ମାଛ ହାଟରେ ଚର୍ଚ୍ଚା

0

କଥାରେ ଅଛି “ମାଛ ଯାହାର ଆହାର, ରୋଗ ନାହିଁ ତାହାର”। ସପ୍ତାହ ରେ କେତେ ଗୁଡିଏ ଦିନ ଅଛି, ଯଦି ମାଛ ତରକାରୀ ଟିକେ ପାଟିରେ ନବାଜେ ତେବେ ଦିନଟା ବେକାର ହୋଇଗଲା ବୋଲି ମନେ ହୁଏ । ଗତ ସପ୍ତାହ ର କଥା, ମାଛ କିଣିବା ପାଇଁ ମୁଁ ହାଟ କୁ ଯାଇଥାଏ । ବିଭିନ୍ନ ପ୍ରକାର ର ମାଛ ଦେଖିବା ସହିତ ତାହାର ମୂଲ୍ୟ ପରଖୁ ଥାଏ । ଠିକ୍ ସେତିକିବେଳେ ପଛ ରୁ କିଏ ଜଣେ କହିଲେ, ସାର୍ ଆଜି କ’ଣ ମାଛ ହାଟରେ । ବୁଲିପଡ଼ି ଦେଖିଲି, ସେ ଆମ ଅଂଚଳ ର ଅଭୟ ବାବୁ । ହାଟ ପାଖରେ ବାବୁ ଙ୍କ ଘର । ଅଭୟ ବାବୁ ଜଣେ ଶିକ୍ଷିତ ଓ ସଚେତନ ନାଗରିକ । ସେ ସବୁ ବିଷୟରେ ଜାଣିବା ପାଇଁ ଯେଉଁ ପ୍ରଶ୍ନ ଗୁଡା ପଚାରନ୍ତି ତାହା ଅନେକ ଲୋକଙ୍କୁ ବେଳେବେଳେ ଅଖାଡୁଆ ଲାଗେ । କିନ୍ତୁ ତାଙ୍କର ଉଦେଶ୍ୟ ମନ୍ଦ ନଥାଏ ।

ଯେମିତିକି, ଯଦି ଡାକ୍ତରଖାନ ର କୌଣସି କର୍ମଚାରୀ ଦେଖା ହେଇଗଲେ, ଅଭୟ ବାବୁ ତାଙ୍କୁ ପଚାରନ୍ତି ଡାକ୍ତରଖାନା ରେ ଡାକ୍ତର ଙ୍କ ସଂଖ୍ୟା ଅଭାବ ହେବାର କାରଣ ?, ଯଦି କେହି ଶିକ୍ଷକ ଦେଖା ହେଇଗଲେ, ସରକାରୀ ଆଉ ବେସରକାରୀ ସ୍କୁଲ ମଧ୍ୟ ରୁ କଉଠି ଭଲ ପାଠ ପଢା ହଉଚି ?, ପେଟ୍ରୋଲ ପମ୍ପ ରେ ତେଲ କିଣିବା ବେଳେ, ପେଟ୍ରୋଲ ର ମୂଲ୍ୟ ବୃଦ୍ଧି ହେବାର କାରଣ କ’ଣ ?, ଜଳସେଚନ କର୍ମଚାରୀ ଙ୍କୁ, କେନାଲ ରେ ପାଣି କେବେ ଆସିବ ?, ରାଜନୀତି କରୁଥିବା ଲୋକଙ୍କୁ, ବ୍ଲକ ରେ ଜନକଲ୍ୟାଣ କାର୍ଯ୍ୟ କେମିତି ଚାଲିଛି ?, ଜୀବନ ବୀମା କର୍ମଚାରୀ ଙ୍କୁ, ନୂଆ ପଲିସି ବିଷୟରେ କିଛି କୁହନ୍ତୁ, ଏମିତି ଅନେକ ପ୍ରଶ୍ନ । ଅଭୟ ବାବୁ ମୋତେ ଲଖ୍ୟ କରି କହିଲେ, ମନେ ମନେ ବହୁତ ଖୋଜୁଥିଲି ଯାହା ହଉ, ଆପଣ ଆଜି ଠିକ୍ ଜାଗାରେ ଦେଖା ହେଇଗଲେ । ଆପଣ ମାଛ ବିଷୟରେ ପଢାଉଛନ୍ତି, ଆପଣ ଙ୍କ ର ଜ୍ଞାନ ଅଧିକ । ଚୁନା ମାଛ ର ଉପାଦେୟତା ଉପରେ କିଛି କୁହନ୍ତୁ ?, ମାଛ ଆମେ କାହିଁକି ଖାଇବୁ ?, ସ୍କୁଲ ରେ ପିଲା ମାନଙ୍କୁ ଚୁନା ମାଛ ଖାଇବାକୁ ଦିଆଯିବାର କାରଣ କ’ଣ ?, ମାଛ ତେଲ କ’ଣ ? ଏହା ଆମ ପାଇଁ କାହିଁକି ଦରକାରୀ ? କିଛି ସୂଚନା ଦିଅନ୍ତୁ । ସେ ମାଛ ବିସ୍କୁଟ କ’ଣ ?, ଆମେ ଖାଇବା ଦରକାର କି ନାହିଁ ? ଟିକେ ବୁଝିଲା ଭଳିଆ କୁହନ୍ତୁ । ପ୍ରାୟତଃ ଅଭୟ ବାବୁ ଯେଉଁ ଠାରେ ଚର୍ଚା ଆରମ୍ଭ କରନ୍ତି, ସେଠାରେ ଲୋକ ଗହଳି ଦେଖାଯାଏ । ସବୁ ପ୍ରଶ୍ନ ଶୁଣିବା ପରେ, ସାମାଜିକ ଦୂରତା ରକ୍ଷା କରି, ପ୍ରଶ୍ନ ଗୁଡିକର ଉତ୍ତର ଅତି ସଂକ୍ଷେପ ଓ ଆଲୋଚନା ମାଧ୍ୟମ ରେ ବୁଝାଇବାକୁ ଚେଷ୍ଟା କଲି । ମିଳିତ ଜାତିସଂଘର ଆନ୍ତର୍ଜାତୀୟ ଶିଶୁ ଜରୁରୀକାଳୀନ ପାଣ୍ଠି (ୟୁନିସେଫ୍) ର ତଥ୍ୟ ଅନୁଶାରେ, ଆମ ଦେଶରେ ପିଲା ଙ୍କ ମଧ୍ୟରେ ପୁଷ୍ଟିହୀନତା ଏକ ଚିନ୍ତାଜନକ ବିଷୟ ।

nano urea

ଗ୍ରାମାଞ୍ଚଳ ରେ ପୁଷ୍ଟିହୀନତା ବିଶେଷ ଭାବରେ ଦେଖାଯାଇଥାଏ । ଶିଶୁ ଓ ପ୍ରାପ୍ତ ବୟସ୍କ ଲୋକ ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମାଛ ଖାଇବା ଆବଶ୍ୟକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ପରାମର୍ଶ ଅନୁସାରେ, ଜଣେ ବ୍ୟକ୍ତି ବର୍ଷ କୁ ଅତି କମ ରେ ୧୧ କେଜି ମାଛ ଖାଇବା ଆବଶ୍ୟକ । ଆମ ରାଜ୍ୟରେ ଲୋକମାନେ ମାଛ ର ଗୁରୁତ୍ୱକୁ ଉପଲବ୍ଧି କଲେଣି, ତେଣୁ ଦିନକୁ ଦିନ ମାଛ ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ରେ ଏବେ ମୁଣ୍ଡ ପିଛା ମାଛ ଆହରଣ ୧୬.୨୪ କେଜି କୁ ବୃଦ୍ଧି ପାଇଲାଣି । ଆମକୁ ସୁସ୍ଥ ରହିବା କୁ ହେଲେ ଖାଦ୍ୟରେ ଅଧିକରୁ ଅଧିକ ପରିମାଣ ର ମାଛ ସାମିଲ କରିବା ଦରକାର । ଚୂନା ମାଛ ଗୁଡିକରେ ସମସ୍ତ ପ୍ରକାର ଖଣିଜ ପଦାର୍ଥ ଥାଏ ଏବଂ ଏହି ଚୂନା ମାଛ ରୁ ଭିଟାମିନ ଏ, ଡି ଓ ବି ମିଳିଥାଏ । ସାଧାରଣତଃ ଆମ୍ଭେମାନେ ଚୂନା ମାଛ ଗୁଡିକର ମୁଣ୍ଡ ଓ କଣ୍ଟା ସମ୍ପୂର୍ଣ ଖାଇଥାଉ, ଯାହାର କି ଉପାଦେୟତା ଅଧିକ ଥାଏ । ଚୂନା ମାଛ ରେ ଅଧିକ ପରିମାଣର ସୂକ୍ଷ୍ମ ପୁଷ୍ଟିସାର ଥାଏ, ତେଣୁ ଚୁନା ମାଛ ଖାଇବା ଦ୍ୱାରା ପିଲାମାନେ ଅଧିକ ବୁଦ୍ଧିମାନ ହୋଇଥାନ୍ତି । ସୁସ୍ଥ ମସ୍ତିସ୍କ ବୃଦ୍ଧି ହେବା ସହିତ ଚଷୁ ସୁସ୍ଥ ରହେ, ରକ୍ତହୀନତା ଦୂର ହୁଏ । ହାଡ ଓ ଦାନ୍ତ ଶକ୍ତ ଓ ସୁସ୍ଥ ରହେ । ମାଛ ରେ ପୁଷ୍ଟିସାର ଅଧିକ ଥିବାରୁ ଏହା ଗର୍ଭାବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା ଓ ଶିଶୁ ଙ୍କ ପାଇଁ ଅଧିକ ଉପଯୋଗୀ ଅଟେ । ମାଛ ତେଲ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଓମେଗା-3 ଫ୍ୟାଟି ଏସିଡ୍, ଭିଟାମିନ୍ ଅଧିକ ପରିମାଣରେ ମାଛ ତେଲରେ ଥାଏ । ମାଛ ତେଲ ଯନ୍ତ୍ରଣା ଓ ମାନସିକ ଚାପ ହ୍ରାସ କରିଥାଏ । ମାଛ ତେଲ ହୃଦୟ ପାଇଁ ଭଲ ବୋଲି ବିବେଚନା କରାଯାଏ । ଏହା ରକ୍ତ ଜମାଟ ବାନ୍ଧିବା ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ପ୍ରତିଦିନ ମାଛ ତେଲ ବ୍ୟବହାର କରିବା ଦ୍ୱାରା ହୃଦଘାତ ହବାର ସମ୍ଭାବନା କମିଯାଏ । ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଏହା ଲାଭଦାୟକ ଅଟେ ।

ପଞ୍ଜାବ ର ଗୁରୁ ଅଙ୍ଗଦ ଦେବ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଦ୍ୱାରା ମାଛ ବିସ୍କୁଟ ପ୍ରସ୍ତୁତ କରାଯାଇଛି । ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ । କରୋନା ମହାମାରୀ ଆସିବା ପରେ, ଲୋକମାନେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ତେଣୁ ହାଇ ପ୍ରୋଟିନ ଯୁକ୍ତ ମାଛ ବିସ୍କୁଟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଖୁବ୍ ସହାୟକ ହେବ ବୋଲି ଆଶା କରାଯାଏ । ବିସ୍କୁଟ ପ୍ରସ୍ତୁତକାରୀ ଙ୍କ କହିବା ଅନୁସାରେ, ଏହି ବିସ୍କୁଟ ସାଧାରଣ ବିସ୍କୁଟ ତୁଳନାରେ ମହଙ୍ଗା ଅଟେ କିନ୍ତୁ ଏହା ଔଷଧ ଭଳି କାମ କରିବ । ସବୁ ଶୁଣି ସାରିବା ପରେ ଅଭୟ ବାବୁ କହିଲେ, ଧନ୍ୟବାଦ ଆଜ୍ଞା, ମାଛ ଆମ ସ୍ୱାସ୍ଥ୍ୟ ପାଇଁ ଏତେ ଉପକାରୀ ଜାଣି ବହୁତ ଖୁସି ଲାଗିଲା । ଆଉ ଅଭୟ ବାବୁ ଙ୍କ କଣ୍ଠ ରୁ ଭାସି ଆସୁଥିଲା ….. ମତ୍ସ୍ୟ ରୂପେ ସୃଷ୍ଟି ତୋର ମଧୁର ଓ ଲୁଣି ପାଣିରେ,ଲୋଡା ହୁଅ ଖାଦ୍ୟ ଓ ସ୍ୱାସ୍ଥ୍ୟ ପାଇଁ ପୁଣି ସୌନ୍ଦର୍ଯ୍ୟ ବୃଦ୍ଧିରେ ।।

ଡ. ଗଣେଶ ଚନ୍ଦ୍ର କୁଣ୍ଡ, ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ (ଓ.ୟୁ.ଏ.ଟି)ବ୍ରହ୍ମପୁର ମୋ : ୯୯୩୮୦୬୦୮୮୬

Leave A Reply

Your email address will not be published.

one + 12 =