ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଭିତ୍ତିକ ଉଦବୋଧନ ଦେବା ବେଳେ ସବୁବେଳେ ଜୈବିକ ଚାଷ, ପ୍ରାକୃତିକ ଚାଷର କଥା ଦୋହରାଇଥାନ୍ତି । ପ୍ରକୃତିକୁ ନେଇ ଚାଷ କରିବାର ଆହ୍ୱାନ କୁ ଆମକୁ ଗ୍ରହଣ କରିବାକୁ ହେବ । ବେକ୍ ଟୁ ବେସିକ୍ସ୍ ବା ମୂଳକୁ ଫେରିବାର ମନ୍ତ୍ରରେ ଆମେ ମନ୍ତ୍ରିତ ହେବା । ଏହାର ଅର୍ଥ ବର୍ଷ ବର୍ଷ ପୂର୍ବେ ଆମ ଜେଜେ ଅଜାଙ୍କର ସମୟକୁ ଆମକୁ ଫେରିବାକୁୁ ପଡ଼ିବ ।
ଆଜି ଗାଁରେ ଶଗଡ଼ ନାହିଁ ,ଗାଇ ନାହଁ , ଗୁହାଳ ନାହିଁ, ଢ଼ିଙ୍କି ନାହିଁ। ଏସବୁ ଅଭାବ ଏତେ ମାତ୍ରାରେ ପରିଲକ୍ଷିତ ହେଲେ ଆମ ପର ପିଢ଼ି ତ ଏସବୁ ଜାଣିପାରିବେନି । ଶଙ୍କର ନୁହଁ ଦେଶୀ ବିହନକୁ ଘରେ ସାଇତି ନିଜେ ଚାଷ କରି ଗାଁ ଲୋକଙ୍କୁ ଦେବା ସହ ସେମାନଙ୍କ ମନରେ ପ୍ରକୃତିକୁ ନେଇ ଚାଷ କରିବାର କଥାକୁ ବଝାଇବାକୁ ପଡ଼ିବ । ପରିବେଶର ପରିଚିନ୍ତାକୁ ଅଧିକ ରୁ ଅଧିକ ପ୍ରସାରିତ କରିବାକୁ ହେବ। ଏ ଦିଗରେ କୃଷକ କର୍ମଶାଳା ମାନ ଆୟୋଜନ କରାଯାଇ ବୁଝାଇବାକୁ ହେବ । କେବଳ ହାଣ୍ଡିଖତ, ଜୀବାମୃତ, ବୀଜାମୃତ କହି ବୁଝାଇଦେଲେ ନୁହେଁ ବରଂ ଏହାକୁ ନିରୀକ୍ଷଣ କରିବାର ଦାୟିତ୍ୱ ନେବାକୁ ପଡ଼ିବ । ଏ ଦିଗରେ ଆମେ ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ଉଦାହରଣକୁ ନେଇପାରିବା । ଜଣେ ରାଜ୍ୟପାଳ ହୋଇ କୃଷି ଓ କୃଷକଙ୍କ ଦିଗରେ ପ୍ରକୃତିକୁ ନେଇ ଚାଷ କରିବାର ଅନୁଭୂତିକୁ ଆପଣ ମାନେ ୟୁଟ୍ୟୁବରେ ମଧ୍ୟ ଶୁଣି ପାରିବେ । ତେବେ କୃଷକ ଉତ୍ପାଦକ ସଂଗଠନ, କୃଷକ ନେତା , ପଂଚାୟତ ସ୍ତରର ଅଧିକାରୀ ମାନେ ଚାଷୀମାନଙ୍କୁ ଏ ଦିଗରେ ସଚେତନ କରାଇ ପ୍ରକୃତିକୁ ସାଥ କରି ଚାଷ କରିବାର ଉପଯୋଗିତାକୁ ବୁଝିବା ଓ ବୁଝାଇବାର ଆବଶ୍ୟକତା ଅଛି ।
ଗ୍ରାମୀଣ ଜୀବନର ପରିଭାଷା ସବୁବେଳେ ସ୍ୱତନ୍ତ୍ର । ଗାଁ ମାଟିର ବାସ୍ନା ଆଜି ବି ସମସ୍ତଙ୍କୁ ମୋହିତ କରେ । ସହରୀକରଣ ଭିତରେ ଆମେ ଯେବେ ଶିଳ୍ପ ବିପ୍ଲବର କଥା କହୁ ସେବେ ଗ୍ରାମୀଣ ଜୀବନର ଅକୁହା କଥା ମନକୁ ଆନ୍ଦୋଳିତ କରେ । ଗାଁ ରୁ ହିଁ ଆରମ୍ଭ ହୁଏ ଯେକୌଣସି ଯୋଜନାର ସଫଳତାର ଫର୍ଦ୍ଦ । ଏହି ଉପକ୍ରମରେ ଗାଁର ଅସଜଡ଼ା କଥାକୁ ସଜାଡ଼ିବାରେ ପଂଚାୟତର ଭୂମିକା ଅନିବାର୍ଯ୍ୟ । ପଂଚାୟତିରାଜ ଦିବସର ଇତିହାସ ଭାରତର ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବା ସହ ଗାଁର ଲୋକମାନଙ୍କ ମତ ପରିପ୍ରକାଶ କରିବାରେ ମଧ୍ୟ ଯଥାସମ୍ଭବ ସାହାଯ୍ୟ କରେ । ଭାରତର ପାରମ୍ପରିକ ଗ୍ରାମ ପରିଷଦ ବ୍ୟବସ୍ଥା, ପଂଚାୟତିରାଜ ବ୍ୟବସ୍ଥାର ଏକ ଦୀର୍ଘ ଇତିହାସ ରହିଛି, ଯାହା ପ୍ରାଚୀନ କାଳରୁ ଆରମ୍ଭ ହୋଇଥିଲା। କୃଷି, ଜଳ ଏବଂ ପରିମଳ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସହିତ ଜଡିତ ବିଭିନ୍ନ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମ ଏବଂ ପଦକ୍ଷେପଗୁଡ଼ିକର ତଦାରଖ ଏବଂ କାର୍ଯ୍ୟକାରୀ କରିବା ସହ ଗାଁରେ ଭିତ୍ତିଭୂମିର ବିକାଶ ଦିଗରେ ପଂଚାୟତର ଭୂମିକା ସର୍ବାଗ୍ରେ ଥାଏ ।
ଆମେ ଯେବେ ବି ଚାଷର କଥା କହୁ, ଚାଷୀର କଥା କହୁ ସବୁବେଳେ ଗାଁ ର କଥା ଆସେ । ଗ୍ରାମୀଣ ଜୀବନରେ ଚାଷର ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ଅର୍ଥନୀତିକୁ ସୁଧାରିବାରେ ଏହା ସେତିକି ମୁଖ୍ୟ । ରାଜ୍ୟ ତଥା ଦେଶର ବିକାଶରେ କୃଷିକୁ ପ୍ରଥମ ଇଂଜିନ କୁହାଯାଉଥିବା ବେଳେ ଏହାର ମୂଳଭିତ୍ତି ଆମ ସମସ୍ତଙ୍କ ସହଭାଗିତା ଉପରେ ନିର୍ଭର କରେ । ଗାଁ ମାଟିରୁ କିପରି ଏହି ସଫଳତାର ଧ୍ୱଜା ପ୍ରତିଟି ଜିଲ୍ଲା,ରାଜ୍ୟ ଓ ଦେଶରେ ପହଁଚିବ ତାହାର କର୍ତ୍ତବ୍ୟ ଆମ ମାନଙ୍କର । ଏ ଦିଗରେ ଜୈବ ଚାଷର ଭୂମିକା କଥା କାହାକୁ ବୁଝାଇବାର ଆବଶ୍ୟକତା ନାହିଁ । କାରଣ ଆମେ ନିଜେ ଜାଣିଛନ୍ତି ଜୈବ ଚାଷ ଓ ଏହାର ଉପକାରିତା ବିଷୟରେ । ତେବେ ୨୦୩୬ରେ ଆମ ପ୍ରଦେଶ ଗଠନ ହେବାର ୧୦୦ ବର୍ଷ ବା ଶତବାର୍ଷିକ ପାଳନ ହେବ । ସରକାର ସବୁ ବର୍ଗର ଲୋକମାନଙ୍କ ଠାରୁ ମତାମତ ସଂଗ୍ରହ କରି ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରଚେଷ୍ଟା କରୁଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ଯେକୌଣସି କୃଷି ଭିତ୍ତିକ କାଯ୍ୟକ୍ରମରେ ଜନସାଧରଣ ଓ କୃଷକ ମାନଙ୍କୁ ସମ୍ବୋଧନ କଲା ବେଳେ ସବୁବେଳେ ଜୈବ ଚାଷ ଓ ଚିରସ୍ଥାୟୀ କୃଷି ଦିଗରେ ପ୍ରବର୍ତ୍ତାଉଛନ୍ତି । ତେବେ ଏ ଦିଗରେ ପ୍ରତି ପଂଚାୟତରେ ଜୈବ କୃଷକ ସମୂହ ଗଠନ ଦିଗରେ କାର୍ଯ୍ୟ କରିବା ଆମ ସମସ୍ତଙ୍କ ପାଇଁ ଆହ୍ୱାନ ହେଉ ।
ଋାସାୟନିକ ଚାଷ ଅମଳ ଆଉ ଉତ୍ପାଦନ ବଢ଼ାଏ ଆଉ ଜୈବ ଚାଷରେ ଉତ୍ପାଦନ ଅପେକୃତ କମ୍ ଏକଥା ସମସ୍ତେ ଜାଣନ୍ତି । ଏହାକୁ ଜାଣି ବି ଅନେକ ଜଣ ଜୈବ ଚାଷକୁ ବିରୋଧ କରନ୍ତି । କିନ୍ତୁ ଆପଣ ଆଜି ଗାଁ ଗାଁକୁ ଯାଆନ୍ତୁ ଦେଖିରେ ଜୈବ ଚାଷର ମାହୋଲକୁ । ଆପଣଙ୍କୁ କହିବାକୁ ପଡ଼ିବନି ବରଂ ପ୍ରତିଟି ଗାଁର ଚାଷୀ ନିଜେ କହିବେ ଜୈବ ଚାଷର ଉପକାରିତା । ଆମେ ଚିରସ୍ଥାୟୀ କୃଷି ଦିଗରେ କାର୍ଯ୍ୟ କରୁଛୁ । ଏଦିଗରେ ଜୈବ ଚାଷର ପ୍ରସାର ଦିଗରେ ସେତିକି କାର୍ଯ୍ୟ କରିବା ଆବଶ୍ୟକ । ଅମଳ ବୃଦ୍ଧି ଆଉ ଅଧିକ ଟଙ୍କା ଆଶାରେ ଆମେ ନିଜ ଜ୍ଞାତ ସାରରେ ଯଦି ନିଜ ପରିବାର ଲୋକଙ୍କୁ ବିଷ ଖୁଆଇବା , ଏହା ଠାରୁ ବଡ଼ ପାପର କଥା କିଛି ବି ନ ହୋଇପାରେ । ୧୯୬୦ ମସିହାରେ ସବୁଜ ବିପ୍ଳବ କୃଷି କ୍ଷେତ୍ରରେ ସମଗ୍ର ପରିସ୍ଥିତିକୁ ବଦଳାଇ ଦେଇଥିଲା ଯେଉଁଠାରେ ଚାଷୀମାନଙ୍କୁ ଖାଦ୍ୟ ସୁରକ୍ଷା ବଜାୟ ରଖିବା ପାଇଁ ଅଧିକ ଅମଳକ୍ଷମ ବିହନ ଏବଂ ସାର ସହିତ ପରିଚିତ କରାଯାଇଥିଲା । ଏହା ଉତ୍ପାଦନ ବୃଦ୍ଧି ଲାଭ ସୁନିଶ୍ଚିତ କରିଥିଲା କିନ୍ତୁ ଶେଷରେ ସାରର ଅତ୍ୟଧିକ ବ୍ୟବହାର ଯୋଗୁଁ ଜମି ଅନୁର୍ବର ହୋଇପଡୁଥିଲା । ଯେତେ ଅଧିକ ଅମଳକ୍ଷମ ବିହନ ଜମିରେ ବ୍ୟବହାର କରାଯାଏ , ଗଛ ସେତେ ଅଧିକ ପୋଷକତତ୍ତ୍ୱ ମାଟିରୁ ଗ୍ରହଣ କରିବାକୁ ବାଧ୍ୟ ହୁଏ ।
ଏବେ ପଂଚାୟତ ସ୍ତରରେ ଜୈବ କୃଷକ ସମୂହ ଆମେ ଗଠନ କରିବାର ଆବଶ୍ୟକତା କଥା ଆଲୋଚନା କରିବା । ଆପଣ ଯେବେ ଗାଁ ରେ ଚାଷୀ ମାନଙ୍କ କଥା ବିଚାରକୁ ନେବେ ସେବେ ପ୍ରତିଟି ଗାଁରେ କିଛିଟା କୃଷକ ସମୂହ ରହିଥାନ୍ତି । ଆଜିକାଲି ଅନେକ ଗୁଡ଼ିଏ ଏଫ.ପି.ଓ ବା କୃଷକ ଉତ୍ପାଦକ ସଂଗଠନ ମାନ ଗାଁ ମାନଙ୍କରେ ଗଠନ ହେଲାଣି । କିନ୍ତୁ ଗାଁର କଥା ଟିକେ ଅଲଗା । ଚାଷ ବାସ ସାରି ସଂଧ୍ୟାରେ ଗାଁର ଚାଷୀ ଯେବେ ଏକାଠି ହୁଅନ୍ତି ଅନେକ କଥା ସେଠାରେ ଆଲୋଚନା ହୁଏ । ପ୍ରତ୍ୟକ୍ଷ ଭାବରେ ଏହାର ଅନୂଭୂତି ମୁଁ ନେଇଛି । ଅନେକ ସମୟରେ ଯେବେ କ୍ଷେତ୍ର ପରିଦର୍ଶନରେ ଗାଁ ମାନଙ୍କୁ ଯାଉ ସେବେ ସଂଧ୍ୟାରେ ସେଠାରେ ସମୟ ଅତିବାହିତ କରି ଗ୍ରାମୀଣ ଅର୍ଥନୀତିକୁ ବୁଝିବାକୁ ଚେଷ୍ଟା କରୁ । ସେବେ ଉପଲବ୍ôଧ ହୁଏ ଯେ ଗାଁରେ ଚାଷୀ ସମୂହ ହିଁ ବିକାଶର ମଙ୍ଗ ଧରିବା ପାଇଁ ପ୍ରକୃଷ୍ଟ । ପଂଚାୟତ ସ୍ତରରୁ ଏହା ଆରମ୍ଭ ହୋଇ ଜଣେ ଜଣେ ଅଧିକାରୀ ଗାଁ ମାନଙ୍କରେ ଏହି କାଯ୍ୟକୁ ପରିଚାଳନା କରିବା ଦିଗରେ ସାହାଯ୍ୟ କରିବା ଆବଶ୍ୟକ । ଏହି ଜୈବ କୃଷକ ସମୂହ ବା ଅର୍ଗାନିକ ଫାର୍ମର କ୍ଲଷ୍ଟର ସବୁ ପଂଚାୟତରେ ଗଠନ ହେବା ଜରୁରୀ । ଯଦି ଆମେ ଜୈବ ଚାଷକୁ ଅଧିକରୁ ଅଧିକ ପ୍ରସାର କରିବାକୁ ଚାହିଁବା ଏହାର ଗୁରୁତ୍ୱ ଅନେକ ପରିମାଣରେ ଥାଏ ।
ପ୍ରଥମରେ ପଂଚାୟତ ସ୍ତରରେ ଏହି ଜୈବ କୃଷକ ସମୂହ ସବୁସମୟରେ ଗାଁ ମାନଙ୍କରେ ଜୈବ ଚାଷର ଉପକାରିତା ସହ ଏହାର ବର୍ତ୍ତମାନ ସ୍ଥିତି ବିଷୟରେ ଚାଷୀ ତଥା ସାଧାରଣଲୋକ ମାନଙ୍କୁ ଅବଗତ କରାଇବେ । ସାର ବିଷ ବନାମ ଜୈବ ସାର ଏହାର କାଯ୍ୟଶୈଳୀ ତଥା ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଚାଷୀ ମାନଙ୍କୁ ବୁଝାଇବେ । କର୍ମଶାଳାର ଆୟୋଜନ ପୂର୍ବକ କେବଳ ପ୍ରଶିକ୍ଷଣ ନୁହେଁ , ବରଂ ଏହାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରି ଏହାକୁ କିପରି ଚାଷୀ ନିଜ ଜମିରେ ପ୍ରୟୋଗ କରିବେ ସେ ଦିଗରେ କାର୍ଯ୍ୟକରିବାକୁ ପଡ଼ିବ । ଆମେ ସମସ୍ତେ ଜାଣିଛୁ ଏଥିରେ ଉତ୍ପାଦନ ଅପେକ୍ଷାକୃତ କମ୍ । କିନ୍ତୁ ଏହାକୁ ଭାବି ଯଦି ଆମେ ମାଟିରେ ଅଧିକ ରୁ ଅଧିକ ସାର ବିଷ ପ୍ରୟୋଗ କରିବା ଏହା ଆମକୁ ଅଧିକ ଅମଳ ପଛେ ନ ଦେଇପାରୁ କିନ୍ତୁ ଶରୀରକୁ ସୁସ୍ଥ କରିବା ସହ ଏହା ସବୁଜ ପରିବେଶ ଗଠନ ଦିଗରେ ସହାୟକ ହେବ । ଜୀବାମୃତ , ଘନଜୀବାମୃତର ଉପକାରିତାକୁ କେବଳ ପାଟିରେ କହିଦେଲେ ନୁହେଁ ବରଂ ଏହାକୁ ପ୍ରୟୋଗ କରି କିପରି ମାଟିରେ ଅଣୁଜୀବଙ୍କ ସଂଖ୍ୟା ବଢ଼ିବ ତାହାକୁ ଚାଷ ଜମିରେ ପ୍ରୟୋଗ କରିବାକୁ ପଡ଼ିବ ।
ରାଜ୍ୟ ତଥା କେନ୍ଦ୍ର ସ୍ତରରେ ଜୈବ ଚାଷର ପ୍ରସାର ଦିଗରେ କାମ କରୁଥିବା ଅନୁଷ୍ଠାନ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେଇ ଏହି କ୍ଲଷ୍ଟର ଗୁଡ଼ିକର ଉନ୍ନତ କାଯ୍ୟଶୈଳୀ ଦିଗରେ ଚେଷ୍ଟା କରିବା ଆବଶ୍ୟକ । ଏହି କୃଷକ ସମୂହ ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ସରକାରୀ ଯୋଜନା ସହାୟତାରେ ନିଜର ଏଫ.ପିଓ ଗଠନ କରିପାରିବେ । ପଂଚାୟତର ସରପଂଚ ମାନେ ଏ ଦିଗରେ ଏକ ପାଇଲଟ ମୋଡ଼ରେ କାର୍ଯ୍ୟ କରିବା ଆବଶ୍ୟକ । ସପ୍ତାହରେ ଥରେ ଅନ୍ତତଃ ପ୍ରତି ଗାଁକୁ ଯାଇ ଏହି କୃଷକ ସମୂହ ମାନଙ୍କ ମନୋବଳ ବୃଦ୍ଧି କରିବାରେ ସାହାଯ୍ୟ କରିପାରିବେ । ପ୍ରଥମାବସ୍ଥାରେ କିଛି କିଛି ପଂଚାୟତରୁ ଏହା ଆରମ୍ଭ ହେଲେ ପରବର୍ତ୍ତୀ ଅବସ୍ଥାରେ ଏହା ସମ୍ପୂର୍ଣ୍ଣ ଓଡ଼ିଶାରେ ପରିବ୍ୟାପ୍ତ ହୋଇପାରିବ ।
ଏହି କୃଷକ ସମୂହ ଦେଶୀ ବିହନ ସଂରଣ କରିବା ଦିଗରେ କାର୍ଯ୍ୟ କରିବା ସହ ଅନ୍ୟ ଇଚ୍ଛୁକ ଚାଷୀ ମାନଙ୍କୁ ଏହାକୁ ପରୋକ୍ଷରେ ଯୋଗାଇ ଦେବାର ମାନସିକତା ସବୁ ଚାଷୀଙ୍କ ପାଖରେ ରହିବାର ଅବାଶ୍ୟତକା ଅଛି । ଏହି ଜୈବ କୃଷକ ସମୂହ ମାନଙ୍କର ଉତ୍ପାଦ କିପରି ସଠିକ ଭାବେ ବିକ୍ରୟ ହୋଇପାରିବ ସେ ଦିଗରେ ସରକାରୀ ଓ ବେସରକାରୀ ସ୍ତରରେ ଚିନ୍ତା କରିବାର ଅଛି । ଓଏନଡ଼ିସି ପ୍ଲାଟଫର୍ମ ମାଧ୍ୟମରେ ଚାଷୀ ମାନେ ନିଜ ଉତ୍ପାଦକୁ ବିକ୍ରୟ କରିପାରିବେ । ଜୈବ ଉତ୍ପାଦକୁ ପ୍ରମାଣିକରଣ କରିବା ସହ ପ୍ରମାଣିତ ଉତ୍ପାଦକୁ ଜାତୀୟ ଓ ଅନ୍ତଜାର୍ତୀୟ ବଜାରରେ ବିକ୍ରୟ କରିବା ଦିଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉ । ଚାଷୀଙ୍କ ଉତ୍ପାଦ ବିକ୍ରୟ ହୋଇପାରିଲେ ହିଁ ସେମାନେ ଅଧିକ ଚାଷ କରିବା ଦିଗରେ ଆଗ୍ରହୀ ହେବ । ଗୋଟିଏ ଜମିରେ ଗୋଟିଏ ଫସଲ ଚାଷ ନକରି ଫସଲ ବିବିଧିକରଣକୁ ଗୁରୁତ୍ୱ ଦେବା ଆବଶ୍ୟକ । ଏସବୁର ମିଳିତ ସମନ୍ୱୟ ରହିଲେ ହିଁ ଏକ ବିକଶିତ ଓଡ଼ିଶା ଗଠନର ସ୍ୱପ୍ନ ସାକାର ହୋଇପାରିବ ।