ରାଜ୍ୟରେ ପୁଷ୍ଟିଶସ୍ୟକୁ ସାଧାରଣ ଜନତାଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ଅଧିକ ଗୁରୁତ୍ବ ଦେଇଆସୁଛନ୍ତି। ଚାଷୀ ମଧ୍ୟ ପୁଷ୍ଟିଶସ୍ୟ ଉତ୍ପାଦନକୁ ଧ୍ୟାନ ଦେଇ ଭଲ ରୋଜଗାରକ୍ଷମ ହେବା ସହ ରାଜ୍ୟର ଅର୍ଥନୀତି ମଧ୍ୟ ବଢୁଛି। ପୁଷ୍ଟିଶସ୍ୟ ଚାଷ ପାଇଁ ମାନ୍ୟବର ରାଜ୍ୟ ସରକାର ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ସଘନ ପ୍ରଣାଳୀ, ଧାଡ଼ି ରୁଆ, ଧାଡ଼ି ବୁଣା ପଦ୍ଧତିକୁ ଆପଣେଇବା ନିମନ୍ତେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ରାଜ୍ୟର ୧୭୭ ଟି ବ୍ଲକରେ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରାଯାଇଛି। ଚାଷୀଙ୍କୁ ୨ ହେକ୍ଟର ପର୍ଯ୍ୟନ୍ତ କ୍ଷେତ୍ର ପ୍ରଦର୍ଶନ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ନେଇ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।
ପୁଷ୍ଟିଶସ୍ୟ ମିଲେଟ୍ସକୁ ପ୍ରୋତ୍ସାହନ ଦେଇ ଏହାର ଉତ୍ପାଦନ ଏବଂ ବ୍ୟବହାର କ୍ଷେତ୍ରରେ ସାରାଦେଶରେ ଓଡ଼ିଶା ସର୍ବାଗ୍ରେ ରହିଛି। ପୁଷ୍ଟିଶସ୍ୟ କହିଲେ ମାଣ୍ଡିଆ, କାଙ୍ଗୁ, ସୁଆଁ, ଜହ୍ନା ଆଦିକୁ ବୁଝାଏ। ଏହା ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ। ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ପୁଷ୍ଟିଶସ୍ୟ ଚାଷକୁ ସରକାର ପ୍ରୋତ୍ସାହନ ଦେବା ସହିତ ଏହାକୁ ଚାଷଜମିରୁ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏହା ଅଧୀନରେ ରାଜ୍ୟସରକାର ଚାଷୀଙ୍କୁ ତାଲିମ ମଧ୍ୟ ଯୋଗଦେଇଛନ୍ତି। ସଠିକ୍ ମାଗଦର୍ଶନ ଯୋଗାଇଦେବା ଦ୍ଵାରା ଚାଷୀମାନେ ଉପକୃତ ହୋଇପାରୁଛନ୍ତି।