ଭଦ୍ରକର ସଫଳ ଫର୍ଦ୍ଦ

ଭଦ୍ରକ ମାଟି ସଂଗ୍ରାମର ମାଟି । ଏ ମାଟି ଚିପୁଡ଼ିଲେ ସାହିତ୍ୟ ସାଧକଙ୍କ ଠାରୁ ଆରମ୍ଭ କରି ସଂଗ୍ରମାୀଙ୍କ ବର୍ଣ୍ଣବିଭା ଯାଏଁ ସବୁ କିଛି ସହଜରେ ବାରି ହୋଇପଡ଼େ । କାନ୍ତକବିଙ୍କ ଠାରୁ ଆରମ୍ଭ କରି ଜାତୀୟତାବାଦର ଗୁଣଗାନ କରୁଥିବା କବି ବାଂଛାନିଧି ମହାନ୍ତି ପର୍ଯ୍ୟନ୍ତ ଏସମସ୍ତଙ୍କ କଥା ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ । ସେମାନଙ୍କ ମଧ୍ୟରୁ ସେମିତି ଜଣେ ସଂଗ୍ରାମୀ ମଣିଷ ଯାହାଙ୍କ ବାକ୍ ଚାତୁର୍ଯ୍ୟ ସାରା ଓଡ଼ିଶାର ଜନମାନସରେ ପରିଚିତ ଥିଲା ଭଦ୍ରକର ମାନସସନ୍ତାନ ବିଷ୍ଣୁ ସେଠୀ । ଜୁନ୍ ୫, ୧୯୬୧ ତିହିଡ଼ିର ମଙ୍ଗରାଜପୁରରେ ଜନ୍ମଗ୍ରହଣ କରିଥିବା ବିଷ୍ଣୁ ସେଠୀ କେବଳ ତିହିଡ଼ି କି ଭଦ୍ରକ ନୁହେଁ ବରଂ ରାଜ୍ୟର ସାହିତ୍ୟ ଆଉ ରାଜନୀତିର ପୁସ୍ତକର ଏକ ସଫଳର ଅଧ୍ୟାୟ । ଆଜି ସେ ନାହାନ୍ତି ସତ କିନ୍ତୁ ତାଙ୍କ ବ୍ୟକ୍ତିତ୍ୱ ଆଉ ସଫଳତା ସର୍ବଜନବିଦିତ । ସେପ୍ଟେମ୍ବର ୧୯, ୨୦୨୨ ରେ ଏହି ସଫଳ ବ୍ୟକ୍ତିତ୍ୱଙ୍କ ଦେହାବସାନ ହୋଇଥିଲା । ରାଜ୍ୟ ଜଣେ ସଫଳ ସାହିତ୍ୟ ଅନୁରାଗୀ ମଣିଷଙ୍କୁ ହରାଇଥିଲା । କିନ୍ତୁ ଆଜିବି ତାଙ୍କ ସଫଳ ସ୍ୱାକ୍ଷର ଜୀବିତ । ଆଜି ବି ଘାସଫୁଲ ଚମକୁଛି । ଆଜି ବି ତାଙ୍କ କଲମର କବିତା କୁହୁକ ଗାନ କରୁଛି। ଭଦ୍ରକର ସଫଳ ଦୟାଦ ଭାବରେ ସେ ଆଜି ବି ସମସ୍ତଙ୍କ ହୃଦୟରେ। ଆଜିର ଯୁବପିଢ଼ି ମାନଙ୍କ ପାଇଁ ସେ ପ୍ରେରଣା । ଜେନ ଜି ଙ୍କ ପାଇଁ ସେ ଆଦର୍ଶ ।

ଆଜି ତାଙ୍କ କଥା ଉଲ୍ଲେଖ କରିବାର ଗୋଟିଏ ମାତ୍ର ଉଦ୍ଦେଶ୍ୟ ଏହା କି ସମୟର ଗତାନୁଗତିକ ଚଲାପଥରେ ଏମିତି ସଫଳ ଅଧ୍ୟାୟ ବିଲୁପ୍ତ ନ ହୋଇଯାଉ , ସେମାନଙ୍କ ସଫଳତାର ବାଣୀ ସମସ୍ତଙ୍କ ପାଖରେ ପହଁଚୁ ।ଆମେ ଆଜି ଅମୃତପିଢ଼ୀର କଥା କହୁଛନ୍ତି । ଯାହାକୁ ଅନ୍ୟ ଭାଷାରେ ଜେନ ଜି ବୋଲି ସାଧାରଣରେ ଚର୍ଚ୍ଚା କରୁଛନ୍ତି । ସେହି ଅମୃତପିଢ଼ୀ ମାନଙ୍କ ପାଖରେ ଏମିତି ସାରସ୍ୱତ ସାଧକଙ୍କ କଥା ପହଁଚିବା ଦରକାର। ୨୦୦୦ ମସିହାରେ ସେ ଭାଜପାରୁ ଚାନ୍ଦବାଲି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ । ୨୦୦୦-୨୦୦୪ ଯାଏଁ ବିଧାନସଭା କାର୍ଯ୍ୟକାଳ ମଧ୍ୟରେ ତାଙ୍କ ଓଜସ୍ୱିନୀ ବକ୍ତବ୍ୟ ଆଉ ଚାତୁର୍ଯ୍ୟ ଯୋଗୁଁ ବେଶ ଲୋକପ୍ରିୟ ହୋଇପାରିଥିଲେ। ଏହା ପରେ ୨୦୧୯ରେ ଧାମନଗର ନିର୍ବାଚନମଣ୍ଡଳୀରୁ ବିଜୟ ଲାଭ କରିଥିଲେ ।
କହିବାର ତାତ୍ପର୍ଯ୍ୟ ମଣିଷ ଜନ୍ମ ହେଲେ ଏଠି ଦେବତା ବି ମରେ, ସାର୍ଥକ ମଣିଷ ସିଏ ଯାହାକୁ ଏ ମାଟି ଗୋଡ଼ି ଝୁରେ । ବିଷ୍ଣୁ ସେଠୀ ଏକମାତ୍ର ରାଜନେତା ଭଦ୍ରକରୁ ନଥିଲେ ତାଙ୍କ ପୂର୍ବରୁ ଅନେକ ରାଜନେତା ଯେପରିକି ନୀଳମଣି ରାଉତରାୟ , ହରେକୃଷ୍ଣ ମହତାବ ଯାଏଁ ଅନେକ ନେତା ଓଡ଼ିଶାରେ ବେଶ ନାଁ କମେଇଛନ୍ତି । କିନ୍ତୁ ଜଣେ ସଫଳ ରାଜନେତା ସହ ସାହିତ୍ୟ ଆଉ ସଂସ୍କୃତିକୁ ଭଲ ପାଉଥିବା ମଣିଷ ହାତ ଗଣତି କେଇଟା ବ୍ୟକ୍ତି ପାଇବେ । ସେମାନଙ୍କ ମଧ୍ୟରୁ ବିଷ୍ଣୁ ସେଠୀ ଅନ୍ୟତମ ।

୨୦୧୮ରେ ଯେବେ ମୁଁ ମୋର ସମ୍ପାଦନାରେ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଷ୍ଟାର୍ଟଅପ୍ ର ପରିକଳ୍ପନାରେ କୃଷି ପତ୍ରିକାଟିଏ ବାହାର କରିବାକୁ ଯୋଜନା କରୁଥିଲି ପତ୍ରିକା ଆରମ୍ଭ କରିବାର ଗୋଟେ ମାସ ପୂର୍ବରୁ ତାଙ୍କ ସହ ଦେଖାହେଇଥିଲା । କୃଷି ସାହିତ୍ୟ ଦିଗରେ ଏପରି କାର୍ଯ୍ୟ କରୁଥିବାରୁ ପ୍ରଶଂସା କରିବା ସହ ଜଣେ ସଫଳ ଚାଷୀର ମର୍ମବେଦନା ସେ ଜଣାଇଥିଲେ । ସାଧରଣତଃ ଆମ ଜିଲ୍ଲା ଭଦ୍ରକ ସମୁଦ୍ରକୂଳିଆ ହୋଇଥିବାରୁ ଅନେକ ସମୟରେ ବନ୍ୟା ଆସେ । ୧୫ ବର୍ଷ ତଳକୁ ଫେରିଗଲେ ଧୁଷୁରୀ, କୋଠାର , ଅର୍ଣ୍ଣପାଳ , ଅସୁରାଳି,ବେତାଳିଗାଁ ପରି ବିଭିନ୍ନ ଗାଁର ଚାଷ ଜମି ଏହି ବନ୍ୟାପାଣି ପାଇଁ ନଷ୍ଟ ହୋଇଯାଉଥିଲା । ତାଙ୍କର ପ୍ରତିଟି ବାକ୍ୟ ଚାଷୀଙ୍କ ହିତ ଉଦ୍ଦେଶ୍ୟରେ ସମର୍ପିତ ଥିଲା। କଥା ଛଳ ରେ ଅନେକ ଥର କହିଥବେ ଆମ ଜିଲ୍ଲାର ଚାଷୀଙ୍କ ପାଇଁ କିଛି କର । ଏମିତି ଜଣେ ସଂସ୍ଖୃତି ମନସ୍କ ବ୍ୟକ୍ତି କେବଳ ଇତିହାସରେ ସୀମିତ ରହି ନଯାଆନ୍ତୁ । ନିଃସ୍ଵ ମାଟିର ସ୍ୱର, ଶିରୋନାମା ଶିରୋଧାର୍ଯ୍ୟ ପରି କବିତା ଓ ଗଳ୍ପ ପୁସ୍ତକ ରଚନା କରି ସେ ନିଜର ପରିଚୟକୁ ଆହୁରି ବିସ୍ତୃତ କରିଥିଲେ। ସ୍ୱଭାବରେ ରାଗି ଜଣାପଡୁଥିବା ବିଷ୍ଣୁ ସେଠୀ ଯେ ହୃଦୟବାନ ମଣିଷ ଏକଥା ତାଙ୍କ ସହ ମିଶିଥିବା ପ୍ରତ୍ୟେକ ଟି ବ୍ୟକ୍ତି ସହଜରେ ଅନୁଭବ କରିପାରୁଥିବେ।

ଭଦ୍ରକ ଇତିହାସରେ ବିଷ୍ଣୁ ସେଠୀ ଏକ ସଫଳ ଫର୍ଦ୍ଦ । ଏ ଆଲେଖ୍ୟ ସେହି ଜନନେତାଙ୍କ ପାଇଁ ସମର୍ପିତ । ଏମିତି ସଫଳ ରାଜନେତା,କବି,ଗାଳ୍ପିକ ତଥା ସମ୍ପାଦକଙ୍କ ଗାଥା କେବଳ ଘାସଫୁଲ କି ଆଲୋକମୟ ଅପସରାର ପୃଷ୍ଠାରେ ଅଟକି ନଯାଉ । ଆମ ଜିଲ୍ଲାର ସଫଳ କାହାଣୀ ସାରା ଓଡ଼ିଶା ଜାଣୁ ।

 ଡି ଶୁଭମ୍, ଫାଉଣ୍ଡର – ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ, ଭଦ୍ରକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×