ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରକାର ଚାଷକାର୍ଯ୍ୟ ଯଥା ଧାନ, ଗହମ, ଫଳ, ପନିପରିବା, ମାଛ, ଗୋପାଳନ ଆଦି ପାଇଁ ସରକାରୀ ଯୋଜନା ପ୍ରଣୟନ କରିବା ସହ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଯାହାକି ଚାଷୀଙ୍କୁ ସଶକ୍ତ କରିବା ସହ ରାଜ୍ୟ ଅର୍ଥନୀତିରେ ମଧ୍ୟ ପରିବର୍ତ୍ତନ ଆସିପାରିଛି। ଏହିପରି ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଚାଷ ଯୋଜନା ମାଧ୍ୟମରେ ମହିଳା ମାନେ ମଧ୍ୟ ସ୍ବାବଲମ୍ବୀ ହୋଇପାରିଛନ୍ତି। ମାଲକାନଗିରି ଜିଲ୍ଲାର ଜୟ ମା ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଚାଷ ତରଫରୁ ଋଣ ନେଇ ନିଜର ଗ୍ରାମପଞ୍ଚାୟତ ପୋଖରୀରେ ମାଛ ଚାଷ କରୁଛନ୍ତି।
ସେମାନେ ପଞ୍ଚାୟତ ପୋଖରୀ ଲିଜ ନେଇ ସରକାରଙ୍କ ଠାରୁ ଆର୍ଥିକ ସହାୟତା ପାଇ ସମସ୍ତଙ୍କୁ ମିଳିତ ପ୍ରୟାସରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ମାଛ ଚାଷରେ ସମୁଦାୟ ୪ ଲକ୍ଷ ସେମାନେ ଖର୍ଚ୍ଚ କରିଥିଲେ। ସେଥିରୁ ୬୦ ପ୍ରତିଶତ ସେମାନଙ୍କୁ ସବସିଡି ମିଳିଥିଲା। କ୍ଷୁଦ୍ର ପୋଖରୀ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଏବଂ ବଡ଼ ପୋଖରୀ ପାଇଁ ୨ ଲକ୍ଷ ୪୦ ହଜାର ଟଙ୍କା ସରକାରୀ ସହାୟତା ପାଇଥିଲେ। ସମସ୍ତ ସଦସ୍ୟାମାନେ ପର୍ଯ୍ୟାୟ କ୍ରମେ ପୋଖରୀର ଦେଖାଶୁଣା କରିବା ସହ ମାଛ ଧରିବା ସମୟରେ ଗାଁ ଲୋକଙ୍କ ସହାୟତା ନେଉଛନ୍ତି। ଏହି ପ୍ରୟାସ ଦ୍ଵାରା ପ୍ରତ୍ୟେକ ସଦସ୍ୟା ବାର୍ଷିକ ୪୦ ରୁ ୫୦ ହଜାର ଟଙ୍କା ଆୟ କରିପାରୁଛନ୍ତି। ମହିଳା ମାନଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ସେମାନେ ଭୁବନେଶ୍ବରରେ ଅନୁଷ୍ଠିତ ପ୍ରାଣୀ ଓ ମତ୍ସ୍ୟ ସମାବେଶରେ ରାଜ୍ୟପାଳଙ୍କ ଦ୍ଵାରା ପୁରସ୍କୃତ ମଧ୍ୟ ହୋଇଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ