନିୟମିତ ଭାବରେ ରୋଜଗାର ପ୍ରଦାନ ଓ ଅର୍ଥ ଉପାର୍ଜନ କରିହେବ ।ସମନ୍ୱିତ ଚାଷ ପଦ୍ଧତି ଦ୍ୱାରା ଜମିର ଉତ୍ପାଦତା ବଢ଼ିଥାଏ । ସୀମିତ ଜମିରୁ ଅଧିକ ଲାଭ ହୋଇଥାଏ । ଚାଷ ଚିରନ୍ତନ ହୋଇଥାଏ ଏବଂ ଋତୁକାଳୀନ ଚାଷର କ୍ଷତି ହ୍ରାସ ପାଇଥାଏ । ଚାଷୀ ପରିବାର କର୍ମନିଯୁକ୍ତି ହୋଇଥାଏ । କ୍ଷୁଦ୍ର ବା ମଧ୍ୟମ ଧରଣର ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଥାଏ । ଅଳ୍ପ ବିନିଯୋଗରେ ପ୍ରତିବର୍ଷ ଲାଭ ବଢ଼ିଥାଏ । ଏହା ସହିତ ପରିବେଶ ସୁରକ୍ଷା ମଧ୍ୟ ହୋଇଥାଏ ।ତେବେ ବର୍ତ୍ତମାନ ଏପରି ମହାମାରୀ ପରିସ୍ଥିତିରେ ଆମକୁ ସମୟ ଆସିଛି ଉଦଯୋଗୀ ହେବାର । ତେବେ ଏହି ସମୟରେ ଆମେ କୃକ୍ଷି କ୍ଷେତ୍ରରେ ନିଜର ସମୟକୁ ବିନିଯୋଗ କରି ଟଙ୍କା ଉପାର୍ଜନ କରିପାରିବା । କୃଷି କ୍ଷେତ୍ରରେ କରାଯାଉଥିବା ଏହି ସବୁ ନୂତନ ପ୍ରଣାଳୀକୁ ବିନିଯୋଗ କରି ଆମେ ବି ସ୍ୱାବଲମ୍ବୀ ହୋଇପାରିବା , ଏଥିରେ ସନ୍ଦେହ ନାହଁ ।

  • ଡି ଶୁଭମ୍ , ସମ୍ପାଦକ – ଶ୍ୟାମଳ ସୁବର୍ଣ୍ଣ

Leave A Reply

Your email address will not be published.

nine − 4 =