ମାଘ ପୂର୍ଣ୍ଣିମା ଏକ କୃଷିଭିତ୍ତିକ ପର୍ବ ଭାବେ ପରିଚିତ। ଏହି ଦିନ ଅଗ୍ନି ଉତ୍ସବ ମଧ୍ୟ ପାଳନ କରାଯାଏ। ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ। କୃଷି କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଲଙ୍ଗଳ ଲୁହା, ଶାବଳ, କୋଡ଼ି, କୋଦାଳ ଓ ଦାଆ ଆଦି କମାର ଶାଳରେ ଅଗ୍ନିଦାହ ମଧ୍ୟରେ ପ୍ରସ୍ତୁତ ହୁଏ। ତେଣୁ କମାର ଶାଳର ଅଗ୍ନି କମାରର ଇଷ୍ଟ ଦେବତା। ଗୃହକୁ ଅଗ୍ନିଦାହରୁ ସୁରକ୍ଷା ଦେବା ନିମନ୍ତେ ଅଗ୍ନି ଦେବତାଙ୍କର ସନ୍ତୋଷ ବିଧାନ ନିମନ୍ତେ ମାଘ ପୂର୍ଣ୍ଣମୀ ଦିନ ଅଗ୍ନି ଉତ୍ସବ ପାଳିତ ହୋଇଥାଏ। ସନ୍ଧ୍ୟା ସମୟରେ ଅଗ୍ନି ଉତ୍ସବ କାଳରେ ବ୍ରାହ୍ମଣ ପୁରୋହିତ ଅଗ୍ନିଦେବଙ୍କୁ ପୂଜା କରି କମାର ଯୋଗାଇଥିବା ଶାଣ ଅଗ୍ନିଦ୍ୱାରା ପ୍ରସ୍ତୁତ ଅଗିରାରେ ଅଗ୍ନି ସଂଯୋଗ କରିଥାଆନ୍ତି।
ମାଘ ପୂର୍ଣ୍ଣମୀ ପରେ ଅଗ୍ନ୍ୟୁତ୍ସବ ପାଳି ଅଗ୍ନି ଦେବଙ୍କର ପୂଜା ଅର୍ଚ୍ଚନା ପରେ ଗ୍ରାମର ଲୋକମାନେ ସେମାନଙ୍କର ଘରରର ଚାଳ ଛପର କାର୍ଯ୍ୟ କରିଥାଆନ୍ତି। ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ ବାଉଁଶ ଅଗି ସ୍ଥାପନ କରାଯାଇ ସେଥିରେ ନଡ଼ା କୁଟାରେ ଛପର କରାଯାଇ ଅଗ୍ନି ଦେବଙ୍କୁ ସ୍ଥାପନ କରାଯାଏ। କମାରଶାଳର ଶାଣ ଦେହରୁ ଉଦ୍ଭବ ଅଗ୍ନିଶିଖାକୁ ଶୋଲରେ ସଂଗ୍ରହ କରି ନଡ଼ା କୁଟାରେ ପ୍ରସ୍ତୁତ ଅଟାରେ ସାଇତି ରଖାଯାଇଥାଏ। ଲୋକମାନଙ୍କର ବିଶ୍ୱାସ ରହିଛି ଯେ; ଏଥିରେ ପୋଡ଼ା ଯାଇଥିବା ଫଳ ଖାଇଲେ ମନୁଷ୍ୟ ଦେହରେ ଚର୍ମରୋଗ ହୁଏନାହିଁ। ଆଉ ମଧ୍ୟ ବିଶ୍ୱାସ ରହିଛି ଅଗ୍ନି ନିଆଁ ଯେଉଁ ଦିଗକୁ ଢଳିଥାଏ ସେହି ଦିଗରେ ଧାନ ଫସଲ ଭଲ ଉତ୍ପାଦନ ହୋଇଥାଏ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ