ଧାନ ଚାଷ ଏକ ମୁଖ୍ୟ ଖରିଫ ଫସଲ ଭାବେ ଚାଷ କରାଯାଇଥାଏ । ଓଡ଼ିଶାର ପ୍ରାୟ ୭୦ଭାଗ ଚାଷୀ ଧାନ ଚାଷ ଉପରେ ନିର୍ଭରଶୀଳ । ପୂର୍ବ ସ୍ତମ୍ଭ ମାନଙ୍କରେ ଧାନ ଚାଷର ଜମି ପ୍ରସ୍ତୁତି, ତଳେିଘରା ପ୍ରସ୍ତୁତି ଓ ପରିଚାଳନା ଏବଂ ଏହାର ଉପଯୁକ୍ତ ଯତ୍ନ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଏବେ ତ ପ୍ରାୟ ସବୁ ସ୍ଥାନମାନଙ୍କରେ ଧାନର ତଳିପଟି ପଡ଼ିସାରିଲାଣି । ଏହାପରେ ପ୍ରମୁଖ କାର୍ଯ୍ୟ ହେଉଛି ଧାନରୁଆ । କଥାରେ ଅଛି ରୁଆ ଧାନ ଥୁଆ । ରୁଆ ଧାନ ପାଇଁ ମୁଖ୍ୟତଃ ଜୁନ କିମ୍ବା ଜୁଲାଇ ମାସ ଆରମ୍ଭରୁ ନଈ , ନାଳ , ପୋଖରୀ ଇତ୍ୟାଦିରୁ ଅଥବା ଉଠା ଜଳସେଚନ ପ୍ରକଳ୍ପରୁ ପାଣି ବ୍ୟବହାର କରି ତଳିପକାଯାଇଥାଏ । କେତେକ ସମୟରେ ପାଣି ଅଭାବରୁ ରୁଆ କାମରେ ବିଳମ୍ବ ହୋଇଥାଏ । ଯଦିଓ ଏହା ଡେ଼ରି ହୋଇଯାଏ ତାହେଲେ ୨୫-୩୦ ଦିନିଆ ତଳି ରୋଇବା ଭଲ । କିନ୍ତୁ ଡେ଼ରି ହେଲେ ବର୍ଗମିଟର ପ୍ରତି ଗଛ ସଂଖ୍ୟାକୁ ଦୃଷ୍ଟିରେ ରଖିଲେ ଅମଳ ବେଶୀ ବାଧାପ୍ରାପ୍ତ ହୁଏନାହିଁ । ଏଥିପାଇଁ ଯବକ୍ଷାରଜାନ ସାର ୨୫ଭାଗ ଅଧିକ ଦେବାକୁ ପଡ଼ିଥାଏ ।
ଅନ୍ତଃଚାଷ– ଢ଼ିପ ଜମିରେ ଧାନବୁଣିବାର ପ୍ରାୟ ୧୫ରୁ ୨୦ ଦିନ ପରେ ଦ୍ୱିତୀୟ ଭାଗ ଯବକ୍ଷାରଜାନ ସାର ପ୍ରୟୋଗ କରିବା ଆବଶ୍ୟକ । ଧାଡ଼ିକୁ ଧାଡ଼ି ଧାନ ବୁଣିବା ପରେ ଘାସ ଉପାଡ଼ିବା ପାଇଁ ଏହା ମଝିରେ ଖୁସୁଣୀ କିମ୍ବା ଘାସବଛା ଯନ୍ତ୍ର ଚଲାଇଦେଲେ ଘାସସବୁ ଉପାଡ଼ିମରିଯାଏ । ଏହା ଛଡ଼ା କୋଦାଳରେ ଦୁଇଧାଡ଼ି ମଝିରେ ମାଟି ହାଣି ଓଲଟାଇଦେଲେ ମଧ୍ୟ ଘାସ ଦମନ କରାଯାଇଥାଏ । ମାଟିର ବତର ପରିମାଣ ପ୍ରତି ଆମକୁ ଯତ୍ନବାନ ହେବାକୁ ପଡ଼ିବ । ଖାଲ ଜମିରେ ଛଟା ବୁଣା କରିଥିଲେ ଘାସ ଅଧିକ ହୋଇଥାଏ । ତେଣୁ ଗଜା ହେବାର ୩୦ ଦିନ ପରେ ଯଥାଶୀଘ୍ର ବେଉଷଣ କରି ଘାସବଛା କରିଦେବା ଆବଶ୍ୟକ । ଏହି ସମୟରେ ସାର ପରିଚାଳନା କରିବା ଆବଶ୍ୟକ । ପ୍ରାୟ ଅର୍ଦ୍ଧେକ ଯବକ୍ଷାରଜାନ ସାର ଓ ପୁରା ଭାଗ ଫସଫରସ ଓ ପଟାସ ସାରକୁ ମୂଳ ସାର ହସାବରେ ବ୍ୟବହାର କରିଦେବା ଦରକାର । ପତ୍ର ଓଦାଥିଲା ବେଳେ ଜମିରେ ସାର ପକାନ୍ତୁ ନାହିଁ ।