ବର୍ଷାଦିନେ ମାଛ ପୋଖରୀ ପରିଚାଳନା

0

ଗତ କିଛି ବର୍ଷ ହେବ ପାଣିପାଗର ଅସ୍ୱାଭାବିକ ପରିବର୍ତ୍ତନର ପ୍ରଭାବ କୃଷିଉପରେ ପଡ଼ୁଥିବା ଦେଖାଯାଉଛି । ମରୁଡି,ବନ୍ୟା ଆମର ଚିର ସହଚର । ତା ସାଙ୍ଗକୁ ଅସ୍ୱାଭାବିକ ବର୍ଷା ଓ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଉତ୍ପାଦନ ଉପରେ ଖୁବ ପ୍ରଭାବ ପକାଉଛି । ବିଶେଷ କରି ମାଛ ଚାଷୀମାନେ ଏ ଦିଗରେ ଅନେକ ପ୍ରଭାବିତ ହେଉଛନ୍ତି ।
ବର୍ତ୍ତମାନ ସମସ୍ତ ଚାଷୀ ଭାଈମାନଙ୍କର ପୋଖରୀ ପ୍ରସ୍ତୁତି ସରିଯାଇଥିବ । ବର୍ଷା ଡେ଼ରିରେ ହୋଇଥିବାରୁ ଜଳାଶୟରେ ଏବେ ଜଳ ସଂଚୟ ସରିଥିବ । ଯେଉଁ ଚାଷୀ ମାନଙ୍କର ବୋର କିମ୍ବା କୈଣସି ସୁବିଧା ଥିବ, ସେମାନେ ପୋଖରୀରେ ଆଗୁଆ ପାଣି ଭର୍ତ୍ତି କରିସାରିଥିବେ । ଯେଉଁ ପରାମର୍ଶ ନିମ୍ନରେ ଦିଆଯାଇଛି । ଉନ୍ନତ ଓ ରୋଗମୁକ୍ତ ଯାଆଁଳ ଛାଡ଼ିବା ପୂର୍ବରୁ ସେମାନେ ନିମ୍ନମତେ ପୋଖରୀ ପ୍ରସ୍ତୁତ କରନ୍ତି ।
ଜୁନ୍‌ ଓ ଜୁଲାଇ ମାସରେ ଚାଷୀମାନେ ପଙ୍କୋଦ୍ଧାର, ଦଳ ନିରାକରଣ, ଅଜାତିଆ ମାଛକୁ ଧରି ପୋଖରୀକୁ ହଳ କରି ଖରା ଖୁଆଇ ସାରିଥିବେ । ବର୍ତ୍ତମାନ ସେମାନଙ୍କ ପୋଖରୀରେ ବର୍ଷାଜଳ ଭରି ଯାଇଥିବ । ଏବେ ଚୂନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଚୂନର ଭୂମିକା ମାଛ ଚାଷ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ପାଣିର ଅମ୍ଳତ୍ୱ ନଷ୍ଟ କରି କ୍ଷାରତ୍ୱ ବଢ଼ାଇବାରେ ସାହାଯ୍ୟ କରେ ।

ସୂଚନା ଯୋଗ୍ୟ ଯେ, ମାଛ ଚାଷ ପାଇଁ କ୍ଷାରୀୟ ଜଳ (ପି.ଏଚ୍‌. ୭.୮-୮.୫) ଅତ୍ୟନ୍ତ ଉପଯୋଗୀ । ଏହା ମାଟି ଓ ପାଣିର ଅମ୍ଳତାକୁ ନଷ୍ଟ କରିବା ସହ ମାଛର କାତି, ଅସ୍ଥି ଓ ଚିଙ୍ଗୁଡ଼ିର ଖୋଳପା ଗଠନରେ ସାହାଯ୍ୟ କରିଥାଏ । ପୋଖରୀର ନିମ୍ନ ସ୍ତରରେ ଥିବା ପଚାସଢ଼ା ଜୈବିକ ବସ୍ତୁର ବିଜାରଣ ଘଟାଏ । ମାଛମାନଙ୍କର ରୋଗ ନିରାକରଣ ଶକ୍ତି ବଢ଼ାଇବା ସହ ପ୍ରାକୃତିକ ଖାଦ୍ୟ ଉପତ୍ପାଦନରେ ସାହାଯ୍ୟ କରେ । ମୋଟାମୋଟି ଭାବରେ ଏକର ପିଛା ୧୦୦-୨୦୦ କି.ଗ୍ରା. ଚୂନ ପ୍ରୟୋଗ କରିବାକୁ ପଡ଼ିଥାଏ । ୨୦୦ କି.ଗ୍ରା. ଚୂନ ଆବଶ୍ୟକ ହେଉଥିବା ପୋଖରୀରେ ପ୍ରାରମ୍ଭିକ ସ୍ତରରେ ୧୦୦କି.ଗ୍ରା. ଓ ବଳକା ୧୦୦ କି.ଗ୍ରା. ଚୂନକୁ ପ୍ରତିମାସରେ ୧୦ କି.ଗ୍ରା. ହିସାବରେ ଦଶ ମାସରେ ପ୍ରୟୋଗ କରାଗଲେ, ବର୍ଷଯାକ ଜଳର ମାନ ରକ୍ଷା ହୋଇଥାଏ ।
ଚୂନ ପ୍ରୟୋଗର ଏକ ସପ୍ତାହ ପରେ ଜୈବିକ ସାର ପ୍ୟୟୋଗର ଆବଶ୍ୟକ ପଡ଼ିଥାଏ । ପ୍ରାରମ୍ଭିକ ସ୍ତରରେ ଏକର ପିଛା ୨୫୦୦ କି.ଗ୍ରା. କଂଚା ଗୋବର ପ୍ରୟୋଗ କରିବା ସହ ପରବର୍ତ୍ତୀ ୧୦ ମାସ ପାଇଁ ମାସିକ ୨୫୦ କି.ଗ୍ରା. ଲେଖାଏଁ ଗୋବର ଦେବାକୁ ଯୋଜନା କରିବା ଆବଶ୍ୟକ, ତା ହେଲେ ବର୍ଷଯାକ ପୋଖରୀ ଜଳର ଉର୍ବରତା ଅକ୍ଷୁର୍ଣ୍ଣ ରୁହେ । ଜୈବିକ ଖତ ବା କଂଚା ଗୋବର ବ୍ୟତୀତ ଯବକ୍ଷାରଜାନ ଓ ଫସ୍‌ଫରସ୍‌ର ମଧ୍ୟ ଆବଶ୍ୟକତା ରହିଛି । ସେଥିପାଇଁ ଏକର ପିଛା ପ୍ରାରମ୍ଭିକ ସ୍ତରରେ ୪୦ କି.ଗ୍ରା. ୟୁରିଆ ଓ ୪୦ କି.ଗ୍ରା. ସିଙ୍ଗଲ୍‌ ସୁପର୍‌ ଫସ୍‌ଫେଟ୍‌ର ଦ୍ରବୀଭୂତ ଦ୍ରବଣକୁ ପୋଖରୀ ଜଳରେ ମିଶାଯାଇଥାଏ । ଏହା ପରେ ପ୍ରତିମାସରେ ୪ କି.ଗ୍ରା. ୟୁରିଆ ଓ ୪ କି.ଗ୍ରା. ଏସ୍‌.ଏସ୍‌.ପି. କୁ ୧୦ମାସ ପର୍ଯ୍ୟନ୍ତ ପୋଖରୀରେ ପ୍ରୟୋଗ କରିବାକୁ ପଡ଼ିବ । ଖତ ସାର ପଡ଼ିବାର ଏକ ସପ୍ତାହ ପରେ ପୋଖରୀ ଯାଆଁଳ ଛାଡ଼ିବାକୁ ପ୍ରସ୍ତୁତ ହୋଇଥାଏ । ପ୍ରତିଟି ଚାଷରେ ଆବଶ୍ୟକ ମୁତାବକ ସୁସ୍ଥ ବିହନ ଛାଡ଼ିବା ପରି ମାଛ ଚାଷରେ ମଧ୍ୟ ବିଶୁଦ୍ଧ ଯାଆଁଳ ଛାଡ଼ିବାକୁ ପଡ଼ିଥାଏ । ତେଣୁ ଲାଭ ଜନକ ମାଛ ଚାଷ ପାଇଁ ସରକାରୀ ବା ଘରୋଇ ଯାଆଁଳ ଛଡ଼ାଯାଏ । ସାଧାରଣତଃ ଏକର ପିଛା ୨୦୦୦ଟି ବଡ଼ ଯାଆଁଳ ଛଡ଼ାଗଲେ ଏହା ଭଲ ବୃଦ୍ଧି ହୋଇଥାଏ ।

nano urea

ବିକ୍ରମ ଜେନା , (ଏମ୍‌ଏସ୍‌ ସ୍ୱାମୀନାଥନ କୃଷି ବିଶ୍ୱବିଦ୍ୟାଳୟ , ପାରଳାଖେମୁଣ୍ଡି )


Leave A Reply

Your email address will not be published.

thirteen + 1 =