ସଜନା ଚାଷ,କରିବା ଆସ

0

ନାଁ ଟା ମୋର ସଜନା ଶାଗ , ଛୁଇଁଙ୍କ ମୁଁ ରାଜା ସୋରିଷ ଦେଇ ଭାଜିଲେ ମତେ ବୁଝିବ ମୋର ମଜା .. ବିଦ୍ୟୁତ୍ ପ୍ରଭା ଦେବୀଙ୍କ ରଚିତ ଏହି ପଦ୍ୟଂଶଟି ବେଶ୍ ଜଣାଶୁଣା ଅଟେ । ତେବେ ଗାଁ ଗହଳିର ବାଡି ଅଗଣାରେ ଯତ୍ନ ଅଯତ୍ନରେ ବଢ଼ିଆସୁଥିବା ସଜନା ଗଛର ସାଗ ଏବଂ ଛୁଇଁର ଆଦର ଓ ଚାହିଦା ମାଛ ମାଂସଠୁ ଭି ଅଧିକ ହୋଇଥାଏ । ଶୀତଦିନେ ସକାଳୁ କଅଁଳ ଖରା ସହ ସଜନା ଶାଗ ସାଙ୍ଗକୁ ପଖାଳ କଂସା ବେଶ୍ ଜମେ ।ସଜନା ଶାଗ ଏକ ଭଲ ଖାଦ୍ୟ ହେବା ସହିତ , ଏହାର ବିଭିନ୍ନ ଔଷଧୀୟ ଗୁଣ ମଧ୍ୟ ରହିଛି । ଏହାର ପତ୍ର, ଚେର, ମଞ୍ଜି ଓ ଗଛରେ ଖଣିଜ ଲବଣ, ପ୍ରୋଟିନ୍‌, ଭିଟାମିନ୍‌, ବିଟା-କାରୋଟିନ୍‌, ଆମିନୋ ଏସିଡ୍‌ ସମେତ ବିଭିନ୍ନ ପ୍ରକାର ଫେନୋଲିକ୍ସ ପଦାର୍ଥ ରହିଛି ।ସେହିପରି ସଜନା କୋଲେଷ୍ଟ୍ରୋଲ୍‌ ହ୍ରାସ କରିଥାଏ । ଏହା ସହିତ ହୃଦ୍‌ ରୋଗ ଏବଂ ରକ୍ତ ସଞ୍ଚାଳକ ଉତ୍ସାହକାରୀ ଭାବେ କାର୍ଯ୍ୟ କରିଥାଏ। ସଜନା ଶାଗର ବଜାର ଚାହିଦା ଆଜିର ଦିନରେ ବେଶ ଆଦୃତ, ବିଶେଷ ଭାବେ କମ୍ ଅମଳ ହେଉଥିବା ହେତୁ ବଜାରରେ ଦର ଦାମ୍ ଅଧିକ ରହିଥାଏ । ଆଜିର ଯୁବପିଢି ମାନେ ପଡିଆ ଜମିରେ ସଜନା ଛୁଇଁ ଚାଷ କଲେ ଭଲ ଦି ପଇସା ରୋଜଗାର ପାଇପାରିବେ । ସଜନା ଗଛର ଜୀବନ କାଳ ଅଧିକ ହୋଇଥିବା ହେତୁ ଥରେ ମାତ୍ର ଗଛ ଲଗେଇ ଏକାଧିକ ବର୍ଷ ପର୍ଯ୍ୟନ୍ତ ଅମଳ କରି ହୋଇଥାଏ ଏବଂ ଅନ୍ୟ ପନିପରିବା ଚାଷ ଭଳି ଅଧିକ ପରିଶ୍ରମ ନଥିବା ହେତୁ ଚାଷୀ ଭାଇ ମାନେ ଅନାନ୍ୟ ଚାଷ କାର୍ଯ୍ୟ ମଧ୍ୟ କରିପାରିବେ । ସଜନା ଚାଷ ସହିତ ହଳଦୀ,ଅଦା,ଲଙ୍କା,ଟମାଟୋ ମଧ୍ୟ ଅନ୍ତଃ ଫସଲ ଭାବେ ଚାଷ କରାଯାଇପାରିବ ଫଳରେ କମ୍ ଖର୍ଚ୍ଚ ଏବଂ ପରିଶ୍ରମରେ ଚାଷୀ ଭାଇ ମାନେ ଅଧିକ ଲାଭ ପାଇପାରିବେ ।

୧. ଜଳବାୟୁ ଓ ମୃତ୍ତିକା ଓଡ଼ିଶାର ଜଳବାୟୁ ସଜନା ଛୁଇଁ ଚାଷ ପାଇଁ ବେଶ୍ ଉପଯୁକ୍ତ ଅଟେ । ତାପମାତ୍ରା ୨୫ ରୁ ୩୫ ଡିଗ୍ରୀ ମଧ୍ୟରେ ଗଛ ଭଲରେ ବଢ଼ିଥାଏ । ସାଧାରଣତଃ ନିଗିଡା ଦୋରସା ବା ବାଲିଆ ଦୋରସା ମାଟିରେ ଗଛ ଭଲ ବଢୁଥିବା ବେଳେ ମାଟିର ଆମ୍ଲତା ୬.୫ ରୁ ୮ ଭିତରେ ହୋଇଥିବା ଆବଶ୍ୟକ ଅଟେ । ୨. ସଠିକ୍ ବିହନ ଚୟନ ପାରମ୍ପାପାରିକ ପଦ୍ଧତି ରେ ଗାଁ ଗହଳିରେ ଚାଷୀମାନେ ଗଛର କଅଁଳିଆ ଡାଳକୁ ଭାଙ୍ଗି ରୋପୋଣ କରିଥାନ୍ତି କିନ୍ତୁ ବ୍ୟବସାୟିକ ଭାବେ ଚାଷ କରିବାକୁ ହେଲେ ଉନ୍ନତ କିସମର ମଞ୍ଜି ଆବଶ୍ୟକ ହୋଇଥାଏ ଯଥା:- ପି.କେ.ଏମ- ୧ -: ଏହି କିସମର ଗୁଡ଼ିକ ୪ ରୁ ୫ ମିଟର ଉଚ୍ଚ ହୋଇଥିବା ବେଳେ ଲଗାଇବାର ୮୦ ରୁ ୧୦୦ ଦିନ ମଧ୍ୟରେ ଫୁଲ ଧରି ୧୬୦ ଦିନରେ ପ୍ରଥମ ଅମଳ ଉପୋଜୋଗୀ ହୋଇଥାଏ । ଛୁଇଁ ଗୁଡ଼ିକ ୬ ସେମି ମୋଟେଇ ଏବଂ ୬୦ ରୁ ୭୦ ସେମି ଲମ୍ବା ହୋଇଥିବା ବେଳେ , ବର୍ଷକୁ ଗଛ ପ୍ରତି ୨୦୦ ରୁ ୨୫୦ ଟି ଛୁଇଁ ହୋଇଥାଏ । ପି.କେ.ଏମ- ୨ -: ଏହି କିସମ ଅନ୍ୟ କିସମ ଠାରୁ ଏହା ଉନ୍ନତ ଏବଂ ଅଧିକ ଅମଳକ୍ଷମ ଅଟେ ।  ଛୁଇଁ ଗୁଡ଼ିକ ୭ ସେମି ମୋଟେଇ ଏବଂ ୧୨୦ ରୁ ୧୩୦ ସେମି ଲମ୍ବା ଏବଂ ଗୋଟେ ଛୁଇଁ ର ଓଜନ ପ୍ରାୟ ୨୫୦ ଗ୍ରାମ ହୋଇଥିବା ବେଳେ , ବର୍ଷକୁ ଗଛ ପ୍ରତି ୨୩୦ ରୁ ୨୫୦ ଟି ଛୁଇଁ ହୋଇଥାଏ । ଗଛ ଲଗେଇବାର ୧୧୦ ଦିନରେ ଫୁଲ ହୋଇଥାଏ ଏବଂ ୮ ରୁ ୯ ମାସ ମଧ୍ୟରେ ଅମଳଶେଷ  ହେବା ସଙ୍ଗେ ସଙ୍ଗେ ହେକ୍ଟର ପ୍ରତି ପ୍ରାୟ ୫୦ ରୁ ୭୦ ଟନ ଅମଳ ହୋଇଥାଏ ।   ୩. ଚାରା ପ୍ରସ୍ତୁତିଏକ ଏକର ପ୍ରତି ପ୍ରାୟ ୨୫୦ ଗ୍ରାମ ମଞ୍ଜି ଆବଶ୍ୟକ ହୋଇଥାଏ । ମଞ୍ଜି ଗୁଡ଼ିକୁ ୧ ଗ୍ରାମ କାର୍ବେଣ୍ଡାଜିମ (ବାଭିଷ୍ଠିନ) ରେ ବିଶୋଧନ କରି ଛୋଟ ପଲିଥିନରେ ମାଟି ଓ ଗୋବର ଖତ ଏକ ମିଶ୍ରଣ ଭର୍ତି କରି ଚାରା ଗଛ ପ୍ରସ୍ତୁତ କରାଯାଏ । ୩୦ ରୁ ୪୦ ଦିନ ମଧ୍ୟରେ ଚାରା ଗୁଡ଼ିକ ରୋପଣ ପାଇଁ ପ୍ରସ୍ତୁତ ହୋଇଯାଆନ୍ତି । ୪. ଲଗାଇବା ପ୍ରଣାଳୀଆମ ରାଜ୍ୟ ଜଳବାୟୁ ଅନୁସାରେ ସେପ୍ଟେମ୍ବର-ଅକ୍ଟୋବର ମାସରେ ମୁଖ୍ୟ ଜମିରେ ଚାରା  ଲଗାଯାଏ । ଜମିକୁ ଭଲ ଭାବେ ହଳ କରି ଗଛକୁ ଗଛ ଏବଂ ଧାଡିକୁ ଧାଡ଼ି ୨.୫ ମି ବ୍ୟବଧାନରେ ଗାତ କରାଯାଏ । ଗାତର ଓସାର ଏବଂ ଚଉଡା ୪୫ ସେମି ହୋଇଥିବା ବେଳେ ଗଭୀର ମଧ୍ୟ ୪୫ ହୋଇଥାଏ । ଗଛ ଲଗାଇବାର ୩ ରୁ ୪ ଦିନ ପୂର୍ବରୁ ଗାତ ଖୋଳି ଖାଲି ଛାଡ଼ି ଦିଆଯାଏ ଫଳରେ ମାଟିରେ ଥିବା ଅନାବନା କୀଟ ସୂର୍ଯ୍ୟକିରଣରେ ମରିଯାଇଥାନ୍ତି । ପ୍ରତି ଗାତରେ ୩ ରୁ ୫ କି.ଗ୍ରା. ଖତ ଓ ୧୦୦ ଗ୍ରାମ ନିମପିଡିଆ,୫୦ ଗ୍ରାମ ଡି.ଏ.ପି ଏବଂ ୧୦୦ ଏମ.ଓ.ପି ଦେଇ ଚାରା ଗଛ ଲଗାନ୍ତୁ । ୧୫ ଦିନ ପରେ ୫୦ ଗ୍ରାମ ୟୁରିଆ ଦେଇ କୋଡା ଖୋଷା କରି ମାଟି ଟେକି ଦିଅନ୍ତୁ । ୨ ରୁ ୩ ମାସ ପରେ  ଅନାବନା ଘାସ ବଛା ବଛି କରି  ୫୦ ଗ୍ରାମ ୟୁରିଆ ଏବଂ ୫୦ ଗ୍ରାମ ପୋଟାସ ଦିଅନ୍ତୁ ।  ବର୍ଷା ସମୟରେ ଚାରା ଗଛଗୁଡିକ ଲଗାଇବା ଅନୁଚିତ। କାରଣ ଅତ୍ୟଧକ, ପାଣି ଜମି ରହିଲେ ଚାରାଗଛଗୁଡିକ ପଚିବା ସଙ୍ଗେ ସଙ୍ଗେ ଗଛ ଆସ୍ତେ ଆସ୍ତେ ହଳଦିଆ ରଙ୍ଗ ହୋଇ ମରିଯାଏ।

nano urea

୫.ପରବର୍ତ୍ତୀ ଯତ୍ନ – ଲଗାଇବାର ଏକ ମାସ ମଧ୍ୟରେ ମରିଯାଇଥବା ସ୍ଥାନରେ ନୂଆ ଚାରା ଗଛ ଲଗାନ୍ତୁ ଏବଂ ନଈ ଯାଇଥିବା ଗଛ ଗୁଡ଼ିକୁ କାଠି ସାହାଯ୍ୟରେ ବାନ୍ଧି ଠିଆ କରନ୍ତୁ  । ଗଛର ଉଚ୍ଚତା ୭୫-୧୦୦ସେ.ମି. ହେବା ପରେ ଅଗଟିକୁ ଛିଣ୍ଡାଇବା ସଙ୍ଗେ ସଙ୍ଗେ ପରେ ଚାରି ଦିଗକୁ ୪ଟି ଡାଳ ବଢାଇ ସେଗୁଡିକୁ ୧୫ ସେ.ମି. ହୋଇଗଲେ ସେମାନଙ୍କର ଅଗଗୁଡିକୁ ମଧ ଛିଣ୍ଡାଇ ଦିଅନ୍ତୁ । ଫଳରେ ଗଛଗୁଡିକ ଝଙ୍କାଳିଆ ହେବା ସଙ୍ଗେ ସଙ୍ଗେ ବାଙ୍ଗରା ହୋଇଥାଏ । ଫଳରେ ଗଛ ଗୁଡ଼ିକ ଜୋର୍ ପବନ ରେ ବିଶେଷ କ୍ଷତି ହୁଏ ନାହିଁ ଏବଂ ଅଧିକ ଓ ସହଜରେ ଅମଳ ହୋଇଥାଏ ।୬.ଜଳ ସେଚନବୁନ୍ଦା ପ୍ରଣାଳୀରେ ଜଳ ସେଚନ କଲେ କମ୍ ଜଳ ଖର୍ଚ୍ଚ ହେବା ସହ ପରିଶ୍ରମ କମ୍ ହୋଇଥାଏ । ଚାରା ରୋପୋନ କରି ସଙ୍ଗେ ସଙ୍ଗେ ଜଳ ସେଚନ କରାଯାଏ ଏବଂ  ୬ ରୁ ୮ ଦିନ ବ୍ୟବଧାନରେ ଜଳବାୟୁକୁ ଲକ୍ଷ୍ୟକରି ଜଳ ସେଚନ କରିବା ଆବଶ୍ୟକ ହୋଇଥାଏ ।୭.ଅମଳଲଗାଇବାର ୬ ମାସ ପରେ ଛୁଇଁ ତୋଳିବା ଆରମ୍ଭ ହୁଏ । କଁଅଳ ଛୁଇଁର ଚାହିଦା ବେଶି ରହିଥିବା ହେତୁ ଛୁଇଁ ଟାଣ ହେବା ପୂର୍ବରୁ ତୋଳିବା ଆବଶ୍ୟକ ଅଟେ । ବର୍ଷକୁ ଗଛ ପ୍ରତି କିସମ ଅନୁସାରେ ୨୦୦-୨୫୦ ଛୁଇଁ  ଫଳିଥାଏ । ୨ୟ ଓ ୩ ବର୍ଷରେ ଫଳ ସଂଖ୍ୟା ବୃଦ୍ଧି ପାଇଥାଏ । ଗଛ ପ୍ରତି ୩୦-୩୫ କି.ଗ୍ରା. ଏବଂ ଏକର ପ୍ରତି  ୨୦୦ କୁଇଣ୍ଟାଲ ଯାଏ ଫଳ ଅମଳ ହୋଇଥାଏ ।

୮.ରୋଗ ପୋକ ପରିଚାଳନାଫଳ ମାଛି-  ଏହା ଏକ ମୁଖ୍ୟ ପୋକ ଭାବେ ଫଳକୁ ଆକ୍ରାନ୍ତ କରିଥାଏ ।୨୦୦ ଗ୍ରାମ ଥାୟାମିଥୋକ୍ସମ୍ ପ୍ରତି ୧୧୦ ,୧୫୦ ଏବଂ ୨୧୦ ଦିନ ବ୍ୟବଧାନରେ ଜମିରେ ପ୍ରୟୋଗ କରନ୍ତୁ ।ସଂମ୍ବାଳୁଆ :- ଏହା ମଧ୍ୟ ଏକ ମୁଖ୍ୟ ପୋକ ଭାବେ ପତ୍ର ଗଛ ଏବଂ ଫଳକୁ ଆକ୍ରାନ୍ତ କରିଥାଏ।  ଚାଷୀ ଭାଇମାନେ ତତଲା ଲୁହା ସାହାଯ୍ୟରେ ଏହାକୁ ମାରିପାରିବେ କିମ୍ବା କାର୍ବାରିଲ ୨ଗ୍ରାମ ପ୍ରତି ଲିଟର ପାଣିରେ ଛିଞ୍ଚନ କରି ପ୍ରାଦୁର୍ଭାବ କମାଇପରିବା ।

ବିଜ୍ଞାନ ରଞ୍ଜନ ସାହୁ ,କୃଷି ସ୍ନାତକୋତ୍ତର (ମୃତ୍ତିକା ବିଜ୍ଞାନ ) ଓୟୁଏଟି , ଭୁବନେଶ୍ଵର ,୯୫୫୬୨୫୯୯୧୯

Leave A Reply

Your email address will not be published.

six + seventeen =