ସବୁଜ ବିପ୍ଲବର ସେନାପତି ମୁଁ

0

ଆପଣମାନେ ଅନେକ ବିପ୍ଲବର ନାଁ ଶୁଣିଥିବେ । ଫରାସୀ ରାଷ୍ଟ୍ର ବିପ୍ଲବ , ଅଗଷ୍ଟ ବିପ୍ଲବ, ଶିଳ୍ପ ବିପ୍ଲବ ଇତ୍ୟାଦି । ସବୁ ବିପ୍ଲବର ଆଗରେ ସେନାପତି ରହି ବିପ୍ଲବର ଅବସାନ ଘଟାଇଛନ୍ତି । କିନ୍ତୁ ମୁଁ ହେଉଛି ସେହି ବିପ୍ଲବର ସେନାପତି । ଯାହାର ଆଦି ଅନ୍ତ ନାହିଁ । ସୃଷ୍ଟିର ଆରମ୍ଭରୁ ସେ ବିପ୍ଲବ ଲାଗି ରହିଛି । ଘାତପ୍ରତିଘାତ ଭିତରେ ସେହି ବିପ୍ଲବର ସେନାପତି ସାଜି ମୁଁ ବିପ୍ଲବର ବହ୍ନି ବଳୟରେ ଝାସ ଦେଇଛି । ଜଗତର କଲ୍ୟାଣ , ପଶୁପକ୍ଷୀ ସମଗ୍ର ସୃଷ୍ଟିର ଜୀବମାନଙ୍କ ହିତାର୍ଥେ ମୁଁ କର୍ତ୍ତବ୍ୟ ସମାଧାନ ପାଇଁ ବଦ୍ଧପରିକର । ସେ ବିପ୍ଲବ ହିଁ ସବୁଜ ବିପ୍ଲବ ଯାହାର ସେନାପତି । ମୁଁ ପେଷାରେ କୃଷକ ।

ଗ୍ରାମ ବହୁଳ , କୃଷିସମ୍ମାନ ଭାରତ ଭୂମିରେ କୃଷି ହେଉଛି ଜୀବନର ଉତ୍ସ ଏବଂ କୃଷକ ହେଉଛି ଜାତିର ମେରୁଦଣ୍ଡ । ଦେଶର ସଂଖ୍ୟାଧିକ କୃଷକ ସମ୍ପ୍ରଦାୟର ବଳିଷ୍ଠ ସ୍କନ୍ଧ ଉପରେ ଆଶ୍ରିତ ହୋଇ ଗଠିତ ହୋଇଛି ଆମର ଯୋଜନା ପରିକଳ୍ପନା । କିନ୍ତୁ ଭାରତବର୍ଷରେ କୃଷି ଓ କୃଷକର ଶୋଚନୀୟ ଦୁର୍ଗତି ଓ ଦୂରାବସ୍ଥା ଯେତେବେଳେ ଜନମାନସ ଚକ୍ଷୁରେ ପଡେ଼ ସେତେବେଳେ ଚୂର୍ଣ୍ଣୀଭୂତ ହୁଏ ସକଳ ଆଶା ।
ସମୟ ଥିଲା କାଷ୍ଠ ଲଙ୍ଗଳରେ ହଡ଼ାବଳଦ ସାଜି ମୁଁ ଗତାନୁଗତିକ ଧାରାରେ ଯେ ଭଳି ଭୂକର୍ଷଣ କରି ଆସୁଥିଲି ତାହା ଦେଶ ପାଇଁ ପର୍ଯ୍ୟାପ୍ତ ନଥିଲା । ଆଧୁନିକ କୃଷି ଯନ୍ତ୍ରପାତି ଉପଯୋଗ ନିମନ୍ତେ ପୁଞିର ଅଭାବ ଥିଲା । ଅଞତା ଓ ଅନଭିଞତାର ଆବରଣ ତଳେ ମୋର ସମସ୍ତ ପରାକ୍ରମ ଲୁଚି ଯାଉଥିଲା । ଅଭାବର ଦୁର୍ନୀବାର ପୀଡ଼ନରେ ମୁଁ ମୋର ସଂଚିତ ବିହନକୁ ଉଦରସ୍ଥ କରି ଦେଉଥିଲି । ପ୍ରକୃତି ଉପରେ ଭରସା କରି ମୁଁ ମୋର ଜୀବନ ସଂଗ୍ରାମ ଜାରି ରଖିଥିଲି । ବେଳେବେଳେ ପ୍ରଳୟଙ୍କାରୀ ପ୍ଲାବନ ଓ ମରୁଡ଼ି ବର୍ଷସାରା ଲହୁଲୁହ ଦେଇ ଉପୁଜାଇଥିବା ଫସଲ ଧୂଳିସାତ ହେଉଥିଲା । ଦାରିଦ୍ର୍ୟର ସୀମାରେଖା ତଳେ ମୁଁ ଜର୍ଜରିତ ହୋଇ ଜୀବିକା ନିର୍ବାହ କରୁଥିଲି । ସ୍ତ୍ରୀ , ଛୁଆପିଲାସଂସାର ମୋର ସୁଖ ସ୍ୱ।।ଚ୍ଛନ୍ଦ୍ୟର ବାସ୍ନା ଟିକେ ପାଇପାରିନଥିଲି । ଆର୍ଥିକ ଅନଟନରେ ଭବିଷ୍ୟତର ଦାୟାଦଙ୍କୁ ମୁଁ ଉଚ୍ଚଶିକ୍ଷା ଦେଇପାରିଲି ନାହିଁ । ସେ ଦୁର୍ବିସହ ଜୀବନ କଥା ଥରେ ମନରେ ଚିନ୍ତାକଲେ ଜର୍ଜରିତ ଅନ୍ତରାତ୍ମା ମୋର କାନ୍ଦିଉଠେ । କିିନ୍ତୁ ଆଜିର ଗତାନୁଗତିକ ଧାରାରେ କାଷ୍ଠଲଙ୍ଗଳ ସହିତ ବଳଦ ଯୋଡ଼ି ରୋ÷ଦ୍ରତାପକ୍ଲିଷ୍ଟ ବୈଶାଖର ଆକାଶ ତଳେ ମୁଁ ଆଉ ଚାଷକରୁନାହିଁ । ପରିବର୍ତ୍ତନର ସୁଅରେ ମୁଁ ମୋର ଗତାନୁଗତିକ ଧାରା ସମ୍ପୂର୍ଣ୍ଣ ଓଲଟି ଯାଇଛି, କଳଲଙ୍ଗଳରେ ବସି ମୁଁ ଚାଷ କରୁଛି । ବିହନ ବୁଣୁଛି, ବିଲ ବାଛୁଛି, ଯାନ୍ତ୍ରିକ ଉପାୟରେ ଫସଲ ଅମଳ କରୁଛି । ବଢି ମରୁଡ଼ିକୁ ମୋର ଖାତିର ନାହିଁ । ନୂତନ ଗବେଷଣାର ସଘନଚାଷପ୍ରଣାଳୀକୁ ମୁଁ ଆପଣେଇ ନେଇଛି । ବୈଜ୍ଞାନିକ ଚିନ୍ତାଧାରାରେ ପାରସ୍ପରିକ ସହଯୋଗ ଓ ମୈତ୍ରୀ ଚିନ୍ତାର ବିକାଶ ଫଳରେ ପ୍ରାତ୍ୟହିକ ଜୀବନରେ ସୁଖ ଓ ସ୍ୱାଚ୍ଛନ୍ଦ୍ୟର ଆର୍ବିଭାବ ଘଟିଛି । କୃଷି ବିଶ୍‌ôବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବୈଜ୍ଞାନିକମାନେ ଗାଁ-ଗାଁକୁ ଯାଇ ବିଭିନ୍ନ ଉପାୟମାନ ଶିକ୍ଷାଦେଉଛନ୍ତି । ଶାସ୍ତ୍ରୀଙ୍କ ଭାଷାରେ ଜୟ ଜବାନ , ଜୟ କିଷାନ ଉକ୍ତିର ସାର୍ଥକତା ଆଜି ଉପଲବ୍ଧି ହେଉଛି ।
କିନ୍ତୁ ଆହୁରି ଅନେକ ସମସ୍ୟାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ । ଏହାର କାରଣ ଅନୁସନ୍ଧାନ କଲେ ଜଣାଯାଏ ଯେ ସାମାଜିକ , ଆର୍ଥିକ ଇତ୍ୟାଦି ନାନା କାରଣ ଏଥିପାଇଁ ଦାୟୀ । ପ୍ରଥମତ ଲୋକସଂଖ୍ୟା ତୁଳନାରେ କର୍ଷଣଯୋଗ୍ୟ ଜମି ଦିନକୁ ଦିନ ହ୍ରାସ ପାଉଛି । ଦିନକୁ ଦିନ ଚାଷଉପଯୋଗୀ ଜମିର ପରିମାଣ କମୁଛି । ଶିଳ୍ପବିପ୍ଲବର ଆଧାରରେ ଚାଷଜମିରେ ବିଭିନ୍ନ କଳକାରଖାନା ବସାଯାଉଛି । ମାଟିକୁ ପରୀକ୍ଷା ନକରି ଅନଭିଜ୍ଞତା ସହକାରରେ ରାସାୟନିକ ସାରର ପ୍ରୟୋଗ କରାଯାଉଛି । ଏହା ଦ୍ୱାରା ମାଟିର ଉର୍ବରତା ହ୍ରାସ ପାଉଛି । ଆଜିର ସମାଜରେ ଦେଶର ଭବିଷ୍ୟତ ମାନେ ଯେନତେନ ପ୍ରକାରେଣ ଶିକ୍ଷା ସମାପ୍ତ ପରେ କୃଷିକୁ ହେୟ ମନେକରୁଛନ୍ତି ।

ସରକାରୀ ସ୍ତରରେ ମଧ୍ୟ କେତେକ ସମସ୍ୟା କୃଷିର କାରଣ ହେଉଛି । ଅନଭିଜ୍ଞ ସରକାରୀ ଅଧିକାରୀ, ଲାଂଚ ମିଛର ଆଶ୍ରୟ ମଧ୍ୟ କୃଷକଙ୍କ ପାଇଁ ବାଧକତା ସାଜିଛି । କୃଷକ ଆଜି ଆର୍ଥିକ ଅନଟନରେ ଭାରାକ୍ରାନ୍ତ । ତାର ଦୂରୀକରଣ ପାଇଁ ଆମ ଦେଶରେ ବ୍ୟାଙ୍କଗୁଡ଼ିକ ତତ୍ପର ନୁହନ୍ତି । ରଣବୋଝିରେ ଚାଷୀ ଆଜି ହନ୍ତସନ୍ତ ହେଉଛି । ଏ ସବୁ ସତ୍ତେ୍ୱ କ୍ଷମତା ବର୍ହିଭୂତ ରାଜନୈତିକ ଦଳଗୁଡ଼ିକ କୃଷକମାନଙ୍କୁ ନାନାପ୍ରକାର କୁମନ୍ତ୍ରଣାରେ ବଶୀଭୂତ କରିରଖିଛନ୍ତି । ଫଳରେ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ତାକୁ ରାଜନୈତିକ ରୂପଦେଇ କୃଷକ ଆତ୍ମହତ୍ୟା ବୋଲି କୁହାଯାଉଛି । ତାଲିମ୍‌ ପ୍ରାପ୍ତ କୃଷି ଅଧିକାରୀ ପ୍ରକୃତ କ୍ଷେତ୍ରକୁ ନ ଯାଇ କାଗଜ କଲମରେ କୃଷକକୁ ନମୁନାର ନିର୍ଦ୍ଦେଶ ଦେଉଛନ୍ତି । ଯାହା ଫଳରେ ଚାଷୀ ରଣଭାରରେ ଭାରାକ୍ରାନ୍ତ ହେଉଛି । ଭାରତୀୟ କୃଷକର ପିଣ୍ଡରେ ପୁର୍ନଜୀବନ ସଂଚାର କରିବାର ହେଲେ ଆବଶ୍ୟକ ରାଷ୍ଟ୍ରୀୟ ସହଯୋଗ । ଶିକ୍ଷା ଦୀକ୍ଷା ବଳରେ କୃଷକର ଅଜ୍ଞତାକୁ ବିଦୁରିତ କରି ସେମାନଙ୍କ ନୃତ୍ୟଭଙ୍ଗୀର ଏକ ପରିବର୍ତ୍ତନ ସଂଘଟିତ କରିବାକୁ ହେବ । ପଲ୍ଲୀମାନଙ୍କରେ ପ୍ରୋ÷ଢ଼ଶିକ୍ଷା ମାଧ୍ୟମରେ କୃଷକମାନଙ୍କୁ ତାଲିମ ଦେବାର ଆବଶ୍ୟକତା ରହିଛି । କୃଷିରଣ, ଉନ୍ନତ ସାର ଓ ବିହନ ଯୋଗାଣ ଦାତବ୍ୟଭାବର ସାମୟିକ ତାଲିମ କେନ୍ଦ୍ରମାନଙ୍କ ଜରିଆରେ କୃଷକମାନଙ୍କୁ କୃଷିସର୍ମ୍ପକୀୟ ଉପଦେଶ ଓ ନିର୍ଦ୍ଦେଶମାନ ବିତରଣ ଆବଶ୍ୟକତା ରହିଛି ।
ଆଜି ବି କୃଷିକୁ ବନ୍ୟା ଓ ବିତ୍ପାତ୍ତ ଓ ମରୁଡ଼ିର କରାଳ ଗ୍ରାସରୁ ରକ୍ଷାକରିବାକୁ ସରକାର ସମ୍ପୂର୍ଣ୍ଣ ରୂପେ କ୍ଷମ ହୋଇନାହାନ୍ତି । ରାଜନୈତିକ ପୃଷ୍ଠଭୂମିରେ ଅବତୀର୍ଣ୍ଣ ହୋଇ ବିରୋଧୀ ରାଜନୈତିକ ନେତାମାନେ ଯେଉଁଠାରେ ଯାହା କୃଷି ପାେଇଁ ଆବଶ୍ୟକତା ରହିଛି ତାହା ଠିକ ଭାବେ ବିନିଯୋଗ କରିବାକୁ ଦେଉନାହାନ୍ତି, କାରଣ ଭବିଷ୍ୟତରେ କାଳେ ସେମାନଙ୍କ ଆଶା ଓ ଆକାଂକ୍ଷା ହ୍ରାସ ପାଇଯିବା ଭୟରେ ।
ଇତିହାସର ପୃଷ୍ଠାକୁ ଅବଲୋକନ କଲେ ଜଣାଯାଏ ବିଶ୍ୱବିଜୟୀ ନେପୋଲିଅନ ଯେତେବେଳେ ପ୍ରସିଆ ଆକ୍ରମଣ କଲେ ସେତେବେଳେ ପ୍ରସିଆର ରାଜା ଓ ପ୍ରଜା ଯୁଦ୍ଧର ସମ୍ମୁଖୀନ ହେବାକୁ ଅସମର୍ଥ ମନେ କରି ନେପୋଲିଅନକୁ ଉଚିତ ଶିକ୍ଷା ଦେବା ପାଇଁ ନିଜର କୃଷିକ୍ଷେତ୍ରରେ ଅଗ୍ନିସଂଯୋଗ କରି ଦେଶ ଛାଡ଼ି ପଳାୟନ କଲେ ।

ତେଣୁ ସର୍ବୋପରି କୃଷି ହିଁ ରାଷ୍ଟ୍ରର ପ୍ରାଣକେନ୍ଦ୍ର । ମୁଁ ଓ ମୋର ଭାଇମାନେ ୧୩୦କୋଟି ଜନତାଙ୍କ ଅନ୍ନଦାତା । ତେଣୁ ଖାଲି ଭାରତ ନୁହେଁ ବରଂ ବିଶ୍ୱର ବୈଭବ, ଉତ୍ତୁଙ୍ଗ ପ୍ରାସାଦ ସମୂହ ଓ ବିଳାସ ବ୍ୟସନ , ଆଣବିକ ଶକ୍ତି, ଶିକ୍ଷାଦୀକ୍ଷା ସବୁକିଛି ମୋ ଭଳି ମାଟିର ମଣିଷ କୃଷକର ସ୍କନ୍ଧ ଉପରେ ଆଧାରିତ ।
ତେଣୁ ଆଜିର ଏହି ସବୁଜ ବିପ୍ଲବର କର୍ଣ୍ଣଧାର ହୋଇ ସେନାପିତ ସାଜି ମୁଁ ସୃଷ୍ଟି , ସ୍ଥିତି , ପ୍ରଳୟକୁ ସାମ୍ନା କରିବାକୁ ବଦ୍ଧପରିକର ।

ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି,ମୋ- ୯୧୭୮୪୪୦୬୫୭

Leave A Reply

Your email address will not be published.