କୃଷି ବିଜ୍ଞାନ ଓ ଭୂବିଜ୍ଞାନ

0

ଖାଦ୍ୟ ବୈଷୟିକ ପାଠ୍ୟକ୍ରମ କୃଷି ବିଜ୍ଞାନ ରାଷ୍ଟ୍ରର ଶାରୀରିକ ଏବଂ ମାନସିକ ସୁସ୍ଥତାର ଉତ୍ସ ଭାବେ ଛିଡ଼ା ହୋଇଥାଏ। କୃଷି ବିନା ଖାଦ୍ୟର କୌଣସି ପରିଚୟ କିମ୍ବା ଅସ୍ତିତ୍ବ ନାହିଁ।

ସେହିପରି ଭୂବିଜ୍ଞାନ କୁ ପ୍ରାକୃତିକ ବିଜ୍ଞାନ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଅନ୍ୟ ବିଷୟ ତୁଳନାରେ ଭିନ୍ନ ପ୍ରାକୃତିକ ପ୍ରକ୍ରିୟା ସହ ଏହା ଅତି ଘନିଷ୍ଠ ଭାବେ ଜଡ଼ିତ। ରାଷ୍ଟ୍ରରେ ଗଚ୍ଛିତ ଥିବା ସମସ୍ତ ଖଣିଜ ତଥା ଶକ୍ତି ଉତ୍ସକୁ ଠାବ କରିବାରେ ଭୂବିଜ୍ଞାନର ଅବଦାନ ଅତୁଳନୀୟ।ତେଣୁ ଭୂବିଜ୍ଞାନ ମଧ୍ୟ ଦେଶର ଅର୍ଥନୀତିର ସେତୁକୁ ସୁଦୃଢ କରିଥାଏ।

ମୃତ୍ତିକା ଓ ଜଳ ବିନା କୃଷି ଅସମ୍ଭବ।ପୃଥିବୀ ସୃଷ୍ଟି ସହ ମୃତ୍ତିକାର ସୃଷ୍ଟି ହୋଇ ନାହିଁ। ବିଗ୍ ବ୍ୟାଙ୍ଗ ଥିଓରି ଅନୁସାରେ ଏକ ଜ୍ୱଳନ୍ତ ବିଶାଳ ବସ୍ତୁତ୍ଵର ଖଣ୍ଡ ବିଖଣ୍ଡିତ ପ୍ରକ୍ରିୟା ବିଭିନ୍ନ ଗ୍ରହ ସୃଷ୍ଟିର ମୁଖ୍ୟ କାରଣ। ପରେ ପରେ ଧୂମକେତୁର ପ୍ରଭାବ କିମ୍ବା ଆଗ୍ନେୟଗିରି ରୁ ନିର୍ଗତ ବାଷ୍ପ ରୁ ଜଳ ଏବଂ ବାୟୁମଣ୍ଡଳ ସୃଷ୍ଟି। ଏହାପରେ ଜୀବ ଜଗତ ଓ ଶେଷରେ ବିଭିନ୍ନ କ୍ଷୟକାରୀ ମାଧ୍ୟମ ଯଥା ନଦୀ, ପବନ, ହିମଶ୍ରୋତ ଓ ଭୂତଳ ଜଳର କ୍ରିୟାଶୀଳତା ପ୍ରକ୍ରିୟା , ମୃତ୍ତିକାର ମୁଖ୍ୟ ଉପାଦାନ ବାଲି , ପଟୁ ତଥା କଦୁଅକୁ ସୃଷ୍ଟି କରିଥିଲା। କାଳକ୍ରମେ ଜୈବ ପଦାର୍ଥର ମିଶ୍ରଣ , ଏକ ପୂର୍ଣ୍ଣ ବିକଶିତ ମୃତ୍ତିକାର ଉତ୍ପତ୍ତି ପାଇଁ ଦାୟୀ।

nano urea

ଭାରତରେ ଦୃଷ୍ଟିମାନ୍ ହେଉଥିବା ବିଭିନ୍ନ ମୃତ୍ତିକା ମଧ୍ୟରୁ ନଦୀସ୍ରୋତ ଦ୍ଵାରା ସଞ୍ଚିତ ମୃତ୍ତିକା ( ଆଲୁଭିଆଲ୍ ସଏଲ ) , ଲୋହିତ ମୃତ୍ତିକା ଏବଂ କୃଷ୍ଣ କାର୍ପାସ ମୃତ୍ତିକା ଅର୍ଦ୍ଧାଧିକ ଅଂଶକୁ ଢାଙ୍କିତ କରି ରଖିଛି। ଉତ୍ତର ଭାରତର ପଞ୍ଜାବ, ହରିୟଣା ଓ ଉତ୍ତରପ୍ରଦେଶ ର କୃଷିକଷେତ୍ର ଗାଙ୍ଗେୟ ସମତଳ ଅଞ୍ଚଳ ଅନ୍ତର୍ଭୁକ୍ତ ଏବଂ ଏହାର ହିମାଳୟ ପର୍ବତ ସହ ସମ୍ପର୍କ ରହିଅଛି। ଆଜିକୁ ପ୍ରାୟ ୫୦ ମିଲିୟନ ବର୍ଷ ପୂର୍ବେ ଇଣ୍ଡିଆନ ଓ ୟୁରେସିୟାନ୍ ପ୍ଳେଟ୍ ର ସଂଘର୍ଷ ରୁ ହିମାଳୟ ଜାତ। ସେବେଠାରୁ ଏହା ଅସ୍ଥିର ଏବଂ ଆଜି ବି ଏହାର ଉର୍ଦ୍ଧ୍ୱଚଳ ଗତି ଜାରି ରହିଛି। ହିମାଳୟରୁ ଜାତ ବିଭିନ୍ନ ନଦୀ ଯଥା ସିନ୍ଧୁ, ଗଙ୍ଗା , ବ୍ରହ୍ମପୁତ୍ର ଆଦି ପର୍ଯ୍ୟାପ୍ତ ପରିମାଣର ପଟୁ ଗାଙ୍ଗେୟ ସମତଳ ଓ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ଜମା କରାଇ ଥାନ୍ତି। କାରଣ ନଦୀ ଉଚ୍ଚ ପର୍ବତ୍ୟାଞ୍ଚଳରୁ ପ୍ରବାହିତ ହୋଇ ଯେବେ କୌଣସି ସମତଳ ଅଞ୍ଚଳକୁ ପ୍ରବେଶ କରିଥାଏ , ତାର ଜଳର ଗତି ଧିମା ହୋଇଥାଏ। ଫଳରେ ସେ ନିଜ ସହ ବହନ କରୁଥିବା ପଦାର୍ଥକୁ ନଦୀର ତ୍ରିକୋଣ ଭୂମିରେ ଏବଂ ବନ୍ୟା ପରେ ନଦୀ ତଟ ଭୂମିରେ ଜମା କରିଥାଏ। ଏହି ପ୍ରକ୍ରିୟାରୁ ଉତ୍ତର ଭାରତ ଓ ପୂର୍ବ ଉପକଳର ଉର୍ବର ଆଲୁଭିଆଲ ସଏଲ୍ ସୃଷ୍ଟି ଯାହା ଧାନ , ଆଖୁ , ମକା ଇତ୍ୟାଦି ଚାଷ ପାଇଁ ପ୍ରଯୁଜ୍ୟ।ପରେ ଲୋହିତ ମୃତ୍ତିକା ମୁଖ୍ୟତଃ କମ୍ ବୃଷ୍ଟିପାତ ତଥା ଶୁଷ୍କଜଳବାୟୁରେ ସୃଷ୍ଟି ହୋଇଥାଏ। ଆଇରନ୍ ଅକ୍ସାଇଡ୍ ର ଉପସ୍ଥିତି ପାଇଁ ଏହା ଲାଲ୍ ରଙ୍ଗ ବହନ କରିଥାଏ , ଯାହା ରାଜସ୍ଥାନରେ ଦେଖାଯାଇଥାଏ ।
    କୃଷ୍ଣ କାର୍ପାସ୍ ମୃତ୍ତିକା ଭାରତର ପଶ୍ଚିମ ରାଜ୍ୟ ମହାରାଷ୍ଟ୍ରରେ ଅଧିକାଂଶରେ ଦେଖାଯାଏ।ଏହା ଛଡା ପଶ୍ଚିମ ମଧ୍ୟପ୍ରଦେଶ, ଗୁଜରାଟ ଓ ରାଜସ୍ଥାନର କିଛି ଅଂଶରେ ବି ଏହା ଦେଖା ଯାଇଥାଏ। ଭୂତତ୍ତ୍ଵର ସମୟ ଖସଡ଼ା ଅନୁସାରେ , କ୍ରେଟା- ସିୟସ୍ ରୁ ଇଓସିନ୍ କାଳ ଅବଧି ଭିତରେ ଡେକାନ୍ ଶିଳାର ସୃଷ୍ଟି। ଏହି ଡେକାନ୍ ଶିଳା ରି-ୟୁନିୟନ୍ ନାମକ ହଟ୍- ସ୍ପଟ୍ ଉପରେ ଭାରତୀୟ ପ୍ଲେଟ ର ଚଳନ ଯୋଗୁଁ ସୃଷ୍ଟି ହୋଇଥିଲା।ପରେ ବିଭିନ୍ନ କ୍ଷୟକାରୀ ପ୍ରକ୍ରିୟା ପ୍ରଭାବରେ କୃଷ୍ଣ ମୃତ୍ତିକା ଜନ୍ମ ନେଇଥିଲା। ମାତ୍ରାଧିକ ଅଇରନ୍ ଓ ମଗ୍ନେଶିୟମ୍ ଧାରଣ କ୍ଷମତା ପାଇଁ ଏହାର ରଙ୍ଗ କଳା। ଏତଦ୍ ବ୍ୟତୀତ କାଦୁଅର ଅଧିକ ଉପସ୍ଥିତ ପାଇଁ ଏହାର ଜଳ ଧାରଣ କ୍ଷମତା ମଧ୍ୟ ଅଧିକ ଯାହା କପା ଚାଷ ପାଇଁ ଜରୁରୀ।

ତେଣୁ ଭୂବିଜ୍ଞାନ ଓ କୃଷି ବିଜ୍ଞାନ ପରସ୍ପର ସହ ବନ୍ଧନରେ ବନ୍ଧା।

ଶ୍ରବଣ କୁମାର କର , ଜଗତସିଂହପୁର

Leave A Reply

Your email address will not be published.

5 + 11 =