ରୋଷ ବଗିଚାରେ ଔଷଧି

0

ବୃକ୍ଷ ଏବଂ ଗୁଳ୍ମ ମାନେ ଆୟୁର୍ବେଦର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଜଡି଼ତ ଅଟନ୍ତି I ବିଭିନ୍ନ ପ୍ରକାର ରୋଗର ଆଶୁ ଚିକିତ୍ସା ଠାରୁ ଆରମ୍ଭ କରି ପୀଡା ଉପଶମ, ଏପରିକି ବର୍ଦ୍ଧିତ ଓଜନ ଜନିତ ସମସ୍ୟାରୁ ମୁକ୍ତି ପାଇବାରେ ଏଗୁଡିକ ବିଶେଷ ଉପଯୋଗୀ ହେଇଥାନ୍ତି I ଭାରତବର୍ଷ ଓ ଚୀନରେ ଏହି ସବୁ ଔଷଧୀୟ ବୃକ୍ଷଲତା କାହିଁ କେଉଁ ଆଦିମ କାଳରୁ ବ୍ୟବହୃତ ହୋଇଆସୁଛନ୍ତି I ସମ୍ପ୍ରତି ମଧ୍ୟ ବହୁ ଲୋକ ପାଶ୍ଚାତ୍ୟ ଔଷଧର ବ୍ୟବହାର ଅପେକ୍ଷା ପାରମ୍ପରିକ ଆୟୁର୍ବେଦ ତଥା ବୃକ୍ଷଲତା ଆଧାରିତ ଚିକିତ୍ସାକୁ ଚୟନ କରୁଛନ୍ତି I ଏମିତି ଅନେକ ବୃକ୍ଷଲତା ଆମ ପରିର୍ପାଶ୍ୱରେ ଉପଲବ୍ଧ ଯାହାକି ସାଧାରଣ ରୋଗର ଉପଚାର ପାଇଁ ବ୍ୟବହାର କରାଯାଇଥାଏ | ପାକଶାଳା ବଗିଚାରେ ଆମେ ଏହି ବୃକ୍ଷଲତା ଏବଂ ଗୁଳ୍ମ ମାନଙ୍କୁ ଲଗାଇ ସେମାନଙ୍କର ଯତ୍ନ ନେଇପାରିବା ଓ ପରବର୍ତି ସମୟରେ ଉପଯୋଗ କରିପାରିବା I ଏମିତି ସହଜରେ ଉପଲବ୍ଧ ଔଷଧୀୟ ଗୁଣବତ୍ତାଯୁକ୍ତ ବୃକ୍ଷମାନ ଯାହା ରୋଷଘର ବଗିଚାରେ ଆମେ ବଢେଇପାରିବା ସେଗୁଡିକର ତାଲିକା ନିମ୍ନରେ ଉଲ୍ଲେଖ କରାଯାଇଅଛି I

1. ତୁଳସୀ :-ଶାସ୍ତ୍ରରେ ତୁଳସୀକୁ “ଜୀବନ ଅମୃତ” ଭାବେ ବର୍ଣ୍ଣନା କରାଯାଇଛି | ଓଡ଼ିଶାରେ ଏହା ଘରେ ଘରେ ଶୋଭା ପାଏ丨ସାଧାରଣ ଥଣ୍ଡା, ଜ୍ୱର, କାଶ, ବାତ, କଫ, ହଜମଆଦି ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହା ବବ୍ୟବହାର କରାଯାଇଥାଏ |ତୁଳସୀ ପତ୍ର ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହିତ ରକ୍ତ ବିଶୋଧନ କରିବାରେ ମଧ୍ୟ ସହାୟ ହୁଏ | ଦୈନିକ ତୁଳସୀ ପତ୍ର ସେବନ କରିବା ଦ୍ୱାରା ହୃଦରୋଗ ଏବଂ ଶ୍ୱାସ ରୋଗର ଆଶଙ୍କା ଦୂର ହୁଏ | ମଧୁମେହ ପୀଡିତ ବ୍ୟକ୍ତି ମାନେ ତୁଳସୀ ପତ୍ର ରସ ସେବନ କଲେ ତାହା ରକ୍ତରେ ଶର୍କରାର ମାତ୍ରା କମ କରିବାରେ ବିଶେଷ ଲାଭପ୍ରଦ ହୋଇଥାଏ | ଏହି ସବୁ ଔଷଧୀୟ ଗୁଣ ବ୍ୟତୀତ ତୁଳସୀ ବାୟୁମଣ୍ଡଳ ବିଶୁଦ୍ଧିକରଣରେ ସାହାଯ୍ୟ କରେ | ନାସା (NASA) ଦ୍ୱାରା ଘୋଷିତ ବାୟୁ ବିଶୁଦ୍ଧକାରୀ ବୃକ୍ଷମାନଙ୍କ ତାଲିକାରେ ତୁଳସୀର ନାମ ମଧ୍ୟ ଉଲ୍ଲେଖ ରହିଛି |

2. ଗେଂଡୁ ଫୁଲ:-ସୁବାସିତ ଏହି ଫୁଲଟି ଓଡ଼ିଆ ଘର ପର୍ବପର୍ବାଣୀ ତଥା ପୂଜାପଟଳ ଆଦିରେ ବିଶେଷ ଭାବେ ବ୍ୟବହୃତ ହୋଇଥାଏ | ଏତଦବ୍ୟତୀତ ଗେଣ୍ଡୁର ନାନା ଔଷଧୀୟ ଗୁଣବତ୍ତା ମଧ୍ୟ ରହିଛି | ଗେଣ୍ଡୁ ଫୁଲ ବିଭିନ୍ନ ପ୍ରକାରର ଚର୍ମ ଜନିତ ସମସ୍ୟା ଯେପରିକି ଦାଗ, ମୁଖବ୍ରଣ ଓ ସୌରଦଗ୍ଧ ଚେହେରା ପାଇଁ ଏକ ଉପଯୁକ୍ତ ଉପଚାର | ଗେଣ୍ଡୁ ପତ୍ରକୁ ବାଟି ଖଣ୍ଡିଆ ହୋଇଥିବା ଜାଗାରେ ପ୍ରଲେପ ଦେଲେ ଏହା ଜୀବାଣୁ ସଂକ୍ରମଣ ରୋକିଥାଏ | ଏହାଛଡା ଗେଣ୍ଡୁରୁ ପ୍ରସ୍ତୁତ କରାଯାଇଥିବା ମଲମ ଓ ଲେପ ତ୍ୱଚାର ସମସ୍ୟା ଦୂର କରିଥାଏ, ଆଉ ମଧ୍ୟ ଅନ୍ୟାନ୍ୟ ପାଚକ ଦୋଷ ଏବଂ ଅଲସର (Ulcer) ପାଇଁ ଗେଣ୍ଡୁରୁ ବନଯାଇଥିବା ଚା’ ବହୁତ ଉପଯୋଗୀ ହେଇଥାଏ |

3. ପୁଦିନା :-ପୁଦିନା କେବଳ ତାରକାରୀ ଅବା ସର୍ବତର ସ୍ୱାଦ ବଢ଼ିବାପାଇଁ ଯେ ବ୍ୟବହାର କରାଯାଏ ତାହା ନୁହେଁ, ଏହା ମଧ୍ୟ ଅନେକ ଗୁଡିଏ ଔଷଧୀୟ ଗୁଣର ଅଧିକାରୀ | ଖଣ୍ଡିଆ ଖାବରା ଭରିବାରେ ଏହା ସହାୟକ ହୋଇଥାଏ | ପୁଦିନାର ଲେପ ମୁହଁରେ ଲଗାଇବା ଦ୍ୱାରା ବିଭିନ୍ନ ବ୍ରଣ ଆଦି ସମସ୍ୟାରୁ ମୁକ୍ତି ମିଳେ | ସାଧାରଣ ଥଣ୍ଡା, ଆଲେର୍ଜି ଓ ଆସ୍ଥମା ପରି ରୋଗମାନଙ୍କ ପାଇଁ ପୁଦିନା ହେଉଛି ଏକ ଗୁରୁତ୍ବପୂର୍ଣ ପ୍ରତିକାର | କେଶର ଘନତ୍ଵ ବୃଦ୍ଧି କରିବା ପାଇଁ ପୁଦିନା ଓ ଜୁଆଣିର ମିଶ୍ରଣ ବହୁତ ଉପକାରୀ ହୋଇଥାଏ, ଏହା କେଶକୁ ସ୍ଵସ୍ଥ ଏବଂ ମଜଭୁତ ବନେଇଥାଏ |

4. ଲେମନ ଗ୍ରାସ :-ଏହା ଏକ ବାସନାଯୁକ୍ତ ଗୁଳ୍ମ ଯାହାକି ଭିଟାମିନ ବି1, ବି2, ଭିଟାମିନ ଏ, ଭିଟାମିନ ସି, ଲୌହ, ପୋଟାସିୟମ, ମାଙ୍ଗାନିଜ ଓ ଅନ୍ୟାନ୍ୟ ଧାତୁସାର ସମୃଦ୍ଧ ସୂତ୍ର ଅଟେ | ଏହା ଚା’ ଆଉ ଅନ୍ୟାନ୍ୟ ବ୍ୟଞ୍ଜନକୁ ସୁସ୍ୱାଦୁ କରିବା ସହିତ ଅନେକ ଔଷଧୀୟ ଗୁଣର ଅଧିକାରୀ ମଧ୍ୟ ଅଟେ | ତଣ୍ଟି ଦରଜ ଏବଂ ଋତୁସ୍ରାବ ଜନିତ ପୀଡା ଉପଶମ ନିମନ୍ତେ ଏହା ବ୍ୟବହାର କରାଯାଇଥାଏ | ଏହା ମଧ୍ୟ ନିଦ୍ରାରେ ଅନିୟମିତତା ଓ ମାନସିକ ଚାପ ଦୂର କରିବାରେ ସହାୟକ ହେଇଥାଏ | ଏହି ସୁଗନ୍ଧିତ ଗୁଳ୍ମ ନିଜର ଜ୍ବରାନ୍ତକ ଗୁଣ ହେତୁ ଜ୍ୱର ଚିକିତ୍ସା ପାଇଁ ବ୍ୟବହୃତ | ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଏହା କର୍କଟ ରୋଗର ଆଶଙ୍କା ଦୂର କରେ | ଏଥିସହିତ ଲେମନ ଗ୍ରାସ ଆମ ଶରୀରରେ ଥିବା ବିଭିନ୍ନ ହାନିକାରକ ତତ୍ୱର ନିଷ୍କାସନ କରିବାରେ ସାହାଯ୍ୟ କରିଥାଏ |

5. ମେଥି :-ଭାରତୀୟ ରୋଷେଇ ଘରେ ମେଥି ଏକ ଜଣାଶୁଣା ପରିବା (ସଜ ତଟକା ପତ୍ର) ତଥା ମସଲା (ମଞ୍ଜି) ଭାବେ ବ୍ୟବହୃତ ହୁଏ | ରକ୍ତରେ କୋଲେଷ୍ଟେରୋଲର ମାତ୍ରା ନିୟନ୍ତ୍ରଣ କରିବାଠାରୁ ଆରମ୍ଭ କରି ଶ୍ୱାସ ଜନିତ ସମସ୍ୟାର ଉପଚାର, ଜ୍ଵରର ଚିକିତ୍ସା, ଦାଗ କାମ କରିବା, କେଶକୁ ଲମ୍ବା ଏବଂ ଘନ କରିବାରେ ସାହାଯ୍ୟ ହେବା, ରକ୍ତହୀନତା ଦୂର କରିବା, ଆଣ୍ଠୁଗଣ୍ଠି ବାତର ଉପଶମ ତଥା ପାଚନ ସମସ୍ୟାର ଚିକିତ୍ସା କରିବା ଆଦି ପାଇଁ ମେଥି ବହୁତ ଲାଭପ୍ରଦ ଔଷଧି | ଏହା ଶରୀରରେ ଇନ୍ସୁଲିନର କାର୍ଯ୍ୟକାରୀତାକୁ ତ୍ୱରାନ୍ୱିତ କରେ, ଯାହା ଫଳରେ ମଧୁମେହ ରୋଗର ବିପଦ ଦୂର ହୁଏ | ମେଥିପତ୍ର ଶାଗରେ ଥିବା ଭିଟାମିନ ଏ, ଡି, ଆଣ୍ଟିଅକ୍ସିଡାଂଟ, ଫାଇବର ଏବଂ ଅନ୍ୟାନ୍ୟ ପୋଷାକ ତତ୍ୱ ସବୁ ମେଦବହୁଳତା ହ୍ରାସ କରିବା ସହ ବୃକକ ସଂଲଗ୍ନ ରୋଗ ଦୂର କରିଥାଏ |

6. ଘିକୁଆଁରୀ :-ଘିକୁଆଁରୀ ଅକ୍ସିକରଣରୋଧି ତତ୍ତ୍ୱମାନଙ୍କ ଦ୍ୱାରା ପରିପୂର୍ଣ ଯାହାକି ରୋଗପ୍ରତିରୋଧକ ଶକ୍ତିର ଏକ ପ୍ରାକୃତିକ ସ୍ରୋତ ଅଟେ ଏବଂ ମୂକ୍ତମୁଳକ ମାନଙ୍କ ସହ ଲଢ଼ିବା ପାଇଁ ଶରୀରକୁ ସକ୍ଷମ କରିଥାଏ | ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ଭାବେ ଘିକୁଆଁରୀ ରସ ସେବନ ଉଚିତ ବୋଲି ପରାମର୍ଶ ଦିଆଯାଇଥାଏ | ଏହା ଏକ ତ୍ୱଚାଉପଚାରୀ ଔଷଧି, ଶୁଷ୍କ ତ୍ୱଚାକୁ ଆର୍ଦ୍ର କରିବା ସହିତ ବୟସାଧିକ୍ୟ ଲକ୍ଷଣଗୁଡିକୁ ଦୂର କରେ, ଦାଗ ଓ ବ୍ରଣ ସଫା କରେ | ନୂତନ କେଶ ବଢ଼ିବାରେ ଘିକୁଆଁରୀ ରସ ବହୁତ ଲାଭଦାୟୀ ବିବେଚିତ ହୋଇଥାଏ | ଏହାଛଡା ଘିକୁଆଁରୀ ବାୟୁମଣ୍ଡଳ ବିଶୁଦ୍ଧିକରଣରେ ଅନ୍ୟତମ ଭୂମିକା ବହନ କରେ, ଏହା ବାୟୁରୁ କ୍ଷତିକାରୀ ଜୀବାଣୁମାନଙ୍କୁ ଦମନ କରେ ଓ ଧୂଳିକଣାସବୁକୁ ସ୍ୱତଃ ଶୋଷଣ କରିଦିଏ | ଦାନ୍ତ ମାଢି ଶକ୍ତ କରିବା, ପାଚନ କ୍ରିୟାରେ ସାହାଯ୍ୟ କରିବା ଆଦିରେ ଘିକୁଆଁରୀ ରସ ବିଶେଷ ଲାଭଦାୟକ ହୋଇଥାଏ |

7. କ୍ୟାଲେଣ୍ଡୁଲା :-ଉତ୍ତର ମହାସାଗରୀୟ ଅଂଚଳରୁ ଆସିଥିବା କ୍ୟାଲେଣ୍ଡୁଲା ଫୁଲଟି ରୋଗାଣୁରୋଧକ ଭାବେ ଛୋଟ ମୋଟ କ୍ଷତର ଉପଚାର ପାଇଁ ବ୍ୟବହୃତ ହୁଏ | ଏହାର ବୀଜାଣୁ ରୋଧକ ଗୁଣ ଏହାକୁ ଶାରୀରିକ ଦୁର୍ବଳ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟ ହୋଇଥାଏ 丨କ୍ୟାଲେଣ୍ଡୁଲା ଫୁଲରୁ ପ୍ରସ୍ତୁତ ତେଲ ଏକଜେମା, ସୋରିଆସିସ, ମୁଖବ୍ରଣ ଆଦି ଉପଚାର ପାଇଁ ବିଶେଷ ଫଳପ୍ରଦ ସାଧିତ ହୋଇଥାଏ 丨କ୍ୟାଲେଣ୍ଡୁଲା ମିଶ୍ରିତ ଚା ସାଧାରଣତଃ ଋତୁସ୍ରାବ ଯନ୍ତ୍ରଣା ଓ ମାଂସପେଶୀ ଯନ୍ତ୍ରଣାରୁ ଆରାମ ଦେଇଥାଏ丨

nano urea

8. ଅଶ୍ଵଗନ୍ଧା :-ଅଶ୍ଵଗନ୍ଧାକୁ ଭାରତୀୟ ଜିନସେଙ୍ଗ ବୋଲି ମଧ୍ୟ କୁହାଯାଇଥାଏ | ଏହାର ବହୁତ ଗୁଡିଏ ସ୍ୱାସ୍ଥ୍ୟ ଉପକାରୀତା ଅଛି ଏବଂ ଏହା ବିଶେଷତଃ କର୍କଟ, ମଧୁମେହ, ଗଣ୍ଠିବାତ ଓ ଆହୁରି ଅନେକ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ 丨ଅଶ୍ଵଗନ୍ଧା ଶରୀରରେ ମସ୍ତିସ୍କ ତଥା ସ୍ନାୟୁ ତନ୍ତ୍ରଗୁଡିକର କାର୍ଯ୍ୟକ୍ଷମତା ବୃଦ୍ଧି କରିବା ସହ ପ୍ରଜନନ କ୍ଷମତା ମଧ୍ୟ ବଢ଼ିବାରେ ସହାୟ ହୁଏ I

9. ହଳଦୀ :-ଏତଦବ୍ୟତୀତ ଏହାର ସ୍ଥାନ ବ୍ୟଞ୍ଜନ ପ୍ରସ୍ତୁତିରେ ମଧ୍ୟ ଅପୂରଣୀୟ l ପ୍ରାଚୀନ କାଳରୁ ବହୁତ ଗୁଡିଏ ବ୍ୟାଧିର ଉପଚାର ପାଇଁ ଆମେ ଭାରତରେ ହଳଦୀକୁ ବ୍ୟବହାର କରିଆସୁଅଛୁ | ଏହା କର୍କଟ, ଉଚ୍ଚରକ୍ତଚାପ , ଗଣ୍ଠିବାତ, କବକ ସଂକ୍ରମଣ, ଅଲସର ଆଦିର ପ୍ରତିରୋଧାନରେ ବିଶେଷ ଭୂମିକା ଗ୍ରହଣ କରିଛି | ହଳଦୀ ଗୁଣ୍ଡକୁ ବିଭିନ୍ନ ତ୍ୱଚା ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଉପଯୋଗ କରାଯାଇଥାଏ |

10. ଧନିଆ :-ଧନିଆ ପତ୍ରକୁ ରୋଷଘରେ ଲଗାଇବା ଓ ବଢାଇବା ଅତ୍ୟନ୍ତ ସହଜ | ଏହା ଖାଦ୍ୟରେ ସ୍ୱାଦ ସହ ପୋଷଣରେ ମାଙ୍ଗାନିଜ, ଧାତୁସାର ଏବଂ ଖାଦ୍ୟସାର ଏ ଓ ଡ଼ି ଯୋଗାଇଥାଏ | ଏହାଛଡ଼ା ଧନିଆ ରକ୍ତରେ ଶର୍କରାର ମାତ୍ରା ହ୍ରାସ କରିବାରେ ସାହାଯ୍ୟ କରେ l ଧନିଆରେ ରହିଥିବା ଉପକାରୀ ପୋଷକତତ୍ୱ ମସ୍ତିସ୍କ ଓ ହୁଦୟକୁ ସୁସ୍ଥ ରଖେ I ଧଣିଆ ପତ୍ର ସେବନ ଦ୍ୱାରା କ୍ୟାଲସିଅମ ମିଳିଥାଏ ଯାହାକି ଶରୀରରେ ହାଡ଼କୁ ଶକ୍ତ ରଖିବାରେ ବିଶେଷ ରୂପେ ଫଳପ୍ରଦI

11. ଜୁଆଣି :-ଘରେ ଘରେ ଜୁଆଣି ଏକ ଜଣା ଶୁଣା ମସଲା। ଏହା ସଂସ୍କୃତ ରେ ଉଗ୍ରଗନ୍ଧା ନାମ ରେ ମଧ୍ୟ ପରିଚିତ। ଏହି ଜୁଆଣି ଆଚାର ଓ ବ୍ୟଞ୍ଜନ କୁ ସୁସ୍ୱାଦୁ କରିବା ସହ ଆୟୁର୍ବେଦ ରେ ଔଷଧ ଭାବେ ବି ବ୍ୟବହୃତ ହୁଏ। ଏହାର ସେବନ ସାଧାରଣତଃ ବଦହଜମି ଓ ତତ୍ ଜନିତ ପେଟ ବ୍ୟଥା ଦୂର କରିବା ପାଇଁ ହେଇଥାଏ। ଏତତ୍ ବ୍ୟତୀତ ଜୁଆଣି ଅନେକ ଖାଦ୍ୟସାର, ଧାତୁସାର ତଥା ଅକ୍ସିକରଣରୋଧୀ ମାନଙ୍କର ସମୃଦ୍ଧ ସ୍ରୋତ ଅଟେ। ଏହାର ମଞ୍ଜି କୁ ସିଧାସଳଖ ଚୋବେଇ ଖିଆ ଯାଇ ପାରିବ କିମ୍ବା ଚା କି ଉଷୁମ ପାଣି ରେ ମିଶାଇ ପିଆଯାଇ ହୁଏ। ଏହାର ନିୟମିତ ସେବନ ଆଣ୍ଠୁଗଣ୍ଠି  ବାତ ଦୂର କରିଥାଏ। ଏହି ଗୁଳ୍ମ ଥଣ୍ଡା ଜ୍ବର ବିପକ୍ଷରେ ମଧ୍ୟ ଔଷଧି ଭଳି କାମ କରେ।ଏହି କମ୍ ଉଚ୍ଚତା ର ଗୁଳ୍ମ ଟିକୁ ରୋଷେଇ ଘରେ କୁଣ୍ଡରେ ଲଗାଇ ବଢ଼ାଇବା ଅତି ସହଜ।

12. ଭୃସଙ୍ଗ ପତ୍ର :- ଭୃସଙ୍ଗ ପତ୍ର ପ୍ରତ୍ୟକ ରୋଷେଇଘରେ ସୁପରିଚିତ l ଏହାକୁ ସାଧାରଣତଃ ବ୍ୟଞ୍ଜନାଦିରେ ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଇଥାଏ I ଏହି ଗଛର ପତ୍ରଠାରୁ ଆରମ୍ଭ କରି ଚେର ପର୍ଯ୍ୟନ୍ତ ସବୁ ଅଂଶରେ ଭରପୁର ମାତ୍ରାରେ ଔଷଧୀୟ ଗୁଣାବଳୀ ମହଜୁଦ ରହିଅଛି I ଭୁସଂଗ ପତ୍ରରେ ବହୁଳ ମାତ୍ରାରେ ଥିବା ଧାତୁସାର ଏବଂ ଫାଇବର ଶରୀରର ରୋଗପ୍ରତିରୋଧକ ଶକ୍ତି ବର୍ଦ୍ଧନରେ ସହାୟକ ହୋଇଥାଏ I ଏତଦବ୍ୟତୀତ ଏହା ରକ୍ତହୀନତା, ମଧୁମେହ, ବଦହଜମୀ, ମେଦବହୁଳତା ଆଦି ଉପଶମ କରିବା ସହ ଯକୃତ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ I

13. ଥାଲକୁଡ଼ି:- ଥାଲକୁଡ଼ି ଏକ ଜଳୀୟ ଗୁଳ୍ମ, ଯାହାକି ସାଧାରଣତଃ ଭାବେ ପୋଖରିହୁଡ଼ା କିମ୍ବା ଜଳସ୍ରୋତ ନିକଟସ୍ଥ ସନ୍ତସନ୍ତିଆ ସ୍ଥାନ ମାନଙ୍କରେ ସୁବିଧାରେ ଉପଲବ୍ଧ ହୋଇଥାଏ I ଏହାକୁ ଆଣି ଆମେ କୁଣ୍ଡରେ ହାଲ୍କା ଛାଇ ଜାଗାରେ ମଧ୍ୟ ଲଗାଇ ପାରିବା I ଥାଲକୁଡ଼ିରେ ଉପସ୍ଥିତ ଅଣୁସାର ମସ୍ତିଷ୍କରେ ଜାରଣ ରୋକିବା ସହ ଏକାଗ୍ରତା ଏବଂ ସ୍ମରଣ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ I ଏହାର ପତ୍ରକୁ ସିଧାସଳଖ ଭାବେ ସେବନ କରାଯାଇପାରିବ I

ସାରକଥା :- ସମ୍ପ୍ରତି ସହରାଞ୍ଚଳ ବାସିନ୍ଦାମାନେ ଆଧୁନିକ ସୁପରମାର୍କେଟ ଜୀବନଶୈଳୀକୁ ଅନୁସରଣ କରିଆସୁଅଛନ୍ତି l ଆମ ପରିପାର୍ଶ୍ଵରେ ଏମିତି ଜଣା ଅଜଣା ଅନେକ ଉଦ୍ଭିଦ ରହିଛନ୍ତି ଯାହାକି ଔଷଧୀୟ ଗୁଣବତ୍ତାରେ ଭରପୁର ତଥା ଶରୀରର ରୋଗପ୍ରତିରୋଧକ ଏବଂ ବିଭିନ୍ନ ରୋଗର ଚିକିତ୍ସା ନିମନ୍ତେ ବିଶେଷ ରୂପେ ଲାଭକାରୀ l ଭାରତୀୟ ସଂସ୍କୃତି ଓ ଆୟୁର୍ବେଦରେ ଏହିପରି ଅନେକ ଗୁଡିଏ ବୃକ୍ଷ ବିଷୟରେ ଉଲ୍ଲେଖ ରହିଛି l ପାକଶାଳାରେ ଔଷଧୀୟ ଗୁଳ୍ମ ରୋପଣ କରିବା ଏବଂ ତାହାର ଯତ୍ନ ନେବା ଏକ ଅତ୍ୟନ୍ତ ସ୍ୱାସ୍ଥ୍ୟକାରୀ ଅଭ୍ୟାସ ଯାହାକି ଆମକୁ ପ୍ରକୃତି ସହ ସଂଜଡିତ କରି ରଖିବା ସହ ଶରୀରକୁ ରୋଗ ପ୍ରତିରୋଧି ବନାଇ ଶାରୀରିକ ବିକାଶ ତଥା ମାନସିକ ବିଷାଦ ହ୍ରାସ କରାଇବାରେ ସାହାଯ୍ୟ କରି ମାନସିକ ବିକାଶ ମଧ୍ୟ ଘଟାଇଥାଏ ୲ ଉପରେ ବର୍ଣ୍ଣିତ ହେଇଥିବା ବୃକ୍ଷ ଏବଂ ଗୁଳ୍ମଗୁଡିକ ଅଳ୍ପ ସ୍ଥାନ ଉପଯୋଗ କରିବା ସହିତ ସର୍ବନିମ୍ନ ରକ୍ଷଣାବେକ୍ଷଣ ମଧ୍ୟ ଆବଶ୍ୟକ କରିଥାନ୍ତି l କରୋନା ପରି ମାରାତ୍ମକ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଆମକୁ ସଚେତନ ହେବାକୁ ପଡିବ ଓ ଶରୀରକୁ ରୋଗ ପ୍ରତିରୋଧି ବନାଇବାକୁ ପଡିବ l

ଲୋପାମୁଦ୍ରା ଜେନା, ଶୁଭସ୍ମିତା ସାହୁ, ଶୁଭଦର୍ଶିନୀ ପ୍ରଧାନ, ସ୍ୱୟଂ ଶିଖା ପ୍ରିୟଦର୍ଶିନୀ

(ପି.ଏଚ.ଡି., ପୁଷ୍ପ ବିଜ୍ଞାନ ଓ ଭୂପୃଷ୍ଠ ବିଜ୍ଞାନ ସ୍ଥାପତ୍ୟ କଳା ବିଭାଗ, ବିଧାନ ଚନ୍ଦ୍ର କୃଷି ବିଶ୍ୱବିଦ୍ୟାଳୟ, ମୋହନପୁର, ନଦିଆ-741252, ପଶ୍ଚିମବଙ୍ଗ, ପି.ଏଚ.ଡି., ପୁଷ୍ପ ବିଜ୍ଞାନ ଓ ଭୂପୃଷ୍ଠ ବିଜ୍ଞାନ ସ୍ଥାପତ୍ୟ କଳା ବିଭାଗ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର -751003, ଓଡ଼ିଶା, ପି.ଏଚ.ଡି., କୃଷି ପାଣିପାଗ ଓ ପଦାର୍ଥ ବିଜ୍ଞାନ ବିଭାଗ, ବିଧାନ ଚନ୍ଦ୍ର କୃଷି ବିଶ୍ୱବିଦ୍ୟାଳୟ, ମୋହନପୁର, ନଦିଆ-741252, ପଶ୍ଚିମବଙ୍ଗ )

Contact number: – 8895745118

Leave A Reply

Your email address will not be published.

9 − 6 =