ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି କ୍ୟାବିନେଟ ବୈଠକ। ବୈଠକରେ ୫ ଟି ବିଭାଗର ୬ ଟି ପ୍ରସ୍ତାବରେ ବାଜିଛି ମୋହର। ସେ କହିଛନ୍ତି, “ମତ୍ସ୍ୟ ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ଏବଂ ମତ୍ସ୍ୟ କ୍ଷେତ୍ରରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ପାଇଁ ସାମାଜିକ ଦାୟିତ୍ବ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ଉପରେ ନ୍ୟସ୍ତ। ଓଡ଼ିଶା ଔଷଧ ଏବଂ ଚିକିତ୍ସା ଉପକରଣ ନୀତି-୨୦୨୫କୁ ଅନୁମୋଦନ ମିଳିଛି। ଏହି ନୀତି ଭାରତର ସ୍ବାସ୍ଥ୍ୟ ନିର୍ମାଣ ଏବଂ ଜୀବନ ବିଜ୍ଞାନର ପୂର୍ବ ପ୍ରବେଶପଥ ଭାବରେ ଓଡ଼ିଶାକୁ ପ୍ରତିଷ୍ଠା କରିବ। ଏଥିପାଇଁ ଏକ ଯୋଜନାବଦ୍ଧ, ରଣନୈତିକ ଓ କ୍ଲଷ୍ଟର ଗଠନର ରୋଡମ୍ୟାପ ପ୍ରସ୍ତୁତ କରାଯିବ।
ସୁପ୍ରିମକୋର୍ଟ ଗତ ମେ’ ୨୦ ତାରିଖର ଆଦେଶକୁ ପାଳନ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସୁପିରିୟର ଜୁଡିସିଆଲ ସର୍ଭିସ ଏବଂ ଓଡ଼ିଶା ଜୁଡିସିଆଲ ସର୍ଭିସ ରୁଲ, ୨୦୦୭ର କିଛି ନିୟମାବଳୀରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା (MRBY) ରାଜ୍ୟ ମନ୍ତ୍ରୀମଣ୍ଡଳର ଅନୁମୋଦନ ଲାଭ କରିଛି। ଏହି ଯୋଜନା ରାଜ୍ୟର ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବ। ରାଜ୍ୟରେ ବୟନ ଶିଳ୍ପର ଅନୁକୂଳ ପରିସ୍ଥିତିକୁ ସୁଦୃଢ଼ କରାଯିବ। ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ନୂଆ ଯୋଜନା ଆଣିଛନ୍ତି ମୋହନ ସରକାର। ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟରେ ଶିକ୍ଷକ ପ୍ରତ୍ୟକ୍ଷ ନିଯୁକ୍ତି ସମୟରେ ଏକ ପ୍ରକାରର ସଂରକ୍ଷଣ ପଦ୍ଧତିକୁ ଅନୁସରଣ କରିବା ପାଇଁ ଓଡିଶା ରାଜ୍ୟ ସରକାରୀ ବିଶ୍ବବିଦ୍ୟାଳୟ ବା ଶିକ୍ଷକ କ୍ୟାଡରରେ ସଂରକ୍ଷଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
