ଚାଷୀର ପ୍ରକୃତ ପରିଚୟ କଣ ?

0

ଅତୀତରେ କୁହଯାଉଥିଲା ଯାହାର ଚାଷ ଅଛି, ସେ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ଧାର୍ଯ୍ୟ କରି ପ୍ରତିବଦଳେ ମୋ÷ଳିକ ଆବଶ୍ୟକତାକୁ ଜୁଟାଇ ପାରୁଥିଲା । ଅଭାବ ଅସୁବିଧାଠାରୁ ଦୂରରେ ରହି ସୁଖ ଓ ଶାନ୍ତି ଉପଭୋଗ କରୁଥିଲା । ଆମେ ଜାଣିପାରୁ ନାହାନ୍ତି ଶିଳ୍ପ କ୍ଷେତ୍ର ଓ ଶସ୍ୟ କ୍ଷେତ ଭିତରେ ଫରକ ନଥାଏ । ସବୁଜ ଶିଳ୍ପରେ ଧାନ ଫଳେ ଠିକ ଶିଳ୍ପରୁ ଉତ୍ପାଦିତ ସାମଗ୍ରୀ ପରି, କିନ୍ତୁ ଶିଳ୍ପକୁ ଆଦର ମିଳୁଥିବା ବେଳେ ଚାଷକୁ ମିଳେ ହତାଦାର । ଯାହା ବିରଳ ଓ କ୍ୱଚିତ ମିଳେ ତାହାର ଆଦର ଏ ସଂସାରରେ ସର୍ବଦା । ପାଣିର ଆଦର ଆମେ ସିନା ଏଠି କରୁନା, କିନ୍ତୁ ଆରବ ଦେଶରେ ତେଲର ନୁହେଁ ପାଣିର ହୁଏ ଆଦର । ଏଠି କାହିଁରେ କଣ ଆଦର ତେଲର ଯେପରି । ଠିକ ନଅଙ୍କ ଦୁର୍ଭିକ୍ଷ ବଳେ ଯେପରି ଧାନ ଓ ଚାଉଳର ହୋଇଥିଲା । ସବୁବେଳେ ସରଳ ଓ ହାତପାହାନ୍ତାରେ ମିଳୁଥିବା ଦ୍ରବ୍ୟ ଗାଁ କନିଆ ସିଘାଂଣି ନାକି ପରି । ସଠିକ ସମୟରେ ଉଚିତ ମୂଲ୍ୟ ମିଳେ ନାହିଁ । ମନେକରନ୍ତୁ ନଈର ବାଲି ଯଦି ସୁନା ହୋଇଯାଏ, ସୁନାର ଭାଉ କଣ ଆଉ ରହିବ ? ଶସ୍ତା ହେଲେବି ସୁନାକୁ ଅଳଙ୍କାର କରି ପିନ୍ଧାଯାଏ, ବାଲିକୁ ନୁହେଁ । ଉତ୍ପାଦନ ଅଧିକ ହେଲେ ବି ଧାନ ଓ ଚାଉଳ ହିଁ ଉଦରର ଭୋକ ମେଣ୍ଟାନ୍ତି, ନା କି ଆଭୂଷଣ ପିନ୍ଧିଲେ । ଚାହିଦାଠାରୁ ଅଧିକ ଧାନ ଉତ୍ପାଦନ ହେଲେ ବଳକାକୁ ବିନ୍ଦରବାଇ ନକରି ଗଚ୍ଛିତ କରିବା ସହ ଉଚିତ ଉତ୍ପାଦନ ଖର୍ଚ୍ଚ ନ ମିଳିଲେ କିଏ ଦାୟୀ, ଚାଷୀ ନା ସରକାରୀ ବ୍ୟବସ୍ଥା ?

nano urea


ଯାହା ଜଣାଯାଏ ୨୦୧୫-୧୬ରେ ଧାନ ଓ ଚାଉଳ ଉତ୍ପାଦନ ୪୭.୭୯ ଓ ୩୨.୩୬ ଲକ୍ଷ ମେଟ୍ରିକ ଟନ ହୋଇଥିଲା । ଏହା ବର୍ଷକୁ ବର୍ଷ ବୃଦ୍ଧି ଘଟି ୨୦୧୬-୧୭ରେ ୫୨.୬୩ ଓ ୩୫.୬୨, ୨୦୧୭-୧୮ରେ ୪୭.୮୯ ଓ ୩୨.୪୨, ୨୦୧୮-୧୯ରେ ୬୫.୦୫ ଓ ୪୪.୦୬ ଲକ୍ଷ ମେଟ୍ରିକ ଟନ ଧାନ ଓ ଚାଉଳ ଉତ୍ପାଦନ ହୋଇଛି । ଯଦି ୨୦୧୮-୧୯ର ଚାହିଦାକୁ ଲକ୍ଷ୍ୟକଲେ ୨୨.୭୬ ଲକ୍ଷ ମେଟ୍ରିକ ଟନ ହୋଇଥିଲାବେଳେ ବଳକା ରହୁଛି ୧୭.୧୩ ଲକ୍ଷ ମେଟ୍ରିକ ଟନ । ଏବେ ପଶ୍ଚିମ ଓଡିଶାରେ ହେକ୍ଟର ପିଛା ୪୦ କୁଇଣ୍ଟାଲ ଧାନ ଉତ୍ପାଦିତ ହେଉଛି । ସରକାର ନିୟମ କରିଛନ୍ତି ଯେ ଅଣଜଳସେଚିତ ଜମି ହେକ୍ଟର ପିଛା ୧୩ କୁଇଣ୍ଟାଲ ନେଲେ ବଳକା ରହୁଛି ୨୭ କୁଇଣ୍ଟାଲ । ସେହିପରି ଜଳସେଚିତ ଜମିରୁ ହେକ୍ଟର ପିଛା ୧୯ କୁଇଣ୍ଟାଲ ଧାନ ନେଲେ ବଳକା ରହିବ ୨୧ କୁଇଣ୍ଟାଲ ଧାନ । ଏଠାରେ ବଳକା ଧାନକୁ ଚାଷୀମାନେ କରିବେ କଣ ଓ ଉତ୍ପାଦନ ନିମନ୍ତେ ହେଉଥିବା ଖର୍ଚ୍ଚ କିପରି ପାଇବେ ? ଯାହା ଜଣାଯାଏ ଓଡିଶାର ଚାଷୀକୁ ଗୋଟିଏ କୁଇଣ୍ଟାଲ ଧାନ ଉତ୍ପାଦନ ନିମନ୍ତେ ୨୪୩୦ ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାର ଏଣେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରୁ ନାହାନ୍ତି, ତେଣେ ଚାଷୀ ଅଧିକ ଉତ୍ପାଦନ କଲେ ତାକୁ ଗ୍ରହଣ କରୁ ନାହାନ୍ତି । ଏପରିକ୍ଷେତ୍ରରେ ଚାଷୀଙ୍କ ଆର୍ଥୀକ ମାନଦଣ୍ଟରେ ଉନ୍ନତି କିପରି ଆସିବ ?
ଆମେ ଜାଣନ୍ତି ଅର୍ଥଶାସ୍ତ୍ର ଅନୁଯାୟୀ ଉତ୍ପାଦନ ଅଧିକ ହେଲେ ମୂଲ୍ୟ ହ୍ରାସ ହୋଇଥାଏ । ଏହାର ମାନେ କଣ ମୂଲ୍ୟ ବୃଦ୍ଧି ସକାଶେ ଉତ୍ପାଦନ ହାରକୁ କମାଇବା ଉଚିତ ? ଏପରିହେଲେ ଅନ୍ତତଃପକ୍ଷେ ବଳକା ଉତ୍ପାଦନ ଦ୍ରବ୍ୟର ଉତ୍ପାଦିତ ଖର୍ଚ୍ଚରୁ ମୁକ୍ତି ପାଆନ୍ତେ ଚାଷୀ ! ପୁଣି ବେଉଷଣ କରି ଚାଷୀ ଦିନ ଓ ସମୟ ଧାର୍ଯ୍ୟ କରି ମଣ୍ଡିକୁ କେବେ ଧାନ ନେବ ସ୍ଥିର କରିବ ନା ସରକାର ଧାର୍ଯ୍ୟ କରିବେ ? ରାସ୍ତାରେ କ୍ଷୀର ଢାଳିଲା ପରି ବିଧାୟକଙ୍କ ଘର ସାମ୍ନାରେ ପ୍ରତିବାଦ ସ୍ୱରୂପ ଧାନ ଢାଳିଲେ ସମସ୍ୟାର ସମାଧାନ ହେବନାହିଁ ବୋଲି ସମସ୍ତେ ଜାଣନ୍ତି । ଏପରି କରିବାକୁ ଚାଷୀମାନେ କାହିଁକି ବାଧ୍ୟ ହେଉଛନ୍ତି ? ଅଧିକ ଉତ୍ପାଦନ ଏଠି ଜଟିଳ ସମସ୍ୟା ସୃଷ୍ଟି କରୁଥିବାବେଳେ ପୂର୍ବରୁ ଲୋକେ ଧାନ, ଚାଉଳକୁ ବର୍ଷଯାକ ବ୍ୟବହାର ନିମନ୍ତେ ସାଇତି ରଖିବାର କଳା ଜାଣିଥିଲେ ଓ ଯେତିକି ଦରକାର ରଖି ବାକି ଧାନ, ଚାଉଳ ପ୍ରତିବଦଳେ ଅନ୍ୟ ନିତ୍ୟ ବ୍ୟବହୃତ ସାମଗ୍ରୀ କିଣି ଆବଶ୍ୟକତା ମେଣ୍ଟାଉଥିଲେ, କିନ୍ତୁ ଆଜି ନିତ୍ୟ ବ୍ୟବହୃତ ସାମଗ୍ରୀର ମୂଲ୍ୟ ଖାଦ୍ୟଶସ୍ୟ ତୁଳନାରେ ଅହେତୁକ ବୃଦ୍ଧି ଏକପାଖିଆ ହୋଇଛି । ତେଣୁ ଚାଷରେ ଅନିଶ୍ଚିତତା ଭବିଷ୍ୟତ ବିଚାରି ଚାଷୀଙ୍କ ସଂଖ୍ୟା ଦ୍ରୁତହ୍ରାସ ଘଟୁଥିବାର ଦେଖାଯାଏ । ଚାଷକୁ ପେଷା ରୂପେ ଗ୍ରହଣ କରି ସ୍ୱାବଲମ୍ବୀ ହେବାକୁ ମନବଳାଉଥିବା ଶିକ୍ଷିତ ଯୁବପିଢି ବି ପଛଘୁଞ୍ଚା ଦେଉଛନ୍ତି ଏହି କାରଣରୁ । ବେକାରୀ ସଂଖ୍ୟା ବୃଦ୍ଧିର ଏହା ସର୍ବୋତ୍ତମ କାରଣ ମଧ୍ୟରୁ ଗୋଟିଏ । ଏକଥା ଏକ କାହାଣୀ ରୂପେ କହିଲେ ବେଶ ହୃଦବୋଧ ହେବ ।
ଦିନେ ଭଗବାନ ମର୍ତ୍ତ୍ୟଲୋକ ଭ୍ରମଣ କରୁଥିବା ବେଳେ ଜଣେ ଲୋକ ଅନ୍ୟ ଜଣଙ୍କୁ ସାହାର୍ଯ୍ୟ ମାଗୁଥିବାର କାରଣ ପଚାରିବାରୁ ଜାଣିବାକୁ ପାଇଲେ ଯେ ଗରିବ ହେତୁ ସେ ଏପରି କରିବାକୁ ବାଧ୍ୟ ହେଉଛି । କର୍ମ ନକରି ଏପରି ମାଗିଆଣି ଆବଶ୍ୟକତା ମେଣ୍ଟାଇବାକୁ ପଶ୍ଚ୍ୟାତାପ ହେଉନି ବୋଲି ଭଗବାନ ପଚାରିଲେ । କେତେଦିନ ଅନ୍ୟର ହାତଟେକାକୁ ହାତ ପାତି ମାଗଣା ଖାଇ ପିଇ ବଞ୍ଚିବ ? କୁହ ତୁମର କଣ ଦରକାର ଓ କିପରି ସାହାର୍ଯ୍ୟ ମୁଁ କରିପାରିବି ତୁମର ? ଲୋକଟି ନାଁ କହି ଏପରି ଖୁସିରେ ଥିବାର କହିଲା । କିନ୍ତୁ ଭଗବାନ କହିଲେ, ଏପରି କର୍ମହୀନ ଜୀବନ ନ ବିତାଇ ତୁମେ ଚାଷ କରି ଜୀବନ ନିର୍ବାହ କର, ତୁମକୁ ମୁଁ କିଛି ଜମି ପ୍ରଦାନ କରୁଛି । ଲୋକଜଣଙ୍କ କହିଲା ପ୍ରଭୁ ମୋତେ କ୍ଷମା କରନ୍ତୁ, ଆପଣ ବୋଧେ ମୋତେ ଚିହ୍ନିପାରୁ ନାହାନ୍ତି; ମୁଁ ପା’ ଜଣେ ଚାଷୀ ଥିଲି! ଭଗବାନ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ସତ କୁହ- ତୁମେ ଭିକାରି ନା ଗରିବ ନା ଚାଷୀ । ଶେଷରେ ସେ ଲୋକଟି ନିଜର ପ୍ରକୃତ ପରିଚୟ ନ ଲୁଚାଇ କହିବାକୁ ବାଧ୍ୟ ହେଲା ଯେ ସେ ଏହି ଧରାପୃଷ୍ଠର ସ୍ୱାଧୀନ ଦେଶ ଭାରତରେ ଜଣେ ପରାଧୀନ ଭୋଟର !

ଇଂ ଶୁଭାଶିଷ ସୈାଭାଗ୍ୟ ଶେଖର ସ୍ୱାଇଁ , ଭଣ୍ଡାରିପୋଖରୀ, ଭଦ୍ରକ ।
ମୋ: ୯୭୭୮୧୬୧୫୦୦

Leave A Reply

Your email address will not be published.

one × two =