ମକା ଫସଲରେ କାଣ୍ଡବିନ୍ଧା ପୋକ ନିୟନ୍ତ୍ରଣ

0

ମୃତ୍ତିକା, ଜଳବାୟୁର ବିଭିନ୍ନତା ତଥା ଉନ୍ନତ କୃଷିପଦ୍ଧତି ଦ୍ୱାରା ଆଜିର ଏକବିଂଶ ଶତାବ୍ଦୀର ଭାରତ ଏକ କୃଷି ପ୍ରଧାନ ରାଷ୍ଟ୍ର ଭାବେ ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛି । ଆମ ଦେଶ ତଥା ଆମ ରାଜ୍ୟରେ ଚାଷ କରାଯାଉଥିବା କେତୋଟି ପ୍ରଧାନ ଫସଲ ମଧ୍ୟରୁ ମକାର ସ୍ଥାନ ସ୍ୱତନ୍ତ୍ର । ମକା ଫସଲର ବହୁଳ ଅମଳ ସତ୍ତେ୍ୱ ଯେଉଁ କେତୋଟି ପ୍ରମୁଖ ବାଧକ ଫସଲ ଅମଳ ହ୍ରାସ କରନ୍ତି ସେଗୁଡ଼ିକ ମଧ୍ୟରୁ କୀଟଶତ୍ରୁ ଗତ ସମସ୍ୟା ଅନ୍ୟତମ । ଭାରତରେ ଅନୁଭୂତ ସମସ୍ତ ପ୍ରକାର ଜଳବାୟୁରେ କାଣ୍ଡବିନ୍ଧା ପୋକ ଆକ୍ରମଣ କରି ମକା ଫସଲର ମାତ୍ରାଧିକ କ୍ଷତି ପହଞ୍ଚାନ୍ତି । ତେଣୁ ଏହି ଅନିଷ୍ଟକାରୀ କାଣ୍ଡବିନ୍ଧା ପୋକ ଓ ଏହାର ନିୟନ୍ତ୍ରଣ ସମ୍ବନ୍ଧରେ ଆସନ୍ତୁ ସମ୍ୟକ ଜାଣିବା ।

ପ୍ରଜାପତି ଜାତୀୟ ଏହି କୀଟର ପୂର୍ଣ୍ଣାଙ୍ଗ ଅବସ୍ଥାଟିର ଆଗ ଡେ଼ଣା ଦୁଇଟି ନଡ଼ା ରଙ୍ଗ ଓ ଏଥିରେ ବାଦାମୀ ରଙ୍ଗର ଦାଗ ରହିଥାଏ । ପଛ ଡେଣା ଦୁଇଟି ଧଳା ଓ ଦେଖିବାକୁ କାଗଜ ପରି ହୋଇଥାଏ । ଏହି ପୋକର କଟାରପିଲାର ବା ସଅଁବାଳୁଆ ଅବସ୍ଥାଟି ୨୦-୨୫ ମିଲିମିଟର ଲମ୍ବର ପାଉଁଶିଆରଙ୍ଗର ହୋଇଥାଏ ଓ ଏହାର ମୁଣ୍ଡକଳା, ପସହି ଦହୂର ପଛରେ ବାଦାମୀ ରଙ୍ଗ ଗାର ପଡ଼ିଥାଏ ।
ପୂର୍ଣ୍ଣାଙ୍ଗ ସ୍ତ୍ରୀ କୀଟଟି ମକାଗଛର ପତ୍ରର ଜଳଭାଗରେ ମେଞ୍ଚା ମେଞ୍ଚା କରି (୫୦-୧୦୦) ଅଣ୍ଡା ଦେଇଥାଏ । ଅଣ୍ଡା ଦେବା କାର୍ଯ୍ୟ ମୁଖ୍ୟତଃ ଖରାଦିନେ ଅଧିକ ହୋଇଥାଏ । ୪-୫ ଦିନ ମଧ୍ୟରେ ଅଣ୍ଡା ଗୁଡ଼ିକ ମଧ୍ୟରୁ ଶୁକଗୁଡ଼ିକ ନିର୍ଗତ ହୋଇଥାଆନ୍ତି । ପ୍ରଥମେ ଶୁକ ଗୁଡ଼ିକ ପତ୍ର ଖାଇବା ସହିତ କାଣ୍ଡରେ କଣା କରି ଦେଇ ଥାଆନ୍ତି । ତତ୍‌ପରେ ଏହି କଣା ଭିତରେ ପ୍ରବେଶ କରି କାଣ୍ଡକୁ ଭିତରୁ ଖାଇଥାଆନ୍ତି । ଏହି କୀଟର ପ୍ୟୁପା ଅମସ୍ଥା କାଣ୍ଡ ଭିତରେ ହିଁ ସମ୍ପାଦିତ ଓ ସମ୍ପୁର୍ଣ୍ଣ ହୋଇଥାଏ । ଶେଷ ପର୍ଯ୍ୟାୟ ବା ପିତୀର ସଅଁବାଳୁଆ ଗୁଡ଼ିକ ଫସଲର ଅବଶେଷ ମଧ୍ୟରେ ସୁପ୍ତ ଅବସ୍ଥାରେ ଆଗାମୀ ବସନ୍ତ ପର୍ଯ୍ୟାୟ ରହିପାରନ୍ତି । ଏହି କୀଟ ଗୁଡ଼ିକ ସଅଁବାଳୁଆ ଅବସ୍ଥା ବା ଶୁକ ଅବସ୍ଥା କାଣ୍ଡର ଭିତର କଣା କରି ଖାଇ ଦେଇଥାନ୍ତି । ଯଦ୍ୱାରା କାଣ୍ଡଟି ସାମାନ୍ୟ ବଳପ୍ରୟୋଗ କଲେ ବାହାରି ଆସେ ଏହାକୁ ଇଂରାଜୀରେ ଏଡ଼ଡ଼ ହାର୍ଟ ବୋଲି କୁହାଯାଏ । ଆପାତତ୍‌ ୨୫ରୁ ୫୦ ପ୍ରତିଶତ ମକାଫସଲ ଏହି କାଣ୍ଡବିନ୍ଧା ପୋକ ଆକ୍ରମଣରେ ନଷ୍ଟ ହେଉଥିବାର ନଜିର ରହିଛି ।
ନିୟନ୍ତ୍ରଣ :

nano urea

(୧) ସର୍ବେକ୍ଷଣ : ସମନ୍ୱିତ କୀଟ ନିୟନ୍ତ୍ରଣର ପ୍ରଥମ ତଥା ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ସର୍ବେକ୍ଷଣ । ନିୟମିତ କ୍ଷେତ୍ର ପରିଦର୍ଶନ ଗଛ ଗୁଡ଼ିକୁ ଭଲଭାବେ ନିରୀକ୍ଷଣ ତଥା କୀଟର ଅଧିକ ଦେହଳୀ ସୀମା ଉପରେ ଜ୍ଞାନ ଆହରଣ କରିବା ନିତାନ୍ତ ଜରୁରୀ । ପ୍ରତ୍ୟେକ କୀଟର ଗୋଟିଏ ଗୋଟିଏ ଆର୍ଥିକ ଦେହଳୀ ସୀମା ରହିଥାଏ । ଅର୍ଥାତ ସେହି କୀଟ ଫସଲର ଏକ ନିର୍ଦ୍ଧିଷ୍ଟ ମାତ୍ରାରେ ଦେଖାଦେଲେ ଏହାକୁ ଅନିଷ୍ଟକାରୀର ଆଖ୍ୟା ଦିଆଯାଇଥାଏ । ଏହି କୀଟ ଆକ୍ରମଣ ଦ୍ୱାରା କେତୋଟି ଗଛର କାଣ୍ଡ ବା ଫଳର କ୍ଷତି ହୋଇଛି ଏହାକୁ ଲକ୍ଷ୍ୟ କରାଯାଏ ।

(୨) ଅଣରସାୟନିକ ଦିଗ : ଅଣରସାୟନିକ ନିୟନ୍ତ୍ରଣ ପ୍ରମୁଖ ଦିଗସ୍ୱରୁପ ଖରାଟିଆ ଚାଷ । ଏହାଦ୍ୱାରା ମାଟିତଳେ ଥିବା କୀଟର ବିଭିନ୍ନ ଅବସ୍ଥା ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସି ନଷ୍ଟ ହୋଇଯାଏ । ଏହା ବ୍ୟତୀତ ମକାକୁ ମୁଖ୍ୟ ଫସଲ ଭାବେ ନେଇ ଅନ୍ତଃଚାଷ ରୂପେ ଡାଲି ଜାତୀୟ ଫସଲକୁ ଚାଷ କଲେ କୀଟ ଆକ୍ରମଣକୁ ପ୍ରତିହିତ କରାଯାଇପାରେ । ଯଥା- ମକା, ସହିତ ସୋୟାବିନ୍‌ ବା ଝୁଡ଼ଙ୍ଗ, ମୁଗକୁ ଅନ୍ତଃଫସଲ ଭାବେ ହେବାର ନଜିର ରହିଛି । ଧାଡ଼ିକୁ ଧାଡ଼ି ଓ ପଛକୁ ଗଛ ଉପଯୁକ୍ତ ବ୍ୟବଧାନ ରକ୍ଷା କରିବା ଉଚିତ୍‌ । ଖରିଫ ମକାରେ (୭୫ଢ୧୮) ସେ.ମି. ଏବଂ ରବି ମକାରେ (୬୦ଢ୧୮) ସେ.ମି.ର ବ୍ୟବଧାନ ଗ୍ରହଣୀୟ । ଏହା ବ୍ୟତୀତ ସନ୍ତୁଳିତ ପୋଷକ ପ୍ରୟୋଗ ବା ସାର ପ୍ରୟୋଗ କରିବା ଜରୁରୀ । ଅଣରସାୟନିକ ନିୟନ୍ତ୍ରଣର ଅନ୍ୟ ଏକ ଦିଗ ହେଲା ସହଣୀ ଶକ୍ତିଥିବା କିସମ ଚାଷ । ଏହି ଅନିଷ୍ଟକାରୀ କୀଟ ଆକ୍ରମଣକୁ ସହି ପାରୁଥିବା ମକା କିସମ ଯଥା- ପୁଷା କମେ୍‌ପାଜିଟ୍‌-୩, ପୁଷାକମ୍ପୋଜିଟ୍‌-୪, ଅମର, ଆଜାଦ, କମଲ ଇତ୍ୟାଦିକୁ ବିଶେଷଜ୍ଞ ମାନଙ୍କ ପରାମର୍ଶ କ୍ରମେ ଚାଷ କରିବା ଉଚିତ୍‌ । ମୁଖ୍ୟ ଫସଲ କିଆରୀରେ ଥିବା ଅନାବନା ଘାସ ତଥା ଅନ୍ୟାନ୍ୟ ଗଛକୁ ଉପାଡ଼ି ଦେବା ଉଚିତ୍‌ । କାରଣ ଏଗୁଡ଼ିକ ଏହି କାଣ୍ଡବିନ୍ଧା ପୋକର ପୋଷକ ଗଛ ଭାବେ କାର୍ଯ୍ୟକରେ ଏବଂ ସେମାନଙ୍କ ବଂଶକୁ ବହୁଗୁଣିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣକାରଣ ଏହା ମଧ୍ୟରେ ସୁପ୍ତ ଅବସ୍ଥାରେ ଥିବା କୀଟର ଅବସ୍ଥା ନଷ୍ଟ ହୋଇଯାଏ । ପରାଶ୍ରୟୀ କୀଟ ଟ୍ରାଇକୋଗ୍ରାମା ଚିଲୋନିସକୁ ହେକ୍ଟର ପିଛା ୧ ଲକ୍ଷ କରି ମଞ୍ଜି ବୁଣିବାର ୧୦-୧୫ ଦିନ ପରେ ପ୍ରୟୋଗ କରାଯିବା ଜରୁରୀ । ଅନୁସନ୍ଧାନରୁ ଜଣାଯାଇଛି ଯେ ମକାଫସଲ ପାଖରେ ବା ଚାରିପାଖେ ସୂର୍ଯ୍ୟମୁଖୀ ବା ଗାଜର ଇତ୍ୟାଦି ଗଛ ଥିଲେ ଏହା କୀଟ ମାନଙ୍କ ଉପରେ ବିକର୍ଷଣ କରେ ତଥା କୀଟମାନଙ୍କର ପ୍ରାକୃତିକ ଶତୃ ମାନଙ୍କର ବଂଶବିସ୍ତାର କରିବାରେ ସାହାଯ୍ୟ କରେ । ଅଣରସାୟନିକ ନିୟନ୍ତ୍ରଣର ଆଉ ଏକ ପ୍ରମୁଖ ଉପାଦାନ ସ୍ୱରୁପ ନିମ୍ବତେଲ ସିଞ୍ଚନ, ମାଟିରେ ନିମ୍ବ ପିଡ଼ିଆ ପ୍ରୟୋଗ ବା ଏନ୍‌.ଏସ୍‌ କେଇ (ନିମ୍ନ ମଞ୍ଜିରୁ ଜାତ ଉତ୍ପାଦ) ଶତକଡ଼ା ୫ ପ୍ରତିଶତ ପ୍ରୟୋଗ କଲେ ସୁଫଳ ମିଳିଥାଏ ।

(୩) ରସାୟନିକ ଦିଗ : ଉପରୋକ୍ତ ନିୟନ୍ତ୍ରଣ ପଦ୍ଧତିରେ ଯଦି କୀଟ ଆକ୍ରମଣ ପ୍ରତିହିତ ନହୁଏ ଏବଂ କୀଟର ଆର୍ଥିକ ଦେହଳୀ ସୀମା ଉଲଙ୍ଘନ କରେ, ତେବେ ବିଶେଷଜ୍ଞ ମାନଙ୍କ ପରାମର୍ଶ କ୍ରମେ ରସାୟନ ପ୍ରୟୋଗ ବିଧେୟ ।
ସିଞ୍ଚନ ଉପଯୋଗୀ ରସାୟନ :- ଫେନ୍‌ହାଲରେଟ୍‌ ୨୦ ଇସି, ୧୦୦ ମିଲି/ହେକ୍ଟର
ଫେନିଟ୍ରୋଥିଅନ୍‌ ୫୦ ଇସି, ୪୪୦ ମି.ଲି/ହେକ୍ଟର
କାର୍ବାରିଲ ୫୦ ଡବ୍ଲୁ.ପି ୨୫୦ ଗ୍ରା / ହେକ୍ଟର
ଗୁଣ୍ଡ ପ୍ରୟୋଗ :- କାର୍ବୋଫୁରାନ୍‌ ଶତକଡ଼ା ୩ ପ୍ରତିଶତ ଗୁଣ୍ଡ ଗଛର
ଉପର ଅଂଶ ବା ହୋର୍ଲରେ ପ୍ରୟୋଗ କରିବା ଉଚିତ୍‌ ।

ଭୁବନାନନ୍ଦ ଅଧିକାରୀ, କୀଟତତ୍ତ୍ୱ ବିଭାଗ
ଓୟୁଏଟି, ଭୁବନେଶ୍ୱର
ଭ୍ରାମ୍ୟଭାଷ:୯୫୮୩୨୮୫୪୯୯

Leave A Reply

Your email address will not be published.

three − 1 =