ମହିଳାଙ୍କୁ ସଶକ୍ତ,ସମୃଦ୍ଧ ଓ ସ୍ୱାବଲମ୍ବୀ କରିବାରେ ମାଣ୍ଡିଆର ଭୂମିକା ଅନନ୍ୟ : କୃଷି ମନ୍ତ୍ରୀ

ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆର ଯାତ୍ରା ସତରେ ଏକ ପ୍ରଶଂସନୀୟ ତଥା ସ୍ୱାଗତଯୋଗ୍ୟ ପଦକ୍ଷେପ । ଓଡ଼ିଶା ମିଲେଟ ମିଶନ ଏ ଦିଗରେ ସଫଳତାର ସହ କାର୍ଯ୍ୟ କରୁଛି । ୨୦୨୩କୁ ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ଭାବରେ ପାଳନ କରାଯାଉଛି । ଓଡ଼ିଶା ଏବେ ମାଣ୍ଡିଆ ଉତ୍ପାଦନରେ ବେଶ ଉଲ୍ଲେଖନୀୟ ପ୍ରଦର୍ଶନ କରିଆସୁଛି । ବର୍ତ୍ତମାନ ସମୟରେ ମାଣ୍ଡିଆରୁ ଉତ୍ପାଦିତ ଦ୍ରବ୍ୟ ତଥା ଖାଦ୍ୟର ଚାହିଦା ବୃଦ୍ଧି ନିମନ୍ତେ ସବୁବର୍ଗର ଲୋକ ମାନଙ୍କର ମିଳିତ ପ୍ରୟାସ ସ୍ୱାଗତଯୋଗ୍ୟ ବୋଲି ରାଜ୍ୟ ସ୍ତରୀୟ ପୁଷ୍ଟିସାର ଭିତ୍ତିକ କର୍ମଶାଳାରେ କୃଷି ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଏହି ଉପକ୍ରମରେ ଲୋକସେବା କନଭେସନ ସେଣ୍ଟରରେ ଅନୁଷ୍ଠିତ ଏହି କର୍ମଶାଳାରେ ମାଣ୍ଡିଆ ଚାଷର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ୫ବର୍ଷ ପର୍ଯ୍ୟନ୍ତ ଚାଷୀମାନଙ୍କୁ ହେକ୍ଟର ପିଛା ୨୬୫୦୦ଟଙ୍କା ସହାୟତା ପ୍ରଦାନ କରୁଛନ୍ତି ବୋଲି ମୁଖ୍ୟ ଅତିଥି କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ମାନଙ୍କୁ ସଶକ୍ତ,ସମୃଦ୍ଧ ତଥା ସ୍ୱାବଲମ୍ବୀ କରିବା ଦିଗରେ ମାଣ୍ଡିଆ ପ୍ରମୁଖ ଭୂମିକା ଗ୍ରହଣ କରୁଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ କହିଥିଲେ ଯେ, ଓଡ଼ିଶା ମିଲେଟ ମିଶନ ଜରିଆରେ ଚାରୋଟି ପାରମ୍ପରିକ ମାଣ୍ଡିଆ କିସମର ସଂରକ୍ଷଣ ପାଇଁ ନିଷ୍ପତ୍ତି ନିଆଯାଇଛି । କର୍ମଶାଳାରେ ବିଦ୍ୟାଳୟ ମାନଙ୍କରେ ମାଣ୍ଡିଆର ବ୍ୟବହାର ତଥା ପିଲାମାନଙ୍କ ମଧ୍ୟରେ ସଚେତନତା ବିଷୟରେ ଆଲୋଚନା କରାଯାଇଥିଲା ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×