ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାର କରିବାର ମାସରେ ତେର ପର୍ବ ପାଳନ କରାଯାଉଛି । ତନ୍ମଧ୍ୟରେ ମହାନ୍ କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା ଅନ୍ୟତମ। ଅକ୍ଷୟ ତୃତୀୟା, ଯାହାକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ଶୁଭ ଏବଂ ଫଳପ୍ରଦ ବୋଲି ବିବେଚନା କରାଯାଏ। ବିଶେଷ କରି ଏହି ଦିନ ଧନର ଦେବୀ ମା’ ଲକ୍ଷ୍ମୀ ଏବଂ ଭଗବାନ କୁବେରଙ୍କୁ ପୂଜା କରିବାର ବିଧାନ ରହିଛି। ଏହି ଦିନରେ ଯାହା ଆରମ୍ଭ ହୁଏ, ତାହା କ୍ଷୟ ହୁଏନାହିଁ ବରଂ ତାହା ବୃଦ୍ଧି ପାଉଥାଏ ବୋଲି ଏହାକୁ ଅକ୍ଷୟ ତୃତୀୟା କୁହାଯାଏ। ଅପରପକ୍ଷରେ ଆମ ରାଜ୍ୟ ତଥା ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ନେଇ କୃଷି ଓ କୃଷକର ଗୁରୁତ୍ଵକୁ ଉପଲବ୍ଧି କରି ଏହି ଦିବସଟିକୁ କୃଷକ ଦିବସ ରୂପେ ପାଳନ କରାଯାଇ ଆସୁଅଛି। ସାଧାରଣତଃ ଖରିଫ ଋତୁ ଏହି ଅକ୍ଷୟ ତୃତୀୟା ଠାରୁ ହିଁ ଆରମ୍ଭ ହୋଇଥାଏ।
ଖରିଫ ଋତୁରେ ଧାନ ବିହନ ପାଇଁ ଆବଶ୍ୟକ ହେଉଥବା ମାଟିର ଉଷ୍ମତା ବା ଉତ୍ତାପ ଏହି ଅକ୍ଷୟ ତୃତୀୟାଠାରୁ ହିଁ ମିଳିଥାଏ। କିନ୍ତୁ ବର୍ତ୍ତମାନ ଜଳବାୟୁର ପରିବର୍ତ୍ତନ ଯୋଗୁ ପାଣିପାଗର ସମୟରେ ବ୍ୟାପକ ପରିବର୍ତ୍ତନ ଦେଖାଦେବା ସହିତ ଅକ୍ଷିମୁଠି ପ୍ରଚଳନ ବା ବିହନ ବିପଣନ ନିମନ୍ତେ ଅନୁକୂଳ ପାଗ ଓ ପରିବେଶରେ ବିଶେଷ ତାରତମ୍ୟ ଦେଖାଦେଇଛି। କୃଷକ ଏହି ଖରାଟିଆ ଚାଷ କରିବା ଦ୍ଵାରା ମାଟି ଭିତରେ ଥିବା ଅନିଷ୍ଟକାରୀ ପୋକଜୋକ, ଗୋଣ୍ଡା ଶାମୁକା ଓ ଘାସ ଲତାର ଚେର ମାଟି ଉପରକୁ ଉଠିଆସି ଟାଣ ଖରାରେ ମରିଯାଆନ୍ତି। ଫଳରେ ମାଟି ବିଶୋଧୂତ ହୁଏ ଏବଂ ଧାନର ଖରୁତି ବୁଣା ପାଇଁ ଏହା ପ୍ରକୃଷ୍ଟ ସମୟ ଅଟେ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
