ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ଚନାମୁଣ୍ଡା ଗ୍ରାମର ଅଙ୍ଗନବାଡି କର୍ମୀ ସୁଭଦ୍ରା ମାଝୀ ନିଜସ୍ଵ ଉଦ୍ୟମରେ ଅଙ୍ଗନବାଡି ପରିସରରେ ଫଳେଇଛନ୍ତି ଭଳିକି ଭଳି ପନିପରିବା । ଏହି ତଟକା ପରିବାକୁ ରାନ୍ଧି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ପରଷି ସେ ହୋଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀଙ୍କର ଶ୍ରଦ୍ଧାଭାଜନ। ସେ ଚାଷୀ ବନିବା ପାଇଁ ଏହି ପନିପରିବା ଚାଷ କରିନାହାନ୍ତି, ବରଂ ନିଜ ଅଙ୍ଗନୱାଡ଼ି ପିଲାଙ୍କୁ ସୁଷମ ଖାଦ୍ୟ ଯୋଗାଇଦେବା ପାଇଁ ଏହି ସବୁଜ ପନିପରିବା ଚାଷ କରିଛନ୍ତି। ପ୍ରତିଦିନ ମଧ୍ୟାହ୍ନ ଭୋଜନରେ ବିଭିନ୍ନ ପ୍ରକାର ପନିପରିବା ରୋଷେଇ କରି ପିଲାମାନଙ୍କୁ ଖାଦ୍ୟ ପରସୁଛନ୍ତି। ସୁଭଦ୍ରାଙ୍କ ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି।
ପିଲାମାନେ ପ୍ରତ୍ୟେକ ଦିନ ସବୁଜ ପନିପରିବାରେ ରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ଉତ୍ତମ ଚେହେରା ସହ ରୋଗମୁକ୍ତ ରହିବେ ବୋଲି ଆଶା କରି ସେ ଏହି ପଦକ୍ଷେପ ନେଇଛନ୍ତି। ନିଜ ଅଞ୍ଚଳରେ ପ୍ରତିଦିନ ବଜାର ଯିବାରେ ଅସୁବିଧା ରହିଥିବାରୁ ସେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। କୋବି, ଟମାଟୋ, ବାଇଗଣ, କଞ୍ଚାଲଙ୍କା, ବିମ୍, ସଜନା ଶାଗ, ଅମୃତଭଣ୍ଡା ଭଳି ଅନେକ ପରିବା ଚାଷ କରିଛନ୍ତି। ଚନାମୁଣ୍ଡାସ୍ଥିତ ଏହି ଅଙ୍ଗନୱାଡ଼ି କେନ୍ଦ୍ରର ପରିସର ଖାଲି ପଡ଼ିଥିବା ସମୟରେ ସୁଭଦ୍ରା ଗାଁ ନଳକୂପରୁ ପାଣି ଆଣି ଏହି ପରିସରରେ ସବୁଜିମା ଭରିଦେଇଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ