କୃଷି ଭିତ୍ତିକ ଯୋଜନା ଓ ରୂପାୟନ

0

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଅଟେ| ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ କୃଷିର ବଳିଷ୍ଠ ଅବଦାନ ରହିଛି| କୃଷି ଓ କୃଷି ଜାତୀୟ ପଦାର୍ଥର ଉତ୍ପାଦନ ଏବଂ ବ୍ୟବସାୟ ରାଜ୍ୟ ଅର୍ଥନୀତି ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ| ଶତକଡା ୨୬ ଭାଗ ଆୟ କୃଷି କ୍ଷେତରୁ ହିଁ ମିଳୁଛି| ଶତକଡା ୭୦ ଭାଗ ଲୋକ କୃଷି କାର୍ଯ ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡ଼ିତ| ପ୍ରତିବର୍ଷ ରାଜ୍ୟ ବଜେଟରେ କୃଷି ପାଇଁ ସର୍ବାଧିକ ବ୍ୟୟ ବରାଦ ହେଉଛି|
ଏଥି ସତ୍ବେ ଓଡ଼ିଶା ଆର୍ଥିକ ଅନଗ୍ରସର ରାଜ୍ୟ ଭାବେ ପରିଗଣିତ ହେଉଛି| ଶତକଡା ୭୦ ଭାଗରୁ ଅଧିକ ଲୋକ ଏବେ ମଧ୍ୟ ଦାରିଦ୍ର ସେମାରେଖା ତଳେ ବଞ୍ଚୁଛନ୍ତି| ଦୈନିକ ମୁଣ୍ଡ ପିଛା ଆୟ ଜାତୀୟ ହାର ଠାରୁ ଖୁବ କମ ରହିଛି| ଜାତୀୟ କୃଷି ନୀତି ୨୦୦୦ ପ୍ରଣୟନ ଦ୍ବାରା କୃଷି କ୍ଷେତ୍ରରେ ୪ ପ୍ରତିଶତ ଅଭିବୃଦ୍ଧି ଲକ୍ଷ ରଖାଯାଇଥିଲା, କିନ୍ତୁ କେବଳ ୨.୩ ପ୍ରତିଶତ ହାସଲ କରାଯାଇଛି| ବିଭିନ୍ନ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ସରକାର କୃଷି ଓ କୃଷକର ଉନ୍ନତି ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଛନ୍ତି| କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଅନେକ ସଂସ୍ଥା, କୃଷି ବିଶ୍ୱବିଦ୍ୟାଳୟ ନିରନ୍ତର କାର୍ଯ କରୁଛନ୍ତି| ଏହା ବ୍ୟତୀତ ସମୟ ସମୟରେ ବିଭିନ୍ନ ଲାଭଦାୟକ ଯୋଜନା ପ୍ରଣୟନ କରାଯାଉଛି|
କିନ୍ତୁ ଯୋଜନାର ପରିକଳ୍ପନା, ପ୍ରଣୟନ ଓ ବାସ୍ତବ ବ୍ୟବହାର ମଧ୍ୟରେ ଅନେକ ଅନ୍ତର ରହୁଛି| ଚାଷୀମାନଙ୍କ ପାଖରେ ସୁବିଧା ପହଞ୍ଚିଲେ ମଧ୍ୟ ସଠିକ ଉପଯୋଗ ହୋଇପାରୁନାହିଁ| ଅନେକ ସମୟରେ ଚାଷୀମାନଙ୍କ ସଚେତନତା ଅଭାବ ହେତୁ ସରକାରୀ ସହାୟତା ପହଞ୍ଚିପାରୁନାହିଁ| ଏହି ଲେଖା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ ଓ ଯୋଜନା ବିଷୟରେ ସମ୍ୟକ ଧାରଣା ପ୍ରଦାନ କରିବା ମୋ ଲକ୍ଷ୍ୟ|

୧. କୃଷି ବିଜ୍ଞାନ କେନ୍ଦ୍ର :
ଓଡ଼ିଶାରେ ପ୍ରଥମ କୃଷି ବିଜ୍ଞାନ କେନ୍ଦ୍ର ୧୯୭୪ ମସିହାରେ ପ୍ରତିଷ୍ଠା କରାଯାଇଥିଲା| ବର୍ତମାନ ପ୍ରତି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ତଥା ରାଜ୍ୟରେ ୩୩ ଗୋଟି କୃଷି ବିଜ୍ଞାନ କେନ୍ଦ୍ର କାର୍ଯ କରୁଛି| ସରକାରୀ କାର୍ଯ ଦିବସରେ ସକାଳ ୧୦ ଘଟିକରୁ ସନ୍ଧ୍ୟା ୫ ଘଟିକା ପର୍ଯନ୍ତ ଯେ କୌଣସି ସମୟରେ ଚାଷୀ କୃଷି ବିଜ୍ଞାନ କେନ୍ଦ୍ର ଯାଇ କୃଷି ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିପାରିବ| କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରତି ବିଷୟରେ ଜଣେ ବୈଜ୍ଞାନିକ ନିଯୁକ୍ତ ହୋଇଥାନ୍ତି| ଏଠାରେ ଅମଳକ୍ଷମ ମଞ୍ଜି, ଚାରା, ଜୈବିକ ଖତ ପ୍ରଦାନ କରାଯିବ ସହ କୃଷି ପଦ୍ଧତି, ନୂତନ କୃଷି ଉପକରଣ ଓ ଯନ୍ତ୍ରପାତିର ପରୀକ୍ଷଣ ଏବଂ ପ୍ରଶିକ୍ଷଣ ହୋଇଥାଏ| ବିଭିନ୍ନ ସମୟରେ ଏହା କୃଷକମାନଙ୍କୁ ସ୍ଵବଲମ୍ବୀ ହେବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରିଥାଏ, ଯେପରି ଛତୁ ଚାଷ, ମହୁମାଛି ଚାଷ, ମାଛ ଚାଷ ଓ ପଶୁ ପାଳନ| ଏତଦ ବ୍ୟତୀତ ସରକାରୀ ଯୋଜନା ସମ୍ବନ୍ଧରେ ଚାଷୀଙ୍କୁ ଅବଗତ କରାଇଥାଏ

nano urea

୨. କିସାନ କଲ୍‌ ସେଣ୍ଟର:
ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ୨୦୦୪ ମସିହାରୁ କିସାନ କଲ୍‌ ସେଣ୍ଟର କାର୍ଯ କରୁଛି| ଚାଷୀ ମାଗଣା ମୋବାଇଲ୍ ନମ୍ବର ୧୮୦୦-୧୮୦-୧୫୫୧ ରେ କଲ୍‌ କରି ଚାଷ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିପାରିବେ| ଏହା ପ୍ରତିଦିନ ସକାଳ ୬ ଘଟିକା ରୁ ରାତ୍ରି ୧୦ ଘଟିକା ପର୍ୟନ୍ତ ସେବା ପ୍ରଦାନ କରିଥାଏ| ଏଠାରେ କାର୍ଯରତ କୃଷି ବିଶେଷଜ୍ଞମାନେ ୪୮ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ କରିଥାନ୍ତି|
ସରକାରୀ ଯୋଜନା-
୧. ପ୍ରଧାନମନ୍ତ୍ରୀ କିସାନ ଯୋଜନା:
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ଵାରା ୨୦୧୮ ମସିହାରେ ଲାଗୁକରାଯାଇଥିଲା| ଏହି ଯୋଜନାରେ ଦେଶର ୧୨ କୋଟି କ୍ଷୁଦ୍ର, ମଧ୍ୟମ ତଥା ୨ ହେକ୍ଟରରୁ କମ ଜମି ଥିବା ଚାଷୀକୁ ବାର୍ଷିକ ତିନୋଟି କିସ୍ତିରେ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି| ଏହା ଫଳରେ ନିମ୍ନ ଓ ମଧ୍ୟମ ବର୍ଗର ଚାଷୀ ଉପକୃତ ହୋଇପାରୁଛନ୍ତି|
୨. ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ:
ଏହାକୁ (soil health card) ମଧ୍ୟ କୁହାଯାଏ| ୨୦୧୫ ମସିହାରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ମାନଙ୍କୁ ଏହା ଲାଗୁ କରିବା ପାଇଁ ନିର୍ଦେଶ ଦେଇଛନ୍ତି| ଏହି କାର୍ଡ଼ରେ ଚାଷ ଜମିର ସମସ୍ତ ବିବରଣୀ ସହ ଜମିରେ ଥିବା ସାର, ଖତ ଓ ଜୀବୀକ ପଦାର୍ଥର ପରିମାଣ ରହିଥାଏ| ଚାଷୀ ଜମିର ଆବଶ୍ୟକତା ଅନୁସାରେ ରସାୟନିକ ସାର ଔଷଧ ପ୍ରୟୋଗ କରିଥାଏ| ଏହା ଦ୍ୱାରା ମୃତ୍ତିକା ଉର୍ବର ରହିବା ସହ ଅଳ୍ପ ଖର୍ଚରେ ଫସଲ ଅମଳ ହୋଇଥାଏ|
କିପରି କରିବେ ମୃତ୍ତିକା ପରୀକ୍ଷା:
ଚାଷୀ ଜମିର ବିଭିନ୍ନ ସ୍ଥାନରୁ ମୃତ୍ତିକା ସଂଗ୍ରହ କରି ଜିଲ୍ଲା ମୃତ୍ତିକା ପରୀକ୍ଷଣ କେନ୍ଦ୍ରକୁ ନେଇ ପରୀକ୍ଷା କରିପାରିବେ| କିମ୍ବା ପ୍ରତି ଜିଲ୍ଲାରେ ଥିବା ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷଣ ଗାଡିରେ ମଧ୍ୟ ମାଟି ପରୀକ୍ଷା କରିପାରିବେ| ଓଡ଼ିଶା ସରକାର ଭୂଚେତନା ଯୋଜନା ମାଧ୍ୟମରେ ଏହାର ସଫଳ ରୂପାୟନ ନିମନ୍ତେ କାର୍ଯ କରୁଛନ୍ତି|
୩. ଖାଦ୍ୟ ସୁରକ୍ଷା ଯୋଜନା:
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ୨୦୧୩ ଅନୁସାରେ ଓଡ଼ିଶା ସରକାର ଏହି ଯୋଜନାକୁ କାର୍ଯକାରୀ କରୁଛନ୍ତି| ୨୦୧୮ ମସିହାରୁ ସରକାର ରାଜ୍ୟରେ ଆର୍ଥିକ ଅନଗ୍ରସର, ବିଧବା, ଅବିବାହିତ ମହିଳା, ଭିନ୍ନକ୍ଷମ, ଓ ରୋଗାକ୍ରାନ୍ତ ବର୍ଗର ଲୋକମାନଙ୍କୁ ମାସିକ ଚାଉଳ ଯୋଗାଇଆସୁଛନ୍ତି| ଏହି ଯୋଜନାରେ ଯୋଗ୍ୟ ପରିବାରକୁ ମୁଣ୍ଡପିଛା ୫ କି.ଗ୍ରା. ଚାଉଳ, ପ୍ରତି କି.ଗ୍ରା. ୧ ଟଙ୍କାରେ ମିଳୁଛି| ଓଡ଼ିଶାର ମୋଟ ୨୫ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଅନ୍ତର୍ଭୂକ୍ତ ଅଛନ୍ତି|
୪. ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା:
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ୨୦୧୬ ମସିହାରୁ କାର୍ଯକାରୀ ହେଉଛି| ଏହି ଯୋଜନାରେ ଚାଷୀ ନିଜ ଫସଲର ବୀମା କରାଇପାରିବେ| ଖରିଫ ଫସଲ ପାଇଁ ୨%, ରବି ଫସଲ ପାଇଁ ୧.୫% ଓ ତୈଳ ଜାତୀୟ ଫସଲ ପାଇଁ ୫% ବୀମା ରାଶି ଚାଷୀଙ୍କୁ ଜମା କରିବାକୁ ପଡିଥାଏ| ଅବଶିଷ୍ଟ ଜମା ରାଶି କେନ୍ଦ୍ର ଓ ରାଜ୍ୟ ସରକାର ଭରଣ କରିବେ| ବୀମାଭୁକ୍ତ ଫସଲ ପ୍ରାକୃତିକ ବିପର୍ଯୟ ଯଥା ବନ୍ୟା, ବାତ୍ୟା, ମରୁଡି, କିମ୍ବା ନିଆରେ କ୍ଷତିଗ୍ରସ୍ତ ହେଲେ ବୀମା ସଂସ୍ଥା ସମସ୍ତ ଖର୍ଚ ପ୍ରଦାନ କରିଥାଏ| ଫସଲ ଅମଳ କରିବାର ୨ ମାସ ପର୍ଯନ୍ତ ବୀମା ବଳବତ୍ତର ରହିଥାଏ|
ଏତଦ ବ୍ୟତୀତ ଚାଷୀମାନେ, ବ୍ଲକ ଓ ଜିଲ୍ଲା ସ୍ତରରେ ଥିବା ବିଭିନ୍ନ କୃଷି ସହାୟତା କେନ୍ଦ୍ର ଓ ପ୍ରତି ଗ୍ରାମରେ ଗାଁ ସାଥୀ ମାନଙ୍କ ଠାରୁ କୃଷି ସମ୍ବନ୍ଧୀୟ ପ୍ରାଥମିକ ସୂଚନା ପାଇପାରିବେ| ଚାଷୀ ମାନେ ସଚେତନ ହେଲେ ହିଁ କୃଷି କ୍ଷେତ୍ରର ଉନ୍ନତି ହୋଇପାରିବ|

ବିଶ୍ଵଜିତ ମଲ୍ଲିକ , ଡ଼. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ସମସ୍ତିପୁର, ପୁସା, ବିହାର

Leave A Reply

Your email address will not be published.

four − 1 =