ଚାଷ ପାଇଁ କୁଣ୍ଠା ନୁହେଁ , ଶ୍ରଦ୍ଧା ଆବଶ୍ୟକ

0

ସାମ୍ପ୍ରତିକ ସମୟର ବାସ୍ତବ ଚିତ୍ରକୁ ଯଦି ଲକ୍ଷ୍ୟ କରାଯାଏ ଚାଷୀର ମନ କଥା ବୁଝିବାକୁ ଆଜି ଯାଏଁ ବି କେହି ସମର୍ଥ ନୁହନ୍ତି । ଏକ ନିରୀହ ଚାର୍ହାଣିରେ ସେ ଅସୁମାରୀ ଲୋକଙ୍କ ମନରେ ଫୁଟାଇ ପାରେ ଅଫୁରନ୍ତ ହସ । ସେଇଥି ପାଇଁ ତ ସେ ମହାନ । ସରକାର ସବୁବେଳେ ଚାଷୀଙ୍କୁ ନିଜ ଫୋକସ୍‌ରେ ରଖିଥାନ୍ତି । ଏକଥା ସତ । କିନ୍ତୁ ସେସବୁ ଯେ ସତରେ କେତେଦୂର ଗ୍ରହଣୀୟ ସେକଥା କେବଳ ନିଜେ ଚାଷୀଟିଏ ହିଁ କହିପାରିବ ।
ଗତ ବର୍ଷ ଯେତେବେଳେ କୃଷି ସ୍ନାତକରେ ଚତୁର୍ଥ ବର୍ଷରେ ପଢ଼ୁଥିଲି , କୃଷି ପ୍ରଶିକ୍ଷଣ ଦେବା ପାଇଁ ଅନେକ ଗାଁକୁ ଯାଉଥିଲି । ମନରେ ତ ଭୟ ଥିଲା ନିଶ୍ଚୟ । ଚାରି ବର୍ଷର ପାଠପଢ଼ାକୁ ମୁଁ ସମାନଙ୍କୁ କହିବାକୁ ଯାଉଛି , ହେଲେ ସେମାନେ ତ ତିରିଶ ବର୍ଷ ହେବ ସେଇ ମାଟି ସହ ଜଡ଼ିତ ହୋଇ ଅଛନ୍ତି । ସେଇଥି ଘର , ସେଇଠି ସ୍ୱର୍ଗ । ସେମାନଙ୍କୁ ବି ଆମେ କଣ ପ୍ରଶିକ୍ଷଣ ଦେବୁ ।

କିନ୍ତୁ ଯେତେବେଳେ ସେ ଚାଷୀଙ୍କ ସହ ବହୁ ପାଖରୁ ମିଶିବାର ସୁଯୋଗ ମିଳିଲା ସେତେବେଳେ ପ୍ରଶିକ୍ଷଣ କମ୍‌ ଆଉ ଆଳାପ ବେଶୀ ହେଲା । ଅର୍ଥାତ ଏଇ ଚାରି ଘଣ୍ଟା ର ପ୍ରଶିକ୍ଷଣ ସମୟ ଭିତରେ ଆମେ ସମସ୍ତେ ଆମ ଜୀବନର ଅନେକ ପୁରୁଣା କଥା ସାଉଁଟି ବସୁ । ସେ ମୁହୂର୍ତ୍ତ ସତରେ ସ୍ମରଣୀୟ । ନିଜେ ଜାଣିବାକୁ ଚେଷ୍ଟା କଲି ସତରେ ଏ ଚାଷରେ ଅଛି କଣ ? ଆଉ ସେହିଠାରେ ଜାଣିବାକୁ ପାଇଲି ଏବେର ଆଧୁନିକ ଯୁଗରେ ଲୋକ ଚାଷ ନାଁ ଶୁଣିଲେ ନାକ ଟେକୁଛନ୍ତି । ଆଉ ମୁଁ ତ ଏହାର ଭୁକ୍ତଭୋଗୀ । ପ୍ରଥମ ବର୍ଷ ଯେବେ କୃଷି ପାଠ୍ୟକ୍ରମରେ ନାଁ ଲେଖାଇଲି , କେତେ କଥା ଗାଁରେ । ପୁଅ ଚାଷ କରିବ ବଡ଼ ହୋଇ , ଆମ ବିଲ ଖାଲି ଅଛି.ଆସିବୁ ପାଠ ପଢ଼ି । ଏମିତି ଅନେକ । ସେତେବେଳେ ତ କିଛି ବୁଝିପାରି ନଥିଲି । କେବଳ ଏତିକି ମନେ ହେଲା ଯେ ସତରେ କଣ ଚାଷ ଏତେ ଖରାପ??

nano urea

ଲୋକ କଣ ପାଇଁ ଏ ପାଠ ପଢ଼ିଲା ବେଳକୁ ଏମିତି କଥା କହୁଛନ୍ତି । ଯଦି କେଉଁ ପିଲା ମେଡ଼ିକାଲ କି ଇଂଜିନିୟରିଂ ପଢ଼ୁଛି , କି ଆଇନ ପାଠ ପଢ଼ୁଛି ସେବେ ବାହାବାହା ଦେଲା ବେଳକୁ ଏ ପାଠରେ ଏତେ କୁଣ୍ଠାବୋଧ କଣ ପାଇଁ । ଅନ୍ୟପକ୍ଷରେ ସରକାର କୃଷିକୁ ଯଥୋଚିତ ଗୁରୁତ୍ୱ ଦେଉଥିଲା ବେଳେ ଲୋକେ କଣ ପାଇଁ କୃଷି ଶିକ୍ଷାକୁ ନାକ ଟେକୁଛନ୍ତି । ସେ ଯାହା ବି ହେଉ ଏବେ ମୋର ଚାରି ବର୍ଷର କୃଷି ସ୍ନାତକ ଶେଷ ହୋଇଯାଇଛି । ଅନେକ କିଛି ଶିଖିଛି । ଅନେକ ଚାଷୀଙ୍କ ସହ ମିଶିଛି । ଆଉ ମୋ ମତରେ କୃଷି ପାଠ୍ୟକ୍ରମ ମୋ ପାଇଁ ସବୁକିଛି । ଜୀବନର ପ୍ରକୃତ ରହସ୍ୟକୁ ଖୋଜି ଆଣିବାରେ ଏହା ମୋତେ ବାଟ ଦେଖାଇଛି । ଯେତେବେଳେ ଚାଷୀଙ୍କ ସହ ମିଶିବାର ସୁଯୋଗ ମିଳେ , ସେମାନେ ନିଜ ଚାଷବାସର କଥାକୁ ବେଶ ନିଖୁଣ ଭାବେ କହିଚାଲନ୍ତି , ତାହାକୁ ଶୁଣି ଆଖିରୁ ଲୁହ ଆସିଯାଏ ।

ମନେ ମନେ ଭାବିଲି, ଆମେ ବଡ଼ ଚାକିରୀ ପାଇଁ କେତେ ଲୋଭ କରୁଛନ୍ତି , ବର୍ଷରେ ଚାକିରୀର ପ୍ୟାକେଜ କେତେ ଅଛି ପ୍ରଥମେ ଦେଖୁଛନ୍ତି କିନ୍ତୁ ଏମାନଙ୍କ କଥା ଭାବିଲେ । ନା ପ୍ୟାକେଜ , ନା ହାକିମ ହେବାର ଇଚ୍ଛା । ସବୁକିଛି ଏମାନଙ୍କ ଆଗରେ ତୁଚ୍ଛ । ବାସ ଚାଷ ଜମିରେ କେଇ ଘଣ୍ଟା ବିତାଇଦେଲେ ସେମାନଙ୍କର ଆତ୍ମତୃପ୍ତି ମିଳିଯାଏ । କିନ୍ତୁ ଯଦି ଚାଷୀମାନଙ୍କୁ ହିଁ ଅଣଦେଖା କରାଯାଏ , ଏହାଠୁ ବଡ଼ ଦୁଃଖର ବିଷୟ କିଛି ନାହିଁ ।

ସମୟ ଆସିଛି ଚାଷୀଙ୍କ କଥାକୁ ଗୁରୁତ୍ୱ ଦେବାର । ଚାଷକୁ ଭଲପାଇବାର । ନାକ ଟେକିବାନି ବରଂ ନିଜେ ଚାଷ ଓ ଚାଷୀର ଗହନ କଥାକୁ ଅନୁକରଣ କରିବା । କୃଷି ପାଠ୍ୟକ୍ରମକୁ ବି ସମ୍ମାନ ଦେବା । ଆମ ଚାଷୀ ଆମ ଦେଶର ବଳ । ଆମ ଶକ୍ତି ଆଉ ଚେତନାର ପରିମାପକ । ଆମ ସଂସ୍କୃତିର ମୂଳାଧାର । ସେ ଚାଷୀକୁଳକୁ ମୋର କୋଟି ନମନ ……..

ସମ୍ପାଦକ

Leave A Reply

Your email address will not be published.

3 + 12 =