କୃଷି ବିଜ୍ଞାନ ପାଠ୍ୟକ୍ରମ – କୁଣ୍ଠା ନୁହେଁ ଶ୍ରଦ୍ଧା ଆବଶ୍ୟକ

0

ଶିକ୍ଷା ମଣିଷ ଜୀବନର ଏକ ସ୍ୱତନ୍ତ୍ର ଅନୁଭବ ଯାହା ମୁକ୍ତି ପ୍ରଦାନ କରେ । ଯିଏ ସାରସ୍ୱତ ଜ୍ଞାନର ବିକାଶ କରେ । ଚାକିରୀ ଜୀବନର ସବୁଠୁ ବଡ ଆଶା – ଏହାକୁ ଅସ୍ୱୀକାର କରାଯାଇନପାରେ । ଟଙ୍କା ହିଁ ମୋହ ସର୍ବସ୍ୱ ଦୁନିଆର ବ୍ରହ୍ମାସ୍ତ୍ର । ପିଲାଟିଏ ପରିବାରରୁ ହିଁ ପାଠପଢା ଆରମ୍ଭ କରେ । ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରେ । ‘ସା ବିଦ୍ୟା ଯା ବିମୁକ୍ତୟେ’ ର ମନ୍ତ୍ରରେ ମନ୍ତ୍ରିତ ହୁଏ । ଯେଉଁ ଶିକ୍ଷା ମଣିଷର ସକଳ ଦ୍ୱାରକୁ ଉନ୍‌ମୋଚନ କରିଥାଏ । ସେ ଶିକ୍ଷା କ’ଣ ସତରେ ଆଜି ଦେଖାଯାଉଛି? ଅର୍ଥ ସର୍ବସ୍ୱ ଶିକ୍ଷାଦାନ ଆଜିର ସମାଜରେ ଏକ ଭିନ୍ନ ମୋଡ ନେଇଛି। ବିଦ୍ୟାଳୟର ଶିକ୍ଷା ସମାପ୍ତ ପରେ ପିଲାଟିଏ କଲେଜ/ ମହାବିଦ୍ୟାଳୟରେ ନିଜର ଶିକ୍ଷା ସମାପ୍ତ କରେ । ଆଉ ଏହା ପରେ ଆସିଯାଏ ଏକ ବିରାଟ ପ୍ରଶ୍ନବାଚୀ । ପ୍ରଶ୍ନ ଏଇଟା ଆସେ କି ପିଲା ଏହା ପରେ କ’ଣ କରିବ? ଏଇ ପ୍ରଶ୍ନଟି ସହ ଆମ ବୟସର ସବୁ ପିଲାମାନେ ଭଲ ଭାବରେ ଜଡିତ ।

କିନ୍ତୁ ଏକବିଂଶ ଶତାବ୍ଦୀରେ ଆଜିର ଦିନରେ ଶିକ୍ଷା ଲାଭ କରିବା ପାଇଁ ବିଭିନ୍ନ ପ୍ରକାର ବିଭାଗ ଖୋଲିଲାଣି । ପିଲାଟିଏ ଯେ କୌଣସି ବିଭାଗରେ ପାଠ ପଢ଼ି ନିଜର ଦକ୍ଷତା ପ୍ରତିପାଦନ କରିପାରୁଛି । ମାଟ୍ରିକ ପାସ୍‌ କଲାପରେ ଅଭିଭାବକମାନେ ଚିନ୍ତା କରନ୍ତି ପିଲା ଡାକ୍ତର ହେବ ନହେଲେ ଆଇ.ଆଇ.ଟି ଇଞ୍ଜିନିୟର ହେବ । କିନ୍ତୁ ଏସବୁ ଭିତରେ ଗୋଟେ କଥା ନିର୍‌ଦ୍ୱନ୍ଦରେ ନିଦ୍ୱନ୍ଦରେ କୁହାଯାଇପାରେ ଯଦି ଜଣେ ପିଲା ଡାକ୍ତରୀ ଶିକ୍ଷା ପଢିବାକୁ ଅସମର୍ଥ, ଜଣେ ଯଦି ସଙ୍ଗୀତ କି ନାଚ କ୍ଷେତ୍ରରେ ପାରଙ୍ଗମ, ଜଣେ ଯଦି କୃଷି ଶିକ୍ଷା ପାଇଁ ଇଛୁକ ତେବେ ଏଥିପାଇଁ ପ୍ରତିରୋଧ କରାଯିବା କଣ ଠିକ୍‌?

ମୋ ରାଜ୍ୟ ଓଡ଼ିଶା ଉଡ୍ରର ପରିବର୍ଦ୍ଧିତ ସଂସ୍କରଣ, ଆମ ରାଜ୍ୟ କୃଷିକର୍ମଣ ପୁରସ୍କାରରେ ପୁରସ୍କୃତ । ତେବେ ଆଜିକାଲି ଯୁବ ସମାଜ ହେଉ କି ଅଭିଭାବକ ସଭିଏଁ କୃଷି ପାଠ୍ୟକ୍ରମ ପ୍ରତି ବିମୁଖ, ସମସ୍ତଙ୍କର ଅନାଦର । କୃଷି ଓ କୃଷକର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରିବା ସହ କୃଷିର ବିକାଶ କିପରି ଦେଶର ଅର୍ଥନୀତିର ବିକାଶର ସାହାଯ୍ୟ କରିପାରିବ, ଏଥିପାଇଁ ଗୁରୁତ୍ୱ ଦେଉଛନ୍ତି । ଓଡିଶାରେ କୃଷି ବିଶ୍ୱବିଦ୍ୟାଳୟରେ ସମ୍ପ୍ରତି ବିଭିନ୍ନ ବିଭାଗମାନ କାର୍ଯ୍ୟରତ । କ୍ଷେତ୍ର ବିଜ୍ଞାନ, ମୃତ୍ତିକା ବିଜ୍ଞାନ, ବିହନ ବିଜ୍ଞାନ, କୀଟତତ୍ତ୍ୱ ବିଭାଗ ପରି ବିଭିନ୍ନ ବିଭାଗରେ ଆଜି ଯୁବସମାଜ ଅଧୟନ କରି ବିଶିଷ୍ଟ ସ୍ଥାନରେ ଅବସ୍ଥାପିତ । କୃଷି ଯେ ଜଣକୁ ବଞ୍ଚିବାର ରାହା ଯୋଗାଏ, ତା ପାଇଁ ଏତେ ଅନାଦର କ’ଣ ପାଇଁ?

nano urea

କୃଷିବିଜ୍ଞାନ କେନ୍ଦ୍ରରେ ଆଜି କୃଷି ଛାତ୍ରଛାତ୍ରୀ ମାନେ କାର୍ଯ୍ୟରତ । ସେମାନେ କେଉଁ ଗୁଣରେ କମ୍‌? ନା ସେମାନେ ଚାକିରୀ କରୁନାହାନ୍ତି ନା ସେମାନେ ଅର୍ଥ ଉପାର୍ଜନ କରୁନାହାନ୍ତି? ତେବେ କହିବା କଥା ଆଜିବି ଲୋକଙ୍କ ମନରେ ସେହି ପାରମ୍ପରିକ ଚିନ୍ତାଧାରା ଏବେବି ରହିଛି ଯେ – ପିଲାଟା କୃଷି ପାଠ୍ୟକ୍ରମ ପଢୁଛି, ଚାଷବାସ କରିବ ତ, ଆଉ ବା କଣ କରିବ? କଥାଟା ବାଧିଲେ ବି ଏହା ଅପ୍ରିୟ ସତ । ବହୁତ ଦିନ ପରେ ମୋ କଲମ ବି ବାଧ୍ୟ୍ୟ କଲା ଏହାକୁ ସର୍ବସମ୍ମୁଖରେ ଉନ୍‌ମୋଚନ କରିବା ପାଇଁ । ଲୋକଙ୍କର ସେହି ଚିନ୍ତାଧାରାରେ ଆଜି ଅଭିଭାବକ ଓ ଯୁବପିଢ଼ୀ ମାନେ ପ୍ରଭାବିତ । ପରନ୍ତୁ କୃଷି ପାଠ୍ୟକ୍ରମର ବିଭିନ୍ନ ସୁଯୋଗ ସମ୍ପର୍କରେ ଆଜିବି ଅଧିକାଂଶ ଅଜ୍ଞ । ଆଜି କୃଷିକୁ ଆଦରି ଅନେକ ଯୁବଗୋଷ୍ଠୀ ସ୍ୱାବଲମ୍ବୀ । ଗାଁ ଗାଁରେ ଆଜି କୃଷିର ଷ୍ଟାର୍ଟଅପ୍‌ । ଗାଁ ପୋଖରୀରେ ମଧୁର ଜଳ ମାଛଚାଷ , ଘରେ ଘରେ ପାକଶାଳା ବଗିଚା , ଛାତ ଉପରେ ରୁଫଟପ ଗାଡେର଼୍ନିଂ ଆଉ ତା ସହ କୃଷି ଆଜି ଯୁବଗୋଷ୍ଠୀକୁ ସ୍ୱାବଲମ୍ବୀ ଆଉ ରୋଜଗାରର ବାଟ ଦେଖାଇଛି । ବହାରେ ଦାଦନ ନୁହେଁ ବରଂ ନିଜ ଗାଁ ମାଟିରେ ସୁନା ଫଳାଉଛନ୍ତି ଅନେକ ଲୋକ । ବାସ୍‌ ଏମାନଙ୍କୁ ଦରକାର ଆଉ ଟିକେ ପ୍ରୋତ୍ସାହନ ଆଉ ସହଯୋଗ । ଏହି ସହଯୋଗ କୃଷି ବିଜ୍ଞାନ ଛାତ୍ରଛାତ୍ରୀ ଅତି ସହଜ ଓ ସରଳ ଉପାୟରେ ଦେଇପାରିବେ ।

୧୯୯୯ର ମହାବାତ୍ୟା ହେଉ , ହୁଡହୁଡ, ତିତଲି , ଫନି ପରି ବାତ୍ୟାର ବିଭୀଷିକା ହେଉ କି ଚକଡା ପୋକର ବିତ୍ପାତ ହେଉ , ଏସବୁଥିରେ ବେଶ ଦୃଢ଼ ମନୋବଳ ସହ ଚାଷୀ ଏହାକୁ ସାମ୍ନା କରିଛି , ମୁକାବିଲା ବି କରିଛି ଆଉ ଅଣ୍ଟା ସଳଖି ଠିଆ ହେଇଛି । ଯେଉଁ ବାତ୍ୟା ଦିନେ ଚାଷ ଜମିକୁ ବିପର୍ଯ୍ୟସ୍ତ କରିଥିଲା , ପୁଣି ସେ କ୍ଷେତରେ ଫରଫର ହେଇ ଧାନ କେଣ୍ଡା ହସିଛି , ପୁଣି ସୋରିଷର ମହମହ ବାସ୍ନା ସାଙ୍ଗକୁ ହଳଦୀର ଆବରଣରେ ପରିବେଶ ବି ମୁଗ୍ଧ ହୋଇଛି । କିନ୍ତୁ ଚାଷୀ କେବେ ବସିନି । ଚାଷୀ ମନଦୁଃଖ କରିଛି , ଅନୁତାପ କରିଛି କିନ୍ତୁ ନିଜ କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହୋଇନାହିଁ । ସେ ସୃଷ୍ଟି କରିଛି ଆଦର୍ଶ ଓ ବାସ୍ତବତାର ନୂଆ ଏକ ରୂପରେଖ । ସେ କାଦୁଅ ବିଲରେ ପଶେ କିନ୍ତୁ ଶେଷରେ ସୁବର୍ଣ୍ଣର ମାହୋଲ ବି ରଚନା କରିଦିଏ । ଆଉ ଏଇ କରୋନାର ଭୟାବହତା ଆଉ ଡର ଭିତରେ ସମସ୍ତେ ଆମେ ଘରେ ସୁରକ୍ଷିତ ରହୁଛନ୍ତି ସତ କିନ୍ତୁ ଚାଷୀର ମନ ସେଇ ଚାଷ ଜମିରେ । ସେ ପରା ତାର ମାନସ ସନ୍ତାନ । ଦିହେଁ ଦୁହିଁକୁ ଛାଡି କେମିତି ବି ରହିବେ । ବର୍ଷ ବର୍ଷ ଧରି ଏଇ ଅତୁଟ ସମ୍ପର୍କକୁ ଯିଏ ଛିନ୍ନ କରିପାରିନି , ଏ ଭୟାବହତା କଣ ବା କରିବ । ଆଜି ବି ଚାଷୀ ଚାଷ ଜମିରେ ବେଶ ଖୁସିରେ ଚାଷ କରୁଛି । କୃଷି ବିଜ୍ଞାନ ପାଠ୍ୟକ୍ରମ ପଢ଼ି ଚାଷୀକୁଳକୁ ଉପଯୁକ୍ତ ମାର୍ଗଦର୍ଶନ ଦେବାର ସମୟ ଆସିଛି । ଚାଷ ଏକ ଛୋଟ କଥା ନୁହେଁ । ଏହା ମାଟି ସହ ମାଟିର ସମ୍ପର୍କ । ସୁତରାଂ ଛାତ୍ରଛାତ୍ରୀ ମାନଙ୍କୁ ଯଦି ନିଜ ଇଚ୍‌ଛା ଅନୁସାରେ ପାଠ୍ୟକ୍ରମକୁ ଚୟନ କରି ଶିକ୍ଷା ଗ୍ରହଣ କରନ୍ତେ ବୋଧହୁଏ ଭବିଷ୍ୟତରେ ଏହା ସାହାଯ୍ୟ କରିପାରିବ । କୃଷି ପାଠ୍ୟକ୍ରମକୁ ଅନାଦର ନକରି ଏହାର ସୁଯୋଗ ଦିଗରେ ଅନୁଧ୍ୟାନ କରନ୍ତୁ । କୃଷିର ବୃହତ୍ତର ଦିଗକୁ ଖୋଜନ୍ତୁ । ସବୁ ଶିକ୍ଷା ପରି କୃଷି ବିଜ୍ଞାନ ବି ବର୍ତ୍ତମାନ ସମୟରେ ପିଲାମାନଙ୍କ ପାଇଁ ଏକ ବଡ ସୁଯୋଗ । ମନରୁ ପାରମ୍ପରିକ ଚିନ୍ତାରୁ କାଢନ୍ତୁ । ଲୋକଙ୍କ କଥାକୁ ନଶୁଣି ନିଜେ ନିଜ ଲକ୍ଷ୍ୟରେ ରୁହନ୍ତୁ । ଦେଖିବେ ସଫଳତା ନିଶ୍ଚୟ ଆପଣଙ୍କ ପାଦସ୍ପର୍ଶ କରିବ ।

ଡ଼ି ଶୁଭମ୍‌ , ସମ୍ପାଦକ- ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ

Leave A Reply

Your email address will not be published.

two × 3 =