ମାଣ୍ଡିଆର ଚାରୋଟି ଭୂପ୍ରଜାତି ଜାରି କରିବାରେ ପ୍ରଥମ ରାଜ୍ୟ ଓଡ଼ିଶା

0

ଏବେ ସବୁଆଡେ଼ ମାଣ୍ଡିଆରେ ମହକ । ଗାଁ ଠୁ ସହର ଏବେ ସବୁଠି ମାଣ୍ଡିଆର କଥା ଆଉ ଗାଥା । ରାଜ୍ୟରେ ଓଡ଼ିଶା ମିଲେଟ ମିଶନ ଏକ ବୈପ୍ଲବିକ ପରିବର୍ତ୍ତନ ସୃଷ୍ଟି କରିଛି । ତେବେ ଏହି ପରିପ୍ରେକ୍ଷୀରେ ରାଜ୍ୟର ଜନଜାତି କୃଷକ ମାନଙ୍କ ଦ୍ୱାରା ସଂରକ୍ଷିତ ହୋଇଥିବା ଚାରୋଟି ମାଣ୍ଡିଆ ଭୂ ପ୍ରଜାତିକୁ ଜାରି କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଦେଶରେ ନିଜର ସ୍ୱତନ୍ତ୍ର ପରିଚୟକୁ ପୁନର୍ବାର ଦୋହରାଇଛି । ଜନଜାତି ମାନଙ୍କର ଏ ଦିଗରେ ଉଦ୍ୟମ ସତରେ ପ୍ରଶଂସନୀୟ । ଜନଜାତି ମାନଙ୍କର ହାତ ମୁଠାକୁ ସଶକ୍ତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଶତାବ୍ଦୀ ଶତାବ୍ଦୀ ଧରି କୃଷି ଜୈବ ବିବିଧତାକୁ ସଂରକ୍ଷିତ କରିବାରେ ଏମାନଙ୍କର ସହଭାଗିତାକୁ କେବେ ବି ଭୁଲି ହେବ ନାହିଁ । ତେବେ ଉପଯୁକ୍ତ ଜ୍ଞାନ କୋ÷ଶଳ ସହ ପାରମ୍ପରିକ ପଦ୍ଧତିକୁ ସମ୍ମିଶ୍ରଣରେ ମାଣ୍ଡିଆର ଭୂପ୍ରଜାତିକୁ ବିକଶିତ କରିବା ଦ୍ୱାରା କୃଷି ଜୈବ ବିବିଧତାର ବ୍ୟାପକ ପରିବର୍ତ୍ତନ ଆସିବ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ ପାଢ଼ୀ କହିଛନ୍ତି । ରାଜ୍ୟରେ ବସବାସ କରୁଥିବା ୬୨ଟି ଜନଜାତି ସଂପ୍ରଦାୟ ମାନଙ୍କର ଏଥିପାଇଁ ଅବଦାନ ଅତୁଳନୀୟ । ଏମାନେ ମାଣ୍ଡିଆ କିସମର ସରକ୍ଷକ ଭାବରେ ବହୁ ପୁରାତନ କାଳରୁ ପରିଗଣିତ ହୋଇ ଆସୁଛନ୍ତି । ତେବେ ରାଜ୍ୟ ସରକାରଙ୍କ କୃଷି ବିଭାଗ, ମିଳେଟ ମିଶନ ମାଧ୍ୟମରେ ଏହି ସଂଚାଳନ ପ୍ରକ୍ରିୟାକୁ ବିକଶିତ କରିଛନ୍ତି । ତେବେ ଚିହ୍ନଟ କରାଯାଇଥିବା ୧୬୩ଟି ମାଣ୍ଡିଆ ଭୂ ପ୍ରଜାତି ମଧ୍ୟରୁ ୧୪ଟି ଭୂ ପ୍ରଜାତିର ଉତ୍ତମ ପ୍ରଦର୍ଶନର ସମ୍ଭାବନା ରହିଛି । ଏହା ସହ ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା କୁନ୍ଦ୍ରାବାଟି, ଲକ୍ଷ୍ମୀପୁର କାଳିଆ , ମାଲ୍ୟବନ୍ତ ମାମି ଏବଂ ଗୁପ୍ତେଶ୍ୱର ଭାରତୀ ଆଦି ୪ଟି ଭୂପ୍ରଜାତିକୁ ଜାରି କରିଛି ।ଏହାଦ୍ଵାରା ଜନଜାତି କୃଷକ, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଏବଂ ଅନ୍ୟ ଅଂଶୀଦାରମାନେ ବହୁଳ ଭାବରେ ଉପକୃତ ହେବେ। ଏହି ଚାରିଗୋଟି ଭୂ-ପ୍ରଜାତିର ମାଣ୍ଡିଆ ବିହନ କୋରାପୁଟ ଓ ମାଲକାନଗିରି ଜିଲ୍ଲାପାଇଁ ଜାରି କରାଯାଇଛି। ଅନ୍ୟ ପକ୍ଷରେ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ମଧ୍ୟ ରାଜ୍ୟ ସରକାରଙ୍କ ସହ ସହଭାଗିତା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

one × 2 =