ଉତ୍କଳୀୟ ଗଣପର୍ବ ରଜ

0

ସଭ୍ୟତା ଓ ସଂସ୍କୃତିର ପଟ୍ଟଭୂମି ସହ ବେଶ ସମୃଦ୍ଧ ଆମ ଉତ୍କଳ ପ୍ରଦେଶ । ଧର୍ମୀୟ ଭାବନାରେ ଉଦ୍‌ବୁଦ୍ଧ ହୁଅନ୍ତି ପ୍ରତ୍ୟେକଟି ଓଡ଼ିଆବାସୀ । ସମାଜିକ ଓ ସାଂସ୍କୃତିକ ଚଳଣି ସହ ଓଡ଼ିଶାର ପ୍ରତ୍ୟେକଟି ପର୍ବ ପର୍ବାଣିରେ ଆସେ ଉତ୍କଣ୍ଠାର ବାସ୍ନା । ଠିକ ସେମିତି ସବୁ ଓଡ଼ିଆଙ୍କ ଗଣପର୍ବ ଭାବେ ରଜ ଘରେ ଘରେ ପରିଚିତ । ରଜ ଆସିଲେ ପଲ୍ଲୀ ଜୀବନରେ ଭରିଯାଏ ଆନନ୍ଦର ପରିବେଶ । ସତେ ଯେମିତି ପୁଣି ରଙ୍ଗମୟ ହୋଇଉଠେ ପ୍ରତ୍ୟେକଟି ସ୍ୱପ୍ନ । ଗାଁ ଦାଣ୍ଡ ହୋଇଯାଏ ଉତ୍ସବମୁଖର । ତିନିଦିନ ଧରି ବେଶ ହସଖୁସିରେ ପାଳନ ହୁଏ ରଜ । ଗ୍ରାମ୍ୟ ଜୀବନରେ ଭରିଯାଏ ମାଧୁର୍ଯ୍ୟର ପସରା । ଚୁଲି ମୁଣ୍ଡରୁ ପୋଡ଼ପିଠାର ଧୂଆଁ ସହ ଗାଁ ଆମ୍ବତୋଟା ଯାଏଁ ସବୁଠି ଥାଏ ଆକର୍ଷଣର ଛିଟା । ମୋ÷ସୁମୀର ଆଗମନ ସହ ଓଡ଼ିଆଙ୍କ ବଡ଼ ପର୍ବ ରଜ ଜନମାନସକୁ ଆହ୍ଲାଦିତ କରିଥାଏ । ଝିପ୍‌ଝିପ୍‌ ବର୍ଷା , ମୃଦୁ ମଳୟ ସାଥିରେ ପ୍ରତିଟି ସ୍ନାୟୁରେ ଭରିଯାଏ ଆନନ୍ଦର ଆବେଗତା । ସକାଳରେ ଗାଁ ପରିବେଶରେ କୁମାରୀ ମାନଙ୍କର ମେଳ ସହ ପାଦରେ ଅଳତା ଆଉ କୁଙ୍କୁମର ବିନ୍ଦୁ ସତେଯେମିତି ସମସ୍ତଙ୍କ କେନ୍ଦ୍ରବିନ୍ଦୁ ସାଜିଥାଏ । ଗଛରେ ଦୋଳି ସହ ମନ୍ଦିର ବେଢ଼ାରେ ବୟସ୍କ ମାନଙ୍କ ତାସ ଖେଳ ଏ ପରିବେଶକୁ ଆଉ ଟିକେ ରୋମାଂଚକର କରିଦିଏ । ସାହି ପଡ଼ିଶାରୁ ଭାସିଆସେ ରଜ ସଂଗୀତର ମୂର୍ଚ୍ଛନା । ପହିଲି ରଜ ପରେ ଦ୍ୱିତୀୟ ଦିନ ପାଳିତ ହୁଏ ରଜ ସଂକ୍ରାନ୍ତି । ସଂକ୍ରାନ୍ତି ହୋମପୂଜା ଘରକୁ ଧର୍ମୀୟ ଭାବନାରେ ଭରିଦିଏ । ଝୁଣା ଧୂପର ମହକରେ ପରିବେଶ ମହକିତ ହୁଏ । ମନ୍ଦିରରେ ପୂଜା ଉପାସନା ପାଇଁ ଲୋକଙ୍କ ଭିଡ଼ ଜମେ । ଆଧ୍ୟାତ୍ମିକ ମନ୍ତ୍ରରେ ମନ୍ତ୍ରିତ ହୁଏ ପ୍ରତ୍ୟେକଟି ପ୍ରାଣ । ପରିଶେଷରେ ଆସେ ରଜର ତୃତୀୟ ଦିନ ଭୂମି ପୂଜା । କେହି କେହି ଏହାକୁ ଭୂମି ନଅଣ ବି କହନ୍ତି । ଏହି ସମୟରେ ଭୂମି କର୍ଷଣ କରିବା ନିଷେଧ ଥାଏ । କୃଷିଭିତ୍ତିକ ପରମ୍ପରାରେ ଏହି ଦିନର ବେଶ ବିଶେଷତା ଥାଏ ।

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । କୃଷି ଭିତ୍ତିକ ସମାଜର ପରିଚୟ ବହନ କରେ ଆମ ରାଜ୍ୟ । ଆମ ରାଜ୍ୟର ପ୍ରାୟ ୭୦ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ । କୃଷି ହିଁ ଆମ ସମାଜର ସଂସ୍ଥାପକ । ଆମ ସଂସ୍କୃତିର ପରିମାପକ । କୃଷି ଆମ ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ମୁଖ୍ୟ ଭୂମିକା ନେଇଥାଏ । ତନ୍ମଧ୍ୟରୁ ଧାନ ଆମର ପ୍ରମୁଖ ଫସଲ ଅଟେ । ସାଧାରଣତଃ ଚାଷୀ ଭାଇ ମାନେ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି । ଅକ୍ଷୟ ତୃତୀୟା ଠାରୁ ଅଖିମୁଠି ଅନୁକୂଳ ହେବା ପରେ ଚାଷୀ ଧାନ ଚାଷ ପାଇଁ ସଜବାଜ ହୁଏ । ଆଉ ଏହି ରଜ ପର୍ବରେ ଧାନ ବୁଣା କାମ ଶେଷ ହୋଇଥାଏ । କହୁଯାଏ ଯେ ରଜ ତିନି ଦିନକୁ ବେଶ ଖୁସିରେ ପାଳନ କରିବା ପରଦିନ ବସୁମତୀ ସ୍ନାନ କରାଯାଇଥାଏ। ଭୂମିକୁ ବନ୍ଦାପନା କରାଯାଏ । ଆଉ ତା ପରେ ଚାଷୀ ଭାଇ କ୍ଷେତରେ ନିଜ କର୍ମ ସମ୍ପାଦନ କରେ । କ୍ଷେତକୁ ହଳ ନିଏ । ଆଉ ଏକ ନବଚେତନା ସହ ଚାଷ ଜମିରେ କାମ ଆରମ୍ଭ କରେ ।

nano urea

କୁହାଯାଏ ଯେ ଏହି ତିନି ଦିନ ଯାଏଁ କୃଷି କର୍ମ ନିଷିଦ୍ଧ ହୋଇଥାଏ । ଠିକ୍‌ ଯେମିତି ନାରୀ ଟିଏ ପରି ପୃଥିବୀ ମାତା ରଜଶ୍ୱଳା ହେଲା ପରେ ଉତ୍ପାଦନ କ୍ଷମତା ବଢ଼ିଥାଏ । ସତରେ ଏ ଅପୂର୍ବ ନିଦର୍ଶନ କେବଳ ଓଡ଼ିଆ ପରମ୍ପରାରେ ହିଁ ବିଦ୍ୟମାନ । ଶସ୍ୟଗର୍ଭା ପୃଥିବୀ ସହ ଆଦ୍ୟ ଆଷାଢ଼ର ବର୍ଷାର ମହକ ପ୍ରକୃତିର ଜୟଗାନ କରେ ।

  • ଫିଚର ଟିମ୍‌ , ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ

Leave A Reply

Your email address will not be published.

fourteen − fourteen =