ଉଦ୍ୟୋଗର ନବ ଉନ୍ମେଷ- ମହୁମାଛି ପାଳନ

0

ବିଶ୍ୱ ମହୁମାଛି ଦିବସ ଅବସରରେ…

ମହୁମାଛି ହେଉଛି ଏକ ଅତି ପରିଚିତ, ମୂଲ୍ୟବାନ, ଅତି ଗବେଷିତ ସାମାଜିକ କୀଟ । ମହୁମାଛିଠାରେ ରହିଛି ଠାକୁରଙ୍କ ପ୍ରିୟ ପ୍ରାକୃତିକ ମହୁ ର ଉତ୍ପାଦନ କ୍ଷମତା। ପ୍ରାଚୀନକାଳରୁ ବିଭିନ୍ନ ବେଦ ଉପନିଷଦ ରେ ମହୁ ଓ ମହୁମାଛିର ଉଲ୍ଲେଖ ରହିଛି । ର୍ବମାନ ର ପରିସ୍ଥିତିରେ କେବଳ ଗୋଟିଏ କ୍ଷେତ୍ରରୁ ଅର୍ଥ ଉପାର୍ଜନ କରିବା କଦାପି ଉଚିତ ନୁହଁ । ପରିସ୍ଥିତି ବଦଳୁଛି ଓ ଆମ ଚାଷୀଭାଇ ମାନଙ୍କୁ ମଧ୍ୟ ବଦଳିବାକୁ ପଡ଼ିବ । ସାଧାରଣ ପନିପରିବା, ଫଳ, ଫୁଲ, ତୈଳବୀଜ ଚାଷ ସହ ଯଦି ମହୁଚାଷ କୁ ଯୋଡ଼ି ଦିଆଯିବ ତେବେ ଏହା ଅତି ମୂଲ୍ୟବାନ ମହୁ, ମହମ ଓ ମହୁମାଛି ଦଳ ସହ ପରୋକ୍ଷ ଭାବରେ ପାଖରେ ଥିବା ଖାଦ୍ୟଶସ୍ୟର ଗୁଣବତ୍ତା ତଥା ଉତ୍ପାଦନ କ୍ଷମତା ବଢାଇପାରିବ । ମହୁ ଅତି ମୂଲ୍ୟବାନ ଓ ଏହାର ଆବଶ୍ୟକତା ସମସ୍ତେ ଜାଣନ୍ତି । ମହୁକୁ ପୂଜା କ୍ଷେତ୍ରରେ, ସାଧାରଣ ଖାଦ୍ୟ ଓ ଆୟୁର୍ବେଦିକ ଔଷଧ ରେ ବ୍ୟବହାର କରାଯାଏ । ପ୍ରାକୃତିକ ଓ ବିଶୁଦ୍ଧ ମହୁର ମୂଲ୍ୟ ବହୁତ ଅଧିକା (୧ କି.ଗ୍ରା. ସପ୍ତଫେଣୀ ମହୁମାଛି ମହୁ ର ମୂଲ୍ୟ ୪୦୦ ରୁ ୬୦୦ ଟଙ୍କା –) । ୧୦ ଚାମଚ ମହୁ ରୁ ମିଳୁଥିବା ଉର୍ଯା ୧.୫ ଲିଟର କ୍ଷୀର, ୮ଟି କମଳା, ୧୦ ଟି ଅଣ୍ଡା, ୧.୬ କି.ଗ୍ରା. ଛେନା ଓ ୩୦୦ ଗ୍ରାମ ମାଂସ ରୁ ମିଳିବା ଉର୍ଯା ସହ ସମାନ । ମହୁକୁ ବିଭିନ୍ନ ରୋଗର ପ୍ରତିରୋଧକ ଓ ନିରାକରଣ ପାଇଁ ବ୍ୟବହାର କରାଯାଏ । ମହମ:- ପୁରୁଣା ଫେଣା କିମ୍ବା ମହମ ସୁଲଭ ସଂକ୍ରମିତ ଫେଣାକୁ କୁ ବ୍ୟବହାର କରି ମହମ ପ୍ରସ୍ତୁତି କରାଯାଇ ପାରିବ । ୧ କି.ଗ୍ରା. ମହମ ର ମୂଲ୍ୟ- ୩୦୦ଟଙ୍କା । ମହମ କୁ ବିଭିନ୍ନ ପ୍ରସାଧନ ସାମଗ୍ରୀ, ଲିପ୍ସ୍ଟିକ, ମଲମ ଓ ବିଭିନ୍ନ ପ୍ରକାର ପୋଲିଶ ରେ ବ୍ୟବହାର କରାଯାଏ ।

ବିଭାଜିତ ଦଳ:- ପ୍ରତ୍ୟେକ ବର୍ଷ ଆମେ ଗୋଟିଏ ମାଛି ଦଳରୁ ଗୋଟିଏ ଦୁଇଟା ଅଧିକା ଦଳ ପାଇପାରିବା । ଆମେ ଏହି ଦଳ ଦ୍ୱାରା ନିଜର ମହୁ ବ୍ୟବସାୟକୁ ବଢାଇପାରିବା କିମ୍ବା ଏହି ଦଳ ଗୁଡିକୁ ଅନ୍ୟ ମହୁଚାଷୀଙ୍କୁ ବିକ୍ରି କରିପାରିବା (ଗୋଟିଏ ମାଛି ଦଳର ମୂଲ୍ୟ – ୮୦୦ଟଙ୍କା) । ଏତଦବ୍ୟତୀତ ଆମେ ପ୍ରୋପୋଲିସ, ରୋୟାଲ ଜେଲୀ, ପରାଗରେଣୁ, ମାଛିର ଦଂଶନ ବିଷ କୁ ବାହାର କରି ମଧ୍ୟ ବିକ୍ରି କରିପାରିବା ଯାହାର ଅନେକ ଔଷଧୀୟ ଗୁଣ ରହିଛି । ପରୋକ୍ଷଭାବରେ ଏହି ପରାଗସଙ୍ଗମକାରୀ ମହୁମାଛିମାନଙ୍କୁ ଆମେ ପରାଗସଙ୍ଗମରେ ନିଯୋଜିତ କରି ଅଧିକ ଗୁଣବତ୍ତର ଓ ଅଧିକ ପରିମାଣର ଖାଦ୍‌ଯ ଉତ୍ପାଦନ କରିପାରିବା ।

nano urea

ବିଭିନ୍ନ ଗବେଷଣା ରୁ ଜଣାପଡିଛି ଯେ ମହୁମାଛି ର ଉପସ୍ଥିତି ଓ ଏହାର ପରାଗସଂଗମ ଯୋଗୁଁ ସୋରିଷରେ ୧୦.୬ ପ୍ରତିଶତ, ରାଶି (୨୫ପ୍ରତିଶତ), ଅଳସୀ (୩୩ ପ୍ରତିଶତ) ଓ ସୂର୍ଯମୁଖୀରେ ୭୯ ପ୍ରତିଶତ ଅଧିକ ଉତ୍ପାଦନ ସହ ଏଥିରୁ ଅମଳ ଖାଦ୍ୟ ଶ୍ରେୟସ୍କର ରହିଥାଏ ।ସ୍ୱଳ୍ପ ଅର୍ଥ ବିନିଯୋଗ, ଅବ୍ୟବହୃତ ସ୍ଥାନ, ସ୍ୱଳ୍ପ ସମୟ ଓ ପର୍ଯ୍ୟବେକ୍ଷଣ ଦ୍ୱାରା ମହୁ ଓ ଅନ୍ୟାନ୍ୟ ମୂଲ୍ୟବାନ ଦ୍ରବ୍ୟର ବ୍ୟବସାୟ କରି ଅଧିକ ଖାଦ୍ୟ ଶସ୍ୟ ଅମଳର ସ୍ୱତନ୍ତ୍ର ପ୍ରକଳ୍ପ ହେଲା ମହୁଚାଷ ଓ ଏହା ଅତ୍ୟନ୍ତ ଲାଭଦାୟକ । କରୋନା ଭୂତାଣୁର ସଙ୍କଟାପର୍ଣ୍ଣ ସମୟରେ ସରକାରଙ୍କ ଦ୍ୱାରା ଆଦୃତ ଏହି ଆତ୍ମ ନିର୍ଭର ଭାରତ ଅଭିଯାନ ନିଶ୍ଚିତ ରୂପେ ଚାଷୀ ଭାଇ ମାନଙ୍କ ପାଇଁ ଏକ ନୂଆ ଆଶା ର ଆଲୋକ । ଏହି ଅଭଯାନ ପରିପ୍ରେକ୍ଷୀରେ ସରକାର ଶିଳ୍ପାୟନ, ପଶୁପାଳନ, କ୍ଷୁଦ୍ର ଖାଦ୍ୟ ଶିଳ୍ପ, ମାଛ ଚାଷ, ଜାତୀୟ ପଶୁ ରୋଗ ନିରାକରଣ ଓ ମହୁଚାଷ ପ୍ରତି ବିଶେଷ ଦୃଷ୍ଟି ଆକର୍ଷଣ ରଖିଛନ୍ତି । ଏହି ଦୃଷ୍ଟିକୋଣରୁ ଏହା ବିଚାର କରାଯାଇପାରେ ଯେ :-ସରକାର ଏହି ଅଭିଯାନରେ ୫୦୦କୋଟି ଟଙ୍କାର ସ୍ୱତନ୍ତ୍ର ଅର୍ଥରାଶି ଦ୍ୱାରା ମହୁଚାଷର ଶିଳ୍ପାୟନ ତଥା ଉଦ୍‌ୟୋଗୀକରଣ, ମହୁଚାଷ ତଥା ପରିଚାଳନା ର ପ୍ରଶିକ୍ଷଣ, ମହୁ ଉତ୍ପାଦନ, ଆଦାୟ, ଓ ସଂରକ୍ଷଣ ତଥା ଏହାର ବ୍ୟବସାୟ ନିମନ୍ତେ ଉତ୍ତମ ବାଣିଜ୍ୟ ସେବାର ଅଭିଳାଷ ରଖିଛନ୍ତି । ସରକାର ଉତ୍ତମ ଭଣ୍ଡାର ଗୃହର ପ୍ରତିଷ୍ଠା କରି ଅଧିକ ପରିମାଣ ରେ ଉତ୍ପାଦିତ ମହୁର ଗୁଣବତ୍ତା କୁ ବହୁତ ଦିନ ପର୍ଯ୍ୟନ୍ତ ବଜାୟ ରଖିବା ପାଇଁ ଚେଷ୍ଟିତ । ଏହି ଯୋଜନାରେ ମାଛି ଦଳ ବିଭାଜକଙ୍କ ସଂଗଠନ ଓ ଉନ୍ନତମାନର ମାଛିଦଳର ସଂରକ୍ଷଣ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ ।

ଉନ୍ନତମାନର ମହୁ ଉତ୍ପାଦନ ଜରିଆରେ ସରକାର ଗରିବ ଚାଷୀଭାଇ, ବେରୋଜଗାରୀ ତଥା ମହିଳା ମାନଙ୍କୁ ମହୁଚାଷ ନିମନ୍ତେ ସଶକ୍ତିକରଣ କରାଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ଯୋଜନା ରଖିଛନ୍ତି । ଏହି ଅଭିଯାନରେ ସରକାର ନିମ୍ନବର୍ଗୀୟ ଜନସାଧାରଣ ଓ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇ ଉନ୍ନତମାନର ମହୁ ଉତ୍ପାଦନ ସହ ୨ ଲକ୍ଷ ମହୁଚାଷୀଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣିବାର ପରିକଳ୍ପନା କରିଛନ୍ତି ।କିନ୍ତୁ, ମହୁଚାଷ ଏକ ସମୟ ଭିତ୍ତିକ ଚାଷ । ଏହା ଯେକୌଣସି ସ୍ଥାନ ଓ ଯେକୌଣସି ସମୟରେ କରାଯାଇପାରିବ ନାହିଁ । ମହୁଚାଷ ଆରମ୍ଭ କରିବାପାଇଁ ଜାନୁୟାରୀ ରୁ ମାର୍ଚ୍ଚ ମାସ ଉତ୍ତମ ଅଟେ ।

ତେବେ ଏହି ଅଭିଯାନ ମହୁଚାଷ ନିମନ୍ତେ କେତେ ଦୂର ସଫଳଦାୟକ ଓ କେତେ ଶୀଘ୍ର ଆରମ୍ଭ ହୋଇପାରିବ ତାହା ବର୍ତମାନ ପରିସ୍ଥିତିରେ ଆକଳନ କରିବା କଷ୍ଟକର । ତଥାପି, ଯଦି ଏହି ସମୟରେ ଯେକୌଣସି ମତେ ମହୁମାଛି ଦଳ ବିଭାଜନ କରି ଚାଷୀଭାଇମାନଙ୍କର ମହୁମାଛି ଦଂଶନ ପ୍ରତି ଥିବା ଭୟକୁ ଖଣ୍ଡନ କରି ଯଦି ସେମାନଙ୍କୁ ମହୁଚାଷର ଉତ୍ପାଦନ କ୍ଷମତା ଓ ଲାଭ ବିଷୟରେ ଅବଗତ କରାଇ ମହୁଚାଷ ନିମନ୍ତେ ରାଜି କରାଇପାରିଲେ, ତେବେ ଏହି ଅଭିଯାନ ନିଶ୍ଚିତ ଏକ “ସ୍ୱଦେଶୀ ମହୁ ପ୍ରକଳ୍ପ” ର ରୂପରେଖ ନିର୍ମାଣ କରିପାରିବ ।

ଦିପାୟନ ପାଢ଼ୀ , ସହକାରୀ ପ୍ରାଧ୍ୟାପକ, କୀଟତତ୍ତ୍ଵ ବିଭାଗ , ଏମଏସ ସ୍ୱାମୀନାଥନ କୃଷି ମହାବିଦ୍ୟାଳୟ ,ମୋ -୮୨୮୦୦୨୮୧୬୬)

Leave A Reply

Your email address will not be published.

5 × one =