ମିଶନ ଶକ୍ତି ଆମ ସମୟର ବଡ଼ ବୈପ୍ଳବିକ ଆହ୍ୱାନ : ବାସନ୍ତୀ ହେମ୍ବ୍ରମ୍‌

ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌ଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

ଆଜି ନାରୀ ସଫଳତାର ଶୁଭଶଙ୍ଖ ନାଦ କରିପାରୁଛି । ନାରୀ କେବଳ ହାଣ୍ଡିଶାଳର ଚାରିକାନ୍ଥ ଭିତରେ ରହିବାର ପାରମ୍ପରିକ ଚିନ୍ତାଧାରା ଲୋକଙ୍କ ମନରୁ ଦୂର ହେବାକୁ ଯାଉଛି। କାରଣ ନାରୀଟିଏ ଆଜି କଲମ ଧରି ପାରୁଛି , ନାରୀ ଟିଏ ଆଜି ଶାସନ ଗାଦିରେ ବସି ପାରୁଛି। ରାଜ୍ୟର ଲୋକତନ୍ତ୍ରକୁ ସମ୍ଭାଳି ପାରିବାର ଅଦମ୍ୟ ଦକ୍ଷତା ବି ରଖୁଛି। ଏହି ଉପକ୍ରମରେ ଓଡ଼ିଶାର ନୂଆ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି ମୟୂରଭଂଜ ଜିଲ୍ଲା କରଂଜିଆର ବିଧାୟିକା ବାସନ୍ତୀ ହେମ୍ବ୍ରମ। ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି । ଜଣେ ସାଧାରଣ ମହିଳା ହୋଇ ତାଙ୍କ ଉଚ୍ଚ ବିଚାରଧାରା , ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ତାଙ୍କୁ ସର୍ବସାଧାରଣରେ ବେଶ ଚର୍ଚ୍ଚିତ କରାଇଛି । ବିଭିନ୍ନ ସମୟରେ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଏକ ଉନ୍ନତ ଓ ପରିବ୍ୟାପ୍ତ ସୁଯୋଗର ମାର୍ଗ ତିଆରି କରିବାରେ ସେ ବେଶ୍‌ ଧୂରୀଣ। ମହିଳାଙ୍କ ମଧ୍ୟରେ ଜାଗରଣର ଶଙ୍ଖ ଫୁଙ୍କିବାରେ ସେ ମାହିର। ମହିଳା ମାନଙ୍କୁ ଆତ୍ମନିର୍ଭର କରିବା ସହ ସେମାନଙ୍କୁ କିପରି କୃଷି ତଥା ଆନୁଷଙ୍ଗିକ କ୍ଷେତ୍ରରେ ଅଧିକରୁ ଅଧିକ ବିନଯୋଗ କରାଯାଇପାରିବ ତଥା ମିଶନ ଶକ୍ତିକୁ ସାଥ କରି କିପରି ବୈପ୍ଲବିକ ପରିବର୍ତ୍ତନ ଅଣାଯାଇପାରିବ , ତାହା ହିଁ ତାଙ୍କର ମୁଖ୍ୟ ଏଜେଣ୍ଡା ରହିବ ବୋଲି ଶ୍ରୀମତି ହେମ୍ବ୍ରମ କହିଛନ୍ତି। ଏ ସମ୍ପର୍କରେ ତାଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମର ସମ୍ପାଦକ ଡ଼ି ଶୁଭମ୍‌ …

ପ୍ର : ଆପଣ ମୟୂରଭଂଜ ପରି କୃଷି ଭିତ୍ତିକ ଜିଲ୍ଲାରୁ ଆସି ଏବେ ମହିଳା ଓ ଶିଶୁ ବିକାଶ ତଥା ମିଶନ୍‌ ଶକ୍ତି ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ । ଏ ସମ୍ପର୍କରେ କଣ କହିବେ ?
ଉ : ପ୍ରଥମତଃ ମୁଁ ପିଲା ଦିନରୁ କୃଷି ସହ ସଂଶ୍ଳିଷ୍ଟ । ଚାଷ ଆମ ଜୀବନ ଜୀବିକାର ମାଧ୍ୟମ ଏକଥା କାହାକୁ ଅଛପା ନାହିଁ । ମୁଁ ନିଜେ ଆମ ନିର୍ବାଚନ ମଣ୍ଡଳୀରେ ଛେଳି ଚାଷ ଠାରୁ ଆରମ୍ଭ କରି ବତକ , କୁକୁଡ଼ା ଚାଷ ମହିଳା ମାନେ କରିବାର ଉଦାହରଣ ଦେଖିଛି । ତେବେ ବର୍ତ୍ତମାନ ସମୟରେ ମହିଳା ମାନଙ୍କୁ କିପରି ଆତ୍ମନିର୍ଭରଶୀଳ କରାଯାଇପାରିବ ତଥା ମିଶନ ଶକ୍ତିକୁ କିପରି ଲୋକଭିମୁଖୀ କରାଯାଇପାରିବ , ସେଥିପ୍ରତି ପ୍ରଥମେ ଧ୍ୟାନ ଦେବି ।
ପ୍ର: ମିଶନ ଶକ୍ତି ବର୍ତ୍ତମାନ ସମୟର ଏକ ବୈପ୍ଲବିକ ପରିମର୍ତ୍ତନ । ଏହାକୁ ନେଇ ଆପଣଙ୍କ ଷ୍ଟ୍ରାଟେଜୀ କଣ ରହିଛି?
ଉ : ମିଶନ ଶକ୍ତ ଓଡ଼ିଶା ସରକାରଙ୍କର ଏକ ଲୋକଭିମୁଖୀ ପଦକ୍ଷେପ । ଆଜି ଯଦି ଗାଁ ଗଣ୍ଡାରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ ହେବାର ଆମେ ଦେଖୁଛେ ଏହା କେବଳ ମିଶନ ଶକ୍ତି ଯୋଗୁଁ ସମ୍ଭବ ହୋଇ ପାରିଛି ।ଆପଣ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଆବଶ୍ୟକୀୟ ଉପକରଣ କୁହନ୍ତୁ କି ଘରୋଇ ଉପକରଣ ଏସବକୁ ନିଜେ ପ୍ରସ୍ତୁତ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ମିଶନ୍‌ ଶକ୍ତି ଆଜି ମା’ ମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ତେବେ ବର୍ତ୍ତମାନ ସମୟରେ ମିଶନ ଶକ୍ତି ମାଧ୍ୟମରେ ମହିଳା ମାନେ କିପରି ଭରପୁର ସାହାଯ୍ୟ ପାଇବେ , ସେ ଦିଗରେ ପ୍ରମୁଖ ଭାବରେ ନଜର ଦେବି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏ ଅନନ୍ୟ ପଦକ୍ଷେପକୁ ଅଧିକ ଜନପ୍ରିୟ କରିବାକୁ ଚେଷ୍ଟା କରିବି ।
ପ୍ର: କୃଷି ଆମ ଜନଜୀବନର ଆଧାର । କିନ୍ତୁ ଏବେ ମହିଳା ମାନଙ୍କୁ ସହରାଂଚଳ କୃଷି ସହ ଯୋଡ଼ିବାକୁ କିଛି ପଦକ୍ଷେପ ନେବେ କି ?
ଉ :ସହରାଂଚଳ କୃଷି ଆମସମୟରେ କୃଷି କ୍ଷେତ୍ରରେ ଏକ ବଡ଼ ଆହ୍ୱାନ । ଆପଣ ଏବେ ଘରେ ଘରେ ପାକଶାଳ ବଗିଚା କୁହନ୍ତୁ କି ରୁଫଟପ ଗାଡେନ କୁହନ୍ତୁ ଏସବୁ ଦେଖିବାକୁ ପାଉଥିବେ । ଏ ଦିଗରେ ମହିଳା ମାନଙ୍କର ଅବଦାନ ନିଶ୍ଚୟ ଭାବରେ ରହୁଛି । ତେବେ ଅନ୍ତତଃ ନିଜ ଘରେ ଏହାକୁ ମହିଳା ମାନେ ଆପଣାନ୍ତୁ । ମହିଳା ମାନଙ୍କୁ ଏ ଦିଗରେ ଯୋଡ଼ିବାକୁ ନିଶ୍ଚିତ ଭାବରେ କାର୍ଯ୍ୟ କରିବାକୁ ଚେଷ୍ଟା କରିବି ।
ପ୍ର: ଆଜିର ମହିଳା ମାନଙ୍କୁ କ’ଣ ବାର୍ତ୍ତା ଦେବାକୁ ଚାହିଁବେ ?
ଉ : ପ୍ରଥମେ ମନରୁ ପାରମ୍ପରିକ ଧାରଣାକୁ କାଢ଼ନ୍ତୁ । ଆଜି ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ନିଜ ପାରଦର୍ଶିତା ଦେଖାଇପାରୁଛନ୍ତି । ନିଜକୁ ଛୋଟ ନଭାବି ନିଜ ଭିତରେ ଥିବା ଦକ୍ଷତାକୁ ପ୍ରତିପାଦିତ କରନ୍ତୁ । ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରନ୍ତୁ । ଏକ ସୁରଭିତ ଓଡ଼ିଶା ଗଠନରେ ନିଜକୁ ସାମିଲ କରନ୍ତୁ ।

ପ୍ରସ୍ତୁତି – ଶ୍ୟାମଳ ସୁବର୍ଣ୍ଣ ବ୍ୟୁରୋ ବିଭାଗ

Spread the love

Leave a Comment

Your email address will not be published. Required fields are marked *

Scroll to Top
×