ଓଡିଆ ମାଟିର ବାସ୍ନା ଓ ମହକର ପର୍ବ “ରଜପର୍ବ”|ଏହା ଉତ୍କଳବାସୀଙ୍କର ଏକ ନିଆରା ଓ ସ୍ଵତନ୍ତ୍ର ପର୍ବ| ଏହା ମୁଖ୍ୟତଃ ତିନି ଦିନର ପର୍ବ କିନ୍ତୁ ଓଡିଶାବାସୀ ଉତ୍ସବ ଓ ପର୍ବପର୍ବାଣୀର ପ୍ରିୟ ହୋଇଥିବାରୁ ଏହାକୁ ପାଞ୍ଚଦିନ ଧରି ପାଳନ କରିଥାଆନ୍ତି| ପ୍ରଥମ ଦିନ ପହିଲି ରଜ, ଦ୍ଵିତୀୟ ଦିନ ରଜସଂକ୍ରାନ୍ତି କିମ୍ବା ମିଥୁନସଂକ୍ରାନ୍ତି , ତୃତୀୟ ଦିନ ଭୂମି ଦହନ ,ପହିଲି ରଜର ପୂର୍ବ ଦିନକୁ ରଜସଜବାଜ ଓ ତୃତୀୟ ଦିନର ପରଦିନକୁ ବସୁମତୀ ସ୍ନାନ ନାମରେ ପାଳନ କରନ୍ତି| ପୁରାଣ ଶାସ୍ତ୍ର ଅନୁସାରେ ଆଦ୍ୟଶକ୍ତି ଭାଗବତୀ ଅନ୍ନପୂର୍ଣ୍ଣା ବିଭିନ୍ନ ରୂପରେ ରୂପାନ୍ତରିତ ହୋଇ ତାଙ୍କର ଏହି ଭୂଲୋକବାସୀଙ୍କୁ ପରିପାଳନ କରନ୍ତି| ସେହି ମାତା ଆଦ୍ୟଶକ୍ତିଙ୍କୁ ବ୍ରହ୍ମବୈବର୍ତ୍ତ ପୁରାଣରେ ସ୍ଵଂୟ ଭଗବାନ କୃଷ୍ଣ ପ୍ରକୃତିଦେବୀ ବା ଧରଣୀମାତା ଭାବରେ ଅଭିହିତ କରିଛନ୍ତି| ସେହି ପ୍ରକୃତିଦେବୀ, ଭୂଦେବୀ, ଧରିତ୍ରୀମାତାର ପର୍ବ ରଜ ପର୍ବ|
ଆଦ୍ୟ ଆଷାଢ଼ର ପ୍ରଥମ ସ୍ପର୍ଶ ରେ ଯେତେବେଳେ ଧରଣୀରାଣୀ ଶୀତଳ ହୁଏ ସେତେବେଳେ ମେଘ ଓ ବର୍ଷାର ମିଳନ ହୁଏ ବୋଲି ଭାରତୀୟ ସାହିତ୍ୟରେ ବର୍ଣ୍ଣିତ ହୋଇଛି| ସେହି ପ୍ରଥମ ମେଘ ଯେତେବେଳେ ଆଷଢର ଧାରା ଭାବରେ ପର୍ଦାପଣ କରେ ସେତେ ବେଳେ ପୃଥିବୀ ରଜଶ୍ୱାଳା ବା ଋତୁମତୀ ହୁଏ| ଯେମିତି ସନାତନ ଧର୍ମ ଅନୁସାରେ ନାରୀଟିଏ ଋତୁମତୀ ହେଲେ ତିନି ଦିନ ବିଶ୍ରାମ ଦିଆଯାଏ ଏବଂ ଚତୁର୍ଥ ଦିନ ଶୁଦ୍ଧ ସ୍ନାନ କଲାପରେ ସେ ଦିବ୍ୟ କାର୍ଯ୍ୟ କରିବା ପାଇଁ ଉପଯୋଗ୍ୟ ହୁଏ, ଠିକ୍ ସେହିପରି ଧରଣୀ ମାତା ରଜ ଶ୍ଵାଳା ହେଲା ପରେ ତିନି ଦିନ ଧରି କୌଣସି ପ୍ରକାର ଭୂମି ଖନନ କିମ୍ଵା ଭୂମି କର୍ଷଣ ନକରାଯାଇ ଧରଣୀ ମାତାକୁ ବିଶ୍ରାମ ଦିଆଯାଏ| ଚତୁର୍ଥ ଦିନ ଧରଣୀ ମାତାଙ୍କୁ ସ୍ନାନ କରାଯାଏ ଯାହା ବସୁମତୀ ସ୍ନାନ ନାମରେ ନାମିତ| ଏହି ଦିନରେ ଓଡ଼ିଆ କରେ ଶିଳ ଓ ଶିଳପୁଆକୁ ହାଳଦୀ ପାଣିରେ ସ୍ନାନ କରାଇ ଚାଷ ଉପକରଣ ତଥା ହଳ,ଲଙ୍ଗଳ ଆଦିକୁ ପୂଜା କରାଯାଇ ଚାଷକାର୍ଯ୍ୟ ଆରମ୍ଭ ହୋଇଥାଏ । ରଜ ସଂକ୍ରାନ୍ତି ଦିନ ବିଭିନ୍ନ ଦେବ ପୀଠରେ ହୋମ,ଯଜ୍ଞ, ଆହୁତି ଦିଆଯାଇ , ପୃଥିବୀପୃଷ୍ଠକୁ ଶସ୍ୟ ଶ୍ୟାମଳାରେ ଭରିଦେବା ପାଇଁ ଧରିତ୍ରୀ ମାତାଙ୍କୁ ପ୍ରାର୍ଥନା କରାଯାଏ | ଏହା ଚାଷୀଙ୍କ ମନରେ ଆଣିଦିଏ ଉନ୍ମାଦନା ଏବଂ ଏହା ପର ଠାରୁ ଧରିତ୍ରୀ ମାତା ଫଳ ଫୁଲରେ ପରିପୂର୍ଣ୍ଣ ହୋଇଥାଏ|
ସୁଜାତା ସାହୁ , ଭୁବନେଶ୍ୱର