ପ୍ରତି ମଙ୍ଗଳବାର ଶୁଭଙ୍କର ପୁରୋହିତଙ୍କ ନିୟମିତ ସ୍ତମ୍ଭ ସବୁଜ ସନ୍ଦେଶ
ବର୍ଷା ଦିନେ ସାଧାରଣତଃ ବାଡ଼ି ବଗିଚାରେ ଚାଷୀମନେ ବିଭିନ୍ନ ଲତା ଜାତୀୟ ପରିବା ଯେପରିକି ଜନହିଁ, କାକୁଡ଼ି, କଖାରୁ, କଲରା ଇତ୍ୟାଦି ଚାଷ କରିଥାନ୍ତି, ଏସବୁ ମଧ୍ୟରୁ କଖାରୁ ହେଉଛି ଏକ ଲାଭ ଦାୟକ ଫସଲ। କଖାରୁ ଚାଷରେ ଚାଷୀମାନେ କମ ପରିଶ୍ରମ ଓ କମ ଖର୍ଚ୍ଚରେ ଅଧିକ ଅମଳ ପାଇ ପାରିବେ। କଖାରୁର ଫଳ, ଫୁଲ ଓ ପତ୍ର ସବୁ ଖାଦ୍ୟ ଉପଯୋଗୀ। ଏହାର ଫଳ ଓ ଫୁଲ ବିଭିନ୍ନ ସୁସ୍ୱାଦୁ ବ୍ୟଜନ ପ୍ରସ୍ତୁତିରେ ରୋଷେଇରେ ବ୍ୟବହାର ହୁଏ, ଏବଂ ଏହାର ପତ୍ରକୁ ଶାଗ ଭାବରେ ବ୍ୟବହାର କରାଯାଏ, ତା ସହିତ ଏହାର ଡଙ୍କ(ଲତା) କୁ ମଧ୍ୟ ରୋଷେଇରେ ବ୍ୟବହାର କରାଯାଏ। ଏହା ଉଭୟ ପାକଶାଳା ବଗିଚା ଓ ବ୍ୟବସାୟିକ ବଗିଚା ପାଇଁ ଚାଷ କରାଯାଇ ପାରିବ।
ବ୍ୟବସାୟିକ ଚାଷ ପାଇଁ ବର୍ଷା ପୂର୍ବରୁ ପ୍ରଥମେ ଜମିକୁ ଭଲଭାବରେ ହଳ କରିଦିଆଯାଏ, ତାପରେ ପ୍ରତି ୬ଫୁଟ*୩ଫୁଟ ବ୍ୟବଧାନରେ ୧.୫ ଘନ ଫୁଟର ଗାତ ଖୋଳି ଶୁଖିଲା ଗୋବର ଖତ ଦେଇ ଜମିକୁ ସମାତୁଲ କରି ଦିଆଯାଏ, ପ୍ରତି ଗାତରେ ୨-୪ଟି ମଞ୍ଜି (୫୦୦ ଗ୍ରାମ ପ୍ରତି ଏକର) ପୋତି ପ୍ରତି ଗାତରେ ବାଲଟି ଅଳ୍ପ ଜଳସେଚନ କରାଯାଏ । ପ୍ରାୟ ୭-୧୫ ଦିନ ମଧ୍ୟରେ ତାହା ଗଜା ହୋଇ ଲତା ହୁଏ, ଏବଂ ଫୁଲ ଫୁଟେ, ପ୍ରାୟ ୪୫-୬୦ ଦିନରେ ଫଳ ଅମଳ ଉପଯୋଗୀ ହୋଇ ଯାଏ।
ଏଥିରେ ପ୍ରାୟ ରୋଗ ପୋକର ଆଶଙ୍କା କମ ଥାଏ, କେବଳ ୧୫ ଏବଂ ୨୫-୩୦ ଦିନ ମଧ୍ୟରେ ଦୁଇଥର ଘାସ ଦମନ କରିବା ଆବଶ୍ୟକ। ଅମଳ ପ୍ରାୟ ୧୦୦କ୍ୱିଣ୍ଟାଲ ପ୍ରତି ଏକର ମିଳେ

ଶୁଭଙ୍କର ପୁରୋହିତ
ସହକାରୀ ପ୍ରାଧ୍ୟାପକ , କ୍ଷେତ୍ର ବିଜ୍ଞାନ , ଏମ.ଏସ.ସ୍ୱାମୀନାଥନ କୃଷି ମହାବିଦ୍ୟାଳୟ , ପାରଳାଖେମୁଣ୍ଡି
(ପ୍ରକାଶିତ ଆଲେଖ୍ୟଟି ସମ୍ପୂର୍ଣ୍ଣ ଭାବରେ ଲେଖକଙ୍କ ନିଜସ୍ୱ । ଏଥିପାଇଁ ଶ୍ୟାମଳ ସୁବର୍ଣ୍ଣ ସମ୍ପାଦନା ମଣ୍ଡଳୀ ଦାୟୀ ରହିବେ ନାହିଁ । )