ଚାଷର ଭବିଷ୍ୟତ ଅତ୍ୟାଧୁନିକ ଫାର୍ମିଂ

ଯେତେବେଳେ କୃଷିର ବିକାଶ କଥା ଆସେ ସାଧାରଣତଃ ଚାଷିମାନଙ୍କ କଥା ଆସେ । ସବୁକ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳକୁ ଯୁବପିଢି ମନ ବଳାଉଥିବା ବେଳେ କୃଷି କ୍ଷେତ୍ରରେ ଟିକେ ପଛାଉଛନ୍ତି । ତେଣୁ ଚାଷୀକୁ ବୈଜ୍ଞାନିକ ଜ୍ଞାନକୌଶଳ ଆଡକୁ ଅଗ୍ରସର କରାଇ କୃଷି କ୍ଷେତ୍ରକୁ ମଜବୁତ୍‌ କରିବା ଜି -୨୦ ର ମୂଳଲକ୍ଷ୍ୟ । ଏଣିକି କୃତିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ୍‌ ଇଣ୍ଟିଲିଜେନ୍ସ) ମାଧ୍ୟମରେ ମଧ୍ୟ ଚାଷକାର୍ଯ୍ୟ କରିହେବ । ଏହା ସହ ବିଭିନ୍ନ ଚାଷକାର୍ଯ୍ୟରେ ଡ୍‌ରୋନର ପ୍ରୟୋଗ ମଧ୍ୟ କରାଯାଇପାରିବ । ସେହିପରି କାର୍ବନ୍‌ ଫାର୍ମିଂ, ଡିଜିଟାଲ ଫାର୍ମିଂ ଓ ସୋଲାର ଫାର୍ମିଂ ଆଦି ଅତ୍ୟାଧୁନିକ ପଦ୍ଧତି ଉପରେ ଜି – ୨୦ ରେ ଗୁରୁତ୍ୱ ଦିଆଯାଇଛି ।

କୃତିମ ବୁଦ୍ଧିମତାରେ ଚାରାରୋପଣ:
କୃଷି କ୍ଷେତ୍ରରେ ଯୋଡି ହୋଇଛି ଏଆଇ ବା ଆର୍ଟିଫିସିଆଲ୍‌ ଇଣ୍ଟିଲିଜେନ୍ସ ।ଏହି ଟେକ୍ନୋଲୋଜି ବ୍ୟବହାର କରି ଚାରାରୋପଣ, ଶସ୍ୟ ଅମଳ, ମୃତ୍ତିକା ଚାଷ, ପଶୁ ପାଳନ ଆଦି କରିହେବ । ଏଆଇର ଗୋଟିଏ ଆପ୍‌ ହେଉଛି କ୍ରପ୍‌ ଆଣ୍ଡ ସଏଲ ମନିଟରିଂ । ଚାଷୀକୁ ଏକାସାଙ୍ଗରେ ସବୁ ଚାରାର ଯତ୍ନନେବା ମୁସକିଲ୍‌ ହୋଇପଡୁଥିବା ବେଳେ ଏଆଇ ଏହାକୁ ସହଜ କରିଦିଏ । ଏହାଦ୍ୱାରା ମନୁଷ୍ୟକୃତ କାର୍ଯ୍ୟ କମ୍‌ ହୁଏ । ଏଆଇ ସାହାଯ୍ୟରେ ମରୁଡ଼ି, ବୃଷ୍ଟିପାତ ଆଦିର ଆଗୁଆ ସୂଚନା ମିଳିପାରିବ । ଏଥିପାଇଁ ମାଇକ୍ରୋସଫ୍ଟ ସୋୱିଙ୍ଗ୍‌ ଆପ୍‌ ରହିଛି । ଏହା ଚାଷୀକୁ ଫସଲର ଉଚିତ୍‌ ସମୟ ବତାଇଥାଏ ।

କାର୍ବନ୍‌ ଫାର୍ମିଂ:
ଏହି ପ୍ରଣାଳୀରେ ମୃତ୍ତିକା ଅଧିକ ଅଙ୍ଗାରକାମ୍ଳ ସଂରକ୍ଷଣ କରେ ଏବଂ କାର୍ବନ ଡାଇଅକ୍ସାଇଡ, ନାଇଟ୍ରସ ଅକ୍ସାଇଡ ଏବଂ ମିଥେନ ନିର୍ଗମନକୁ କମେଇପାରେ । ଏହା ବାୟୁମଣ୍ଡଳରେ ଛାଡ଼ିଥିବା ଗ୍ରୀନ ହାଉସ୍‌ ଗ୍ୟାସକୁ ହ୍ରାସ କରିଥାଏ । ମୃତ୍ତିକାରେ ଜୈବିକ ପଦାର୍ଥର ମାତ୍ରା ବୃଦ୍ଧି, ଉଦ୍ଭିଦ ବୃଦ୍ଧିରେ ସାହାଯ୍ୟ କରେ । ଜୈବିକ ଫସଲ ଯେପରି କ୍ୟାମ୍‌ପୋଷ୍ଟ ଖତ ବ୍ୟବହାର ସହିତ ଜୈବିକ ପ୍ରଣାଳୀ ମୃତ୍ତିକାରେ ଜୈବିକ ପଦାର୍ଥ ବୃଦ୍ଧି କରିଥାଏ ଓ ସିନ୍‌ଥେଟିକ ସାର ନିର୍ଗମନକୁ ମଧ୍‌ଯ କମାଏ ।

ଡିଜିଟାଲ ଫାର୍ମିଂ:
ଡିଜିଟାଲ କୃଷି ଫସଲ ପରିଚାଳନା ଏବଂ ଖାଦ୍ୟ ଉତ୍ସ ପ୍ରକ୍ରିୟାର ତଥ୍ୟ ସଂଗ୍ରହରେ ବ୍ୟବହାର ହୁଏ । ଇଣ୍ଟରନେଟ ଅଫ ଥିଙ୍ଗସ୍‌ ଏବଂ ସେନ୍ସର ବ୍ୟବହାର କରି କୃଷକମାନେ ଜୀବନ୍ତ ପ୍ରାଣୀମାନଙ୍କୁ ଟ୍ରାକ୍‌ କରିପାରିବେ ଏବଂ ଉତ୍ପାଦନ ପାଇପାରିବେ । ପଶୁମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବି ଜାଣିପାରିବେ । ମୋବାଇଲ ଟେକ୍ନୋଲୋଜି ଓ ଆପ୍‌ ମାଧ୍ୟମରେ କୃଷକମାନେ ସେମାନଙ୍କ ପ୍ରଶ୍ନର ସମାଧାନ ମଧ୍ୟ କରିପାରିବେ ଏବଂ ନିଜ ନିଜ ଫୋନରେ ଚାଷର ଅମଳ ପୂର୍ବ ଏବଂ ଅମଳ ପରବର୍ତ୍ତୀ ସୂଚନା ପାଇପାରିବେ । ସେମାନଙ୍କ କାର୍ଯ୍ୟକୁ ମୋବାଇଲ ମାଧ୍ୟମରେ ଡିଜିଟାଲାଇଜେସନ କରିପାରିବେ ।

ସୋଲାର ଫାର୍ମିଂ:
ସୌରଶକ୍ତି ହେଉଛି ପୃଥିବୀର ସବୁଠୁ ବଡ଼ ଓ ଶସ୍ତା ଶକ୍ତି ଉତ୍ସ । କୃଷି କ୍ଷେତ୍ରରେ ସୌରଶକ୍ତି ସହଜରେ ଶକ୍ତି ଯୋଗାଣ କରିପାରିବ । ବିଭିନ୍ନ ସୌରଶକ୍ତି ଶୋଷକ ଉପକରଣ ଯେପରିକି ସୋଲାର ସ୍ପ୍‌ରେ ମେସିନ ଏବଂ ବିହନ ବୁଣା ମେସିନ, ସୌର ଫସଲ ଶୁଖିବା ମେସିନ, ସୌର ଗ୍ରୀନ ହାଉସ ହିଟିଙ୍ଗ, ସୋଲାର ଏନର୍ଜି ଡ୍ରାୟର, ସୌର ଚାଳିତ ପାଣି ପମ୍ପ, ସୌର ଟ୍ରାକ୍ଟର ଇତ୍ୟାଦି ଅନ୍ତର୍ଭୁକ୍ତ ।

ରୂପାଲି ଓଝା, ଆଇଆଇଏମସି, ଢେଙ୍କାନାଳ

Spread the love

Leave a Comment

Your email address will not be published. Required fields are marked *

Scroll to Top
×