ଆଧୁନିକ ଭାରତ ପାଇଁ କୃଷି ହିଁ ଏକମାତ୍ର ବିକଳ୍ପ

0

କବି କଣ୍ଠରୁ ଝରି ଆସିଥିବା ସେଦିନର ସେହି ଗୀତର ସାରାଂଶ ରେ ଏହି କଥା କୁହାଯାଇ ପାରେ :- “ଚାଷ ନାହିଁ ଯାହାର ବାସ ନାହିଁ ତାହାର “।।ବାସ୍ତବରେ ବହୁଦିନ ପରେ ଏହି ଉକ୍ତିଟି ଆଧୁନିକ ଭାରତ ପାଇଁ ଏକ ଧେୟ ବାକ୍ଯ ପରି ମନେ ହୁଏ । ବିଗତ ଦିନର ବିଶ୍ବଗୁରୁ ସାଜିଥିବା ଆମ ଦେଶ ଭାରତ ତାର ଅନନ୍ୟ କୃଷି ପ୍ରଣାଳୀ ପାଇଁ ସାରା ବିଶ୍ୱରେ ପ୍ରଶଂସିତ ଥିଲା । ସେଥିପାଇଁ ଭାରତ ଏକ କୃଷି ପ୍ରଧାନ ଦେଶ ଭାବରେ ପରିଗଣିତ ହେଉଛି ଅଦ୍ୟାବଧି ସମଗ୍ର ବିଶ୍ୱରେ । ମାତ୍ର ଦୁଃଖ ଓ ବିଡମ୍ବନାର ବିଷୟ ଏହିକି ପ୍ରାଚୀନ ଭାରତ ବର୍ଷକୁ ଅନ୍ୟ ଦେଶ ସମୂହ ଅନୁକରଣ କରୁଥିବାବେଳେ ଆଧୁନିକ ଭାରତ କିନ୍ତୁ ଏକ ଅନୁକରଣୀୟ ସଭ୍ୟତା ଓ ସଂସ୍କୃତି ଦେଇ ଗତି କରୁଛି । ଆଧୁନିକ ଭାରତରେ ଲକ୍ଷ୍ୟ କରାଯାଇଛି ଶିକ୍ଷିତ ଯୁବ ବର୍ଗ ଆଜି କୃଷିକୁ ଜୀବିକା କରି ଜୀବନ ଧାରଣ କରାଯାଇପାରିବ ଏହା ଆମ ମାନଙ୍କ ର ଲକ୍ଷ୍ୟ ଠାରୁ ବହୁ ଦୂରରେ ଅଛି । ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ମାନେ କର୍ମ ସଂସ୍ଥାନ ନାଁରେ ଦେଶାନ୍ତରଣ ହେବା ଏକ ଦେଶ ପ୍ରତି ଘୋର ବିପଦ ସୃଷ୍ଟି କରିଛି ନିଶ୍ଚିୟ । କାରଣ ଆମ ଦେଶରେ ଉଚ୍ଚ ଶିକ୍ଷିତ ମାନେ ଅନ୍ୟ ଦେଶ ପାଇଁ ନିଜର ଧିମତ୍ତା ଓ ପ୍ରଜ୍ଞା ପ୍ରୟୋଗ କରି ବ୍ୟକ୍ତିଗତ ଆର୍ଥିକ ସ୍ଥିତିରେ ସୁଧାର ଆଣିଥିଲେ ମଧ୍ଯ ରାଷ୍ଟ୍ରକୁ ବିପର୍ଯ୍ୟସ୍ତକୁ ଠେଲି ଦେଇଛନ୍ତି ।ତାହାର କାରଣ କୌଣସି ଦେଶର ପ୍ରଗତି କେବଳ ଯେ ତାର ଆର୍ଥିକ ମାନଦଣ୍ଡରେ ବିଚାର କରାଯାଏ ତାହା ନୁହେଁ ବରଂ ଏକ ରାଷ୍ଟ୍ର ତା ଶିକ୍ଷିତ ମାନଙ୍କର ଧିମତ୍ତା ମାନଙ୍କର ପରିମାପନ ହିଁ ହୋଇଥାଏ । “The real development of a country can measured by the wisdom and technologically expanded brains/minds of the youth “. ସୁତରାଂ ଏହା କହିବା ବାହୁଲ୍ୟ ହେବ ଯେ ମୋ ଦେଶର ଶିକ୍ଷିତ ଯୁବ ବର୍ଗ ଅନ୍ୟ ଦେଶ ପାଇଁ କାମ କରି ସଫଳତା ସାଉଁଟି ଥିଲେ ମଧ୍ଯ ଦେଶ ପାଇଁ ବିରାଟ ବିଫଳତାର ମାଇଲଖୁଣ୍ଟ ହୋଇ ଛିଡା ହୋଇଛନ୍ତି । ଯାହାକି ମୋ ଦେଶର ସାଧରଣ ଜନତା ପ୍ରତି ପ୍ରଚଣ୍ଡ କଠୋରଘାତ ।

ଏମିତିି ଏକ ପରାଧୀନ ଭାରତ ବର୍ଷର ଅବସ୍ଥାକୁ ଅବଲୋକନ କରି ସେଦିନର ଜାତୀୟ କବି ବାଞ୍ଛାନିଧି ମହାନ୍ତି ଆବେଗଭରା କଣ୍ଠରେ ଗାଇ ଉଠିଥିଲେ “ଚାଷୀ ଯେ ତିମିରେ ଚାଷୀ ସେ ତିମିରେ ସୁଖ ସଙ୍ଗେ କେବେ ନହେବ ଭେଟ ” ।। ଏତ ଥିଲା ଉଚ୍ଚ ଶିକ୍ଷିତ ଯୁବ ବର୍ଗର କଥା । ଯେଉଁମାନେ ଆର୍ଥିକ ଅନଟନ ହେଉ କିମ୍ବା ଅନ୍ୟ କୌଣସି କାରଣ ବଶତଃ ଅଧିକ ପାଠ ପଢି ନପାରି ଗାଁରେ ରହିଲେ ସେମାନେ କିନ୍ତୁ ଦେଶାଭିମୁଖୀ ହେଲେ ନାହିଁ । ନିଜ କ୍ଷେତରେ କାମ କରି ସ୍ବୟଂ ସମ୍ପୂର୍ଣ୍ଣ ହେବା ପରିବର୍ତ୍ତେ କେହି କେହି କମ୍ପାନୀର କାମ କରି ସେମାନଙ୍କ ଆର୍ଥିକ ସ୍ଥିତି ସମ୍ଭାଳି ନେଇଥିଲେ ମଧ୍ଯ କୃଷି କାର୍ଯ୍ୟ ପ୍ରତି ବିମୁଖତା ଆଜି ରାଷ୍ଟ୍ରୀୟ ପ୍ରଗତିର ପରିପନ୍ଥୀ ସାଜିଛି । ସେମାନେ ବାପକୁ ନପୋଶି ଦାଦିକୁ ପୋଷିବାର ମାନସିକତାର ଏକ ପରାଂପୁଷ୍ଟ ଜୀବନ ବିତାଉଅଛନ୍ତି । ଏଥିପାଇଁ କୌଣସି ପରାଂପୁଷ୍ଟ କୌଣସି କାରଣ ବଶତଃ ଯଦି ସମ୍ପୃକ୍ତ କମ୍ପାନୀର ଅଧିକାରୀ ଜଣକ କର୍ମଚାରୀର ପ୍ରଗତିରେ ସନ୍ତୁଷ୍ଟି ଲାଭ କରନ୍ତି ତେବେ ସାବାସି ମିଳେ ନଚେତ୍ ପଦାବନାତ ହୋଇପାରେ ଅବା ଚାକିରୀ ହରାଇବାର ସମ୍ଭାବନାକୁ ମଧ୍ଯ ଏଡାଇ ଦିଆଯାଇ ନପାରେ । ବାକି ଯେଉଁମାନେ ପାରମ୍ପାରିକ ରୀତିରେ ବର୍ଷାଧିବର୍ଷ କୃଷିକୁ ତାଙ୍କର ମୌଳିକ ଜୀବିକା ଭାବରେ ଗ୍ରହଣ କରି ଆସିଛନ୍ତି ସେହିମାନେ ହିଁ କେବଳ ବାପରାଣ ଢିଙ୍କି ଗିଳ ନ୍ୟାୟରେ ଚାଷକୁ ମୁଖ୍ୟ ଜୀବିକା ଭାବରେ ଗ୍ରହଣ କରିଛନ୍ତି । ଏକ ସର୍ଭେ ରିପୋର୍ଟ ଅନୁଯାୟୀ ଅଧୁନା ଭାରତ ବର୍ଷରେ ସମୁଦାୟ ଚାଷ ଜମିର ଶତକଡା ୫୦ ଭାଗ ଜମିରେ କୃଷି କରାଯାଉଛି । ବାକି ୫୦ ଭାଗ ଜମି ବିଭିନ୍ନ କାରଣରୁ ଚାଷ ନହୋଇ ପଡିଆ ରହିଛି । ସର୍ବପ୍ରଥମ କଥା କୃଷି ଏକ ଅଣ ଲାଭଦାୟକ କାର୍ଯ୍ୟ ବୋଲି ବୋଲି ଗୁଜବ ପ୍ରଚାରିତ କରିବା ଅନେକାଂଶରେ ଚାଷୀକୁ ଚାଷ କରିବାରୁ ବିରତ ରଖେ । ଲାଭ ହେଉନଥିବାରୁ ଜମିକୁ ପଡିଆ ରଖି କମ୍ପାନୀ ରେ କାମ କରିବା ବା ଦାଦନ ଖଟିବା ପାଇଁ ଚାଷ ଜମିକୁ ପଡିଆ ରଖି ଲାଭ ନହେବା ଭୟରେ ଚାଷୀ ଅନ୍ୟ ରାଜ୍ୟକୁ ଯାଏ । କୃଷିଜାତ ଦ୍ରବ୍ୟର ଉଚିତ୍ ମୂଲ୍ଯ ନିର୍ଧାରଣ ନହୋଇ ପାରିବା ଚାଷୀ ତଥା ଚାଷୀକୂଳ ପାଇଁ ଏକ ମୁଖ୍ଯ ସମସ୍ଯା । ଯାହା ଫଳରେ ଚାଷ ପାଇଁ ପୁଞ୍ଜି ନିବେଶ କରି ଚାଷୀ ଋଣ ଗ୍ରସ୍ତ ହୁଏ । କୃଷିଯାତ ଦ୍ରବ୍ଯରୁ ଉପଯୁକ୍ତ ମୂଲ୍ଯ ନମିଳିଲେ ଚାଷୀ ଋଣଗ୍ରସ୍ତ ହୋଇ ଆତ୍ମହତ୍ଯା କରିଥାଏ । ଆମ ଦେଶର ପ୍ରଶାସନିକ ତଥା ସରକାରୀ ସ୍ତରରେ ଉଦାସୀନତା ଫଳରେ ସରକାରଙ୍କର ରାସାୟନିକ ଶିଳ୍ପ କାରଖାନା ପ୍ରତି ଆଦର ବଢୁଥିବା ବେଳେ କୃଷି ତଥା କୃଷିଯାତ ଦ୍ରବ୍ଯପ୍ରତି ଅଣଦେଖା କୃଷକକୁ କୃଷି ନକରିବାକୁ ବାଧ୍ଯ କରିଛି ନିଶ୍ଚୟ ।

ଉପରୋକ୍ତ ସମସ୍ତ ଘଟଣାକୁ ଅନୁଧ୍ୟାନ କଲେ ଆମେ ଏକ ସ୍ଥିର ସିଦ୍ଧାନ୍ତ ରେ ଉପନୀତ ହେବା ନିଶ୍ଚୟ କୃଷକ /ଚାଷୀ ଚାଷ ନକରିବାକୁ ଅନେକ କାରକ ପ୍ରଭାବିତ କରିଛି । ଏହା କହିବା ବାହୁଲ୍ୟ ହେବ ଯେ କୃଷିଜାତ ଦ୍ରବ୍ୟ ଯେପରିକି ଧାନ,ଗହମ,କ୍ଷେତ୍ରରେ ସରକାର କ୍ରୟ କରିବା ନିମନ୍ତେ ଏକ ମୂଲ୍ଯ ନିର୍ଧାରଣ କରନ୍ତି ଯାହାକି ଚାଷୀ ମାନିନେବା ପାଇଁ ବାଧ୍ଯ ହୋଇପଡେ। ମାତ୍ର ଏହା ବୁଝିବାର କଥାକି ଯଦି ଆମ କ୍ଷେତରେ ଧାନଚାଷ ବ୍ୟତୀତ ଅନ୍ୟ ଫସଲ ଚାଷ କରନ୍ତି ତେବେ ତାହାର ବିକ୍ରି ପାଇଁ ସରକାରଙ୍କ ତରଫରୁ କୌଣସି ଦରଦାମ ପ୍ରସ୍ତୁତ କରାଯାଇନଥାଏ । ଯାହା ଖୋଦ୍ ଚାଷୀ ଦ୍ବାରା ହିଁ ନିର୍ଧାରଣ କରାଯାଇଥାଏ । ଉଦାହରଣ ସ୍ୱରୂପ ଗୋଟିଏ ବଜାରରେ ୫ଜଣ ଚାଷୀ ବିକ୍ରି କରୁଥିବା ବାଇଗଣ, ମାଛ, ଫଳ , ପନିପରିବାର ମୂଲ୍ଯ ଭିନ୍ନ ଭିନ୍ନ ହୋଇଥାଏ ଯାହା ଯଥାର୍ଥ ଚାଷୀ ଦ୍ବାରା ନିର୍ଦ୍ଧାରିତ ହୋଇଥାଏ । ଏହା କହିବା ଉଚିତ୍ ହେବ ଯେ ଜଣେ ଚାଷୀ ହିଁ ତା କ୍ଷେତରେ ଫଳାଉଥିବା ଫସଲର ମାନ ନିର୍ଧାରଣ କଲେ ତାକୁ ଉପଯୁକ୍ତ ପାରିଶ୍ରମିକ ସହ ସନ୍ତୁଷ୍ଟି ମିଳିଥାଏ ଏବଂ ପୁନଃ ସେ ସେହି ଚାଷ କରିବା ପାଇଁ ଅନୁପ୍ରେରିତ ହୁଏ । ଏଠାରେ ଦେଖାଯାଏ କେବଳ ଧାନ ଉପରେ ହିଁ ସରକାର ସହାୟକ ମୂଲ୍ଯ ନିର୍ଧାରଣ କରିଥାନ୍ତି ।ସେହି ନିର୍ଦ୍ଦିଷ୍ଟ ମୂଲ୍ୟରେ ସରକାର ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରନ୍ତି । ଚାଷୀର ଆର୍ଥିକ ଅବସ୍ଥା ପ୍ରତି ଗୁରୁତ୍ବ ଦିଆଯାଇ ନଥାଏ । ଯାହା ଫଳରେ ଚାଷୀ ଖଟାଏ ବାରଣା ପାଏ ଚାରଣା ।ବାରମ୍ବାର କ୍ଷତି ସହି ଚାଷୀଟି ନିଜ ଜମିକୁ ପଡିଆ ରଖେ । ଫଳରେ ଦେଶରେ କୃଷିଜାତ ଦ୍ରବ୍ଯ ର ଅଭାବ ପରିଲକ୍ଷିତ ହୁଏ । ଏହି ଅଭାବକୁ ପୂରଣ କରିବା ନିମନ୍ତେ ବଡ ବଡ ବ୍ୟବସାୟୀ ,ଶିଳ୍ପପତି ମାନେ କାରଖାନା ଖୋଲନ୍ତି । ସୁନା ଫଳାଉଥିବା ଆମ ମାଟିକୁ(ଚାଷଜମି ) ଛାଡି ଆମେ ସେହି କମ୍ପାନୀ ରେ କାମ କରୁ। ସେଥିପାଇଁ ପ୍ଲାଷ୍ଟିକ ଚାଉଳ, ଅପମିଶ୍ରିତ ସୋରିଷତେଲ, ଅପମିଶ୍ରିତ ରିଫାଇନତେଲ, ରାସାୟନିକ ଦ୍ରବ୍ଯ ମିଶା ବିଭିନ୍ନ ପ୍ରକାର ସସ୍ ଏପରି ଅପମିଶ୍ରିତ ଖାଦ୍ୟପଦାର୍ଥ ଗୁଡିକ ବଡବଡ କମ୍ପାନୀର ଦାମୀ ବ୍ରାଣ୍ଡ ରେ ବିକ୍ରି ହୁଏ । ଆମେ ପରୋକ୍ଷରେ ପଇସା ଖର୍ଚ୍ଚ କରି ଖାଦ୍ୟ ବଦଳରେ ସମ୍ଭ୍ରାନ୍ତ ଶୈଳୀରେ ଅଖାଦ୍ୟକୁ ଆପଣେଇ ନେଇ ରୋଗ ମୁଖରେ ପଡନ୍ତି ।

ଦ୍ରୁତ ଶିଳ୍ପାୟନ ଓ ଆର୍ଥିକ ଅଗ୍ରଗତି ନିମନ୍ତେ ଗଢି ଉଠିଥିବା କଳକାରଖାନା ଓ ଶିଳ୍ପ ଗୁଡିକରେ କଞ୍ଚାମାଲ ହିଁ ଆମ ସୁବର୍ଣ୍ଣ ମୃତ୍ତିକା ରୁ ମିଳିଥାଏ । ଆମେ ଆମ ମାଟି ଛାଡି କେତେଟା ଟଙ୍କା ଲୋଭରେ ସେ କମ୍ପାନୀ ପଛରେ ପଡିଛନ୍ତି । ଶହଶହ ସଂଖ୍ୟାରେ ଗଢିଉଠିଥିବା ଭେଜାଲ ଅପମିଶ୍ରିତ ଖାଦ୍ୟର କାରଖାନା ଗୁଡିକ ବିଷ ଭର୍ତ୍ତି କରିଦେଉଛନ୍ତି । ଆମ ବିଲରେ ଫଳୁଥିବା ସୂର୍ଯ୍ୟମୁଖୀ, ବାସୁମତୀଚାଉଳ, ବାଦାମ, ସୋରିଷ ତଥା ବିରି,ହରଡକୁ ଆଦି….କୁ କମ୍ପାନୀ ସୁନ୍ଦର ମନଲୋଭା ରଙ୍ଗୀନ ଖୋଳରେ ଭର୍ତ୍ତି କରି ଆମମାନଙ୍କୁ ହୀନ ମାନର ଖାଦ୍ୟ ପଦାର୍ଥ ଯୋଗାଇଥାଏ । ସମୟ ବଦଳୁଛି । ସମୟ ସହ ତାଳ ଦେଇ ଆମେ ବି ବଦଳିବା ଉଚିତ୍ ।ପୁଣିଥରେ ଆମକୁ ବିଲକୁ ଯିବାକୁ ହେବ।ଆମ ବିଲରେ ଆମେ ଧାନ, ଗହମ , ମକା,ସୋରିଷ, ମାଣ୍ଡିଆ, ପନିପରିବା ସବୁ ଚାଷ କରିବା । ଯାହାଦ୍ୱାରା ଖାଦ୍ୟର ଗୁଣ ବତ୍ତାର ଆମେ ବିଶୁଦ୍ଧ ଖାଦ୍ୟ ପାଇପାରିବା ଯାହା ଆଜିର ଆଧୁନିକ ଭାରତ ପାଇଁ ଦୁଃସ୍ବପ୍ନ ପାଲଟିଛି ।ଏଠାରେ ପ୍ରଶ୍ନ ଉଠିପାରେ ଯେ ଆମେ କଣ ସବୁ ଜମିରେ ଚାଷ କରିବା । ଉତ୍ତରରେ ହଁ କୁହାଯିବ କିନ୍ତୁ ଗୋଟିଏ ପ୍ରକାରର ଚାଷ ସବୁ ଜମିରେ କରିବା ଉଚିତ୍ ହେବ ନାହିଁ । ଚାରି ପାଞ୍ଚ ଜଣିଆ କୁଟୁମ୍ବ ପାଇଁ ବାର୍ଷିକ ଏକ ଏକର ଚାଷ ଜମିରୁ ଧାନ ଚାଷ ହେଉ । ଅବଶିଷ୍ଟ ଜମିରେ ତୈଳବୀଜ, ପରିବା ,ଡାଲି ବିରି ଜାତୀୟ,ମାଛ, କୁକୁଡା ଓ ବତକ ଚାଷ ମଧ୍ଯ କରାଯାଇପାରିବ । ଏକ ସମ୍ବନିତ କୃଷି ବ୍ୟବସ୍ଥା ହିଁ ଆଧୁନିକ ଭାରତର ବିକାଶର ପ୍ରଥମ ସୋପାନ ହେବ ଏଥିରେ ସନ୍ଦେହର ଅବକାଶ ନାହିଁ । ଆମ ଦେଶର ଦକ୍ଷ ବୈଜ୍ଞାନିକ, ଯନ୍ତ୍ରୀ, ବୁଦ୍ଧିଜୀବିଗଣ ସମସ୍ତେ ଏହା ଅନୁମାନ କରିବା ଉଚିତ୍ । ଆମେ ସମସ୍ତେ ଆପାତତ ବିକ୍ରି କରିବା ପାଇଁ ନହେଉ ପଛେ ନିଜ ଖାଇବା ପାଇଁ ସମସ୍ତ ପ୍ରକାରର ଚାଷ କରିବା ନିହାତି ଜରୁରୀ ।ତେବେଯାଇ ଆମେ ନିଜକୁ ତଥା ନିଜ ପରିବାର ତଥା ରାଷ୍ଟ୍ରକୁ ଏ କୁପୋଷଣ ରୂପି ଶୋଷଣରୁ ରକ୍ଷା କରିପାରିବା ।ଶିକ୍ଷିତ ବର୍ଗ ଚାଷକୁ ମଧ୍ଯ ଗୁରୁତ୍ବ ଦେଲେ ତାହା ଅତ୍ୟାଧୁନିକ ଜୈବିକ ପ୍ରଣାଳୀରେ କୃଷି କରିବା ଫଳରେ କୃଷି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଅଣାଯାଇପାରିବ । କୃଷିକୁ ମଧ୍ଯ ଅନେକ ଶିକ୍ଷିତ ଯୁବକ ଯୁବତୀ ନିଜ କ୍ୟାରିୟର ରୂପେ agrofarming, hydroponicis, biofloc ପରି ଉନ୍ନତ୍ତ ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀ ଅବଲମ୍ବନ କରି ସ୍ୱାବଲମ୍ବୀ ହେବାକୁ ଲାଗିଲେଣି । ଏହା ନିଶ୍ଚିତ ଯେ କୃଷି ହିଁ ଏକମାତ୍ର ବିକଳ୍ପ ଦେଶର ପ୍ରଗତି ରେ ।।

ମାନସ କୁମାର ପାଢ଼ୀ, ଶିକ୍ଷକ, ଦୋସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ, ଧାମରା , ଭଦ୍ରକ । ମୋ =9777069624

Leave A Reply

Your email address will not be published.

17 − 3 =