କୃଷି କ୍ଷେତ୍ରରେ ନୂତନ ବିପ୍ଲବର ସମ୍ଭାବନା : କୃଷି ଆଇନ-୨୦୨୦

0

“ଭାରତ ଏକ କୃଷି ପ୍ରଧାନ ଦେଶ” ଏହି ବକ୍ତବ୍ୟ ସାଧାରଣତଃ ଭାରତୀୟ ଅର୍ଥ ବ୍ୟବସ୍ଥା ସମ୍ବନ୍ଧୀୟ ଚର୍ଚ୍ଚା ସମୟରେ ଅନେକ ଅର୍ଥଶାସ୍ତ୍ରୀ ବ୍ୟବହାର କରନ୍ତି । ପ୍ରସ୍ତର ଯୁଗରୁ ଭାରତରେ କୃଷି କାର୍ଯ୍ୟର ପରମ୍ପରା ନିରନ୍ତର ବିକଶିତ ହେବା ସହିତ ଭାରତୀୟ ଅର୍ଥବ୍ୟବସ୍ଥାକୁ ଆଧାର ଦେଇ ଆସୁଛି । ଇସ୍ଲାମିକ ଆକ୍ରାନ୍ତାଙ୍କ ଶାସନ ପୂର୍ବରୁ ଭାରତୀୟ ଅର୍ଥବ୍ୟବସ୍ଥା ବିଶ୍ୱର ସର୍ବବୃହତ ଅର୍ଥବ୍ୟବସ୍ଥା ଥିବା ବେଳେ ଭାରତର ସକଳ ଘରୋଇ ଉତ୍ପାଦ ବିଶ୍ୱର ୩୨.୯ ପ୍ରତିଶତ ଥିଲା । ଯେଉଁଥିରେ କୃଷିକ୍ଷେତ୍ରର ଭୁମିକା ପ୍ରମୁଖ ଥିଲା କାରଣ ସର୍ବାଧିକ ଲୋକେ କୃଷି କ୍ଷେତ୍ର ସହିତ ଜଡିତ ଥିଲେ । ଇସ୍ଲାମିକ ଆକ୍ରାନ୍ତାଙ୍କ ଶାସନରେ ଏହା ୨୪.୪ ପ୍ରତିଶତକୁ ଖସି ଆସିଥିଲା କାରଣ ଅତ୍ୟଧିକ କର ମାଧ୍ୟମରେ କୃଷକଙ୍କୁ ଶୋଷଣ କରାଯାଉଥିଲା । କିନ୍ତୁ ଏହି ସମୟରେ ମଧ୍ୟ କୃଷକ ତା ଉତ୍ପାଦ କାହାକୁ ବିକ୍ରି କରିବ ଏହି ନିର୍ଣ୍ଣୟ ନେବା ପାଇଁ ସେ ସ୍ୱତନ୍ତ୍ର ଥିଲା । ୧୮୫୭ କ୍ରାନ୍ତିର ପରର୍ବତ୍ତୀ ସମୟରେ ଯେତେବେଳେ ଇଂରେଜ ସରକାର ଭାରତର ଶାସନ ବ୍ୟବସ୍ଥା ନିଜ ହାତକୁ ନେଲେ ସେତେବେଳେ ଇଂଲଣ୍ଡରେ ଶିଲ୍ପ ବିପ୍ଲବ ଚରମ ସ୍ଥିତିରେ ଥିଲା । ମାଂଚେଷ୍ଟର ପରି ସହରରେ ଅଧିକ ମାତ୍ରାରେ ବସ୍ତ୍ର ଆଧାରିତ ଶିଳ୍ପ ଗଢି ଉଠିଥିଲା । ଏହି ଶିଳ୍ପ ସଂସ୍ଥାକୁ କମମୂଲ୍ୟର କଂଚା ମାଲର ଆବଶ୍ୟକତା ପୂରଣ କରିବା ପାଇଁ ଇଂରେଜ ସରକାର ଭାରତରେ ୧୮୮୬ରେ ବଜାର ବା ମଣ୍ଡିର ବ୍ୟବସ୍ଥା ଆରମ୍ଭ କରିଥିଲେ । ପ୍ରଥମ ମଣ୍ଡି ହାଇଦ୍ରାବାଦର କରଂଜାରେ ଖୋଲା ଯାଇଥିଲା । ଏହି ବ୍ୟବସ୍ଥାକୁ ନ୍ୟାୟ ସଂଗତ କରିବା ପାଇଁ ୧୮୮୭ରେ ବେରାର କଟନ ଆଣ୍ଡ ଗ୍ରାନ୍‌ ମାର୍କେଟ ଆକ୍ଟ ପାରି କରାଯାଇଥିଲା । ଏହି ବ୍ୟବସ୍ଥାରେ ବ୍ରିଟିଶ ରେସିଡେନସ୍‌ଙ୍କ ପାଖରେ କ୍ଷମତା ରହିଲା ସେ କାହାକୁ ଲାଇସେନ୍ସ ଦେବେ, କେଉଁ ସ୍ଥାନକୁ ମଣ୍ଡି ବା ବଜାର ଘୋଷଣା କରିବେ ଓ କାହାକୁ ନେଇ ମଣ୍ଡି ପରିଚାଳନା କମିଟି ଗଠନ କରିବେ । ଯାହା ଦ୍ୱାରା ଇଂରେଜ ବେପାରୀ ଲାଭବାନ ହେଲେ ଓ ଦେଶର ଉତ୍ପାଦିତ ଅଧିକାଂଶ କଂଚାମାଲ ଓ ଶସ୍ୟ ଇଂରେଜ ବେପାରୀ ମଣ୍ଡି ମାଧ୍ୟମରେ କିଣିଲେ । ଭାରତୀୟ ବୁଣାକାର ତଥା ଅନ୍ୟ କୁଟୀର ଶିଳ୍ପ ଓ ଖାଉଟିଙ୍କ ପାଖରେ କଂଚାମାଲ ଓ ଖାଦ୍ୟ ଶସ୍ୟ ପହଂଚି ପାରିଲା ନାହିଁ ଫଳରେ ଭାରଚୀୟ ବସ୍ତ୍ର ଶିଳ୍ପ ପରି ଅନେକ ଶିଳ୍ପ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହେବା ସହିତ ଅନେକ ସ୍ଥାନରେ ପ୍ରଚୁର ଖାଦ୍ୟ ଶସ୍ୟ ଉତ୍ପାଦନ ହେବା ସତ୍ତେ୍ୱ ୧୮୭୬, ୧୮୯୯, ୧୯୪୩-୪୪ ରେ ଭୟଙ୍କର ମରୁଡିରେ ଭାରତୀୟଙ୍କ ଜୀବନ ଗଲା । ୧୯୪୭ ମସିହାରେ ଇଂରେଜ ଭାରତ ଛାଡିବା ସମୟରେ ଭାରତର ଜି.ଡି.ପି. ବିଶ୍ୱର ସକଳ ଘରୋଇ ଉତ୍ପାଦର କେବଳ ୩ ପ୍ରତିଶତ ଥିଲା ।
ସ୍ୱାଧିନତା ପରବର୍ତ୍ତୀ ସମୟରେ କୃଷକମାନେ ସାହୁକାର, ଗୌନ୍ତିଆ, ଜମିଦାରଙ୍କ ପାଖରୁ ଋଣ ନେଇ କୃଷିକାର୍ଯ୍ୟ କରୁଥିଲେ ଓ ଶସ୍ୟ ଉତ୍ପାଦନ ପରେ ବିକ୍ରି କରି ନିଜ ଋଣ ସୁଝୁ ଥିଲେ କିନ୍ତୁ ସୁଧ ହାର ଅଧିକ ଥିବା କାରଣରୁ ଅଧିକାଂଶ କୃଷକ ଋଣ ପରିଶୋଧ ପାଇଁ ଅସମର୍ଥ ହେଉଥିଲେ । ଏହି ସମସ୍ୟା ଯୋଗୁଁ ଗ୍ରାମାଂଚଳରେ ଅଧିକାଂଶ ଚାଷୀଙ୍କ ଜମି ସାହୁକାର ଦଖଲକୁ ଚାଲିଯାଉଥିଲା । ସାହୁକାରଙ୍କଠାରୁ କୃଷକଙ୍କୁ ତଥା ତାଙ୍କ ଜମି ଓ ଶସ୍ୟର ରକ୍ଷାକରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଏଗ୍ରିକଲ୍‌ଚରାଲ୍‌ ପ୍ରଡିଉସ ମାର୍କେଟ କମିଟି ଆଇନ ଅଣାଯାଇ କୃଷକଙ୍କ ଶସ୍ୟ ବିକ୍ରି ପାଇଁ ମଣ୍ଡି ବ୍ୟବସ୍ଥା ତିଆରି କରାଗଲା ଓ ସର୍ବନିମ୍ନ ସହାୟକ ରାଶି ସ୍ଥିର କରି ଚାଷୀଙ୍କୁ ତାଙ୍କ ଶସ୍ୟର ଉଚିତ ମୂଲ୍ୟ ଦେବାର ବ୍ୟବସ୍ଥା କରାଗଲା । ଏହି ଆଇନ ଅନୁସାରେ କୃଷକ ତା ଉତ୍ପାଦିତ ଶସ୍ୟ ମଣ୍ଡିରେ ହିଁ ବିକ୍ରି କରିପାରିବ ଓ ସରକାରଙ୍କ ଅନୁମତି ପ୍ରାପ୍ତ ବ୍ୟବସାୟୀ ହିଁ ମଣ୍ଡିରୁ ଶସ୍ୟ କିଣିପାରିବେ ।
୧୯୯୧ରେ ଭାରତୀୟ ଅର୍ଥବ୍ୟବସ୍ଥାରେ ଉଦାରିକରଣ ହେବାରୁ ଭାରତରେ ଅନେକ ମାତ୍ରାରେ ବିଦେଶୀ ପୁଞ୍ଜିନିବେଶ ବଢିଥିଲା । ବଜାର ଓ ବ୍ୟାପାରର ସ୍ୱରୂପରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଥିଲା । ବଜାରରେ ଅନେକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଗଢିଉଠିଥିବାରୁ ଏହି ଶିଳ୍ପ ଗୁଡିକୁ କୃଷକଙ୍କ ଉତ୍ପାଦିତ କଂଚାମାଳର ଅବଶ୍ୟକତା ହେଲା କିନ୍ତୁ ଏଗ୍ରୀକଲ୍‌ଚରାଲ୍‌ ପ୍ରଡିଉସ ମାର୍କେଟ କମିଟି ଆଇନ ଅନୁସାରେ ଶିଳ୍ପଗୁଡିକ ସିଧାସଳଖ ଭାବେ ଚାଷୀଠାରୁ ଶସ୍ୟ କିଣିପାରିଲେ ନାହିଁ । ଯାହା ଦ୍ୱାରା ଯେଉଁ ମୂଲ୍ୟ ଚାଷୀ ପାଇବା କଥା ତାହା ମଧ୍ୟସ୍ଥିଙ୍କୁ ମିଳିଲା । ଚାଷୀ ଓ ଗ୍ରାହକଙ୍କ ମଧ୍ୟରେ ମାତ୍ରାଧିକ ମାଧ୍ୟସ୍ଥିଙ୍କ କାରଣରୁ ଖାଦ୍ୟଶସ୍ୟର ଦର ବାସ୍ତବିକ ଦରଠାରୁ ୫୦ ପ୍ରତିଶତରୁ ମଧ୍ୟ ଅଧିକ ହେଲା । ମଣ୍ଡିରେ କିଏ ବ୍ୟବସାୟୀ ବା ଟ୍ରେଡର ହେବ ସରକାରଙ୍କ ହାତରେ ଥିବା କାରଣରୁ ରାଜନୈତିକ ଅନୁଗ୍ରହିତା ଥିବା ବ୍ୟକ୍ତି ହିଁ ଏହି ସୁବିଧା ପାଇଲେ । ମଣ୍ଡିରେ ଶସ୍ୟର ସୁରକ୍ଷା ବ୍ୟବସ୍ଥା ନ ଥିବା କାରଣରୁ ତଥା ମଣ୍ଡି ବ୍ୟବସ୍ଥା ଅତ୍ୟନ୍ତ ଜଟିଳ ଥିବା କାରଣରୁ ପ୍ରତ୍ୟେକ ବର୍ଷ ୨୦ ପ୍ରତିଶତ ଶସ୍ୟ ନଷ୍ଟ ହେଉଥିଲା । ଏ.ପି.ଏମ୍‌.ସି. ଆଇନରେ ଚାଷୀ ନିଜ ଭୌଗୋଳିକ କ୍ଷେତ୍ରରେ ଥିବା ମଣ୍ଡିରେ ହିଁ ନିଜ ଶସ୍ୟ ବିକ୍ରି କରିବାର ସୁଯୋଗ ପାଇଛି ଏହା ଆଇନ ତିଆରି ହେବା ସମୟର ଅବଶ୍ୟକତା ଥିଲା କିନ୍ତୁ ଏହା ବର୍ତ୍ତମାନ ଚାଷୀଙ୍କ ପାଇଁ ଅଭିଶାପ ସଦୃଶ କାରଣ ଅନ୍ୟ ସ୍ଥାନରେ ଶସ୍ୟର ଦର ଅଧିକ ଥିଲେ ମଧ୍ୟ ସେଠି ସେ ବିକ୍ରି କରିପାରିବ ନାହିଁ । ପଞ୍ଜାବ ଓ ହରିୟାଣାକୁ ଛାଡି ଦେଲେ ଦେଶର ଅନ୍ୟ କ୍ଷେତ୍ରରେ ଚାଷୀଙ୍କ ଆବଶ୍ୟକତା ଆଧାରରେ ମଣ୍ଡି ମଧ୍ୟ ନାହିଁ ।

ଭାରତରେ କେବଳ ୭୦୦୦ ମଣ୍ଡି କାର୍ଯ୍ୟକ୍ଷମ ଯାହା ସମୁଦ୍ରକୁ ଶଙ୍ଖେ । କୃଷକ ତା ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ପାଇବ ସେଥିପାଇଁ ଏମ.ଏସ.ପି. ବା ସର୍ବନିମ୍ନ ସହାୟତା ରାଶି ବ୍ୟବସ୍ଥା କରାଯାଇଥିଲା କିନ୍ତୁ ବ୍ୟବସାୟୀଙ୍କ ଗୋଷ୍ଠୀକରଣ ଯୋଗୁଁ ଚାଷୀ ସର୍ବନିମ୍ନ ସହାୟତା ରାଶିରୁ ଅଧିକା ଦରରେ ତା ଶସ୍ୟ ବିକ୍ରି କରି ପାରୁନାହିଁ ତଥା ୨୦୧୫ରେ ଆସିଥିବା ସାନ୍ତା କୁମାର କମିଟି ରିପୋର୍ଟର ତଥ୍ୟ ଅନୁସାରେ ଭାରତରେ କେବଳ ୬ ପ୍ରତିଶତ ଚାଷୀ ହିଁ ଏମ୍‌.ଏସ.ପି. ଦରରେ ନିଜ ଉତ୍ପାଦିତ ଶସ୍ୟ ବିକ୍ରି କରୁଛନ୍ତି । ଏହି ଏମ୍‌.ଏସ୍‌.ପି. ମଧ୍ୟ କେବଳ ୨୨ଟି ଶସ୍ୟ ପାଇଁ ଧାର୍ଯ୍ୟ ହୋଇଛି । ପୁଞ୍ଜି ନିବେଶର ଅଭାବ କାରଣରୁ ଚାଷୀଙ୍କ ପାଖରେ ଆଧୁନିକ କୃଷି ଯନ୍ତ୍ରପାତି ଓ ଟେକ୍ନୋଲୋଜିର ମଧ୍ୟ ଅନେକ ଅଭାବ ରହିଛି । ଏଣୁ ଭାରତର ୫୮ ପ୍ରତିଶତ ଜନତା କୃଷିକାର୍ଯ୍ୟ ସହିତ ଜଡିତ ଥିଲେ ମଧ୍ୟ ଏହି କ୍ଷେତ୍ର ଭାରତର ସକଳ ଘରୋଇ ଉତ୍ପାଦରେ କେବଳ ୧୬ ପ୍ରତିଶତ ଯୋଗଦାନ ଦେଉଛି । ଏହା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଶୁଭଙ୍କର ନୁହେଁ ।
ଏହି ପରିସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ତଥା ଭାରତୀୟ କୃଷକ ଓ କୃଷିକ୍ଷେତ୍ରକୁ ଏକ ନୂତନ ଆୟାମ ଦେବା ପାଇଁ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ଦ୍ୱାରା ସଂସଦରେ ତିନୋଟି ବିଲ ଯଥାକ୍ରମେ କୃଷି ଉତ୍ପାଦନ ଓ ବାଣିଜ୍ୟ (ପ୍ରୋତ୍ସାହନ ଏବଂ ସରଳୀକରଣ) ବିଲ-୨୦୨୦, କୃଷକ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ, ରାଜିନାମା ଓ ସେବା ବିଲ-୨୦୨୦ ଓ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧିତ) ବିଲ -୨୦୨୦ ଉପସ୍ଥାପନ କରାଯାଇଥିଲା । ଯାହା ଏବେ ଆଇନରେ ପରିଣତ ହେଲା । ଏହି ତିନୋଟି ଆଇନ ଏଗ୍ରିକଲ୍‌ଚରାଲ୍‌ ପ୍ରଡିଉସ ମାର୍କେଟ କମିଟି ଆଇନରେ କୌଣସି ହସ୍ତକ୍ଷେପ କରିବ ନାହିଁ । ଏହା ଦ୍ୱାରା ମଣ୍ଡି ବ୍ୟବସ୍ଥା ଚାଲିବା ସହିତ କୃଷକ ନିଜ ଶସ୍ୟ ବିକ୍ରି ପାଇଁ ଏକ ବିକଳ୍ପ ବ୍ୟବସ୍ଥା ପାଇ ପାରିବେ । କୃଷି ଉତ୍ପାଦନ ଓ ବାଣିଜ୍ୟ (ପ୍ରୋତ୍ସାହନ ଏବଂ ସରଳୀକରଣ) ଆଇନ ଦ୍ୱାରା ଚାଷୀ ନିଜ ଉତ୍ପାଦିତ ଶସ୍ୟକୁ ନିଜ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ କୌଣସି ସ୍ଥାନରେ ବିକ୍ରି କରିପାରିବ ତଥା କୌଣସି ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ବା ସିଧା ସଳଖ ଗ୍ରାହକକୁ ମଧ୍ୟ ବିନା ମଧ୍ୟସ୍ଥିରେ ନିଜ ଉତ୍ପାଦିତ ଶସ୍ୟ ବିକ୍ରିକରିପାରିବ । ଏହା ଚାଷୀଙ୍କୁ ତାଙ୍କ ଶସ୍ୟର ଉଚିତ ମୂଲ୍ୟ ପାଇବାରେ ସହାୟକ ହେବ । ଏହି ଆଇନ ଇନ୍‌ଟରନେଟରେ ମଧ୍ୟ ନିଜ ଉତ୍ପାଦିତ ଶସ୍ୟ ବିକ୍ରିର ଅଧିକାର କୃଷକକୁ ଦେଇଛି । ଏହି ଆଇନ ଦ୍ୱାରା ମଣ୍ଡିରେ ଏକ ଚାଟିୟା ରାଜନୈତିକ ଛତ୍ରବାଦ ସମାପ୍ତ ହେବ ଓ ଚାଷୀ ଯେଉଁ ସମୟ ମଣ୍ଡିରେ ଖର୍ଚ୍ଚ କରୁଥିଲା ତଥା ମଣ୍ଡିର ଜଟିଳ ପ୍ରକ୍ରିୟା ପାଇଁ ଯେଉଁ ୨୦ ପ୍ରତିଶତ ଶସ୍ୟ ନଷ୍ଟ ହେଉଥିଲା, ତାହା ମଧ୍ୟ ସୁରକ୍ଷିତ ରହିବ । କୃଷକ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ, ରାଜିନାମା ଓ ସେବା ଆଇନ ଦ୍ୱାରା ଚାଷୀ ବିଭିନ୍ନ ବହୁ ରାଷ୍ଟ୍ରୀୟ କମ୍ପାନୀ, ବ୍ୟବସାୟୀଙ୍କ ସହିତ ଉତ୍ପାଦନ ଆଗରୁ ଚୁକ୍ତିବଦ୍ଧ ହୋଇ ପାରିବେ । ଏହା କୃଷି କ୍ଷେତ୍ରରେ ନିବେଶ ବଢେଇବ ଓ କୃଷକଙ୍କ ପାଖରେ ଉନ୍ନତ ବିହନ, ସାର, ଯନ୍ତ୍ରପାତି ଓ ଟେକ୍ନୋଲୋଜି ପହଂଚାଇବାରେ ସହାୟକ ହେବ । ବିହନ ବୁଣିବା ଆଗରୁ ଚୁକ୍ତିନାମା ପାଇଁ କୃଷକଙ୍କୁ ଅଧିକାର ଥିବାରୁ ଅତ୍ୟଧିକ ଉତ୍ପାଦନ ଓ ଯୋଗାଣ ଦ୍ୱାରା ହେଉଥିବା କ୍ଷତିରୁ ଏହା କୃଷକଙ୍କୁ ରକ୍ଷା କରିବ । ଏହା କୃଷକଙ୍କ ଜମି ଅଧିକାର ଉପରେ କୌଣସି ହସ୍ତେକ୍ଷପ କରିବ ନାହିଁ । ଭାରତରେ ବିଗତ ଦିନରେ କୃଷି ଉତ୍ପାଦନ ଅନେକ ଗୁଣରେ ବୃଦ୍ଧି ପାଇଥିବା ହେତୁ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧିତ) ଆଇନ ଦ୍ୱାରା ଚାଷୀ ତା ଉତ୍ପାଦିତ ସାମଗ୍ରୀର ସଂରକ୍ଷଣ କରିପାରିବ । ଏହି ଆଇନ ଶୀତଲ ଭଣ୍ଡାରରେ କ୍ଷମତା ବୃଦ୍ଧି ତଥା ଗ୍ରାମାଂଚଳରେ ଅନେକ ସ୍ଥାନରେ ନୂତନ ଶୀତଳଭଣ୍ଡାର ପ୍ରତିଷ୍ଠାରେ ସାହାଯ୍ୟ କରିବ । ଯାହା ଖାଦ୍ୟ ସଶୟର ସଂରକ୍ଷଣରେ ସହାୟକ ହେବ ।
ଭାରତ ସ୍ୱର୍ଣ୍ଣ ପକ୍ଷୀ ବା ସୋନେ କି ଚିଡିଆ ବୋଲେଇବା ପଛରେ ଭାରତୀୟ କୃଷକ ଓ କୃଷି କ୍ଷେତ୍ରର ଭୂମିକା ମୁଖ୍ୟ ଥିଲା କିନ୍ତୁ ଦୁଇ ଶହ ବର୍ଷ ପୂର୍ବେ ଇଂରେଜଶାସକଙ୍କ ଚକ୍ରାନ୍ତ ଦ୍ୱାରା କୃଷକ ସର୍ବସ୍ୱ ହରେଥିଲା । ଆଜି ମଧ୍ୟ ପ୍ରତି ବର୍ଷ ୧୦,୦୦୦ରୁ ଅଧିକ କୃଷକ ଅତ୍ମହତ୍ୟା କରୁଛନ୍ତି । ଏହି ପରିସ୍ଥିତରୁ କୃଷକଙ୍କୁ ବାହାର କରିବା ପାଇଁ ତଥା କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଅନେକ କେନ୍ଦ୍ର ସରକାର ବିଭିନ୍ନ ସମୟରେ ସେହି ସମୟର ପରିସ୍ଥିତି ଅନୁରୂପ ଆଇନ ଆଣିଛନ୍ତି ।

nano urea

ବର୍ତ୍ତମାନର କେନ୍ଦ୍ର ସରକାର କୃଷି ସମ୍ପର୍କିତ ଏହି ତିନୋଟି ଆଇନ ଆଣିବା ପୂର୍ବରୁ ବିହାର, ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟ ନିଜ ରାଜ୍ୟରେ ଅନୁରୂପ ଆଇନ ଆଣିସାରିଛନ୍ତି, ଯାହା ମଣ୍ଡି ବାହାରେ କୃଷକଙ୍କୁ ନିଜ ଉତ୍ପାଦ ବିକ୍ରିର ଅଧିକାର ଦେଇଛି । ଭାରତରେ ସମସ୍ତ ଉତ୍ପାଦକ ନିଜ ଉତ୍ପାଦର ମୂଲ୍ୟ ନିଜେ ସ୍ଥିର କରନ୍ତି କିନ୍ତୁ ଦୁର୍ଭାଗ୍ୟକୁ କୃଷକ ତା ଉତ୍ପାଦିତ ଶସ୍ୟର ମୂଲ୍ୟ ନିଜେ ସ୍ଥିର କରିବାରେ ଅସମର୍ଥ ଥିଲା । ଏହି ତିନୋଟି ଆଇନ କୃଷକଙ୍କୁ ତାଙ୍କ ଉତ୍ପାଦର ମୂଲ୍ୟ ସ୍ଥିର କରିବାର ଅଧିକାର ଦେବ ଓ ଭାରତୀୟ କୃଷିରେ ମଧ୍ୟସ୍ଥି ବା ଦଲାଲ ରାଜ ସମାପ୍ତ ହେବ । ଭାରତୀୟ ଗ୍ରାହକ ମଧ୍ୟ ବସ୍ତାବିକ ମୂଲ୍ୟରେ ଖାଦ୍ୟ ସାମଗ୍ରୀ କିଣି ପାରିବେ । ଏହି ତିନୋଟି ଆଇନ ଦ୍ୱାରା ଭାରତର ୫୮ ପ୍ରତିଶତ ଜନତାଙ୍କୁ ରୋଜଗାର ଦେଉଥିବା କୃଷି କାର୍ଯ୍ୟ ଏକ ଲାଭ ଜନକ ବ୍ୟବସାୟରେ ପରିଣତ ହେବାର ସମ୍ଭାବନା ଉଦ୍ରେକ ହୋଇଛି, ଯାହା ଗ୍ରାମାଂଚଳରେ ଏହା ଏକ ନୂତନ ଅର୍ଥନୈତିକ ବିପ୍ଲବକୁ ତ୍ୱରାନ୍ୱିତ କରିବ ।

ରିତେଶ ପୃଷେଠ
ମୋ. ୭୯୭୮୫୬୭୭୮୨

Leave A Reply

Your email address will not be published.

1 × three =