ମାଣ୍ଡିଆ କୁ ନେଇ ଏକ ନୂଆ ପ୍ରାୟାସ

0

ମାଣ୍ଡିଆରେ ତିଆରି ବିଭିନ୍ନ ଖାଦ୍ୟ ଓ ଶ୍ନାକ୍ସ ପରେ ଏବେ ଆଉ ଏକ ନୂଆ ଜିନିଷ ଦେଖିବାକୁ ମିଳିଛି । ମାଣ୍ଡିଆ ଭଳି ପୁଷ୍ଟିଶସ୍ୟରେ ତିଆରି ହୋଇଛି ଗହଣା । କାନଫୁଲ, ହାର, ବ୍ରେସଲେଟ୍‌, ଲକେଟ୍ ଆଦି ଅଳଙ୍କାର । ସରକାରୀସ୍ତରରେ ମାଣ୍ଡିଆର ପ୍ରଚାର ପ୍ରସାର କରାଯିବା ସହ ୨୦୨୩ ବର୍ଷକୁ ମାଣ୍ଡିଆ ବର୍ଷ ଭାବେ ପାଳନ କରାଯାଇଥିଲା । ବିଭିନ୍ନ ହୋଟେଲ, ରେସ୍ତୋରାଁ ପ୍ରତ୍ୟେକଙ୍କ ଖାଇବା ଥାଳିରେ ମାଣ୍ଡିଆକୁ ସାମିଲ କରିବାକୁ ପ୍ରୟାସ କରାଯାଉଛି । ହେଲେ ଅଭିନବ ଉପାୟରେ ମାଣ୍ଡିଆକୁ ବ୍ୟବହାର କରି ଏକ ଆକର୍ଷଣୀୟ ଜିନିଷ ତିଆରି କରି ଏବେ ଚର୍ଚ୍ଚାରେ ରହିଛନ୍ତି ବଡ଼ଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର କ୍ଷମାସାଗର । ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଉଥିବା ‘ଜାତୀୟ ଜନଜାତି ଶିଳ୍ପ ମେଳା-୨୦୨୪’ ଓ ‘ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ-୨୦୨୪’ରେ କ୍ଷମାସାଗର ନିଜର ଏକ ଷ୍ଟଲରେ ଏହି ଗହଣା ପ୍ରଦର୍ଶନ ଓ ବିକ୍ରି କରୁଛନ୍ତି । ଫ୍ଲାଷ୍ଟିକ୍, ଫାଇବର ଆଦିକୁ ବିଭିନ୍ନ ଆକୃତି ଦେଇ ସେଥିରେ ଅଠା ସାହାଯ୍ୟରେ ସୁଆଁ, ଚାଙ୍ଗୁ, ମାଣ୍ଡିଆ ଆଦି ପୁଷ୍ଟି ଶସ୍ୟକୁ ବ୍ୟବହାର କରିଛନ୍ତି । ଯାହା ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଛି । ତେବେ ପ୍ରଥମ କରି ଏଭଳି ଏକ ନିଆରା ଉଦ୍ୟମରେ ଗହଣା ତିଆରି କରିଥିବାରୁ ଏହାକୁ କିଣିବାକୁ ମହିଳାଙ୍କ ବେଶ୍ ଭିଡ଼ ଜମୁଥିବା ଦେଖୁବାକୁ ମିଳିଛି। ଏହିସବୁ ଗହଣା ଶାଢ଼ୀ କିମ୍ବା ଡ୍ରେସ୍ ଉପରେ ବ୍ୟବହାର କରାଗଲେ ଏକ ଭିନ୍ନ ନଜର ଦେଉଥିବା ଗ୍ରାହକମାନେ କହିଛନ୍ତି । ଏହାର ଦାମ୍ ୮୦ଟଙ୍କାରୁ ଆରମ୍ଭ ହୋଇ ୨୦୦ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି ପେପରରେ ବିଭିନ୍ନ ଆକୃତିର ଫୁଲ ଗଛ କିମ୍ବା ଅନ୍ୟ ଚିତ୍ର ଅଙ୍କାଯାଇ ସେଥିରେ ରଙ୍ଗ ବଦଳରେ ମାଣ୍ଡିଆ ବ୍ୟବହାର କରାଯାଇଛି ଯାହାକୁ ୱାଲ୍ ହ୍ୟାଙ୍ଗିଙ୍ଗ ଭାବେ ବ୍ୟବହାର କରାଯିବ । ଏହାସହ ମାଣ୍ଡିଆ ଓ ତେନ୍ତୁଳିକୁ ମିଶାଇ ଚକୋଲେଟ୍‌, କେକ୍ ଆଦି କ୍ଷମାସାଗର ତିଆରି କରିଥିବା କହିଛନ୍ତି ।

Leave A Reply

Your email address will not be published.

thirteen + 2 =