ଫସଲ ଅମଳର ପର୍ବ – ମକର

ଯୁଗ ପରିବର୍ତ୍ତନଶୀଳ । ଗତାନୁଗତିକ ଢ଼ାଂଚାରେ ଏହା ନିଜର ରୂପରେଖ ବଦଳାଇଥାଏ । ଏସବୁ ଭିତରେ ବି ସବୁକିଛି ଦ୍ୱାହି ଦେଇ ଯଦି ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଂଜଳି ଦେଇ କିଂଚିତ ଅବଲୋକନ କରାଯାଏ , ତାହେଲେ ଆମେ ଭାରତୀୟ ବୋଲି ଗର୍ବ ଅନୁଭବ କରିବା , ଏହା କୋ÷ଣସି ବିସ୍ମୟର କଥା ନୁହେଁ । କାରଣ ଯେଉଁ ଦେଶ ସଂସ୍କୃତି ଓ ପରମ୍ପରାର କଥା କହେ, ଯେଉଁ ମାଟିରୁ ସଂଗ୍ରାମର ବାସ୍ନା ଆସେ , ଯାହାର ଲୋକକଥା ଇତିହାସର ପୁନରାବୃତ୍ତି କରାଏ , ସେ ଦେଶ ଭାରତ । ଆମ ସଂସ୍କୃତି ଓ ପରମ୍ପରା ପାଇଁ ଆମେ ସର୍ବତ୍ର ପରିଚିତ ଓ ଗର୍ବିତ । ଦୁନିଆ ଯେତେ ମଡନ ହେଲେ ମଧ୍ୟ ଆମେ ଭୁଲିଯିବା ଅନୁଚିତ ଯେ କୃଷି ହିଁ ଆମ ର ମୂଳଦୁଆ ।ରାଜା ହେଉକି ପ୍ରଜା ସଭିଙ୍କୁ ବଞ୍ଚି ରହିବା ପାଇଁ ଖାଦ୍ୟ ହିଁ ଦରକାର । ଆଉ ମୁହଁକୁ ଦୁଇ ଓଳି ଦି ମୁଠା ଖାଦ୍ୟ ନେବାକୁ ହେଲେ କରିବାକୁ ପଡେ ତିନି ଚାରି ମାସର ଅକ୍ଲାନ୍ତ ପରିଶ୍ରମ ,ପ୍ରକୃତି ସହ ତାଳ ମେଳ ରଖି କରିବାକୁ ପଡେ ଚାଷର ଜୁଆଖେଳ କେବେ ଜୋର୍‌ ବର୍ଷା ତ କେବେ ବୈଶାଖର ଖରା ,ତା ସାଙ୍ଗକୁ ଅଭାବ ଅନଟନ । ତେବେ ଏ ସବୁ ସମସ୍ୟା ଦେଇ ଚାଷ ଆରମ୍ଭ ହୋଇ ଶେଷ ହୋଇଯାଇଥାଏ ।
ଆମେ ଜାଣିଛେ କୃଷି ଓ ଆମ ପରମ୍ପରା ଅଙ୍ଗା ଅଙ୍ଗି ଭାବେ ଜଡ଼ିତ,ସେଇଭଳି ଆଜି ମକର ସଂକ୍ରାନ୍ତିର ମଧ୍ୟ କୃଷି ପାଇଁ କିଛି ବିଶେଷତ୍ୱ ରହିଛି । ଏହାକୁ ଫସଲ ଅମଳର ପର୍ବ ବୋଲି କୁହାଯାଏ । ଏହି ପର୍ବକୁ ଚାଷୀ ଭାଇମାନେ ଉତ୍ସାହର ସହିତ ପାଳନ କରନ୍ତି ,ଏହି ସମୟରେ ଶସ୍ୟ ଅମଳ ହୋଇ ବିକ୍ରୀ ହୋଇ ଥାଏ ଏବଂ ଚାଷୀ କିଛି ପଇସା ପାଇଥାଏ ଏଣୁ ଚାଷ କାମରେ ସାହାଯ୍ୟ କରିଥିବା ଦେବତା ତଥା ସୂର୍ଯ୍ୟ ଦେବତା,ବଳଦ ଦେବତା, ଧରିତ୍ରୀ ମା ଏବଂ ପରିଶେଷରେ ପ୍ରକୃତି ରାଣୀ କୁ ସେ ଧନ୍ୟବାଦ ଜ୍ଞାପନ କରିଥାଏ । ନୂତନ ବସ୍ତ୍ର ପରିଧାନ କରିବା ସହିତ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ ନୂଆଗୁଡ଼, ଛେନା, ନଡ଼ିଆ ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଳିଆ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ । ଏହି ଭୋଗ ‘ମକର ଚାଉଳ’ କୁହାଯାଏ ।

ଭାରତର ସବୁ ଅଂଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହାକୁ ଧୁମ୍‌ଧାମ୍‌ରେ ପାଳନ କରାଯାଏ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ଏହିଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।

ଏହି ଦିନଠାରୁ ଦକ୍ଷିଣରେ ନୂଆବର୍ଷ ଆରମ୍ଭ ହୋଇଥାଏ । ଏହିପର୍ବଟିକୁ ଦକ୍ଷିଣ ଭାରତରେ ତିନିଦିନ ଧରି ପାଳନ କରାଯାଇଥାଏ । ପ୍ରଥମ ଦିନ ଧରିତ୍ରୀ ମା ଙ୍କୁ ପୂଜା କରାଯାଏ , ଦ୍ୱିତୀୟ ଦିନ ଘରେ ପୂଜା ହୁଏ ଓ ତୃତୀୟ ଦିନ ପଶୁପକ୍ଷୀ ମନକୁ ପୂଜା କରାଯାଏ ଏବଂ ଆଗାମୀ ଦିନରେ ପୁଣି ଚାଷକାର୍ଯ୍ୟ କରାଯିବ ତା ବିଷୟରେ ଆଲୋଚନା କରାଯାଏ ।

ବିଜ୍ଞାନ ରଞ୍ଜନ ସାହୁ , କୃଷି ସ୍ନାତକୋତ୍ତର(ମୃତ୍ତିକା ବିଜ୍ଞାନ , ଓୟୁଏଟି )

Spread the love

Leave a Comment

Your email address will not be published. Required fields are marked *

Scroll to Top
×