ଚାଷୀ କୁଳର ସ୍ୱର ବିଷ୍ଣୁ ସେଠୀଙ୍କୁ ପ୍ରଣାମ

ଭଦ୍ରକ ମାଟି ସଂଗ୍ରାମର ମାଟି । ଏ ମାଟି ଚିପୁଡ଼ିଲେ ସାହିତ୍ୟ ସାଧକଙ୍କ ଠାରୁ ଆରମ୍ଭ କରି ସଂଗ୍ରମାୀଙ୍କ ବର୍ଣ୍ଣବିଭା ଯାଏଁ ସବୁ କିଛି ସହଜରେ ବାରି ହୋଇପଡ଼େ । କାନ୍ତକବିଙ୍କ ଠାରୁ ଆରମ୍ଭ କରି ଜାତୀୟତାବାଦର ଗୁଣଗାନ କରୁଥିବା କବି ବାଂଛାନିଧି ମହାନ୍ତି ପର୍ଯ୍ୟନ୍ତ ଏସମସ୍ତଙ୍କ କଥା ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ । ସେମାନଙ୍କ ମଧ୍ୟରୁ ସେମିତି ଜଣେ ସଂଗ୍ରାମୀ ମଣିଷ ଯାହାଙ୍କ ବାକ୍ ଚାତୁର୍ଯ୍ୟ ସାରା ଓଡ଼ିଶାର ଜନମାନସରେ ପରିଚିତ ଥିଲା ଭଦ୍ରକର ମାନସସନ୍ତାନ ବିଷ୍ଣୁ ସେଠୀ । ଜୁନ୍ ୫, ୧୯୬୧ ତିହିଡ଼ିର ମଙ୍ଗରାଜପୁରରେ ଜନ୍ମଗ୍ରହଣ କରିଥିବା ବିଷ୍ଣୁ ସେଠୀ କେବଳ ତିହିଡ଼ି କି ଭଦ୍ରକ ନୁହେଁ ବରଂ ରାଜ୍ୟର ସାହିତ୍ୟ ଆଉ ରାଜନୀତିର ପୁସ୍ତକର ଏକ ସଫଳର ଅଧ୍ୟାୟ । ଆଜି ସେ ନାହାନ୍ତି ସତ କିନ୍ତୁ ତାଙ୍କ ବ୍ୟକ୍ତିତ୍ୱ ଆଉ ସଫଳତା ସର୍ବଜନବିଦିତ ।
ଆଜି ତାଙ୍କ କଥା ଉଲ୍ଲେଖ କରିବାର ଗୋଟିଏ ମାତ୍ର ଉଦ୍ଦେଶ୍ୟ ଏହା କି ସମୟର ଗତାନୁଗତିକ ଚଲାପଥରେ ଏମିତି ସଫଳ ଅଧ୍ୟାୟ ବିଲୁପ୍ତ ନ ହୋଇଯାଉ , ସେମାନଙ୍କ ସଫଳତାର ବାଣୀ ସମସ୍ତଙ୍କ ପାଖରେ ପହଁଚୁ ।ଆମେ ଆଜି ଅମୃତପିଢ଼ୀର କଥା କହୁଛନ୍ତି । ଯାହାକୁ ଅନ୍ୟ ଭାଷାରେ ଜେନ ଜି ବୋଲି ସାଧାରଣରେ ଚର୍ଚ୍ଚା କରୁଛନ୍ତି । ସେହି ଅମୃତପିଢ଼ୀ ମାନଙ୍କ ପାଖରେ ଏମିତି ସାରସ୍ୱତ ସାଧକଙ୍କ କଥା ପହଁଚିବା ଦରକାର । ୨୦୦୦ ମସିହାରେ ସେ ଭାଜପାରୁ ଚାନ୍ଦବାଲି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ । ୨୦୦୦-୨୦୦୪ଯାଏଁ ବିଧାନସଭା କାର୍ଯ୍ୟକାଳ ମଧ୍ୟରେ ତାଙ୍କ ଓଜସ୍ୱିନୀ ବକ୍ତବ୍ୟ ଆଉ ଚାତୁର୍ଯ୍ୟ ଯୋଗୁଁ ବେଶ ଲୋକପ୍ରିୟ ହୋଇପାରିଥିଲେ । ଏହା ପରେ ୨୦୧୯ରେ ଧାମନଗର ନିର୍ବାଚନମଣ୍ଡଳୀରୁ ବିଜୟ ଲାଭ କରିଥିଲେ ।
କହିବାର ତାତ୍ପର୍ଯ୍ୟ ମଣିଷ ଜନ୍ମ ହେଲେ ଏଠି ଦେବତା ବି ମରେ , ସାର୍ଥକ ମଣିଷ ସିଏ ଯାହାକୁ ଏ ମାଟି ଗୋଡ଼ି ଝୁରେ । ବିଷ୍ଣୁ ସେଠୀ ଏକମାତ୍ର ରାଜନେତା ଭଦ୍ରକରୁ ନଥିଲେ ତାଙ୍କ ପୂର୍ବରୁ ଅନେକ ରାଜନେତା ଯେପରିକି ନୀଳମଣି ରାଉତରାୟ , ହରେକୃଷ୍ଣ ମହତାବ ଯାଏଁ ଅନେକ ନେତା ଓଡ଼ିଶାରେ ବେଶ ନାଁ କମେଇଛନ୍ତି । କିନ୍ତୁ ଜଣେ ସଫଳ ରାଜନେତା ସହ ସାହିତ୍ୟ ଆଉ ସଂସ୍କୃତିକୁ ଭଲ ପାଉଥିବା ମଣିଷ ହାତ ଗଣତି କେଇଟା ବ୍ୟକ୍ତି ପାଇବେ । ସେମାନଙ୍କ ମଧ୍ୟରୁ ବିଷ୍ଣୁ ସେଠୀ ଅନ୍ୟତମ । ୨୦୧୮ରେ ଯେବେ ମୁଁ ମୋର ସମ୍ପାଦନାରେ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଷ୍ଟାର୍ଟଅପ୍ ର ପରିକଳ୍ପନାରେ କୃଷି ପତ୍ରିକାଟିଏ ବାହାର କରିବାକୁ ଯୋଜନା କରୁଥିଲି ପତ୍ରିକା ଆରମ୍ଭ କରିବାର ଗୋଟେ ମାସ ପୂର୍ବରୁ ତାଙ୍କ ସହ ଦେଖାହେଇଥିଲା । କୃଷି ସାହିତ୍ୟ ଦିଗରେ ଏପରି କାର୍ଯ୍ୟ କରୁଥିବାରୁ ପ୍ରଶଂସା କରିବା ସହ ଜଣେ ସଫଳ ଚାଷୀର ମର୍ମବେଦନା ସେ ଜଣାଇଥିଲେ । ସାଧରଣତଃ ଆମ ଜିଲ୍ଲା ଭଦ୍ରକ ସମୁଦ୍ରକୂଳିଆ ହୋଇଥିବାରୁ ଅନେକ ସମୟରେ ବନ୍ୟା ଆସେ । ୧୫ ବର୍ଷ ତଳକୁ ଫେରିଗଲେ ଧୁଷୁରୀ, କୋଠାର , ଅର୍ଣ୍ଣପାଳ , ଅସୁରାଳି,ବେତାଳିଗାଁ ପରି ବିଭିନ୍ନ ଗାଁର ଚାଷ ଜମି ଏହି ବନ୍ୟାପାଣି ପାଇଁ ନଷ୍ଟ ହୋଇଯାଉଥିଲା । ତାଙ୍କର ପ୍ରତିଟି ବାକ୍ୟ ଚାଷୀଙ୍କ ହିତ ଉଦ୍ଦେଶ୍ୟରେ ସମର୍ପିତ ଥିଲା। ଏମିତି ଜଣେ ସଂସ୍ଖୃତି ମନସ୍କ ବ୍ୟକ୍ତି କେବଳ ଇତିହାସରେ ସୀମିତ ରହି ନଯାଆନ୍ତୁ । ନିଃସ୍ଵ ମାଟିର ସ୍ୱର, ଶିରୋନାମା ଶିରୋଧାର୍ଯ୍ୟ ପରି କବିତା ଓ ଗଳ୍ପ ପୁସ୍ତକ ରଚନା କରି ସେ ନିଜର ପରିଚୟକୁ ଆହୁରି ବିସ୍ତୃତ କରିଥିଲେ ।

ଭଦ୍ରକ ଇତିହାସରେ ବିଷ୍ଣୁ ସେଠୀ ଏକ ସଫଳ ଫର୍ଦ୍ଦ । ଏ ଆଲେଖ୍ୟ ସେହି ଜନନେତାଙ୍କ ଜନ୍ମଜୟନ୍ତୀ ପାଇଁ ସମର୍ପିତ । ଏମିତି ସଫଳ ରାଜନେତା,କବି,ଗାଳ୍ପିକ ତଥା ସମ୍ପାଦକଙ୍କ ଗାଥା କେବଳ ଘାସଫୁଲ କି ଆଲୋକମୟ ଅପସରାର ପୃଷ୍ଠାରେ ଅଟକି ନଯାଉ । ଆମ ଜିଲ୍ଲାର ସଫଳ କାହାଣୀ ସାରା ଓଡ଼ିଶା ଜାଣୁ ।

ପ୍ରସ୍ତୁତି – ଶ୍ୟାମଳ ସୁବର୍ଣ୍ଣ ବ୍ୟୁରୋ

Spread the love

Leave a Comment

Your email address will not be published. Required fields are marked *

Scroll to Top
×