ଆଜିକାଲି ନିଜ ବ୍ୟସ୍ତ ବହୁଳ ସମୟ ଭିତରେ ମଣିଷ ଟିକେ ବି ଖାଲି ସମୟ କାଢ଼ିବା ଅତି କଷ୍ଟକର କାର୍ଯ୍ୟ । ସମୟର ସୀମିତତା ମଧ୍ୟରେ ଏବେ ନିଜ ଘର ଚାରିପଟ ବାଡ଼ିବଗିଚାର ବି ଯତ୍ନ ନେବା ସମ୍ଭବପର ନୁହଁ । ଆଗରୁ ଏକପ୍ରକାର ସମୟ ଥିଲା ଲୋକେ ଯେତେ କାର୍ଯ୍ୟବ୍ୟସ୍ତତାରେ ରହିଲେ ବି ସକାଳୁ କିଛି ସମୟ ନିଜ ବାଡ଼ିବଗିଚା ପାଇଁ ଦେଉଥିଲେ । ସେଥିରୁ ନିଜ ଦେହ ବି ସୁସ୍ଥ ଆଉ ମନ ବି ହାଲୁକା ରୁହଥିଲା । କିନ୍ତୁ ଅଧୁନା ବାଡ଼ିବଗିଚା ଦୂର କଥା ଲୋକେ ସପିଙ୍ଗ ମଲ୍ରୁ ପନିପରିବା କିଣିବା ଆରମ୍ଭ କଲେଣି । ପରିବେଶବିତ୍ଙ୍କ ମତରେ ଆଉ କିଛି ବର୍ଷ ପରେ ନିଜ ଘର ବାଡ଼ିବଗିଚା ବୋଲି ଶବ୍ଦ ନିଶ୍ଚିହ୍ନ ହୋଇଯିବ । ତେବେ ପାକଶାଳା ବଗିଚା – ଉଦ୍ୟାନ କୃଷିର ଏକ ବାସ୍ତବ ଉପଲବ୍ôଧ । ଯେଉଁଠାରେ ଘରର ପାଖ କିଛି ସ୍ଥାନରେ ଆମେ ପନିପରିବା ଲଗାଇ ନିଜ ଘରର ଆବଶ୍ୟକତାକୁ ପୂରଣ କରିପାରିବା । ବିଭିନ୍ନ ରୁତୁରେ ପନିପରିବା ଲଗାଇବା ସହ ଏହା ପରିବେଶ ସନ୍ତୁଳନରେ ସାହାଯ୍ୟ କରିବ । ନିଜ ପରିବାର ଲୋକଙ୍କ କିଛି ସମୟରେ ଏହି ପାକଶାଳା ବଗିଚା ଖୁବ୍ କମ ଦିନରେ ଏକ ପ୍ରକୃଷ୍ଟ କୃଷିର ମାଧ୍ୟମ ହୋଇପାରିବ , ଏଥିରେ ସନ୍ଦେହ ନାହିଁ । ସାଧାରଣତଃ ପାକଶାଳା ବଗିଚାରେ ଦେଶୀ ଜାତୀୟ ପରିବା ଯଥା ମୂଳା , ଲଙ୍କା , ଶାଗ , ବିନ୍ସ୍ , ଟମାଟୋ ଆଦି ଲଗାଯାଇପାରିବ ।
ପାକଶାଳା ବଗିଚାର ଉପଯୋଗିତା-
• ପୁଷ୍ଟିକର ପନିପରିବା ଉତ୍ପାଦନ କରାଯାଇପାରିବ
• ବଜାରରୁ ପନିପରିବା ବାବଦରେ କରୁଥିବା ଅପବ୍ୟୟକୁ ରୋକାଯାଇପାରିବ
• ନିଜ ଘର ରୋଷେଇଶାଳାର ବର୍ଜ୍ୟବସ୍ତୁକୁ ଜୈବିକ ଖତ ଭାବେ ବ୍ୟବହାର କରାଯାଇପାରିବ
• ନିଜ ଘର ପାଖର ଖାଲି ସ୍ଥାନର ଉପଯୁକ୍ତ ସଦୁପଯୋଗ କରିହେବ
ସ୍ଥାନ ଚୟନ- ପାକଶାଳା ବଗିଚା ପାଇଁ ସର୍ବପ୍ରଥମେ ଆମକୁ ସ୍ଥାନ ଚିହ୍ନଟ କରିବା ଏକାନ୍ତ ଆବଶ୍ୟକ । । ଏଥିପାଇଁ କେତୋଟି ପ୍ରମୁଖ ଦିଗ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଯେପରି ଏହା ଭିତରକୁ କୋ÷ଣସି ପଶୁ ମାନେ ଆସିପାରୁନଥିବେ । ଜଳସେଚନ ଠିକ୍ ଭାବେ କରିହେଉଥିବ । ମୃର୍ତ୍ତିକାର ଉର୍ବରତାକୁ ଲକ୍ଷ୍ୟ କରିବା ଦରକାର । ସୂର୍ଯ୍ୟାଲୋକ ଠିକ୍ ଭାବେ ପଡ଼ିପାରୁଥିବ । ଏହିସବୁ ଦିଗରେ ଧ୍ୟାନ ଦେବା ଦରକାର ।
ଏହା ଛଡ଼ା ଜଳସେଚନ କିପରି ଠିକ୍ ଭାବେ କରିହେବ , ତାହାକୁ ଲକ୍ଷ୍ୟ କରିବା ଉଚିତ୍ । ମଲଚିଙ୍ଗ୍ ଦ୍ୱାରା ପବନ ଠାରୁ ମାଟି କ୍ଷୟ ହେବାକୁ ରୋକାହାଇପାରିବ । ଏହା ଦ୍ୱାରା ମାଟିର ଉତ୍ପାଦନ ହାର ବଢ଼ିଥାଏ । ଏତଦ୍ ଭିନ୍ନ ଆମେ ସବୁଜଖତ ବ୍ୟବହାର କରିପାରିବା । ଖରା ଦିନ ମାନଙ୍କରେ ପ୍ରଚଣ୍ଡ ସୂର୍ଯ୍ୟାଲୋକରୁ ଗଛକୁ ରକ୍ଷା କରିବା ପାଇଁ ଆମେ ସେଡ଼୍ ବା ଛାଇ କଲା ପାରି ବ୍ୟବସ୍ଥା କରିପାରିବା । ଜୈବିକ ଉପାୟରେ ଗଛକୁ ରୋଗପୋକ ଦାଉରୁ ରକ୍ଷା କରିବା ପାଇଁ ଜୀବାମୃତ , ପଞ୍ଚଗବ୍ୟ , ଅମୃତପାଣି ପ୍ରଭୃତି ବ୍ୟବହାର କରିପାରିବା । ଏହା ଛଡ଼ା ଜିଆଖତକୁ ମଧ୍ୟ ବ୍ୟବହାର କରାଯାଇପାରିବ ।