ଚାଷ ଜମିର ରୂପମୟ ରୂପକାର – ଏମ ଏସ ସ୍ୱାମୀନାଥନ୍

0

ସେ ଚାଷ ଜମିର ରୂପମୟ ରୂପକାର । ଜଣେ ମୁକୁଟ ବିହୀନ ସମ୍ରାଟ ଭାବରେ ଚାଷୀ ମାନଙ୍କ ପାଇଁ ତାଙ୍କ ଆବେଗ ଅତୁଳନୀୟ । କୃଷି ବିଜ୍ଞାନର ଜଣେ ଧୂରୀଣ ଶିଳ୍ପୀ । ତାଙ୍କ ହାତ ସ୍ପର୍ଶରେ ଚାଷ ଜମିରେ ଜୀବନ୍ତ ହୁଏ ଶସ୍ୟ । ତାଙ୍କ ପାଇଁ ଚାଷୀ ମନରେ ଭରୁଥିଲା ଅପାର ଆନନ୍ଦର ଆନନ୍ଦାଶ୍ରୁ । ସବୁଜ ବିପ୍ଲବର ନାଁ ଆସିଲେ ଯିଏ ସ୍ୱତଃ ସମସ୍ତଙ୍କ ହୃଦୟରେ ପ୍ରଥମେ ଆସନ୍ତି , ଖାଦ୍ୟ ଶସ୍ୟର ବିପ୍ଲବରରେ ଜଣେ ସାର୍ଥକ ବିପ୍ଲବୀ ସାଜି ସବୁଜ ବିପ୍ଲବର ଜନନାୟକ ସାଜନ୍ତି , କୃଷି ଆଉ କୃଷକର ମର୍ମବେଦନାର ଅନ୍ତଃସ୍ୱର , କୃଷି ବିଜ୍ଞାନୀଙ୍କ ଆଦର୍ଶର ଉଦାହରଣ ସ୍ୱର୍ଗତ ଡ଼ଃ ଏମ.ଏସ ସ୍ୱାମୀନାଥନ୍‌ ।

ସ୍ୱାମୀନାଥନ ଜଣେ ଏପରି ବିଜ୍ଞାନୀ ଯାହାଙ୍କ ବିଷୟରେ ଲେଖିବା କହିବା ବି ତୁଚ୍ଛ ମନେ ହୁଏ । କାରଣ ସଫଳତାର ସବୁ ସ୍ୱାଦକୁ ସେ ଚାଖିସାରିଥିଲେ ବି ଆଜୀବନ କୃଷିର ଉନ୍ନତି ଦିଗରେ କାର୍ଯ୍ୟ କରିଆସିଛନ୍ତି । ସେ ଜଣେ ନିଆରା ଭାବାବେଗର ମଣିଷ । ସକାଳ ପାହିଲେ ଆମେ ଯେଉଁ ଖାଦ୍ୟ ଖାଇବାର ସ୍ୱପ୍ନ ଦେଖି ଜିଇଁବାର ଆଶାରେ ମସଗୁଲ ହେଉଛନ୍ତି , ଏହା ପଛରେ ସ୍ୱାମୀନାଥନଙ୍କ ଅବଦାନ ଅତୁଳନୀୟ । ଖୁସିର ବିଷୟ ଏହା ଯେ ଭାରତ ସରକାରଙ୍କ ତରଫରୁ ତାଙ୍କୁ ସର୍ବୋଚ୍ଚ ବେସମାରିକ ସମ୍ମାନ ଭାରତରତ୍ନ ଉପାଧି ପ୍ରଦାନ କରାଯିବ। ଏହା ସମଗ୍ର କୃଷି ସମାଜ ପାଇଁ ଏକ ଆନନ୍ଦର ବିଷୟ ।

nano urea

ଯେବେ ସମୟ ଥିଲା ଭାରତର ଅର୍ଦ୍ଧାଧିକ ରାଜ୍ୟ ମରୁଡ଼ିର କରାଳ କାଳ ଭିତରେ ଗତି କରୁଥିଲେ , ଖାଦ୍ୟ ଖାଇବା ଆମ ପାଇଁ ସ୍ୱପ୍ନ ପାଲଟିଯାଇଥିଲା ସେ ସମୟରେ ଧୂରୀଣ ସ୍ୱାମୀନାଥନ ଏକ ପ୍ରକାର ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ । ସେତେବେଳର ପ୍ରତିଷ୍ଠିତ ଜେନେଟିକସ୍‌ ର ବୈଜ୍ଞାନିକ ନରମାନ ଇ ବୋରଲଗଙ୍କ ସହଭାଗିତାରେ ସେ ଗହମ ଉପରେ ଗବେଷଣା କରି ଏକ ଅନନ୍ୟ ସନ୍ଦର୍ଭ ସାରା ବିଶ୍ୱକୁ ଦେଇଥିଲେ । ଚାଷୀ କିପରି ନିଜ ଜମିରେ ଶସ୍ୟ ଉତ୍ପାଦନରେ ନୂଆ ସମ୍ଭାବନା ସୃଷ୍ଟି କରିପାରିବ , ସେ ଦିଗରେ ସେ ଯତ୍ନବାନ ଥିଲେ।

୨୫ବର୍ଷର ଅନବରତ ଗବେଷଣା । କୃଷି ଉତ୍ପାଦନରେ ନୂଆ କିସମର ସୃଷ୍ଟି । ଗହମ ,ଧାନ , ଆଳୁ ପ୍ରଭୃତି ଫସଲ ଉପରେ ପ୍ରଖର ଅନୁଭୂତି । ସବୁଜ ବିପ୍ଲବର ଅୟମାରମ୍ଭ ପରେ ଦେଶରେ ଫସଲ ଉତ୍ପାଦନରେ ଆଶାତୀତ ଅଭିବୃଦ୍ଧି ଘଟିଲା । ଭାରତ ଶସ୍ୟ ଉତ୍ପାଦନରେ ବିଶ୍ୱରେ ନିଜର ନୂଆ ପରିଚୟ ତିଆରି କଲା । ରତ୍ପାନୀ ଦିଗରେ ନୂଆ ସୁର୍ଯ୍ୟୋଦୟ ଘଟିଲା । ଚାଷୀ ଅଧିକ ଅମଳ କିସମକୁ ବ୍ୟବହାର କରିବାକୁ ନୂଆ ଖୋରାକ ପାଇଲେ । ପଦ୍ମବିଭୂଷଣ , ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇ ବି ସ୍ୱାମୀନାଥନଙ୍କ ସାରା ଜୀବନ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଓଡ଼ିଶା ସହ ତାଙ୍କର ସମ୍ମୋହନ ବି ଅତୁଳନୀୟ । କୋରାପୁଟ ଜିଲ୍ଲାର ଜୟପୁର ଠାରେ ଏମଏସସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ତାଙ୍କର ଦାନ । ସତରେ ଚାଷ ଜମିର ଜଣେ କୁଶଳୀ ଯାଦୁଗର ସେ। କୃଷି ଓ କୃଷକମାନଙ୍କ ନିକଟରେ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ।

ଉପସ୍ଥାପକ – ଡି ଶୁଭମ୍

Leave A Reply

Your email address will not be published.

1 × five =