ଗୁମୁରି ଗୁମୁରି କାନ୍ଦୁଛି ଚାଷୀ

0

ଚାଷୀ ଏମିତି ଜଣେ ମଣିଷ ଯିଏ ସହଜରେ ନିଜ ଦୁଃଖ ପ୍ରକାଶ କରିପାରେ ନାହିଁ । ସେ ଏମିତି ଏକ ବ୍ୟକ୍ତିତ୍ୱ ଯିଏ ସଫଳ ହୋଇ ବି ସଫଳତା କଣ ଜାଣିନି । ବିଶେଷତଃ ଆମ ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ସବୁ ସମୟରେ ଦେଖିବାକୁ ମିଳେ ସତ କିନ୍ତୁ ଚାଷୀ କେବେ ଥକିନି କି ବସିନି। ନିଜର ମାଟି ପ୍ରତି , ଜାତି ପ୍ରତି ଥିବା କର୍ତ୍ତବ୍ୟକୁ ସୂଚାରୁ ରୂପେ ପାଳନ କରିଛି । ଆପଣ ଏଇ ବର୍ଷା ଦିନରେ ଚାଷ ଜମିକୁ ଯାଆନ୍ତୁ । ଦେଖିବେ ସେ ଅମାନିଆ ବର୍ଷାକୁ ବି ଚାଷୀ ଖାତିର କରେନି । ମୁଣ୍ଡରେ ଗାମୁଛା ନହେଲେ ପଖିଆ କି ଛତା ଘୋଡେ଼ଇ ଦେଇ ତଳି ରୋଇବାରେ ବ୍ୟସ୍ତ ଥିବେ । ପାଣି କାଦୁଅର ମଣିଷକୁ ଏ ବର୍ଷା ଅବା କଣ ଡ଼ରାଇବ, ଯିଏ ମାଟିର ପ୍ରତିଟି କଣିକା ଭଲ ଭାବେ ଚିହ୍ନିଛି । ଜଣେ ମୁକୁଟବିହୀନ ସମ୍ରାଟ ଭାବେ ଚାଷୀ ସାଧାରଣ ମଣିଷ ଟିଏ ହେଲେ ବି ଜଣେ ଅସାଧାରଣ ବ୍ୟକ୍ତିତ୍ୱ ,ଏକଥାକୁ ଆମେ ସ୍ୱୀକାର କରିବାକୁ ବାଧ୍ୟ ।
କଥା ହେଲା ଆମେ ଚାଷୀଙ୍କ ପାଇଁ ବିଭିନ୍ନ କର୍ମଶାଳା ଶିବିର କରୁ । ଚାଷୀଙ୍କୁ ବିଭିନ୍ନ ଚାଷ ସମ୍ବନ୍ଧୀୟ ପାଠ ପଢ଼ାଉ । ହେଲେ ଥରେ ଭାବନ୍ତୁ ନା ଯିଏ ବାପା ଅଜା ଅମଳରୁ ଚାଷକୁ ନିରିଖେଇ ତନ ତନ କରି ଦେଖି ଅଭିଜ୍ଞ ହୋଇଛି ତାକୁ ଆମେ ଅଧିକ କଣ ବା ଜ୍ଞାନ ଦେଇ ପାରିବା । ବାସ୍‌ ଚାଷ ସମ୍ବନ୍ଧୀୟ ନୂଆ କୋ÷ଶଳ କିଛି କହିପାରିବା । ବିହନ ବୁଣିବା ଠାରୁ ଅମଳ ଯାଏଁ ଦିନକୁ ଏକାକାର କରି ସେ ଫସଲ ଅମଳ କରେ।

nano urea

କିନ୍ତୁ ଅନେକ ସମୟରେ ଏଇ ବର୍ଷା,ବାତ୍ୟା ଜନିତ ସମସ୍ୟା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଏ । ଏଇ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷାର ପରିମାଣ ଏତେ ବୃଦ୍ଧି ପାଇଲା ଯେ ଓଡ଼ିଶାରେ ମଧ୍ୟମ ଧରଣର ବନ୍ୟା ଆସିଛି ବୋଲି ରାଜ୍ୟ ସରକାର ସୂଚନା ଦେଲେ । କିନ୍ତୁ ବନ୍ୟା ଆସିବା ପୂର୍ବରୁ ଜିଲ୍‌ା ସ୍ତରରେ ପଂଚାୟତ ସ୍ତରରେ ଗାଁ ମାନଙ୍କରେ ଚାଷୀ ମାନଙ୍କୁ ଏ ଦିଗରେ ସଚେତନ କରିବାର ଅଧିକ ଆବଶ୍ୟକ ଥିଲା । ଆଜି ଅଧିକାଂଶ ଚାଷ ଜମିରେ ପାଣି ଢେ଼ଉ ଭାଙ୍ଗୁଛି । ଅନେକ ପନିପରିବା ବନ୍ୟା ଜଳରେ ନଷ୍ଟ ହେଲାଣି । ଗୁମୁରି ଗୁମୁରି କାନ୍ଦୁଛି ଚାଷୀ । ମନଖୋଲି କହିପାରୁନି ନିଜ ଅବ୍ୟକ୍ତ ବେଦନାକୁ । କେବଳ ଗଣମାଧ୍ୟମ ଆଗରେ ଏହି ସଚେତନତାର ଶବ୍ଦ କହି ଚୁପ୍‌ ହୋଈଯାଉଛି ଚାଷ କରିବା ଏତେ ସହଜ କଥା ନୁହେଁ । ଯିଏ ଜମିରେ ଖଟିଛି ସିଏ ଜାଣିଛି ଏହାର ମାନେ କଣ । ତେବେ ଆଗାମୀ ଦିନରେ କିପରି ଏ ସମସ୍ୟାକୁ ଏଡ଼ାଇ ଯାଇପାରିବ , ସେ ଦିଗରେ ସବୁ ସ୍ତରର ଲୋକ ଆଗଭର ହେବା ଆବଶ୍ୟକ । କାରଣ ନିଜ ପରିଶ୍ରମରେ କରିଥିବା ଚାଷର ମୂଲ୍ୟ ଯଦି ଚାଷୀ ନପାଇଲା , ପରବର୍ତ୍ତୀ ସମୟରେ ସେ ମୁହଁ ଫେରାଇବାକୁ ବାଧ୍ୟ ହେବ । ଏ ଦିଗରେ ମିଳିତ ସହଯୋଗ ଓ ସଚେତନତା ଆବଶ୍ୟକ । ଚାଷୀଙ୍କ ଏହି ସମସ୍ୟା ଦିଗରେ ବିଶେଷ ଦୃଷ୍ଟି ଆକର୍ଷଣ କରିବା ବିଧେୟ ।
ଡ଼ି ଶୁଭମ୍‌ , ସମ୍ପାଦକ – ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ

Leave A Reply

Your email address will not be published.

thirteen − eight =