ଆମେ ଆପଣଙ୍କ ପାଖରେ ଚିର ଋଣୀ ସାର୍‌ …

0

ମଣିଷ ଜନ୍ମ ହୁଏ ଏଠି ଜନ୍ମ ହୋଇ ଦେବତା ବି ମରେ , ସାର୍ଥକ ମଣିଷ ସିଏ ଯାହାକୁ ଏ ମାଟି ଗୋଡ଼ି ଝୁରେ । ଉପରୋକ୍ତ ଉକ୍ତିକୁ ଅନୁଶୀଳନ କଲେ ଆମେ ବୁଝିବା ଯେ ଏ ଧରାପୃଷ୍ଠରେ ଜନ୍ମ ଓ ମୃତ୍ୟୁ ଚିରନ୍ତନ ସତ୍ୟ , କିନ୍ତୁ ସେମିତି ମଣିଷ କୁ ସମସ୍ତେ ଝୁରନ୍ତି ଯାହାର ଜୀବନ ସାର୍ଥକ ଅଟେ । ଏ ସତ୍ୟକୁ ପାଥେୟ କରି ହିଁ ଜୀବନ ରାଜାରାସ୍ତାରେ ମଣିଷ ଏମିତି କଣ୍ଟକିତ ଆଉ ମଧୁର ପଥକୁ ଅତିକ୍ରମ କରେ । ଅନେକ ସଫଳତା ଓ ବିଫଳତାର କବାଟ ଭିତରେ ଘର କରି ରହେ । ପ୍ରଶଂସା ପାଏ ଆଉ ସମାଲୋଚନାର ଶିକାର ହୁଏ । ତଥାପି ଏ ରାଜପଥର କୈାଣସି ନିଦ୍ଦିଷ୍ଟ ସ୍ଥାନ ସ୍ଥିର ନକରି ଅବିରତ ଚାଲୁଥାଏ । ସେମିତି ଜଣେ ମଣିଷ ଯିଏ ରାଜନୀତି ଠାରୁ ଆରମ୍ଭ କରି ସାମାଜିକ ଜୀବନରେ ଜଣେ ନିଆରା ଚେହେରା – ଶ୍ରୀଯୁକ୍ତ ପ୍ରଦୀପ ମହାରଥୀ । ତାଙ୍କ ପ୍ରତିଟି କଥାରେ ଚଷା ପୁଅର ବାସ୍ନା ବାରି ହୁଏ । ସେ ମାଟିର କଥା କହନ୍ତି । ତାଙ୍କ ପରିଭାଷା ବେଶ ସ୍ୱଷ୍ଟ ଓ ମାର୍ଜିତ । ଜଣେ ଅନିର୍ବାଣ ଅଗ୍ନିଶିଖା ଆଉ ମୁକୁଟ ବିହୀନ ସମ୍ରାଟ । ସେ ଆଜି ନାହାନ୍ତି ସତ କିନ୍ତୁ ତାଙ୍କର ସେଇ ପରିଚିତ ଶବ୍ଦ ଓ କଥାକୁ ସମସ୍ତେ ମନେ ରଖିଛନ୍ତି । ଶ୍ୟାମଳ ସୁବର୍ଣ୍ଣ ସହ ତାଙ୍କର ପରିଚୟ ବେଶ ପୁରୁଣା । ଶ୍ୟାମଳ ସୁବର୍ଣ୍ଣକୁ ଏକ ନୂତନ ପରିଚୟ ଦେବାରେ ସାର୍‌ଙ୍କ ଭୂମିକା ଅତୁଳନୀୟ ।

ଓଡ଼ିଶା କୃଷିଭିତ୍ତିକ ରାଜ୍ୟ ଭାବେ ଜଣାଶୁଣା । ଏଠି ଚାଷୀ ମୁହଁରେ ହସ ବେଶ ପରିପକ୍ୱ ଲାଗେ । ଏଠି ଶ୍ୟାମଳ କ୍ଷେତରେ ସୁବର୍ଣ୍ଣର ହସ ବାରି ହୁଏ । ଏଠି ସୋରିଷ ଫୁଲ ବି ଗୀତ ଗାଏ ଆଉ ପାଚିଲା ଧାନର କେଣ୍ଡା ବି ପବନର ଛୁଆଁରେ ହସୁଥାଏ । ସେଥିପାଇଁ ଆମ ରାଜ୍ୟ ମହାନ । ଆମ ଚାଷୀ ହାରିବା ଶିଖିନାହାନ୍ତି । ଡ଼ରିବା କ’ଣ ଜାଣି ନାହାନ୍ତି । ସେହି ଚାଷୀ ଭାଇଙ୍କ ପାଇଁ ୨୦୧୮ ମସିହାରେ ଶ୍ୟାମଳ ସୁବର୍ଣ୍ଣ ପତ୍ରିକାଟିଏ କରିବାର ପରିକଳ୍ପନା କରିଥିଲି । ଅପରିପକ୍ୱ ବୟସରେ ମୁଁ ଆରମ୍ଭ କରିଥିଲି ଏଇ ପତ୍ରିକା ସମ୍ପାଦନାର କାର୍ଯ୍ୟ । ପ୍ରଥମ ଅବସ୍ଥାରେ ମୁଁ ଏହାର ଆରମ୍ଭ ଓ ଅନ୍ତ ମଧ୍ୟରେ ପାର୍ଥକ୍ୟ ଜାଣିପାରୁନଥାଏ । କେମତି ସମ୍ପାଦନା କରାଯାଏ କେମିତି ଏହାକୁ ପ୍ରକାଶନ କରାଯାଏ ତାହା ବି ଜାଣିନଥିଲି । କିନ୍ତୁ ବାସ୍‌ ଗୋଟିଏ ଇଚ୍ଛା ଥିଲା ପତ୍ରିକାଟିକୁ ଚାଷୀ ଭାଇଙ୍କ ପାଖରେ ପହଁଚାଇବି । ସେ ଯାହା ବି ହେଉ ସେ ସମୟରେ ପ୍ରଦୀପ ମହାରଥି ଥିଲେ ଓଡ଼ିଶାର କୃଷି ମନ୍ତ୍ରୀ । ମୁଁ ସେତେବେଳେ ପାରଳାଖେମୁଣ୍ଡି ସ୍ଥିତ ସେଂଚୁରି÷ଆନ କୃଷି ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଥାଏ । ତେବେ ସାରଙ୍କ ସହ ସାକ୍ଷାତ ହୋଇପାରିବ କି ନାହିଁ ,ସେ କଥା ଚିନ୍ତା କରି ବେଶ ଅଡ଼ୁଆରେ ପଡ଼ିଥିଲି । ତଥାପି ଆଶାବାଦୀ ହୋଇ ରାତିରେ ଦୁଇଥର କୋଣାର୍କ ଏକ୍ସପ୍ରେସରେ ପଲସାରୁ ବାହାରି ଭୁବନେଶ୍ୱର ଆସି ଘର ପାଖରେ ଅପେକ୍ଷା କରି ନିରାଶ ହୋଇ ଫେରିଥିଲି । ତା’ ପରେ ତୃତୀୟ ଥର ଆସିଲା ବେଳେ ମୁଁ ସାରଙ୍କ ସହ ମିଶିବାର ସୁଯୋଗ ପାଇଲି । ଅଫିସର କେତେକ କର୍ମଚାରୀଙ୍କୁ ମୁଁ ପତ୍ରିକା ବିଷୟରେ ବର୍ଣ୍ଣନା କରି ବୁଝାଇବା ସହ କଣ ପାଇଁ ଏହାକୁ କରିବାକୁ ଆରମ୍ଭ କରିଛି ସେ କଥା ବି କହିଲି । ଏହା ପରେ ମୋତେ ବାସ ଦଶ ମିନିଟ ପାଇଁ ସାରଙ୍କ ସହ ମିଶିବାର ସୁଯୋଗ ମିଳିଥିଲା । ପ୍ରଥମ ଥର ଦେଖାରେ ସାର ବେଶ ଖୁସିର ସହ ପତ୍ରିକାକୁ ଆପଣେଇ ନେଇଥିଲେ । ଆଉ କହିଥିଲେ ଶୁଭମ ଯାହା ହେଉ ଏତେ କମ ବୟସରେ ଏ ଚଷା ପୁଅ ମାନଙ୍କ କଥା ଚିନ୍ତା କରିଛ । ସାରଙ୍କ ଏଇ କେଇ ପଦ କଥା ମୋ ଭିତରେ ଆତ୍ମବିଶ୍ୱାସକୁ ବଢ଼ାଇଥିଲା । ପରେ ପରେ ପତ୍ରିକାର ଗୋଟିଏ ସଂଖ୍ୟାକୁ ଉନ୍ମୋଚନ କରିବାକୁ ସାରଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲି । ଦୁଭାର୍ଗ୍ୟ ବଶତଃ ସେଇ ଦିନ ଉତ୍କଳ ଦିବସ ଥିବାରୁ ସାର ଅନ୍ୟ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନିଜେ ଆସିପାରିନଥିଲେ ସତ କିନ୍ତୁ ଅଫିସରେ ବସି ପତ୍ରିକାର ଉନ୍ମୋଚନ କିପରି ହେବ , କିଏ ମୁଖ୍ୟ ଅତିଥି ଭାବେ ଆସି ପାରିବେ , ଏସବୁ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ଆଉ ଶେଷରେ ପତ୍ରିକାର ଉନ୍ମୋଚନ ବି ହୋଇଥିଲା । ଏହା ପରେ ପରେ ପୂଜା ସଂଖ୍ୟା ଉନ୍ମୋଚନ ସମୟରେ ବି ମୁଁ ମୋର ସହଯୋଗୀ ବିଜ୍ଞାନ ମିହିର ରାଉତ , ଶୁଭଶ୍ରୀ ସାହୁ ,କିଶୋର ଚନ୍ଦ୍‌୍ର ପଣ୍ଡା , ଜଗଦାନନ୍ଦ ପ୍ରଧାନ ପ୍ରମୁଖ ସାରଙ୍କ ଅଫିସରେ ଉପସ୍ଥିତ ରହି ସହ ଆମ ନୂତନ େଓବ୍ୱସାଇଟ ବି ଲୋକର୍ପଣ କରିଥିଲେ । ପ୍ରତିଥର ପତ୍ରିକାର ଶୁଭେଚ୍ଛା ବାର୍ତ୍ତାରେ ସାରଙ୍କ ଆଶୀର୍ବାଦ ଥାଏ ।
ଜଣେ ବ୍ୟକ୍ତି ମନ୍ତ୍ର ପଦରେ ଥାଇ ବି ସେ ମୋ ପରି ଜଣେ ସାଧାରଣ ଛାତ୍ରର କଥାକୁ ଏତେ ଗୁୁରୁତ୍ୱର ସହ ଶୁଣୁଥିଲେ ତାହା ହିଁ ମୋତେ ବିଶେଷ ପ୍ରଭାବିତ କରିଥିଲା । ପତ୍ରିକାକୁ ଯେବେ ଆରମ୍ଭ କରିଥିଲି ମୋତେ ଅନେକ ଲୋକ ଅନେକ କଟୁକଥା ବି କହିଛନ୍ତି , ଏମିତି କି ନିଜ ଲୋକ ବି ଏହାକୁ ସହଯୋଗ କରିବାକୁ ଆସିନଥିଲେ । ଆଉ ସେ ସମୟରେ ସାରଙ୍କ ମୋ ପ୍ରତି ସହଯୋଗ ପାଇଁ ମୁଁ ଏହାକୁ ନିରନ୍ତର ପ୍ରକାଶନ କରି ପାରିଥିଲି । ଆଉ ସେବେଠାରୁ ଶ୍ୟାମଳ ସୁବର୍ଣ୍ଣର ଯାତ୍ରା ଏଯାବତ ନିରନ୍ତର ଭାବେ ରହିଆସୁଛି । ଏପର୍ଯ୍ୟନ୍ତ ଆମେ ଏକାଦଶଟି ସଂଖ୍ୟା ପ୍ରକାଶ କରି ବେଶ ସଫଳତା ସାଉଁଟି ପାରିଛୁ । ଚାଷୀ ଭାଇଙ୍କ ସ୍ନେହ ଓ ଭଲପାଇବା ହିଁ ଆମ ପାଇଁ ଶ୍ରେଷ୍ଠ ଖୋରାକ । ଆଉ ଇତି ମଧ୍ୟରେ ଶ୍ୟାମଳ ସୁବର୍ଣ୍ଣର ନୂତନ େଓବ୍ୱ ପୋର୍ଟାଲ ବି ଉନ୍ମୋଚିତ ହୋଇଛି । ଏହା ମାଧ୍ୟମରେ ପ୍ରତିଦିନ କୃଷି ଖବରକୁ ଲୋକଙ୍କ ପାଖରେ ପହଁଚାଇବାକୁ ଆମେ ଚେଷ୍ଟା କରିବୁ ।

nano urea

ମହାରଥୀ ସାରଙ୍କ ସେଇ କେଇ ପଦ କଥା ମୋ ମନୋବଳକୁ ଦୃଢ଼ କରିଥିଲା । ଏହା ପରେ ପରେ ମୋ ବାପା ,ଓ ତାଙ୍କ ମହାବିଦ୍ୟାଳୟର ପ୍ରାଧ୍ୟାପକ ମାନେ ସାରଙ୍କ ଅଫିସ ଆସି ପତ୍ରିକାକୁ ଅପର୍ଣ କରିଥିଲେ । ଏମିତିକି ସାରଙ୍କ ଅଫିସର ସମସ୍ତ କର୍ମଚାରୀ ମୋ ସହ ବେଶ ପରିଚିତ ହୋଇଯାଇଥିଲେ ।

ଅକ୍ଟୋବର ୩ରେ ଯେବେ ସାରଙ୍କ ଦେହାନ୍ତ ଖବର ଶୁଣିଲି ନିଜେ ହିଁ ହତବାକ ହୋଇଯାଇଥିଲି । ବିଶ୍ୱାସ ହେଲାନି କିଛି କ୍ଷଣ ପାଇଁ ଏତେ ଶୀଘ୍ର ଏ ସବୁ ଘଟିବ ବୋଲି । ଶ୍ୟାମଳ ସୁବର୍ଣ୍ଣର ନିରନ୍ତର ପ୍ରକାଶନ ପଛରେ ସାରଙ୍କ ସହଯୋଗକୁ ମୁଁ କେବେ ବି ଭୁଲି ପାରିବିନି । ଲେଖିଲା ବେଳକୁ ଆଖି ଛଳ ଛଳ ହାଇଯାଉଛି । ବାସ୍‌ ଏତିକି କହିବି ଆମେ ଶ୍ୟାମଳ ସୁବର୍ଣ୍ଣ ପରିବାର ଆପଣଙ୍କ ପାଖରେ ସବୁଦିନ ଋଣୀ ହୋଇ ରହିବୁ । ଚେଷ୍ଟା କରିବୁ ଆପଣ କହିଥିବା ସେ କଥା – (‘ଶ୍ୟାମଳ ସୁବର୍ଣ୍ଣକୁ ସବୁବେଳେ ପ୍ରକାଶିତ କର । ଯାହା ଅସୁବିଧା ହେଉଛି ଜଣାଅ ।’) -ନିରନ୍ତର ପ୍ରକାଶନକୁ ଧ୍ୟାନ ଦେବୁ । ଶ୍ୟାମଳ ସୁବର୍ଣ୍ଣ ପରିବାର ତରଫରୁ ବିନମ୍ର ଶ୍ରଦ୍ଧାଂଜଳି ।

  • ଡ଼ି ଶୁଭମ୍‌ , ସମ୍ପାଦକ –ଶ୍ୟାମଳ ସୁବର୍ଣ୍ଣ

Leave A Reply

Your email address will not be published.

twelve + nine =