ଗୋବର ଖତରୁ ସୁନାର କ୍ଷେତ ନିଶାରେ ସର୍ବେଶ୍ୱର

0

ସକାଳର ପହିଲି କିରଣରେ ହସେ ଗାଁ ବିଲର ପରିପାଟୀ । ପବନର ଛୁଆଁରେ ଖିଲି ଖିଲି ହସ ସବୁଜିମାରେ ସୃଷ୍ଟି କରେ ଆନନ୍ଦର ବର୍ଣ୍ଣବିଭା । ଆଉ ସବୁଜ କ୍ଷେତରେ ଆଙ୍କିଦିଏ ଆକର୍ଷଣର ରଙ୍ଗଛିଟା ।

ଚାଷ ଓ ଚାଷୀର ସର୍ମ୍ପକ ସତରେ ନିଆରା । ଚାଷୀ-ସମାଜର ଅନ୍ନଦାତା ଆଉ ସାଧାରଣ ଜନତାର କ୍ଷୁଧାକବଚ । ତା ପାଇଁ ପେଟରେ ଦାନା ଦି ମୁଠେ ପଡେ଼ ତ ଆଉ କେତେବେଳେ ତାର ଅଭାବରେ ସାରା ବିଶ୍ୱକୁ ଭୋକ ଉପାସରେ ରହିବାକୁ ପଡେ଼ । ଚାଷୀ ଓ ଚାଷର ସମ୍ପର୍କ କାହିଁ କେଉଁ କାଳରୁ ରହିଆସିଛି । ଭାରତୀୟ ସଭ୍ୟତାର କେନ୍ଦ୍ରବିନ୍ଦୁ ଚାଷ । ଚାଷ – ଏକ ବ୍ୟବସାୟ ନୁହେଁ ବରଂ ଏକ ସ୍ୱର୍ଗୀୟ ଅନୁଭବ । ଆଉ ପୁଣି ଧରିତ୍ରୀମାତା ସହ ଏକ ମାର୍ମିକ ସମ୍ପର୍କ । ରାତି ପାହିଲେ ହାତରେ ଲଙ୍ଗଳ , କାନ୍ଧରେ ଗାମୁଛା ଆଉ ପଖାଳ ମୁଠେ ଖାଇଦେଇ ଆରମ୍ଭ ହୋଇଯାଏ ଚାଷର ପର୍ବ । ସତରେ ଏକ ମହାର୍ଘ୍ୟ ଅନୁଭୂତିର ଅବଲୋକନ । ପାରମ୍ପରିକ କୃଷିକୁ ଛାଡ଼ି ଏବର ସମାଜରେ ଆଧୁନିକତାର ସ୍ପର୍ଶ ଗାଁ କ୍ଷେତରେ ବି ଦେଖାଗଲାଣି । ରାସାୟନିକ ସାରର ବହୁଳ ବ୍ୟବହାର ଏବେ ସବୁଆଡେ଼ ଆମ ଦୃଷ୍ଟିକୋଣରେ ପରିଲକ୍ଷିତ । କିନ୍ତୁ ଆମ ଅଜାଣତରେ ଆମେ ନିଜେ ନିଜର ଶରୀରର କେତେ ଯେ କ୍ଷତି କରୁଛନ୍ତି , ସେକଥା ଜାଣି ନାହାନ୍ତି । ତେଣୁ ଏହି ଆଧୁନିକତାକୁ ଦ୍ୱାହି ଦେଇ ଏବେ ଜୈବିକ କୃଷିର ବ୍ୟବହାରକୁ ପ୍ରାଥମିକତା ଦିଆଯାଉଛି । ଜୈବିକ କୃଷି ଏବେ କୃଷି କ୍ଷେତ୍ରର ଏକ ସଫଳ ବାର୍ତ୍ତାବହ ଭାବେ ପରିଗଣିତ ହେଲାଣି । ସେମିତି ଜଣେ ଚାଷୀ ଯିଏ ସ୍ନାତକ କରିଥିଲେ ହେଁ ଚାଷର ମୋହ ତାଙ୍କୁ ବାନ୍ଧିରଖିଛି ଚାଷଜମିରେ । ସେ ଜୈବିକ ଓ ସମନ୍ୱିତ କୃଷିର ଜଣେ ସଫଳ ଉଦାହରଣ । ପରିଣତ ବୟସରେ ବି ଗୋବର ଖତରୁ ସୁନାର କ୍ଷେତ ନିଶାରେ ଖୋର୍ଦ୍ଧା ଜିଲ୍ଲା ମେଣ୍ଢାଶାଳ ଗ୍ରାମର ସର୍ବେଶ୍ୱର ମହାନ୍ତି । ତାଙ୍କ ସହ ଅଧିକ ଆଲୋଚନା କରିଥିଲେଶ୍ୟାମଳ ସୁବର୍ଣ୍ଣର ସମ୍ପାଦକ ଡ଼ି ଶୁଭମ୍..

ପ୍ର: ଜୈବିକ କୃଷି ଓ ରାସାୟନିକ କୃଷି ଭିତରେ ଆପଣ କଣ ବିଶେଷ ତଫାତ ଦେଖୁଛନ୍ତି?

ଉ: ପ୍ରଥମତଃ ବର୍ତ୍ତମାନ ସମୟରେ ସମସ୍ତେ ଜମିରୁ କିପରି ଅଧିକ ଅମଳ ହେବ , ତାହାକୁ ପ୍ରାଥମିକତା ଦେଉଛନ୍ତି । କିନ୍ତୁ ଅଧିକ ଅମଳ ଆଶାରେ ଆମେ ନିଜ ଦେହ ତଥା ମାଟିର ଯେଉଁ ହାନି ପହଁଚାଉଛନ୍ତି , ସେକଥାକୁ ଭୁଲିଯାଉଛନ୍ତି । କିଛିଟା ପାଇବା ଆଶାରେ ଅନେକ କିଛି ଆମେ ହରାଉଛନ୍ତି । ଏହି ଉପକ୍ରମରେ ଜୈବିକ କୃଷି ଏକ ସୁନ୍ଦର ଆଉ ଅଭିନବ ପଦକ୍ଷେପ । ଯେଉଁଥିରେ ଆମେ ସ୍ୱଳ୍ପ ଟଙ୍କା ବିନିଯୋଗ କରି ଅଧିକ ଅମଳ କରିବା ସହ ଆମ ଶରୀର ସୁସ୍ଥ ବି ରହିଥାଏ । ଏହା ଯୋଗୁଁ ପରିବେଶ ସନ୍ତୁଳନ ବି ରକ୍ଷା ହୋଇଥାଏ । ମାଟିର ଉର୍ବରତା ବଢେ଼ ।

ପ୍ର: ସ୍ନାତକର ପରିସୀମାରୁ ବାହାରି ଆପଣ ଜୈବିକ କୃଷିର ମୋହରେ କିପରି ପଡ଼ିଲେ?

ଉ: ସ୍ନାତକ ତ ମୋର ଶିକ୍ଷାଗତ ଯୋଗ୍ୟତା । କିନ୍ତୁ ବ୍ୟକ୍ତିଗତ ଭାବରେ କହିବାକୁ ଗଲେ ମୋତେ ଏମିତି କିଛି କରିବାର ଥିଲା ଯାହା ମୋତେ ଆତ୍ମସନ୍ତୋଷ ଦେଇପାରୁଥିବ । ସେଥିପାଇଁ ଚାଷକୁ ପ୍ରମୁଖ ପନ୍ଥା ଭାବେ ବାଛିଲି । ଆଉ ଜୈବିକ କୃଷିକୁ ଆପଣେଇବାର କାରଣ ଏହା ଯୋଗୁଁ ଆମେ ବେଶ କମ୍ ପଇସାରେ ନିଜ ଘରେ ଜୈବିକ ଉପାୟରେ କୀଟନାଶକ ଓ ସାର ପ୍ରସ୍ତୁତ କରି ଜମିରେ ଦେଇପାରୁଛୁ । ଏହା ଯୋଗୁଁ ଦେହ , ମନ ବି ସୁସ୍ଥ ରହୁଛି । କାମ କରିବାକୁ ଉତ୍ସାହ ବି ମିଳୁଛି ।

nano urea

ପ୍ର: ଆପଣଙ୍କ ଜମିରେ କଣ କଣ ଜୈବିକ ଉପାୟ ଅବଲମ୍ବନ କରୁଛନ୍ତି?

ଉ: ମୁଁ ପ୍ରଥମରୁ ଜିଆଖତ ପ୍ରସ୍ତୁତ କରିଆସୁଛି । ଏହା ବ୍ୟତୀତ ଜୀବାମୃତକୁ ପାଂଚ ବର୍ଷ ହେବ ନିଜ ଜମିରେ ବ୍ୟବହାର କରୁଛି । ଏହା ମାଟି ପାଇଁ ବେଶ ଫଳପ୍ରଦ ଭାବେ କାମ କରୁଛି । ବ୍ରହ୍ମାସ୍ତ୍ର,ପଂଚଗବ୍ୟ, ବୀଜାମୃତ , ହାଣ୍ଡିଖତ ପ୍ରଭୃତିକୁ ଜମିରେ ବି ଉପଯୋଗ କରୁଛି । ଏହାର ଉପକାରିତାକୁ ମୁଁ ନିଜେ ଅନୁଭବ କରିପାରୁଛି ।

ପ୍ର: ବର୍ତ୍ତମାନର ଯୁବସମାଜ ଚାଷ ପାଇଁ ବିମୁଖ ହେବାର କାରଣ କଣ ହୋଇଥାଇପାରେ?

ଉ: ଯୁବକ ମାନେ ଚାଷ ପାଇଁ ସ୍ୱତଃ ଭାବରେ ଆଗ୍ରହ ସୃଷ୍ଟି କରିବା ଆବଶ୍ୟକ । ବିମୁଖ ହେବାର କାରଣ ସେମାନେ ବର୍ତ୍ତମାନ ସମୟରେ ଆଉ କ୍ଷେତକୁ ପଶିବାକୁ ଚାହୁଁନାହାନ୍ତି । ଯୁଗ ବଦଳିବା ସହ ମାନସିକତା ବି ପରିବର୍ତ୍ତନ ହେଉଛି । ମନରେ ଇଚ୍ଛା ଥିଲେ ସବୁକିଛି ସମ୍ଭବ । ଏହି ପରିପ୍ରେକ୍ଷୀରେ ଯୁବସମାଜ ଚାହିଁଲେ କୃଷି କ୍ଷେତ୍ରରେ ବି ଉଦ୍ୟୋଗୀ ହୋଇପାରିବେ । କେବଳ ଦୃଢ଼ ଇଚ୍ଛାଶକ୍ତି ଓ କର୍ମକୁଶଳତା ହିଁ ଏହାର ପରିମାପକ ବୋଲି ମୋର ବିଶ୍ୱାସ । ମୋ ମତରେ ଯୁବକ ମାନେ କୃଷିକୁ ନାକ ନ ଟେକି ବରଂ ଏଥିପାଇଁ ଆଗେଇ ଆସିବା ଆବଶ୍ୟକ ।

ପ୍ର: ଶ୍ୟାମଳ ସୁବର୍ଣ୍ଣ ପତ୍ରିକା ଉପରେ ଆପଣ କଣ ମତ ରଖିବେ?

ଉ: ନିଶ୍ଚୟ ଭାବେ କୃଷି ପତ୍ରିକାଟିଏ ବାହାରିବା ସ୍ୱାଗତଯୋଗ୍ୟ । ପତ୍ରିକାରେ ବାହାରୁଥିବା ମୌଳିକ କୃଷି ଭିତ୍ତିକ ଲେଖା ତଥା ସଫଳ ଚାଷୀଙ୍କ ସାକ୍ଷାତକାର ଅନ୍ୟ ଚାଷୀମାନଙ୍କୁ ପ୍ରେରଣା ଦିଏ । ତେବେ ଏହା କିପରି ଚାଷୀଙ୍କ ପାଖରେ ଅଧିକ ରୁ ଅଧିକ ପହଁଚିପାରିବ , ସେ ଦିଗରେ ଧ୍ୟାନ ଦେବା ଆବଶକ । ପତ୍ରିକାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।

Leave A Reply

Your email address will not be published.

eleven − 5 =