ପାରାକ୍ୱାଟର ସମ୍ପୂର୍ଣ ନିଷିଦ୍ଧ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ

0

ବିଷାକ୍ତ ପାରାକ୍ୱାଟ ଏବଂ ଏଥିରୁ ଉତ୍ପନ୍ନ ଦ୍ରବ୍ୟଗୁଡ଼ିକର ବିକ୍ରିକୁ ସମ୍ପୂର୍ଣ ରୂପେ ନିଶିଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବଙ୍କୁ ଲେଖିଥିବା ପତ୍ରରେ ସେ ଦର୍ଶାଇଛନ୍ତି ଯେ ମଣିଷ ଓ ଅନ୍ୟ ପ୍ରାଣୀଙ୍କ ସ୍ବାସ୍ଥ୍ୟ ଉପରେ ପାରାକ୍ୱାଟର କୁ- ପ୍ରଭାବ ରୋକିବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ନିରୋଧକ ଔଷଧ ଉପଲବ୍ଧ ନାହିଁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବିଷାକ୍ତ ରସାୟନିକ ପଦାର୍ଥର ବିକ୍ରୟ/ମହଜୁଦ/ ବିତରଣ/ ଉତ୍ପାଦନ ଓ ବ୍ୟବହାରକୁ ୨୦୨୩ ଅକ୍ଟୋବର ୫ରୁ ୯୦ଦିନ ପର୍ଯ୍ୟନ୍ତ ନିଷିଦ୍ଧ ଘୋଷଣା କରିଛନ୍ତି ।

nano urea

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ରିପୋର୍ଟ ଅନୁସାରେ, ପାରାକ୍ୱେଟ ଏବଂ ଏଥିରୁ ଉତ୍ପନ୍ନ ପଦାର୍ଥ ଅତ୍ୟନ୍ତ ବିଷାକ୍ତ ଓ କ୍ଷତିକାରକ । ବର୍ତ୍ତମାନ ପର୍ଯ୍ୟନ୍ତ ପାରାକ୍ୱେଟର ବ୍ୟବହାର ଦ୍ବାରା ମୃର୍ତ୍ତିକାର ସ୍ବାସ୍ଥ୍ୟ, ମଣିଷର ସ୍ବାସ୍ଥ୍ୟ ଏବଂ ପରିବେଶ ଉପରେ ଏହାର ପ୍ରଭାବ ସମ୍ପର୍କରେ କୌଣସି ବୈଜ୍ଞାନିକ ଗବେଷଣା କରାଯାଇନାହିଁ । ସେହିପରି ଭେଷଜ ଅନୁଷ୍ଠାନ ଭିମ୍‌ସାର ରିପୋର୍ଟ ଅନୁଯାୟୀ, ପାରାକ୍ୱାଟ ଯୋଗୁଁ ମଣିଷର ନିଃଶ୍ବାସପ୍ରଶ୍ଵାସ , ବୃକକ୍ ଏବଂ ଯକୃତଜନିତ ସମସ୍ୟା ଉପୁଜି ମୃତ୍ୟୁ ଘଟିଥାଏ । ରିପୋର୍ଟ ଅନୁଯାୟୀ, ୨୦୧୭ ସେପ୍ଟେମ୍ବରରୁ ୨୦୧୯ ଅଗଷ୍ଟ ମଧ୍ୟରେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ୧୪୯ଜଣ ରୋଗୀଙ୍କ ମଧ୍ୟରୁ ୧୪୦ଜଣଙ୍କର ମୃତ୍ୟୁ ଘଟିଛି ।

ଭିମ୍‌ସାର କର୍ତ୍ତୃପକ୍ଷ ପାରାକ୍ୱେଟକୁ ସ୍ଥାୟୀ ଭାବରେ ନିଷିଦ୍ଧ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ସେହିପରି ପାରାକ୍ୱାଟ ସେବନ କରି ଅକାଳ ମୃତ୍ୟୁ ଘଟୁଛି ବୋଲି ରାଜ୍ୟର ୧୫ରୁ ଅଧିକ ଜିଲ୍ଲାପାଳ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରିପୋର୍ଟରେ ଦର୍ଶାଇଛନ୍ତି । ସେହିପରି ଦୀର୍ଘ ସମୟ (୫ ବର୍ଷରୁ ଉର୍ଦ୍ଧ୍ଵ) ଧରି ପାରାକ୍ୱେଟର ବ୍ୟବହାର ମଣିଷ, ପ୍ରାଣୀ ଏବଂ ଫସଲ ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ତେଣୁ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଭାରତ ସରକାରଙ୍କ ଦ୍ବାରା ଓଡ଼ିଶାରେ ପାରାକ୍ୱାଟର ବିକ୍ରି/ ବିତରଣ/ ଉତ୍ପାଦନ ଏବଂ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ସଚିବ ଡ. ପାଢ଼ୀ ଲେଖିଥିବା ପତ୍ରରେ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

13 − two =